Unknown

 

 

 

 

 

 

 

 

 

 

 

ସପନ ଭୂଇଁ ଲଣ୍ଡନ ଏଇ

ଅଧ୍ୟାପକ ଜଗନ୍ନାଥ ମହାନ୍ତି

 

କାହିଁକି ଏ କାହାଣୀ ?

 

ବିଲାତ ଦେଶ । ଦରିଆ ମଝିରେ ଦ୍ଵୀପଟିଏ । ଆୟତନରେ ଆମ ଓଡ଼ିଶାର ପ୍ରାୟ ଦେଢ଼ଗୁଣ । ଏହାର ଲୋକସଂଖ୍ୟା ପୁଣି ଆମ ରାଜ୍ୟର ଦୁଇଗୁଣ । ଏଠାରୁ ସେ ପ୍ରାୟ ପାଞ୍ଚ ହଜାର ମାଇଲ ଦୂର । ସାତ ସମୁଦ୍ର ତେର ନଈ ପାର । କେତେ ପାହାଡ଼ପର୍ବତ, କେତେ ବଣଜଙ୍ଗଲ ଆଉ କେତେ ବାଧାବନ୍ଧନ ଡେଇଁ ସେ ଦେଶ ।

 

ସେଇ ଦେଶରୁ ଗୋରା ବେପାରୀମାନେ ଆସି ଆମରି ଏଇ ଦେଶରେ ବଣିଜ କରିଥିଲେ, ଦୋକାନ ମେଲିଥିଲେ । କଳେ, ବଳେ, କୌଶଳେ ସେମାନେ ଏ ଦେଶରେ ଆସନ ଜମାଇଲେ । ଗୋଦାମ ଗଦିରୁ ଉଠି ରାଜଗାଦିରେ ବସିଲେ । ତୁଳାଦଣ୍ଡ ବଦଳରେ ରାଜଦଣ୍ତ ପାଇଲେ ।

 

କେବଳ ଆମରି ଦେଶ ନୁହେଁ, ସେମାନେ ଏଡ଼େ ବଡ଼ ପୃଥିବୀର ଅଧେ ଦଖଲ କରିଥିଲେ । ସେମାନଙ୍କ ସାମ୍ରାଜ୍ୟ ପୃଥିବୀର ଏମୁଣ୍ଡରୁ ସେମୁଣ୍ଡକୁ ଲାଗିଥିବାରୁ ସେଠାରେ ସୂର୍ଯ୍ୟ ଜମା ଅସ୍ତ ହେଉନଥିଲେ ବୋଲି କୁହାଯାଉଥିଲା । ସବୁ ମହାଦେଶରେ ଥିଲା ସେମାନଙ୍କର ରାଜୁତି-। ସେମାନଙ୍କର କ୍ଷମତା ଥିଲା ଅକଳନ୍ତା । ସିଂହ ସେମାନଙ୍କୁ ବାଟ ଛାଡ଼ି ଦେଉଥିଲା । ଏକାତୁଠରେ ବାଘ ଆଉ ବକିରୀଙ୍କୁ ସେମାନେ ପାଣି ପିଆଉଥିଲେ ।

 

ସେଦିନ ଚାଲିଗଲା । କେତେକ ଦେଶ ଲଢ଼େଇ କରି ସ୍ଵାଧୀନତା ପାଇଲେ । ଆଉ କେତେକ ଦେଶ ଆମ ପରି ଅହିଂସା ଆନ୍ଦୋଳନ କରି ମୁକ୍ତିଲାଭ କଲେ । ଏବେ ଏମିତି ଅଧିକାଂଶ ଦେଶ ପୂରା ସ୍ଵାଧୀନ । ଏବେ ବଡ଼ ଇଂରେଜ ସାମ୍ରାଜ୍ୟର କର୍ପୂର ଉଡ଼ିଯାଇ ଇତିହାସର କନା ଖାଲି ପଡ଼ିରହିଛି ।

 

ହେଲେ ସେଇ ଗୋରାମାନଙ୍କର ଶକ୍ତି ଅଛି । ପାରିବାର ପଣ ଅଛି । କରିବାର ମନ ଅଛି । ଜାତିକୁ ଆଗେଇ ନେବାର ଦିମାକ୍ ଅଛି । ପରକୁ ଆପଣାର କରିବାର ଦିଲ୍ ଅଛି । ସେମାନେ ସେମାନଙ୍କ ପୂର୍ବପୁରୁଷର ଉପଯୁକ୍ତ ଦାୟାଦ ହୋଇଛନ୍ତି । ଆଗର ଗୌରବ ବଞ୍ଚାଇ ରଖିଛନ୍ତି ।

 

ଆମେ ସେମାନଙ୍କ ଶାସନ ତଳେ ଦେଢ଼ ଶହ ବର୍ଷ ରହିଲୁ । ସେମାନଙ୍କଠାରୁ ଆମେ ଭଲ ଗୁଣଠାରୁ ବେଶି ଖରାପ ଗୁଣ ଶିଖିଲୁ । ଏଠାରେ ବାପୁଜୀଙ୍କର ଗୋଟିଏ କଥା ମନେପଡ଼େ । ୧୯୨୭ ମସିହାରେ ମହାତ୍ମାଗାନ୍ଧୀ କଟକ ଆସିଥିଲେ ଏବଂ ମଧୁବାବୁଙ୍କ ଘରେ ରହିଥିଲେ । ସେ ହଠାତ୍ ଥରେ କହିଲେ, “ଶ୍ରୀ ଦାସ, ଆମ ପାଠପଢ଼ୁଆ ପିଲାଙ୍କ ମନ ଠିକ୍ ଛାପା କାଗଜ ଭଳି ।”

 

ମଧୁବାବୁ ଏକଥାର ଅର୍ଥ କ’ଣ ପଚାରିବାରୁ ଗାନ୍ଧିଜୀ ଉତ୍ତର ଦେଇଥିଲେ, “ଯେମିତି ଛାପା କାଗଜରେ ଓଲଟା ଅକ୍ଷରରୁ ଛାପା ଉଠିଯାଏ, ଠିକ୍ ସେମିତି ଆମ ପାଠୁଆ ପିଲାଙ୍କ ମନରେ ସାହେବୀ ଶିକ୍ଷାର ଓଲଟା ପ୍ରତିଛବି ପଡ଼ୁଛି । ସେମାନେ ଶିକ୍ଷାର ଅସଲ ମର୍ମ ବୁଝୁ ନାହାନ୍ତି ।”

 

ବାପୁଜୀଙ୍କର ଏଇ କଥା ଏବେ ବି ଆହୁରି ସତ ହୋଇଛି । ସାହେବମାନେ ଆମ ଦେଶକୁ ରାଜୁତି କରି ଆମର ଯେତିକି କ୍ଷତି କଲେ, ଆମେ ସେମାନଙ୍କର ଅନ୍ଧ ଅନୁକରଣ କରି ନିଜର ଆହୁରି ଅଧିକ କ୍ଷତି କରୁଛୁ । ସେମାନଙ୍କର ଭଲଗୁଣଗୁଡ଼ିକୁ ଶିଖିପାରିଲେ ଆମେ ଭଲ ମଣିଷ ହେବା ଆଉ ଆମ ଦେଶକୁ ବଡ଼ କରିପାରିବା । ସେମାନଙ୍କର ଶିକ୍ଷା, ସ୍ଵାସ୍ଥ୍ୟ, କଳକାରଖାନା, ଆଚାରବ୍ୟବହାର, ପ୍ରଭୃତିରୁ ଆମେ ଅନେକ ଜାଣିବା ଆଉ ଶିଖିବାର କଥା ରହିଛି-

 

ସେମାନଙ୍କର ଦେଶକୁ ଯେଉଁମାନେ ଯିବାର ସୁଯୋଗ ପାଇଛନ୍ତି, ସେମାନେ ନିଶ୍ଚୟ ଏହା ଅନୁଭବ କରୁଥିବେ । ସେମାନେ ମାନିବେ ଯେ ସେଇ ଜାତି ବଡ଼ ହେବାର ବହୁତ କାରଣ ରହିଛି । ସେଇ କାରଣଗୁଡ଼ିକ ଭିତରେ ସେମାନେ ନିଜେ । ସେମାନଙ୍କ ଭଲ ଗୁଣ, ମୁଣ୍ଡର ମସଲା, ଆଉ ଦେହର ଦିମାକ୍ । ସେମାନଙ୍କର ପିଲାଏ ସେମିତି ଗଢ଼ା ହେଉଛନ୍ତି । ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଛନ୍ତି ।

 

ମୁଁ ଗତ ବର୍ଷ ବିଲାତରେ ଯାହା ଅଙ୍ଗେ ଲିଭେଇଛି, ସବୁ ଶ୍ରେଣୀର ଲୋକଙ୍କ ସହିତ ଚଳି, ମିଳିମିଶି ଯାହା ଜାଣିଛି, ସେହି ସବୁ କଥା ଏଠାରେ ଲେଖିବାକୁ ଚେଷ୍ଟା କରିଛି । ଅବଶ୍ୟ ବିଲାତର ରାଜଧାନୀ ଲଣ୍ଡନକୁ କେନ୍ଦ୍ର କରି ମୁଁ ଏହି ଭ୍ରମଣ କାହାଣୀଟି ଲେଖିଛି । ଅନ୍ୟାନ୍ୟ ସ୍ଥାନ ବିଷୟରେ ଲେଖିଲେ ବେଶୀ ହୋଇଯିବା ଭୟରେ ମୁଁ ଜାଣି ଜାଣି ଏହା କରିଛି । କିନ୍ତୁ ଏହା ଲଣ୍ଡନ ସଙ୍ଗେ ସଙ୍ଗେ ବିଲାତର ମୋଟାମୋଟି ଚିତ୍ରଟିଏ ଦେବ ବୋଲି ଆଶା କରିଛି ।

 

ପିଲାମାନଙ୍କର ରୁଚିକୁ ଚାହିଁ ବିଷୟଗୁଡ଼ିକୁ ବାଛିଚି । ସେମାନଙ୍କର ଭାଷାରେ ଏଗୁଡ଼ିକୁ ପ୍ରକାଶ କରିବାକୁ ଚେଷ୍ଟା କରିଛି । ଏସବୁ ସତ୍ତ୍ଵେ ଆମଠାରୁ ବହୁ ବିଷୟରେ ଫରକ ବିଲାତ ଦେଶର କଥାଗୁଡ଼ିକୁ ଭଲଭାବରେ ବୁଝିବାରେ ହୁଏତ କଷ୍ଟକର ହୋଇପାରେ । କିନ୍ତୁ ସେମାନେ ଏହି ଭ୍ରମଣ କାହାଣୀ ପଢ଼ି ଆନନ୍ଦ ଅନୁଭବ କରିବା ସଙ୍ଗେ ସଙ୍ଗେ ଅନେକ ନୂଆକଥା ଜାଣିପାରିବେ ବୋଲି ମୋର ବିଶ୍ୱାସ ।

 

ଏହି ଭ୍ରମଣ କାହାଣୀର କେତେକ ଅଂଶ “ମନପବନ”, “ମୋ ଦେଶ”, “ଗୌରବ”, “ଆଲୋକ”, “ଶିକ୍ଷାଲୋକ” ପ୍ରଭୃତି ପତ୍ରିକାଗୁଡ଼ିକରେ ପ୍ରକାଶ ପାଇଥିବାରୁ ଏଠାରେ ସେଗୁଡ଼ିକର ସମ୍ପାଦକବୃନ୍ଦଙ୍କ ପ୍ରତି କୃତଜ୍ଞତା ଜଣାଉଛି ।

 

ବିଲାତରେ ଥିଲାବେଳେ “ବିଦ୍ୟାପୁରୀ”ର ପରିଚାଳକ ପୀତାମ୍ବର ବାବୁ ମୋତେ ପତ୍ର ଦେଇ ଏହିପରି ଗୋଟିଏ ବହି ଲେଖିବାରେ ଉତ୍ସାହିତ କରିଥିଲେ । ତାଙ୍କ ହାତରେ ଏହା ଏବେ ବାସ୍ତବ ରୂପ ନେଉଥିବାରୁ ମୁଁ ତାଙ୍କୁ ସାଧୁବାଦ ଜଣାଉଛି । ବହିଟିକୁ ଶୀଘ୍ର ଛପାଇବାରେ ଗୋସ୍ଵାମୀ ପ୍ରେସର ସ୍ଵତ୍ତ୍ଵାଧିକାରୀ ଦିବାକର ବାବୁ ଖୁବ୍ ଯତ୍ନ କରିଥିବାରୁ ମୁଁ ତାଙ୍କପ୍ରତି ଗଭୀର କୃତଜ୍ଞତା ଜଣାଉଛି ।

 

ତା ୨୫ । ୧୨ । ୭୨

। ଇତି ।

ରାଜ୍ୟଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ଵର

ଲେଖକ

★★★

 

ସୂଚୀପତ୍ର

 

୧.

ଅସମ୍ଭବ ସମ୍ଭବ ହେଲା

୨.

ସ୍ଵପ୍ନର ଭୂଇଁ ବିଲାତ ଦେଶ

୩.

କେତେ ରଙ୍ଗ ଆଉ କେତେ ଗନ୍ଧ

୪.

ପିଲା ଖେଳରୁ ପାଠପଢ଼ା

୫.

କେତେ ମଜ୍ଜା ସତେ

୬.

ମନଲୋଭା ତା’ର ଶୋଭା

୭.

କେତେ ସେ ଯାଦୁଘର, ସବୁରି ଶିକ୍ଷାସ୍ଥଳ

୮.

ପୋଷା ପଶୁପକ୍ଷୀଙ୍କ ଘର

୯.

ପର୍ବପର୍ବାଣି ଓ ମେଳାମହୋତ୍ସବ

୧୦.

ସୁସ୍ଥ ଶିଶୁ, ସୁଖୀ ଦେଶ

୧୧.

ସିଝା ଖାଦ୍ୟ ଆଉ କଡ଼ା ପାନୀୟ

୧୨.

ସବୁରି ଭଲରେ ନିଜର ଭଲ

୧୩.

ଜାତିର ଛାତି ଆଉ ଜୀବନର ନାଡ଼ି

୧୪.

କଳର ବଳ ଆଉ ବିଜୁଳିର କରାମତି

୧୫.

ସ୍ୱାଧୀନ ଜାତିର ସମ୍ମାନ ଓ ଅପମାନ

୧୬.

ବିଦାୟ ବିଲାତ ବିଦାୟ

★★★

 

ଅସମ୍ଭବ ସମ୍ଭବ ହେଲା

 

୧୯୭୧ ମସିହା । ସେପ୍ଟେମ୍ବର ୨୬ ତାରିଖ, ରବିବାର । ସାଢ଼େ ତିନିଟା । ମୁଁ ସଜ ହୋଇ ବାହାରି ପଡ଼ିଲି । ମନରେ ମୋର କେତେ ଭାବନାର ଝଞ୍ଜା । କେତେ ଆଶା ଆଉ ଆଶଙ୍କାର ଲୁଚୁକାଳି ଖେଳ । ମୋତେ ମେଲାଣି ଦେବାକୁ ସାଥିରେ ଯାଇଛନ୍ତି ପିଲାମାନଙ୍କଠାରୁ ଆରମ୍ଭ କରି ସାଙ୍ଗସାଥିଙ୍କ ପର୍ଯ୍ୟନ୍ତ କିଏ କେତେ ! ସବୁରି ମନରେ ଯେମିତି କେତେ ଆଗ୍ରହ ଆଉ ଉତ୍ସାହ । ବଡ଼ମାନଙ୍କର ସ୍ନେହ ଆଉ ଶୁଭେଚ୍ଛା ମୋତେ ଭାରି ଅଭିଭୂତ କରୁଥାଏ । ସାନସାନ ପିଲା ଆବାକାବା ହୋଇ ଚାହିଁ ରହିଥାନ୍ତି । ଖାଲି ଜାଣିଥାନ୍ତି–ବାପା ଆମର ବିଲାତ ଯିବେ । କେତେ ଦୂର ସେ ଦେଶ, କ’ଣ ସେଠାରେ ଥାଏ ? କିପରି ସେ ଦେଶ ? ସେଠାକୁ ଯିବାରେ କ’ଣ ସୁବିଧା ଅସୁବିଧା ? ସେମାନଙ୍କର ଟିକି ମୁଣ୍ଡରେ ସେସବୁ ପୂରାଇବାକୁ ଯୁ’ ନାହିଁ ।

 

ତେବେ ସାନ ଝିଅ ଚିନୁ ପଚାରେ–ବାପା, ତୁମେ କେଉଁ ଦିନ ଆସିବ ? ତୁମେ ଆସିଲେ, ସାଥି ହୋଇ ଦେବୀ ମେଢ଼ ଦେଖିବାକୁ ଯିବା । ତା’ ଉପର ରିନୁ ପଚାରେ–ବାପା, ତୁମେ କହୁଚ ଭଡ଼ାଜାହାଜରେ ଯିବ । ସେତ ତଳୁ ଆକାଶକୁ ଉଠି ଉଡ଼ିଯାଏ । ବିଲାତ କ’ଣ ତେବେ ଆକାଶରେ ?

 

ଏହିପରି ପିଲାମାନଙ୍କ ମୁହଁରେ କେତେବେଳେ ଅବୁଝା ପ୍ରଶ୍ନ ତ କେତେବେଳେ ଦରୋଟି ହସ ଆଉ କେତେବେଳେ ଦୁଃଖର କଳାଛାଇ ଘୋଟିଯାଏ ।

 

ପିଲାମାନଙ୍କ ମନର ଭାବ ଏମିତି ଘଡ଼ିକୁ ଘଡ଼ି ବଦଳୁଥିବା ପରି ଆକାଶର ଅବସ୍ଥା ସେମିତି ଘନ ଘନ ବଦଳି ଯାଉଛି । ବର୍ଷା ଯାଇ ଶରତ୍ ଋତୁ ମାଟି ମାଆ କୋଳରେ ଉଭା ହୋଇଥିଲେ ହେଁ, ଅସରାକୁ ଅସରା ମେଘ ବର୍ଷା ହୋଇଯାଉଛି । ପିଲମାନଙ୍କ ହସକାନ୍ଦ ପରି କେତେବେଳେ ଭଜ୍ଜ୍ଵଳ ସୂର୍ଯ୍ୟ କିରଣ ତ ଆଉ କେତେବେଳେ ଦୁମ୍ ଦୁମ୍ ବର୍ଷା । ଜଳ, ସ୍ଥଳ ଆଉ ଆକାଶ କେଡ଼େ ସଫାସୁତୁରା । ଚଉଦିଗରେ ଶରତ୍ ଋତୁର ପ୍ରକୃତି-ରାଣୀ ଶୋଭାର ପସରା ମେଲି ଦେଇଛି ।

 

ଚାରିଟାରେ ଉଡ଼ାଜାହାଜ ଛାଡ଼ିବ । ଘଣ୍ଟାକ ଆଗରୁ ଆମେ ଯାଇ ଉଡ଼ାଜାହାଜ ଘାଟିରେ ପହଞ୍ଚିଲୁ । ବର୍ଷା ଠିକ୍ ଅଳ୍ପ ସମୟ ଆଗରୁ ଛାଡ଼ି ଯାଇଛି । ସେଠାରେ ପହଞ୍ଚି ଟିକେଟ୍ ପ୍ରଭୃତି ଯାଞ୍ଚ କରାଗଲା । ସାଥିରେ ନେଉଥିବା ମାଲପତ୍ର ଓଜନ କରାଗଲା । କିଛି ସମୟ ପରେ ଉଡ଼ାଜାହାଜଟି ପହଞ୍ଚିଲା । ଘଣ୍ଟା ବାଜିଲା । ଯାତ୍ରୀମାନଙ୍କୁ ଉଡ଼ାଜାହାଜକୁ ଯିବାପାଇଁ ଡାକବାଜି ଯନ୍ତ୍ରରେ ଘୋଷଣା କରାଗଲା । ମୁଁ ସମସ୍ତଙ୍କଠାରୁ ବିଦାୟ ନେଇ ଉଡ଼ାଜାହାଜରେ ଚଢ଼ିଲି ।

 

ଉଡ଼ାଜାହାଜରେ ଚଢ଼ିବା ଏଇ ମୋର ପ୍ରଥମ ଅନୁଭୂତି । ପୁଣି ସେଥିରେ ମୋର କେହି ଚିହ୍ନା ଲୋକ କିମ୍ବା ସାଙ୍ଗସାଥି ନାହାନ୍ତି । କାହା ସହିତ ମନ ଖୋଲି ଟିକିଏ କଥାବାର୍ତ୍ତା ହେବାର ସୁବିଧା ନାହିଁ । ତେବେ ଝରକା ପାଖରେ ଗୋଟିଏ ଆସନ ବାଛି ନେଲି । ସେତେବେଳେ କିନ୍ତୁ ଭାରି ବର୍ଷା ହେଉଥାଏ । ପିଲା ଆଉ ସାଙ୍ଗସାଥୀମାନଙ୍କୁ ଦେଖିବା ଆଶାରେ ବାହାରକୁ ଚାହିଁଲି । ଝରକା କାଚରେ ପାଣି ଲାଗି କିନ୍ତୁ କିଛି ଦେଖାଯାଉ ନ ଥାଏ ।

 

ସମସ୍ତେ ଉଡ଼ାଜାହାଜରେ ବସିଗଲେ । ସବୁ ମାଲପତ୍ର ସେଥିରେ ଲଦା ହେଲା । ଉଡ଼ାଜାହାଜ ଭିତରେ ଆମ ଆଗରେ ଲେଖି ହୋଇଗଲା ଅଣ୍ଟାରେ ପଟି ବାନ୍ଧିଦିଅ । ଧୂଆଁ ଟାଣ ନାହିଁ । ଇଞ୍ଜିନ ଚେଇଁ ଉଠିଲା । ମୁଁ ସାଥେ ସାଥେ ଅଣ୍ଟାରେ ମୋର ଚଉକିରେ ଲାଗିଥିବା ପଟିଟିକୁ ବାନ୍ଧିଦେଲି । ଉଡ଼ାଜାହାଜ ତା’ର ଲମ୍ବା ଲମ୍ବା ଡେଣା ଦୁଇଟି ମେଲାଇଥାଏ । ତା’ର ତିନୋଟି ଚକ ସାହାଯ୍ୟରେ ଉଡ଼ାଜାହାଜଟି ପଡ଼ିଆରେ ଆଗକୁ ଗଡ଼ି ଗଡ଼ି ଗଲା । ଖୁବ୍ ଶବ୍ଦ ହେଉଥାଏ । ଶେଷରେ ସେ ପଡ଼ିଆ ମଝିରେ ଚୁପ୍ ହୋଇ ଠିଆ ହୋଇଗଲା । ଯେମିତି କୁଦାମାରିବାକୁ ପ୍ରସ୍ତୁତ ହେଉଛି । ତା’ ଦେହସାରା ଯେମିତି ଥରିଗଲା । ପୁଣି କିଛିଦୂର ଦଉଡ଼ିଗଲା । ଆସ୍ତେ ଆସ୍ତେ ବିମାନଟି ଉପରକୁ ଉଠିଲା । ମାଆ କୋଳକୁ ପିଲା କୁଦା ମାରିଲା ପରି ସେ ଶେଷଥର ପାଇଁ ମାଟି ମାଆକୁ କୁଦାଟିଏ ମାରି ଆକାଶ କୋଳରେ ଉଡ଼ିଗଲା । ଏଥିଭିତରେ ତା’ର ଗୋଡ଼ ତଳେ ଜାକି ହୋଇଗଲା । ସତେ ଯେମିତି ବଡ଼ ଚଢ଼େଇଟିଏ ପରି ଗୋଡ଼ ଦୁଇଟିକୁ ତା’ର କୋଳରେ ଜାକି ଶୂନ୍ୟରେ ଉଡ଼ିଲା ।

 

ବର୍ଷା ଛାଡ଼ି ଯାଇଛି । ଚଉଦିଗ ବେଶ୍ ନିର୍ମଳ । ସୂର୍ଯ୍ୟଙ୍କର ସୋରିଷ ଫୁଲିଆ କିରଣ ସାରା ଜଗତକୁ ଯେମିତି ସୁନ୍ଦର କରି ତୋଳିଛି । ତେବେ ବସୁମାତା କୋଳର ଗଛଲତା, ଘରଦ୍ୱାର, ନଈନାଳ, ପାହାଡ଼ପଡ଼ିଆ କେଡ଼େ ମନଲୋଭା ଦିଶୁଥାଏ । ନୀଳ ଆକାଶରେ ଖଣ୍ଡ ଖଣ୍ଡ ଧଳା ମେଘ ଦରିଆ ମଝିରେ ବୋଇତ ପରି ଭାସି ଯାଉଛି । କଅଁଳ ଖରା ଆଲୁଅରେ କାଉଁରୀ କାଠିରେ ପ୍ରକୃତି ରାଣୀକୁ କେତେ ରଙ୍ଗରେ ରଙ୍ଗାଇ ଦେଲା । ସବୁଆଡେ଼ କେତେ ରୂପର ଲୀଳାଖେଳା ଲାଗିଗଲା । ଆଖି ଆଗରେ ନାଚିଗଲା ଭଗବାନଙ୍କ ସୃଷ୍ଟିର ମନୋହର ଦୃଶ୍ୟ ଗୋଟିଏ ପରେ ଗୋଟିଏ ସିନେମାର ଚିତ୍ରପରି ।

 

ଉଡ଼ାଜାହାଜ କ୍ରମେ ଉପରୁ ଉପରକୁ ଉଠିବାରେ ଲାଗିଲା । ତଳର ପଦାର୍ଥଗୁଡ଼ିକ ଛୋଟରୁ ଛୋଟ ଦିଶିଲା । ଆଗରୁ ଯେଉଁ ଧାନ ଗହୀର, ଘାସ ପଡ଼ିଆମାନ ଲମ୍ବା ଲମ୍ବା ସବୁଜ ଗାଲିଚା ପରି ଦିଶୁଥିଲା, ଏବେ ସେସବୁ ଖଣ୍ଡିଏ ଖଣ୍ଡିଏ ନାନା ରଙ୍ଗର ପଥର ପରି ଦେଖାଯାଉଛି । ନଈନାଳ, ରାସ୍ତା ସଡ଼କ ସବୁ ସାପ ପରି ବଙ୍କାଟଙ୍କା ଆଉ ସରୁ ସରୁ ଦିଶୁଥାଏ । ରାସ୍ତାରେ ଯାଉଥିବା ମଣିଷ କଣ୍ଢେଇ ପରି ଆଉ ବସ୍, କାର୍, ଟ୍ରକ୍ ପ୍ରଭୃତି ଖେଳନା ଗାଡ଼ି ପରି ଜଣାପଡ଼ୁଛି । ସବା ଶେଷରେ ଉଡ଼ାଜାହାଜ ଘିର୍‍ର୍‍ ଘିର୍‍ର୍‍ ଶବ୍ଦ କରି କେତେ ଉପରକୁ ଉଠିଗଲା । ତଳର ସବୁ ମିଶି ଏକାକାର ହୋଇଗଲା । ଉଜ୍ଜ୍ୱଳ ଆଲୁଅର ଓଢ଼ଣା ଟାଣି ଯେମିତି ମାଟି ମାଆ ଆମଠାରୁ ମେଲାଣି ନେଲା ।

 

ଏବେ ମେଘ ଉପରେ ଉଡ଼ାଜାହାଜଟି ଉଡ଼ିବାରେ ଲାଗିଲା । ସଞ୍ଜ ଲାଗିଆସୁଥାଏ । ଅସ୍ତସୂର୍ଯ୍ୟର ସୁନେଲି କିରଣରେ ଭିଣା ତୁଳାଗଦା ପରି ଦିଶୁଥିବା ବଉଦମାଳାର ଶୋଭା ଶତଗୁଣ ବଢ଼ି ଯାଇଥାଏ । କେତେ ବର୍ଣ୍ଣଚ୍ଛଟା, କେତେ ରୂପବିଭବ । କେତେ ନୂଆ ମେଘମାଳାର ନାଚଖେଳ-। ଆମ ଉଡ଼ାଜାହାଜ ସାଥିରେ ସେମାନଙ୍କର ଯେମିତି ଲୁଚକାଳି ଖେଳ ଚାଲିଛି । ସୂର୍ଯ୍ୟ, ମେଘ ଆଦି ସତେ ଅବା ଆଜି ଆମରି ତଳେ । ଉଡ଼ାଜାହାଜରେ ଆମେ ଉପରେ ଉଡ଼ିଯାଇଛୁ-

 

ସବୁ ଯେମିତି ଆଜି ଓଲଟପାଲଟ ହୋଇଯାଇଛି । ଅସମ୍ଭବ ସମ୍ଭବ ହୋଇଛି । ମନରେ ଶତ ଭାବନାର ଲୁଚକାଳି ଖେଳ ଚାଲିଛି । ମାନେପଡ଼ିଗଲା ଏମିତି ଦିନେ ଏତିକିବେଳେ ମୁଁ ଦିଲ୍ଲୀରୁ ଟ୍ରେନରେ ଫେରୁଥାଏ । ବିଲାତରେ ଉଚ୍ଚଶିକ୍ଷା ପାଇବା ପାଇଁ ଯେଉଁମାନେ ଦରଖାସ୍ତ କରିଥିଲେ, ସେମାନଙ୍କ ଭିତରୁ ୪୦।୫୦ ଜଣଙ୍କୁ ବାଛି ଭାରତ ସରକାର ସାକ୍ଷାତ୍‍କାର ପାଇଁ ଡାକି ଥିଲେ । ମୁଁ ଯେଉଁଦିନ ଦିଲ୍ଲୀ ଯିବାର କଥା, ସେଇ ଦିନ ବାରଟା ବେଳେ ଓଡ଼ିଶା ସରକାରଙ୍କଠୁଁ ସେଥିପାଇଁ ଅନୁମତି ପାଇଲି । ଦୁଇ ଦିନ ଦୁଇ ରାତି । ବାର ହଇରାଣ ହରକତ ହୋଇ ଯିବାକୁ ହେଲା । ଶୋଇବା କି ବସିବାକୁ ଜାଗାଟିଏ ପାଇବା ତ ଦୂରର କଥା, ଠିଆ ହେବାକୁ ବି ଅନେକ ସ୍ଥାନରେ ଅସୁବିଧା ଭୋଗ କରିବାକୁ ହେଲା । ଦିଲ୍ଲୀରେ ମଧ୍ୟ କାହା ପାଖରେ ରହିବାକୁ ସୁବିଧା ନଥିଲା । ସାକ୍ଷାତ୍‍କାର ପୁଣି କେନ୍ଦ୍ର ଶିକ୍ଷା ମନ୍ତ୍ରଳାୟର ନଅ ମହଲା କୋଠାରେ । ତହୁଁ ବଡ଼ା ତହୁଁ ବଡ଼ା ଲୋକ ସାକ୍ଷାତ୍‍କାର ପାଇଁ ସେଠାରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ପୁଣି କିଏ ତିନିଥର ତ କିଏ ଚାରିଥର ଲେଖାଁ ଏମିତି ଆଗରୁ ତୀର୍ଥଯାତ୍ରା କରି ଫଳ ପାଇନଥିଲେ । ମୁଁ ଭାବିଲି ବଡ଼ ବଡ଼ ଲୋକ ଯେଉଁଠି ବୁଡ଼ି ମରିଲେଣି, ଚଟୁ ସେଠି ପାଣି କଣ୍ଟିବାକୁ ଆସିଛି ।

 

କିନ୍ତୁ ମାସେ ଦେଢ଼ମାସ ପରେ ଜାଣିବାକୁ ପାଇଲି ଯେ ଭାଗ୍ୟକୁ ମୁଁ ସେଥିପାଇଁ ବଛା ଯାଇଛି । ତା’ପରେ କେତେ ଧାଁ ଧପଡ଼, କୁହାବୋଲା ପରେ ସରକାରୀ ଓ ଘରୋଇ ଅଡ଼ୁଆମାନ ଛିଣ୍ଡାଇବାକୁ ହେଲା । କେତେ ଅସମ୍ଭବ କଥା ସମ୍ଭବ କରିବାକୁ ହେଲା । ଗୋଟିଏ ଗଡ଼ ଜିତିବା ଯାହା ଆମର ସରକାରୀ ନାଗଫାଶରୁ ମୁକୁଳି କୁଆଡ଼େ ଯିବା ତାହା । ତେବେ ଯତ୍ନ କଲେ ରତ୍ନ ମିଳେ । ଏହା ଅକ୍ଷରେ ଅକ୍ଷରେ ସତ ହେଲା । ଇଂରେଜରେ ଗୋଟିଏ କଥା ଅଛି—ଯେ ନିଜକୁ ସାହାଯ୍ୟ କରେ, ଭଗବାନ ତାକୁ ସାହାଯ୍ୟ କରନ୍ତି । ‘ଅରକ୍ଷିତକୁ ଦଇବ ସାହା’ ବୋଲି ଆମେ ଜାଣୁ-। ଏହା ମୁଁ ଅଙ୍ଗେ ଅଙ୍ଗେ ଲିଭେଇଲି । ଆଜି ଯେଉଁ ସାତ ସାଗର ସେପାରି ଅଜଣା ଅଚିହ୍ନା ଦେଶକୁ ମୁଁ ଯାଉଛି ତାହା ଥିଲା ଏକ ରଙ୍ଗୀନ୍ ସ୍ଵପ୍ନ । ଆଜି ମଣିଷର ଚେଷ୍ଟା ଆଉ ଭଗବାନଙ୍କର ଆଶୀର୍ବାଦ ଯୋଗୁଁ ହିଁ ଏହି ସ୍ଵପ୍ନ ସତ୍ୟରେ ପରିଣତ ହୋଇଛି ।

 

ଆଜି ବିଶ୍ଵର ବିଚିତ୍ରତା ଦେଖି ମୁଗ୍ଧ ହୋଇଯାଉଛି । କେଡ଼େ ସୁନ୍ଦର ଏହି ସୃଷ୍ଟି । କେଡ଼େ ଅପୂର୍ବ, କେତେ ମନୋହର ସତେ ଏଇ ଜଗତ । ସାରା ସୃଷ୍ଟିରେ ମଣିଷ କେତେ ଟିକିଏ ଧୂଳିକଣା ପରି । ହେଲେ ତା’ର ବୁଦ୍ଧି ବଳରେ ଆଜି ସେ ଚଢ଼େଇଟିଏ ପରି ଆକାଶ କୋଳରେ ଉଡ଼ିବୁଲୁଛି । ପୁଣି କେତେ ଚଞ୍ଚଳ ତା’ର ଗତି । ଭୂଇଁ ଉପର ହିଡ଼ବାଡ଼, ସୀମା ସରହଦ ସବୁକିଛି ଲୁଚି ଯାଇଛି । ସବୁ ସମାନ ଦିଶୁଛି । ସତେ ମଣିଷ ଯେତେ ବଡ଼ ହେବ, ଭଲ ହେବ, ତା’ର ମନ ସେତେ ଉଚ୍ଚ ଆଉ ଉନ୍ନତ ହେବ । ସବୁ ଭେଦଭାବର ପାଚିରି ଭାଙ୍ଗିଯିବ । ଜାତି, ଧର୍ମ, ଧନ, ବର୍ଣ୍ଣର ବାଛବିଚାର ଲୁଚିଯିବ ।

 

ଏମିତି କେତେ କଥା ଦେଖୁ ଦେଖୁ, ଭାବୁ ଭାବୁ ସଞ୍ଜ ଲାଗି ଆସିଲା । ଉଡ଼ାଜାହାଜ କଲିକତା ସହର ଉପରେ ଉଡ଼ିଗଲା । ସେଦିନ ଆଶ୍ୱିନ ମାସର ସପ୍ତମୀ ତିଥି । ମା’ ଦୁର୍ଗାଙ୍କର ପୂଜା ଅର୍ଚ୍ଚନା ପାଇଁ ପିଲାଠାରୁ ବଡ଼ ଯାଏ ସମସ୍ତେ ଆକୁଳ ଅଥୟ । ଦଶହରା ପାଇଁ ସହରର ପ୍ରତି ଗଳିକନ୍ଦି, ରାସ୍ତାଘାଟ, ଦୋକାନବଜାରରେ ନାନା ରଙ୍ଗ ଆଲୁଅର ରୋଷଣି । କେତେ ସୁନ୍ଦର ସାଜସଜ୍ଜା, ମନୋରମ ସେସବୁର ଦୃଶ୍ୟ । ଆକାଶଛୁଆଁ ପକ୍କାଘର, ଭିକ୍ଟୋରିୟା ସ୍ମୃତିସୌଧ, ବିରଳା ପ୍ଲାନେଟୋରିୟମ୍, ହାବଡ଼ା ପୋଲ ଉପରେ ଉଡ଼ାଜାହାଜ ଉଡ଼ିଗଲା । ଚକ୍ରୀ ମାରି ଉଡ଼ାଜାହାଜଟି ଦମ୍ ଦମ୍ ବିମାନଘାଟିରେ ଓହ୍ଲାଇ ପଡ଼ିଲା । ସେତେବେଳକୁ ସମୟ ସନ୍ଧ୍ୟା ୬ଟା । ମୋର ଯାତ୍ରାର ପହିଲି ପାହାଚଟି ଏମିତି ପାରି ହେଲି ।

★★★

 

ସ୍ୱପ୍ନର ଭୂଇଁ ବିଲାତ ଦେଶ

 

ତା’ ଆରଦିନ ସକାଳ ୬ଟାରେ ଉଡ଼ାଜାହାଜ ଧରି ଦିଲ୍ଲୀଯିବା କଥା । ଦମ୍ ଦମ୍ ବିମାନଘାଟିଠାରୁ କଲିକତା ସହର କେତେଗୁଡ଼େ ବାଟ । ତେଣୁ ଏତେ ବାଟ ଯାଇ କଲିକତାରେ କେଉଁ ହୋଟେଲରେ ବିଶ୍ରାମ ନେବା ସହଜ ନୁହେଁ । ଉଡ଼ାଜାହାଜ ଘାଟି ପାଖରେ ଥିବା ବିଶ୍ରାମଘର ମଧ୍ୟ ସେଦିନ ଭରପୂର ଥିଲା । ତେବେ କୌଣସିମତେ ସେଠାରେ ଚୌକିଦାରକୁ କହିବୋଲି ବିଶ୍ରାମ ନେଲି ।

 

ସକାଳୁ ନିତ୍ୟକର୍ମ ସାରି ୫ଟାରେ ଉଡ଼ାଜାହାଜ ଘାଟିରେ ପହଞ୍ଚିଲି । ଟିକେଟ୍ ମାଲପତ୍ର ଯାଞ୍ଚ କାର୍ଯ୍ୟ ଛିଣ୍ଡାଇ ମୁଁ ପ୍ରସ୍ତୁତ ହୋଇଗଲି । ଭାରତୀୟ କାରାଭେଲା ବିମାନରେ ଦିଲ୍ଲୀ ପର୍ଯ୍ୟନ୍ତ ଯିବାକୁ ହେବ । ସାଢ଼େ ଛ’ଟାରେ ଜାହାଜ ଛାଡ଼ିଲା । ମୁଁ ସବା ଆଗରେ ଝରକା ପାଖରେ ଗୋଟିଏ ସିଟ୍ ପାଇଥିଲି । ଏମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା । ଭାଗବତର ଏଇ ବାଣୀ ସତ ହେଲା । ଝରକା ପାଖରେ ବସି ବାହାର ଦୃଶ୍ୟ ଦେଖିବାକୁ ମନ ମୋର ଆଟୁପାଟୁ ହେଉଥିଲା-। ତାହା ମିଳିଗଲା । କିନ୍ତୁ ଏଥିରେ ମଧ୍ୟ ମୋର କେହି ଚିହ୍ନା ନ ଥିଲେ । ମୋ ପାଖ ସିଟ୍‍ମାନଙ୍କରେ କେତେକ ସାହେବ ବସିଥିଲେ । ସେମାନଙ୍କ ସହିତ ମୁଁ କି କଥାବାର୍ତ୍ତା ହେବି ? ତେଣୁ ବାହାର ଦୃଶ୍ୟ ଦର୍ଶନରେ ମଜ୍ଜି ରହିଲି । ଭାରତମାତାର ସବୁଜ ଶସ୍ୟକ୍ଷେତ୍ର, ନଦୀନାଳ, ପଲ୍ଲୀନଗର ପ୍ରଭୃତି ଦେଖିବାକୁ ଭାରି ଲୋଭ ଲାଗୁଥିଲା । ଯେତେବେଳେ ଉଡ଼ାଜାହାଜ ମେଘମାଳାର ଉପରକୁ ଉଠିଗଲା, ସେତେବେଳେ କେବଳ ବରଫ ପାହାଡ଼ ପରି ବଉଦଗୁଡ଼ିକ ଦେଖାଗଲା । ତା’ ଉପରେ ପୁଣି ଉଜ୍ଜ୍ଵଳ ସୂର୍ଯ୍ୟକିରଣ ଝିଲ୍‍ମିଲ୍‍ ହେଉଥାଏ । ଅନେକ ସମୟରେ ଏତେ ତୋଫା ଆଲୁଅ ହେଉଥାଏ ଯେ ବାହାରକୁ ଚାହିଁ ହେଉନଥାଏ । ବାଟରେ ବିମାନ ପରିଚାରିକାଗଣ (Airhostess) ସୁସ୍ଵାଦୁ ଜଳଖିଆ ଓ କଫି ଦେଇ ଆପ୍ୟାୟିତ କରିଥିଲେ ।

 

ଏମିତି ତିନିଘଣ୍ଟା ଉଡ଼ିସାରିଲା ପରେ ଉଡ଼ାଜାହାଜ କ୍ରମେ ତଳକୁ ଖସିଗଲା । ଦିଲ୍ଲୀ ନଗରୀର ଜନଗହଳି ରାସ୍ତା, ଯାନବାହନ ପକ୍କାଘର, ଦୋକାନବଜାର, କଳକାରଖାନାମାନ ଦେଖାଯାଉଥାଏ । ଆଖି ଆଗରେ ମୋର ନାଚିଗଲା ମାତୃଭୂମିର ପ୍ରାଣକେନ୍ଦ୍ର ଏହି ନଗରୀ–ତା’ର ବିରାଟ ଆକାର, ତା’ର ଅତୁଳ ରୂପବିଭବ ଆଉ ଅଗଣିତ ସ୍ମୃତିପୀଠ ! ମାତ୍ର ମୋର ମନେପଡ଼ିଲା ଏହାର ଅତୀତ ଗୌରବ, ଯାହା ଆମ ଦେଶର ଇତିହାସକୁ ଜୀବନ୍ତ ଓ ମହିମାମୟ କରି ତୋଳିଛି ।

 

ଦେନେ ସାଢ଼େ ନଅଟାରେ ଉଡ଼ାଜାହାଜ ଦିଲ୍ଲୀର ପାଲାମ୍ ବିମାନଘାଟି ଉପରେ ଓହ୍ଲାଇଲା । ସେଠାରୁ ମୁଁ ଦିଲ୍ଲୀର ଏକ ପ୍ରସିଦ୍ଧ କ୍ଲାରିଜେସ୍ ହୋଟେଲକୁ ଗଲି । ସେଇ ହୋଟେଲର ୧୩୭ ନମ୍ବର ଘରଟିରେ ମୁଁ ରହିଲି । ସେଇ ଘରେ ରେଡ଼ିଓ, ଟେଲିଫୋନ୍‍, ଉଭୟ ଥଣ୍ଡା ଗରମ ପାଣିକଳ ଥିବା ଗାଧୁଆ ବ୍ୟବସ୍ଥା ଇତ୍ୟାଦି ରହିଥିଲା । ପୁଣି ଗାଧୁଆ ଘର, ପାଇଖାନା ପ୍ରଭୃତି ପାଶ୍ଚାତ୍ୟ ଢଙ୍ଗରେ ତିଆରି । ସେଇ ହୋଟେଲଟି ବିରାଟ ରାଜପ୍ରାସାଦ ପରି । ତାରି ଭିତରେ ପୁଣି ପୁଷ୍କରିଣୀ, କ୍ରୀଡ଼ାଭୂମି, ଦୋକାନବଜାର ଆଦି ସବୁ କିଛି । ଖାଇବା ପିଇବା ଓ ବସିବାର ଆଡ଼ମ୍ବର ସବୁ ବିଦେଶୀ ଢଙ୍ଗର । ମୁଁ ପ୍ରଥମେ ଏହିଠାରେ ବିଦେଶ ଅନୁଭବ କଲି । ସ୍ୱଦେଶରେ ଏମିତି ବିଦେଶୀ ବ୍ୟବସ୍ଥା ରହିଛି ବୋଲି ଆଗରୁ ଜାଣି ନ ଥିଲି । ତେବେ ଯାହାହେଲେ ମୁଁ ସନ୍ଧ୍ୟାରେ ହୋଟେଲରୁ ବିଦାୟ ନେଇ ବିମାନଘାଟିକୁ ଗଲି । ରାତି ସାଢ଼େ ଦଶରେ ଜାପାନୀ ଉଡ଼ାଜାହାଜରେ ରୋମ୍‍ ଅଭିମୁଖେ ଯାତ୍ରାରମ୍ଭ କଲି ।

 

ଜାପାନୀ ଉଡ଼ାଜାହାଜରେ ଯାତ୍ରା ଖୁବ୍ ସୁଖକର ହୋଇଥିଲା । ଜାପାନୀ ବିମାନ ପରିଚାରିକା ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କର ବ୍ୟବହାର ଅତି ସହାନୁଭୂତିଶୀଳ । ସେମାନେ ଜାହାଜରେ ପରସିଥିବା ଖାଦ୍ୟ ଓ ପାନୀୟ ମଧ୍ୟ ଖୁବ୍ ରୁଚିକର ହୋଇଥିଲା । ଯାତ୍ରୀମାନଙ୍କର ସୁଖସୁବିଧା ଦେଖିବାରେ ସେମାନେ ତିଳେହେଲେ ହେଳା କରୁ ନ ଥିଲେ । ରୋମ୍‍ ଯିବା ବାଟରେ ଉଡ଼ାଜାହାଜଟି ପାରସ୍ୟର ମେହେରାବାଦ ଓ ଲେବାନନ୍‍ର ବେରଟ୍ ବିମାନଘାଟିରେ କିଛି ସମୟ ପାଇଁ ଓହ୍ଲାଇଥିଲା । ରାତିସାରା ବିମାନଟିର ଗତି । କାନକୁ ଖାଲି ଘୁଁ ଘୁଁ ଘର୍‍ର ଘର୍‍ର ଶବ୍ଦ । ମାଟିଠାରୁ ୫।୬ ମାଇଲ ଉପରେ ଏହା ଉଡ଼ିଚାଲିଥିଲା । ବାହାରକୁ ଚାହିଁଲି । କିଛି ଦିଶୁନାହିଁ । କେବଳ ଘନ ଅନ୍ଧାର, ବିରାଟ ନିସ୍ତବ୍ଧତା !

 

ଶେଷରେ ୨୮ ତାରିଖ ଭୋରରୁ ରୋମ୍ ବିମାନଘାଟିରେ ଉଡ଼ାଜାହାଜଟି ପହଞ୍ଚିଲା । ସେତେବେଳକୁ ଖୁବ୍‍ ଜୋରରେ ବର୍ଷା ହେଉଥିଲା । ଜାହାଜରୁ ଓହ୍ଲାଇ କିପରି ବର୍ଷାରେ ବାହାରକୁ ଯିବୁ ? ମାତ୍ର ଜାପାନୀ ଜାହାଜ କମ୍ପାନୀ ତରଫରୁ ପ୍ରତ୍ୟେକଙ୍କୁ ଗୋଟିଏଲେଖାଁ ଛତା ଧାର ଦିଆଗଲା । ମୁଁ ଯାଇ ବିଶ୍ରାମ କକ୍ଷରେ ପହଞ୍ଚିଲା ବେଳକୁ ଶୁଣିଲି ଜାପାନ ଜାହାଜ ଅଫିସରୁ ଡାକବାଜି ଯନ୍ତ୍ରରେ ଶୁଭୁଛି–ମି. ମହାନ୍ତି, ଏଠାକୁ ଦୟାକରି ଆସନ୍ତୁ ।

 

ମୁଁ କାବା ହୋଇଗଲି । ମୋତେ କିଏ ଡାକୁଛନ୍ତି କି କ’ଣ ? ତେବେ ସେଇ କୋଠରୀକୁ ଗଲି । ଲିପ୍‍ପି ନାମକ ଜଣେ ରୋମୀୟ ଯୁବକ ସେଠାରେ ମୋତେ କେତେକ ଉପଦେଶ ଦେଲେ-। ମୁଁ କେଉଁ ହୋଟେଲରେ ରହିବି, କେତେବେଳେ ବିଲାତ ଯିବାକୁ ଉଡ଼ାଜାହାଜ ଧରିବି, କିପରି ରୋମ୍ ସହର ଭିତରକୁ ଯିବି ଓ ସେଠାରୁ ଆସିବି ଇତ୍ୟାଦି ବିଷୟରେ ବୁଝାଇ ଦେଲେ । ମୁଁ ତାଙ୍କୁ ଧନ୍ୟବାଦ ଦେଇ ବିଦାୟ ନେଲି ।

 

ବର୍ଷା ଝିପି ଝିପି ହେଉଥାଏ । ଗୋଟିଏ ବଡ଼ ବସରେ ବସି ମୁଁ ଇଟାଲୀ ଦେଶର ରାଜଧାନୀ ରୋମ୍‍ ସହର ଅଭିମୁଖେ ଗଲି । ରାସ୍ତାରେ ଦୁଇ କଡ଼ରେ ଉନ୍ନତ ଶସ୍ୟକ୍ଷେତ୍ର । କେତେକ ସ୍ଥାନରେ ଲୋକମାନେ ଫସଲ କାଟୁଥାନ୍ତି । ବଡ଼ ବଡ଼ ମେଣ୍ଢା ଦଳ ଦଳ ହୋଇ ଖୋଲା ଓଦା କିଆରୀରେ ଠିଆ ହୋଇଥାନ୍ତି । ଲୋକମାନେ ଖୁବ୍ ସୁସ୍ଥସବଳ ଓ ସୁଖୀ ଜଣାପଡ଼ୁଥାନ୍ତି । ସହରଟିର ରାସ୍ତାଘାଟ, ବନ୍ଧବାଡ଼ି ଓ ଘରଦ୍ୱାର ଭାରି ଉନ୍ନତ । ବସ୍‍ ଷ୍ଟାଣ୍ଡରୁ ଟ୍ୟାକ୍ସିଟିଏ କରି ସାଣ୍ଟିନା ହୋଟେଲକୁ ଗଲି ।

 

ଏହି ହୋଟେଲଟି ଖୁବ୍ ଆଧୁନିକ ଧରଣର । ଦିଲ୍ଲୀର କ୍ଲାରିଜେସ ହୋଟେଲ ପରି ଏଥିରେ ସବୁ ସୁବିଧା ରହିଥିଲା । ସେଥିରେ ଗୋଟିଏ ଦିନ ରହି ରୋମ୍‍ର ଇତିହାସ ପ୍ରସିଦ୍ଧ ସ୍ଥାନଗୁଡ଼ିକ ବୁଲି ଦେଖିଥିଲି । ସହରର ସବୁଠାରେ ନାନାପ୍ରକାର ସାଜସଜ୍ଜା ଓ କାରୁକାର୍ଯ୍ୟ । ପ୍ରାଚୀନ କାଳରୁ ରହିଥିବା ବହୁ ମହାପୁରୁଷଙ୍କ ପଥର ମୂର୍ତ୍ତି, ଝରଣା, ନଦୀ, ଆଦି ଅତି ସୁନ୍ଦର । ଏଠାରେ ଖ୍ରୀଷ୍ଟଧର୍ମର ଗୁରୁ ପୋପ୍‍ ପରମ୍ପରା କ୍ରମେ ରହି ଆସିଛନ୍ତି । ପୃଥିବୀ ବିଖ୍ୟାତ ଗିର୍ଜା, ସ୍ମୃତିପୀଠ, ଯାଦୁଘର, କବର ଇତ୍ୟାଦି ଦେଖି ମନରେ ଅପୂର୍ବ ଆନନ୍ଦ ଅନୁଭବ କଲି । ରୋମ୍‍ ନଗରୀର ପ୍ରସିଦ୍ଧ ସ୍ମାରକୀ ହେଲା ଗୋଟିଏ ଗଧିଆ ଦୁଇଟି ମଣିଷ ପିଲାଙ୍କୁ କ୍ଷୀରପାନ କରାଉଥିବାର ଦୃଶ୍ୟ । ଗଧିଆଦ୍ଵାରା ଲାଳିତପାଳିତ ପିଲା ଦୁଇଜଣ ବଡ଼ ହୋଇ ରେମୁଲସ୍‍ ଓ ଗେମସ୍ ଭାବରେ ଜଣାଶୁଣା ହୋଇଥିଲେ । ସେମାନେ ରୋମ୍‍ ସହରଟିକୁ ବସାଇଥିଲେ ବୋଲି ବିଶ୍ୱାସ । ସେମାନଙ୍କର ନାମ ଅନୁସାରେ ସହରଟିର ନାମକରଣ ହୋଇଥିଲା । ରୋମ୍‍ର ଲୋକମାନେ ଏହି ଦୃଶ୍ୟକୁ ନାନାପ୍ରକାର ପଥର ମୂର୍ତ୍ତୀ ଓ ଚିତ୍ର ଆକାରରେ ଗଢ଼ି ତୋଳିଛନ୍ତି । ଏହା ଏକ ଜାତୀୟ ସନ୍ତକ ଭାବରେ ଭାରି ଲୋକପ୍ରିୟ ।

 

ତା’ ଆରଦିନ ସକାଳୁ ଲୋକଗହଳି ରାସ୍ତାରେ ରୋମ୍‍ ବିମାନବନ୍ଦରରେ ପହଞ୍ଚିଛି । ଏଠା ମୁଦ୍ରାର ନାମ ଲୀରା । ଏହି ବିମାନବନ୍ଦରରେ ଯାତ୍ରୀ ଟିକସ ପାଇଁ ଏକହଜାର ଲୀରା ଦେବାକୁ ହୁଏ । ମୁଁ ଠିକ୍ ଉଡ଼ାଜାହାଜକୁ ଯିବା ପୂର୍ବରୁ ଏହି ଯାତ୍ରୀ ଟିକସ ଆଦାୟ ହେଲା । ସେତେବେଳେ ମୋ ପାଖରେ ଏତେ ଲୀରା ନ ଥିବାରୁ କେତେକ ଅସୁବିଧା ହେଲା । ମୋର ପ୍ରଥମେ ଇଟାଲୀ ଦେଶର ବିମାନ “ଆଲିଟାଲିଆ”ରେ ଯିବାର ଥିଲା ଏବଂ ମୋର ସୁଟକେସ୍‍ଟି ସେଥିରେ ଲଦା ହୋଇଯାଇଥିଲା । କିନ୍ତୁ ଯାତ୍ରୀଟିକସ ଦେବାରେ ଅସୁବିଧା ହେବାରୁ ମୋତେ “ବି.ଇ.ଏ.” (B.E.A.) ନାମକ ଏକ ବିଲାତୀ ଭଡ଼ାଜାହାଜରେ ଯିବାକୁ ହେଲା ।

 

ସାଢ଼େ ନ’ଟାରେ “ବି.ଇ.ଏ.” ବିମାନ ଯାତ୍ରାରମ୍ଭ କଲା । ଲଣ୍ଡନ ଅଭିମୁଖେ ମୋର ଯାତ୍ରାର ଏଇ ଶେଷ ଦଫା । ଝରକା ପାଖ ଗୋଟିଏ ଆସନରେ ବସି ମୁଁ ବାହାର ପ୍ରକୃତିର ମନୋରମ ଦୃଶ୍ୟମାନ ଦେଖୁଥାଏ । ତଳେ ଭୂମଧ୍ୟସାଗରର ସୁନୀଳ ଜଳରାଶି, ଉପରେ ଅନନ୍ତ ଆକାଶର ନୀଳିମା । ଉଜ୍ଜ୍ୱଳ ସୂର୍ଯ୍ୟ କିରଣରେ ଖାଲି ଦପ୍ ଦପ୍ କରୁଥାଏ । ସାଗର ପରେ ପରେ ଦେଖାଗଲା ବହୁ ବିଚିତ୍ର ପାର୍ବତ୍ୟ ଦୃଶ୍ୟ । ଗେରୁଆ ଟାଙ୍ଗର ଭୂଇଁ, ଶାଗୁଆ ତରୁଲତା, ନଦୀନାଳ ଉଚ୍ଚରୁ ଖୁବ୍ ସୁନ୍ଦର ଦିଶୁଥାଏ । କ୍ରମେ ବିମାନଟି ବହୁ ଉପରକୁ ଉଠିଲା । ବଉଦମାଳା ଫିଟିକିରିର ପାହାଡ଼ ପରି ଦେଖାଯାଉଥିଲା । ବହୁ ବର୍ଣ୍ଣର ଦୃଶ୍ୟରେ ଯେମିତି ଘଡ଼ିକେ ଘୋଡ଼ା ଛୁଟୁଥିଲା ।

 

ଏସବୁ ମନଛୁଆଁ ଅନୁଭୂତି ଭିତରେ କିନ୍ତୁ ଗୋଟିଏ କଥା ମୋତେ ସଦାବେଳେ ଘାରୁଥାଏ । ମୋର ସୁଟକେସ୍‍ଟି ଗଲା କୁଆଡ଼େ ? ସେହି ଆଲିଟାଲିଆ ବିମାନରେ ତାହା ଗଲା କି ନାହିଁ ? କାଳେ କେଉଁଠି ରହିଯାଇଥିବ ! ଯଦି ଅନ୍ୟ କେଉଁ ସ୍ଥାନକୁ ଚାଲିଯାଏ, କେତେ ଅସୁବିଧା ନହେବ ? ପୁଣି ସେଇ ସୁଟକେସ୍‍ର ତାଲାରେ ଟିକିଏ ଅଧିକ ଚାପ ପଡ଼ିଲେ ଫିଟିଯାଉଥିଲା । କିଏ ହୁଏତ ନଫିଟାଇ ପାରନ୍ତି । କିନ୍ତୁ ଫିଟିଲେ ଯଦି କାହା ଆଖି ପଡ଼େ, ତା’ ଭିତର କେତୋଟି ଉପହାର ଜିନିଷ ଆଉ ଲୁଗାପଟା କ’ଣ ରହିବ ? ପୁଣି ଶୀଘ୍ର ନମିଳିଲେ ସେଥିରେ ବହୁ ଦରକାରୀ ଜିନିଷ ଥିଲା, କେଡ଼େ ହଇରାଣ ହେବାକୁ ପଡ଼ିବ ! ଅବଶ୍ୟ ପ୍ରାୟ ସବୁ ଆବଶ୍ୟକ କାଗଜପତ୍ର ମୋ ପାଖ ହ୍ୟାଣ୍ଡବ୍ୟାଗରେ ଥିଲା । ତେଣୁ ମୋର ମନକୁ ଦମ୍ଭ କରି ଚଉଦିଗର ମନୋହର ଦୃଶ୍ୟ ଦେଖୁଥାଏ । ସକାଳୁ ତ ତରତର ହୋଇ ଆସିଥିଲି ଯେ କିଛି ଖିଆପିଆ କରିନଥିଲି । ତେବେ ଉଡ଼ାଜାହାଜରେ ଯାହା ଜଳଖିଆ ମିଳିଲା, ତାକୁ ଦିଅଁଙ୍କ ଭୋଗ ପରି ବଡ଼ ଆନନ୍ଦରେ ଖାଇଲି ।

 

ସବାଶେଷରେ ଭଡ଼ାଜାହାଜ ଆସ୍ତେ ଆସ୍ତେ ତଳକୁ ଖସିଲା । ଦେଖାଗଲା ବିଲାତର ଅକଳନା କଳକାରଖାନା, ପାହାଡ଼ ଜଙ୍ଗଲ, ଗାଁଗଣ୍ଡା ଆଉ ସହର । ଲଣ୍ଡନ ନଗରୀର ସୁନ୍ଦର ଦୃଶ୍ୟମାନ ଦେଖି ମୁଗ୍ଧ ହେଲି । ସେତେବେଳେ ସୂର୍ଯ୍ୟକିରଣ ଖୁବ୍‍ ଉଜ୍ଜ୍ୱଳ । ଲଣ୍ଡନର ହିଥ୍ରୋ ବିମାନଘାଟି ଉପରେ କେତେଥର ଘୂରିବୁଲି ଉଡ଼ାଜାହାଜଟି ତଳକୁ ଓହ୍ଲାଇଲା । ସେତେବେଳେ ଦିନ ୧୨ଟା । ସେତେବେଳକୁ ଭାରତରେ ସନ୍ଧ୍ୟା ହୋଇଥିବ । ଯାତ୍ରୀମାନେ ଧାଡ଼ି ଧରି ଉଡ଼ାଜାହାଜର ଅଫିସରେ ଥିବା ବିଭିନ୍ନ ସ୍ଥାନ ବା କାଉଣ୍ଟରକୁ ଗଲେ । ଆମ ସରକାରଙ୍କଠୁଁ ଆମେ ପାଇଥିବା ପାରପତ୍ର ବା ପାସପୋର୍ଟ, ବିଲାତରେ ପ୍ରବେଶ କରିବା ପାଇଁ ଅନୁମତିପତ୍ର ବା ଭିସା, ସ୍ଵାସ୍ଥ୍ୟ ପରୀକ୍ଷାପତ୍ର, ମାଲପତ୍ର ଇତ୍ୟାଦିର ଯାଞ୍ଚ ସେଠାରେ ହେଲା । ଏଥିରେ ବହୁ ସମୟ ଲାଗିଯିବ ବୋଲି ମୋର ଭୟ ହେଲା । ମାତ୍ର ସେଠାରେ କର୍ମଚାରୀମାନେ କେତେ ଚଞ୍ଚଳ ସବୁ ସାରିଦେଲେ ।

 

ମୁଁ ସିନା ଏସବୁ ଜଞ୍ଜାଳରୁ ରକ୍ଷାପାଇ ଆଶ୍ୱସ୍ତ ହେଲି । ଅସଲ ଘାଟି ହେଲା ଅନ୍ୟ ଉଡ଼ାଜାହାଜରେ ଆସିଥିବା ସୁଟକେସ୍‍ଟିକୁ ପାଇବା । ମୁଁ ମାଲପତ୍ର ଅଫିସକୁ ଆସି ମୋର ଅସୁବିଧା ଜଣାଇଲି । କେଉଁଠି ଆସି ମୋର ସୁଟକେସ୍‍ ପହଞ୍ଚିଛି ବୁଝିବାକୁ ଜଣେ କର୍ମଚାରୀଙ୍କୁ ଅନୁରୋଧ କଲି । ସେ ଭାରି ବ୍ୟସ୍ତ ଥିବାରୁ ଅଧଘଣ୍ଟାଏ କାଳ ଅପେକ୍ଷା କରିବାକୁ ହେଲା ।

 

ମୋର ମନ ଖୁବ୍‍ ଅସ୍ଥିର ହେଉଥିଲା । ଶେଷରେ ସେ ବାବୁ ଫୋନ୍‍ କରି ବୁଝିଲେ ଯେ ଗୋଟିଏ କଳାରଙ୍ଗର ସୁଟକେସ୍‍ ଚାବିଖୋଲା ହୋଇ ପଡ଼ିଛି । ମୁଁ ଏ ଖବର ପାଇବାମାତ୍ରେ ଖୁବ୍‍ ଖୁସି ହୋଇଗଲି । ମୁଁ ଭାବିଲି ଯାହା କିଛି ହଜୁପଛେ ମୋର ଦରକାରୀ ଜିନିଷପତ୍ରତକ ମିଳିବ !

 

ମୁଁ କିଛି ଦୂର ଯାଇ ଗୋଟିଏ କୋଠରୀରେ ପଡ଼ିରହିଥିବା ମୋର ସୁଟକେସ୍‍ଟିକୁ ସାଉଁଟିଲି । ଦେଖିଲି ସବୁଜିନିଷ ତା’ ଭିତରେ ଠିକ୍ ଅଛି । ମୁଁ ଗଣ୍ଠିଧନ ପରି ତାକୁ କୋଳେଇ ଧରିଲି । ମୋ ମନରେ ଆନନ୍ଦ ଥଳକୂଳ ପାଇନଥିଲା ।

 

ସେଇ ଘର ବାହାରକୁ ବାହାରି ଆସି ମୁଁ ହିଥ୍ରୋ ବିମାନଘାଟିଟିକୁ ଖୋଲା ମନରେ ଆଖି ବୁଲାଇ ଆଣିଲି । ଆକାଶଛୁଆଁ ପକ୍କା ଘର । ଯୁଆଡ଼େ ଚାହିଁବ ସିଆଡ଼େ ଗାଡ଼ି ମଟର, ଲୋକଗହଳି-। ପ୍ରତି ଦୁଇତିନି ମିନିଟରେ ଏଇ ବିମାନବନ୍ଦରରୁ ଗୋଟିଏ ଲେଖାଁ, ଉଡ଼ାଜାହାଜ ଯାଏ ବା ଏଠାକୁ ଆସେ । ଏଠାରେ ପ୍ରଥମେ ମୋ ଆଖିରେ ପଡ଼ିଲା ଗୋଟିଏ ପାଞ୍ଚ ମହଲା କୋଠା । ତା’ର ପ୍ରତି ମହଲାରେ କେବଳ କାର ଆଉ ଟ୍ୟାକ୍ସି ଭର୍ତ୍ତି । ସ୍ଥାନ ଅଭାବରୁ ଏମିତି ପକ୍କା ଘର ହୋଇଛି ଗ୍ୟାରେଜ୍‍ । ପୁଣି ଦେଖିଲି ଗତିଶୀଳ ପାହାଚ; ତା’ ଉପରେ ଠିଆ ହୋଇଗଲେ ତଳକୁ ବା ଉପରକୁ ଚାଲିଯାଇ ପାରିବ । ଥରେ ଧୂଆଁଳିଆ ଆକାଶକୁ ତ ଥରେ ଭୂଇଁ ଉପର ବିଚିତ୍ର ଦୃଶ୍ୟମାନକୁ ମୁଁ ଦେଖିଦେଲି ।

 

ଗୋଟିଏ ଦୋମହଲା ବସରେ ଲଣ୍ଡନ ଭିତରକୁ ଆସିଲି । ମନ ଭିତରେ ମୋର ଆନନ୍ଦର ଲହରୀ । କେତେ ବାଧାବିଘ୍ନ ଡେଇଁ ଆଜି ମୁଁ ସ୍ୱପ୍ନର ଭୂଇଁ ବିଲାତ ଦେଶରେ ପାଦ ଦେଇଛି । ତେଣୁ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ଛାଏଁ ଛାଏଁ ମୁଣ୍ଡ ମୋର ନଇଁ ପଡ଼ିଲା ।

★★★

 

କେତେ ରଙ୍ଗ ଆଉ କେତେ ଗନ୍ଧ

 

କୋହଲା ପାଗ । ହାଡ଼ଭଙ୍ଗା ଶୀତ । ଥଣ୍ଡା ପବନ । ସେଥିରେ ପୁଣି ଝିପି ଝିପି ବର୍ଷା । ଖରା ଟିକିଏ ଦେଖିବାକୁ ସ୍ୱପ୍ନ । କୁହୁଡ଼ି ଆଉ ବରଫର ବର୍ଷା । ମାଟି ଉପରେ ବହଳ ବରଫର ଶେଯ । ଚଉଦିଗ ଧୋବ ଫରଫର । ଗଛ ଲତାରେ ଶାଗୁଆ ପତ୍ରଟିଏ ସାତ ସପନ । ଫୁଲ ତ ଦୂରର କଥା । ସବୁ ପଶୁ ପକ୍ଷୀ ସର୍ବଦା ହନ୍ତସନ୍ତ ।

 

ଏଇ ହେଲା ବିଲାତର ପାଗ ବିଷୟରେ ପୂର୍ବରୁ ମୋର ମୋଟାମୋଟି ଧାରଣା । କିନ୍ତୁ ସେଠାରେ ପହଞ୍ଚି ମୁଁ ଦେଖିଲି ଏଇ ଅବସ୍ଥାର ଠିକ୍‍ ବିପରୀତ । ବସନ୍ତ ଋତୁ ପରି ସବୁ ଭଲ ଲାଗୁଥିଲା । ଉଜ୍ଜ୍ଵଳ ସୂର୍ଯ୍ୟକିରଣ ଚଉଦିଗରେ ବିଞ୍ଚି ହୋଇ ପଡ଼ିଥିଲା । ଶୀତ ଖାଲି ନାଁକୁମାତ୍ର ଥିଲା-

 

ବିମାନ ବନ୍ଦରରେ ମୁଁ ମୋ ପାଖରେ ଥିବା ଚେକ୍‍ ଭଙ୍ଗାଇ ବିଲାତର ମୁଦ୍ରା କିଛି ସଂଗ୍ରହ କରିଥିଲି । ତା’ପରେ ଦୋ’ମହଲା ବସ୍‍ଟିରେ ବସି ମୁଁ ଲଣ୍ଡନ ଭିତରକୁ ଗଲି । ଧାଡ଼ିକି ଧାଡ଼ି ଗାଡ଼ି ମଟର ଓସାରିଆ ରାସ୍ତାର ଦୁଇ ପାଖରେ ଧାଇଁଥିଲା । କେଡ଼େ ଶୃଙ୍ଖଳା । କେହି ଟିକିଏ ହେଳା କଲେ ଭେଳା ବୁଡ଼ିଯାନ୍ତା । ଶହ ଶହ ଗାଡ଼ି ଏକାଠି ଆଖି ପିଛୁଳାକେ ଗଦା ହୋଇପଡ଼ନ୍ତା । କିନ୍ତୁ ସମସ୍ତେ ହୁସିଆର । ରାସ୍ତାର ନିୟମ ମାନି ସମସ୍ତେ ଚାଲିଛନ୍ତି ।

 

ମୁଁ ବସ୍‍ ଷ୍ଟାଣ୍ଡରେ ପହଞ୍ଚିଲି । ସେଠାରେ ବ୍ରିଟିଶ କାଉନ୍‍ସିଲ (ବିଲାତରେ ଆମ ଦାୟିତ୍ଵ ବୁଝୁଥିବା ଅନୁଷ୍ଠାନ) ତରଫରୁ ଜଣେ କର୍ମଚାରୀ ଅପେକ୍ଷା କରିରହିଥିଲେ । ସେ ମୋତେ ସ୍ଵାଗତ ଜଣାଇ ମୋର ଠିକଣା ଓ ଆସିବା ଉଦ୍ଦେଶ୍ୟ ପଚାରି ବୁଝିଲେ । ତା’ପରେ ବ୍ରିଟିଶ କାଉନ୍‍ସିଲ ଅଫିସକୁ ମୋତେ ଗୋଟିଏ ଟ୍ୟାକ୍ସିରେ ପଠାଇ ଦେଲେ ।

 

ମୁଁ ସେହି ଅଫିସରେ ପହଞ୍ଚିଲା ମାତ୍ରେ ଜଣେ ମହିଳା କର୍ମଚାରୀ ମୋର ପରିଚୟ ପାଇ ମୋର ରହଣି ଓ ଶିକ୍ଷା ବ୍ୟବସ୍ଥା କେଉଁଠି ହୋଇଛି ବତାଇ ଦେଲେ । ଜଣେ ଝିଅ ମୋ ସହିତ ଆଉ ଗୋଟିଏ ଅଫିସକୁ ଆସି ମୋତେ ମାସକର ଚଳିବା ଖର୍ଚ୍ଚ ପାଇବାର ସୁବିଧା କରିଦେଲେ । ଏଠାରେ ଅନେକ କର୍ମଚାରୀ ଝିଅ ହେଲେ ମଧ୍ୟ କେଡ଼େ ଫୂର୍ତ୍ତି ସେମାନେ । କେହି ଗଲେ ତାଙ୍କର କାମଟି କରାଇ ଦେବାରେ ବା ଅନ୍ୟ ପାଖରେ ଥିଲେ ତାଙ୍କ ପାଖକୁ ଯାଇ କାର୍ଯ୍ୟଟି କରାଇ ଦେବାରେ ସେମାନେ କେଡ଼େ ବ୍ୟଗ୍ର ! ଆମର ଏଠାରେ ତ କର୍ମଚାରୀମାନଙ୍କ ପାଟିରୁ କଥାଟିଏ ସହଜରେ ବାହାରିବ ନାହିଁ । କାହା କାମଟିକୁ ନିଜେ ଚଞ୍ଚଳ କରିଦେବେ ବା କରାଇଦେବେ କ’ଣ ? ଯେପରି ଏମାନେ ଗୋଟିଏ ଗୋଟିଏ ନିର୍ଜୀବ, ସ୍ଥାଣୁ ଯନ୍ତ୍ର ।

 

ତା’ପରେ ମୁଁ ଗୋଟିଏ ଟ୍ୟାକ୍ସି ଭଡ଼ା କରି ମୋ’ପାଇଁ ରହିବା ବ୍ୟବସ୍ଥା ହୋଇଥିବା ଜନ ଆଡ଼ାମ୍‍ସ ହଲକୁ ଗଲି । ସେଠାରେ ପହଞ୍ଚିଲା ବେଳକୁ ସାଢ଼େ ଚାରି । ଜନ ଆଡ଼ାମ୍‍ସ ହଲ ଗୋଟିଏ ଛାତ୍ରାବାସ, ମୁଁ ତା’ର ଗୋଟିଏ ଘର ଭିତରକୁ ଯାଇ ସେଠାରେ ଜଣେ କର୍ମଚାରୀକୁ ପରିଚୟ ଦେବାରୁ ସେ ମୋତେ ଗୋଟିଏ ଚାବିପେନ୍ଥା ଧରାଇ ଦେଇ କହିଲେ ଆପଣଙ୍କୁ ୫୫ ନମ୍ବର କୋଠରୀଟି ଦିଆଗଲା । କିନ୍ତୁ ଗୋଟିଏ କୋଠାରୀ ପାଇଁ ୫।୭ଟି ଚାବି କାହିଁକି ଦିଆଗଲା ମୁଁ ଜାଣିପାରିଲି ନାହିଁ । କାରଣ ଚାବି ପେନ୍ଥାଟି ତ ନିଜ ପାଖରେ ରଖିବାକୁ ହେବ । ତେବେ ମୁଁ ତାଙ୍କୁ ଏହାର କାରଣ ପଚାରିବା କାଳେ ବୋକାମି ହେବ, ସେଥିପାଇଁ ଆଗେ ସେ କୋଠରୀଟି ଖୋଲି ମୋର ଜିନିଷପତ୍ର ରଖାରଖି କରିବାକୁ ଠିକ୍‍ କଲି । ମୁଁ କିନ୍ତୁ ସେଇ ପାଞ୍ଚ ମହଲା ପକ୍କା ଘରଟିକୁ ତଳ ଉପର ହୋଇ ଯେତେ ଖୋଜିଲେ ମଧ୍ୟ ମୁଁ ସେଇ ଘର ବଖରାଟି ପାଇଲି ନାହିଁ । ପରେ ବୁଝିଲି ଯେ ସେଇ ବଖରାଟି ସେଠାରୁ କିଛି ଦୂରରେ ଥିବା ଆଉ ଏକ ଘର ଭିତରକୁ ଗଲେ ମିଳିବ । ସେ ବଖରାଟି ପୁଣି ଚାରି ମହଲା ଉପରେ । ତା’ପରେ ବହୁ କଷ୍ଟରେ ସେଇ ଘରଟି ଖୋଲି ମୁଁ ସବୁ ଜିନିଷପତ୍ର ରଖାରଖି କଲି । ଚାବି ପେନ୍ଥାକ ଭିତରୁ ଗୋଟି ଲେଖାଁ ଚାବି ସେଇ ଛାତ୍ରାବାସର ପ୍ରଧାନ ଘର, ଭୋଜନାଳୟ, ମୋ କୋଠରୀ ଥିବା ପ୍ରଧାନଘର, ମୋର କୋଠରୀ, ସେଥିରେ ଥିବା ଆଲମିରା ପ୍ରଭୃତି ଖୋଲିବା ପାଇଁ ରହିଥିଲା ।

 

ମୁଁ ଶୁଣିଥିଲି ସେଠାରୁ ଅଳ୍ପ ଦୂରରେ ଗୋଟିଏ ଭାରତୀୟ ଛାତ୍ରାବାସ ରହିଛି । ତା’ର ଠିକଣା ମୋ ପାଖରେ ଥିଲା । ମୁଁ ଚାଲି ଚାଲି ପ୍ରାୟ ଏକ ମାଇଲ ଦୂରରେ ଥିବା ସେଇ ଛାତ୍ରାବାସ ପାଇଲି । ମୁଁ ପ୍ରଥମେ ଛାତ୍ରାବାସର ପରିଚାଳକ (ଓ୍ୱାର୍ଡ଼େନ)ଙ୍କୁ ଦେଖା କରିବାକୁ ଭାବିଲି । ମୁଁ ଭାରତରୁ ସେଇ ଛାତ୍ରାବାସରେ ରହିବା ପାଇଁ ତାଙ୍କ ପାଖକୁ ଚିଠିଟିଏ ଦେଇଥିଲି । ସେ ମଧ୍ୟ ସେଠାରେ ସ୍ଥାନ ଦେବାକୁ ରାଜି ହୋଇଥିଲେ । ମାତ୍ର ସେଦିନ ସେତେବେଳେ ସେ ଅନୁପସ୍ଥିତ ଥିଲେ । ତେବେ ମୁଁ କେତେଗୁଡ଼ିଏ ଘର ଭିତରକୁ ଯାଇ ବୁଲି ଦେଖିଲି । ଚାଲିଲା ବେଳେ ପାହାଚ ଆଉ ଚଟାଣ ଦୁଲୁକୁଥିଲା । କେତେଠାରେ କାନ୍ଥ ଭାଙ୍ଗିଥାଏ । ଏସବୁ ଅବସ୍ଥା ଦେଖି ଏଠାରେ ରହିବାକୁ ମନ ହେଲା ନାହିଁ । ମନେମନେ ଭାବିଲି ଭାରତର ଭାଗ୍ୟ ସବୁଠି ସମାନ ।

 

ସେଠାରୁ ଫେରିଲି । ଜନ ଆଡ଼ାମ୍‍ସ ହଲରେ ପହଞ୍ଚିଲି । ଖାଇବା ସମୟ ହୋଇ ଯାଇଥିଲା । ମୁଁ ତେଣୁ ସିଧା ଛାତ୍ରାବାସର ଭୋଜନ କୋଠରୀକୁ ଯାଇ ଖାଇ ବସିଲି । ରନ୍ଧାବଢ଼ା ବା ତରକାରୀ ପତ୍ରର ଆକାର ପ୍ରକାର ଦେଖି ମୁଁ ତାଟକା । ସବୁ ସିଝା, ଶାଗଠାରୁ ମାଂସ, ଆଳୁଠାରୁ କୋବି ପର୍ଯ୍ୟନ୍ତ ସବୁ ସିଝା, ପାଣି ପଚପଚ । ସେଥିରେ ପୁଣି ମସଲା ଘର ଶୁନ । କେତେବେଳେ ଲୁଣଗୁଣ୍ଡ ବା ଗୋଲମରିଚ ଗୁଣ୍ଡ । କଣ୍ଟା ଚାମୁଚରେ ସମସ୍ତେ ଖାଉଥିଲେ । ତେଣୁ ମୁଁ ସେଥିରେ ଖାଇବାକୁ ଚେଷ୍ଟା କଲି । ଭୋକିଲା ପେଟରେ ଯାହା ଯେମିତି କରି ମେଞ୍ଚାଏ ଭରିଲି-

 

ଦିନଯାକ ଏପଟ ସେପଟ ହୋଇ ଭାରି ହାଲିଆ ହୋଇପଡ଼ିଥିଲି । ଛାତ୍ରାବାସର ମୋ କୋଠରୀରେ ଚେୟାର, ଟେବୁଲ୍‍, ଖଟ, ଆଲାମିରା, ଆରାମଚୌକି, ବିଜୁଳିବତୀ, ଉତ୍ତାପ ଦେଉଥିବା ଯନ୍ତ୍ର, ଥଣ୍ଡା ଗରମ ପାଣିକଳ ଲାଗିଥିବା ମେସିନ୍‍ ପ୍ରଭୁତି ରହିଥିଲା । ଖଟ ଉପରେ ମଧ୍ୟ ବହଳ ଶେଯ ଆଉ କମ୍ବଳ । ଆଲୁଅଟି ଜାଳି ଆରାମରେ ଶୋଇପଡ଼ିଲି । ନିଦମାଉସୀ କେତେବେଳେ ଆସି ମୋ ଆଖି ଦୁଇଟାକୁ ବୁଜି ଦେଇଛି ମୁଁ ଜାଣିନାହିଁ ।

 

ଭୋରରୁ ନିଦ ଭାଙ୍ଗିଲା । ସାଢ଼େ ଚାରିଟା ବାଜିଥିଲା । ମୁଁ ମୋ ଘର କବାଟକୁ ଆଉଜେଇ ଦେଇ ପାଖରେ ଥିବା ପାଇଖାନାକୁ ଗଲି । ସେଠାରୁ ଫେରି ଦେଖିଲା ବେଳକୁ ମୋର ଘର ଦୁଆର ବନ୍ଦ । କବାଟ ଖୋଲିବା ଆଉ ଅସମ୍ଭବ । ମନରେ ମୋର ସନ୍ଦେହ ହେଲା ସମ୍ଭବତଃ ଘର ଭିତରୁ ତାଲା ପଡ଼ିଯାଇଛି । ଘର ଭିତରେ ତ ମୋ ଚାବି ପେନ୍ଥାକ ରହିଲା । ଏବେ କି ଉପାୟ କରିବି ?

 

ସେତେବେଳେକୁ ତ କାହାର କାହା ସହିତ ପରିଚୟ ହୋଇନଥିଲା । କାହାକୁ ବା ଏତେବେଳେ ଡାକିବି ? ସକାଳ ହେଲେ ହୋଇଥାନ୍ତା ? ରାତି ତ ଆଉ ୨ ଘଣ୍ଟାରୁ ଅଧିକ ଅଛି । ତେବେ ତଳ ମହଲାକୁ ଯାଇ ଦେଖିଲି ଜଣଙ୍କ ଘର ଭିତରେ ଆଲୁଅ ଜଳୁଛି । କବାଟ ବାଡ଼େଇଲି । ସେ ବିଚରା କବାଟ ଫିଟାଇଲେ । ଦୁହିଁଙ୍କ ଭିତରେ ପରିଚୟ ହେଲା । ସେ ଶ୍ରୀଲଙ୍କାରୁ ଆସିଥାନ୍ତି ୨/୩ ଦିନ ହେଲା । ନାଁ ତାଙ୍କର ଶ୍ରୀ ଚନ୍ଦ୍ର ପେରେରା । ସକାଳ ୮ଟାରେ ଯାଇ ଅଫିସ ଫିଟିବ । ସେଠା କର୍ମଚାରୀମାନେ ଆସି ଚାବି ଦେବେ । ସବୁ ଘରର ଆଉ ଗୋଟିଏ ଲେଖାଁ ଚାବି ଅଫିସରେ ରହିଥାଏ । ତେଣୁ ସେତକ ସମୟ ଆମେ ଉଭୟ ଦେଶର ଭାଷା, ଖାଦ୍ୟ, ଚାଲିଚଳନ ଆଦି ସୁଖଦୁଃଖ ବିଷୟରେ ବହୁତ କଥାବାର୍ତ୍ତା ହେଲୁ । ସବୁ ଦିଗରେ ଉଭୟ ଦେଶ ମଧ୍ୟରେ ବହୁ ସମ୍ପର୍କ ଓ ସାମ୍ୟ ରହିଛି ।

 

କିଛି ସମୟ ପରେ ତଳ ମହଲାରୁ ଜଣେ ବନ୍ଧୁ ଆସି ତାଙ୍କରି ସେଇ ଅସୁବିଧା ଜଣାଇଲେ । ଗାଧୁଆ ଘରୁ ଫେରି ଦେଖନ୍ତି ତାଙ୍କ ଘର ଭିତରୁ ଚାବି ପଡ଼ିଛି । ସେ ମଧ୍ୟ ଶ୍ରୀଲଙ୍କାରୁ ପେରେରାଙ୍କ ସହିତ ଆସିଥାନ୍ତି । ତାଙ୍କ ନାଁ ଜୁବେର । ଆମେ ତିନି ଜଣ ଏମିତି ସବୁଆଡ଼ୁ କଥାବାର୍ତ୍ତା କରୁ କରୁ ଭୋର ହୋଇ ଆସିଲା । ପେରେରା ତଳକୁ ଓହ୍ଲାଇ ବାହାର ଘରେ ଥିବା ଅଫିସରୁ ଚାବି ଆଣିବା ପାଇଁ ଗଲେ । ସେ ତେବେ ଅଫିସଟି ଖୋଲି ନଥିବାରୁ ଫେରିଲେ । କିନ୍ତୁ ଆମେ ଜାଣିନାହୁଁ ଯେ ସେ ବିଚରା କେତେବେଳୁ ଫେରି ବାହାର ରାସ୍ତାରେ ଅଟକିଛନ୍ତି । କାରଣ ଯେଉଁ ଦୁଆର ଖୋଲି ସେ ଆମେ ରହୁଥିବା ଦାଣ୍ଡିକ ଘରେ ପଶିବା କଥା ସେ ଦୁଆର କବାଟ ମଧ୍ୟ ଆପେ ଆପେ ଭିତରୁ ତାଲା ପଡ଼ିଯାଇଛି । ସେ ପୁଣି ବହୁ ତଳେ ଥିବାରୁ ଆମକୁ ଡାକିଲେ ଶୁଣାଯାଉ ନଥାଏ । ତେବେ ବିଳମ୍ୱ ହେବାରୁ ଆମେ ଝରକା ବାଟେ ତଳକୁ ଚାହିଁଲୁ । ପେରେରା ବିଚରା ତଳେ ପାଦଚଲା ରାସ୍ତା (ଫୁଟପାଥ୍‍)ରେ ପଇନ୍ତରା ମାରୁଛନ୍ତି । ଆମେ ଯାଇ ଦୁଆରଟି ଭିତରୁ ଖୋଲିବାରୁ ସେ ଆସିଲେ । ଆମେ ଶୁଣିଲୁ, ଏମିତି ଛାଏଁ ଛାଏଁ ଦୁଆର ଚାବି ପଡ଼ିଯିବାରୁ ବହୁ ଲୋକ ଭାରି ହଇରାଣ ହୋଇଥାନ୍ତି । ବିଶେଷତଃ ଯେଉଁମାନେ ଦୁଆର ବନ୍ଦକରି ବାହାରେ ବଡ଼ ବଡ଼ ତାଲା ପକାଇବାରେ ଅଭ୍ୟସ୍ତ, ସେମାନେ ଏମିତି ଆପେ ଆପେ ତାଲା ପଡ଼ିବାରେ ଭାରି ଅସୁବିଧା ଭୋଗ କରନ୍ତି ।

 

ସେମିତି ପାଇଖାନାରେ କି ଅସୁବିଧା ହେଲା କହିବାକୁ ଭୁଲି ଯାଇଛି । ଆମେ ସହରରେ ସବୁଠାରୁ ଆଧୁନିକ ଧରଣର ସେଫ୍‍ଟି ଲାଟ୍ରିନ୍‍ ବ୍ୟବହାର କରିବାରେ ଅଭ୍ୟସ୍ତ । ଆଣ୍ଠୁଭାଙ୍ଗି ବସିବାକୁ ହୁଏ ସେଇ ପାଇଖାନାରେ । କିନ୍ତୁ ବିଲାତରେ ଯେଉଁ ପାଇଖାନା, ସେଥିରେ ଚଉକି ପରି ଆରାମରେ ବସି ଝାଡ଼ା ଫେରିବାକୁ ହୁଏ । ହେଲେ ଉଭୟ ପ୍ରକାର ପାଇଖାନାରେ ଚେନ୍‍ଟିଏ ଭିଡ଼ିଦେଲେ ଗବ୍‍ ଗବ୍‍ ହୋଇ ପାଣି ଝରିପଡ଼େ ଆଉ ମଇଳା ସଫା ହୋଇଯାଏ । ସବୁଠୁ ବେଶି ଅସୁବିଧା ଲାଗିଲା ଝାଡ଼ା ପରେ କାଗଜରେ ସଫା ହେବା । ସେଥିରେ ପାଣି ବ୍ୟବହାର କରିବାର ସୁବିଧା ନଥାଏ । ଏକପ୍ରକାର ପତଳା କାଗଜ ଗୋଟିଏ ରିଲରେ ଗୁଡ଼ିଆ ହୋଇଥାଏ । କାଗଜକୁ ଗୋଟିଏ ମୁଣ୍ଡରୁ ଟାଣିଲେ ଯେତେ ଲମ୍ବର କାଗଜ ଦରକାର, ସେ ବହାରି ପଡ଼ିଥାଏ । ତାକୁ ଧରି ପିଚାକୁ ପୋଛି ସଫା କରିବାକୁ ହୁଏ । ପ୍ରଥମେ ଏହା ବଡ଼ ଖରାପ ଲାଗିଲା-। କିନ୍ତୁ କ୍ରମେ ବ୍ୟବହାର କରି ଜାଣିଲେ ସୁବିଧାଜନକ ହୁଏ । ବରଂ ସେଠାରେ ଶୀତଳ ଜଳବାୟୁରେ ଏମିତି କାଗଜରେ ସଫା ନକରି ବରଫ ପରି ଥଣ୍ତା ପାଣିରେ ଶୌଚ କରିବା ଭାରି କଷ୍ଟକର ହୁଅନ୍ତା । ଜଳବାୟୁକୁ ଚାହିଁ ମଣିଷର ଅଭ୍ୟାସ ହୋଇଥାଏ । ଅବସ୍ଥାକୁ ଚାହିଁ ସେ ବ୍ୟବସ୍ଥା କରେ ।

 

ମୁଁ ରହୁଥିବା ଛାତ୍ରାବାସଟିରେ ବହୁ ଦେଶର ଛାତ୍ରଛାତ୍ରୀ ରହନ୍ତି । ସେମାନେ ପୁଣି ନାନା ଧର୍ମର । ମୁଁ ଏକା ହିନ୍ଦୁ ଧର୍ମର । ମୁଁ ଦେଖିଲି ହିନ୍ଦୁମାନଙ୍କ ପରି ଅନ୍ୟକୌଣସି ଧର୍ମର ଲୋକମାନଙ୍କ ଖାଦ୍ୟପେୟରେ ଏତେ ବାରଣ ନଥାଏ । ପଠାଣ ବା ମୁସଲମାନମାନେ କେବଳ ଘୁଷୁରୀ ମାଂସ ଛଡ଼ା ଆଉ ସବୁ ମାଂସ ଖା’ନ୍ତି । ବୌଦ୍ଧଧର୍ମର ଲୋକମାନେ ତ ସବୁପ୍ରକାରର ମାଂସ ଖା’ନ୍ତି । ଖ୍ରୀଷ୍ଟିଆନମାନେ ସେମିତି ସବୁପ୍ରକାର ମାଂସ ଖା’ନ୍ତି । ଆଫ୍ରିକା, ଚୀନ୍, ଜାପାନ ପ୍ରଭୃତି ଦେଶରେ ଖାଲି ଗୋରୁ, ଘୁଷୁରୀ ମାଂସ ଖା’ନ୍ତି ନାହିଁ, ସାପ ବେଙ୍ଗ ପାରା ଝିଟିପିଟି ପ୍ରଭୃତି କୀଟ ପତଙ୍ଗଙ୍କ ମାଂସ ମଧ୍ୟ ଆନନ୍ଦରେ ଖାଇଥାନ୍ତି । ଏହା ସହିତ ସିଝା ପନିପରିବା, କଞ୍ଚା ମୂଳା ଓ କୋବି ପତ୍ର ପ୍ରଭୃତି ଖାଇବାରେ ମଧ୍ୟ ଆଗ୍ରହୀ ହୋଇଥାନ୍ତି । ତେଣୁ ସେହି ଛାତ୍ରାବାସରେ ଯାହା ଖାଦ୍ୟ ମିଳେ, ସମସ୍ତେ ଖୁବ୍‍ ଆନନ୍ଦରେ ଖାଉଥିଲା ବେଳେ ମୋତେ ବଡ଼ କୁନ୍ଥେଇ କୁନ୍ଥେଇ ଖାଇବାକୁ ପଡ଼ିଥାଏ-। କିନ୍ତୁ ମୁଁ ଅନୁଭବ କରୁଥାଏ ଯେ ସେଇ ଖାଦ୍ୟ ଆମର ଅରୁଚିକର ହେଲେ ହେଁ ସ୍ଵାସ୍ଥ୍ୟ ପାଇଁ ଖୁବ୍‍ ଭଲ ।

 

ମୁଁ ଛାତ୍ରାବାସର ପରିଚାରିକାମାନଙ୍କୁ ଜଣାଇ ଦେଇଥାଏ ଯେ, ମୁଁ ଗୋରୁ ଓ ଘୁଷୁରୀ ମାଂସ ଖାଏ ନାହିଁ । ତେଣୁ ଯେଉଁଦିନ ଏହା ରୋଷେଇ ହୋଇଥାଏ ମୋତେ ସେଦିନ ଅଣ୍ଡା କିମ୍ବା ଏକପ୍ରକାର ଟାଣ ଛେନା ତା’ ବଦଳରେ ଦିଆଯାଏ । କିନ୍ତୁ ଦିନେ ମୋତେ ମେଣ୍ଢା ମାଂସ କହି ଘୁଷୁରୀ ମାଂସର ତରକାରୀ ଦେଇଥିଲେ । ମୁଁ ଏ କଥା ଜାଣି ଅଧଖିଆରୁ ଉଠିପଡ଼ିଥିଲି । ଛାତ୍ରାବାସର ପରିଚାଳକ ହଲାଣ୍ଡ ସାହେବଙ୍କ ପାଖେ ଆପତ୍ତି କରିଥିଲି । ତେଣୁ ମୋତେ ଅଣ୍ଡା ଓ ଛେନା ପ୍ରଭୃତି ଖାଇବାକୁ ଦେଇଥିଲେ ଏବଂ ଆଉ କେବେ ସେମିତି ଭୁଲ କରିବେ ନାହିଁ ବୋଲି ଜବାବ ଦେଇଥିଲେ ।

 

ଆମ ଆସିବାର ସପ୍ତାହକ ମଧ୍ୟରେ ନୂତନ ଛାତ୍ର ଛାତ୍ରୀମାନଙ୍କୁ ସ୍ଵାଗତ କରିବା ଉଦ୍ଦେଶ୍ୟରେ ଆମ ଛାତ୍ରାବାସର ପରିଚାଳକ ହଲାଣ୍ଡ ସାହେବ ଗୋଟାଏ ଶେରୀ ପାର୍ଟିର ଆୟୋଜନ କଲେ । ମୁଁ ନିମନ୍ତ୍ରଣ ପାଇ ସେଇ ପାର୍ଟିରେ ଯୋଗ ଦେବାକୁ ଠିକ୍‍ କଲି । କିନ୍ତୁ ଶେରୀ କ’ଣ ? ସାଙ୍ଗମାନଙ୍କୁ ପଚାରିବାକୁ ମନହେଲା ନାହିଁ । ସନ୍ଧ୍ୟା ପୂର୍ବରୁ ସବୁଦିନ ପରି ଖିଆପିଆ ତ ସରିଥାଏ । ଭୂଇଁତଳ ସେଇ ଭୋଜନ ଗୃହରେ ନାନା ରଙ୍ଗର ଆଲୁଅ ଜଳିଉଠିଲା । କେତେକ ପ୍ରକାର କାଗଜ ଫୁଲରେ କାନ୍ଥ ଝରକା ଆଉ ଦୁଆର ପ୍ରଭୃତି ସୁସଜ୍ଜିତ ହେଲା । ଗ୍ରାମଫୋନ୍‍ ଓ ଟେପରେକର୍ଡ଼ରେ ବାଜିଉଠିଲା ଇଂରେଜ ସଙ୍ଗୀତ ଓ ବାଦ୍ୟଧ୍ଵନି । ଉତ୍ତାଳ ବାଦ୍ୟଧ୍ୱନି ସହିତ ତାଳଦେଇ ନାଚିଉଠିଲେ ଛାତ୍ରାବାସର ବାସିନ୍ଦାଗଣ ତରୁଣଠାରୁ ପ୍ରୌଢ଼ଯାଏ, ରୋଷେଇଘରର ସହକାରିଣୀଙ୍କଠାରୁ ଛାତ୍ରାବାସର ପରିଚାଳକଙ୍କ ପର୍ଯ୍ୟନ୍ତ ।

 

ନାନା ବର୍ଣ୍ଣ ଆଉ ନାନାପ୍ରକାର ପୋଷାକ ସେମାନେ ପିନ୍ଧିଥାନ୍ତି । କେତେକ ଅପୂର୍ବ ଧରଣର ଜାତୀୟ ପୋଷାକ ପିନ୍ଧିଥାନ୍ତି । ସେଠାରେ ଯେମିତି ସେମାନଙ୍କର ସବୁ ଗର୍ବ ଆଉ ଗୌରବ ଫୁଟିଉଠିଛି । ଆଫ୍ରିକାର ବିଭିନ୍ନ ଦେଶର ଜାତୀୟ ପୋଷାକ ବଡ଼ ବିଚିତ୍ର । ଅଙ୍ଗାର କଳା ଆଫ୍ରିକୀୟ ଲୋକମାନଙ୍କର ଏହାକୁ ପିନ୍ଧିବାରେ ପୁଣି ଭାରି ସଉକ । ଦୁଇ ତିନୋଟି ବଡ଼ ଟେବଲ୍‍ ଉପରେ ରଖାଯାଇଛି ରଙ୍ଗୀନ ସୁରାର ବୋତଲ । କେତେ ରଙ୍ଗ ଆଉ କେତେ ଗନ୍ଧର ଏଇ ମଦ ସବୁ ସାନ ବଡ଼ ବୋତଲରେ ଝିଲ୍‍ମିଲ୍ ହେଉଥାଏ । ଏଗୁଡ଼ିକ ଭିତରେ ଶେରୀ ଏକ ପ୍ରଧାନ ଆସନ ଜମାଇଥାଏ । ମୁଁ ତ କୌଣସି ମାଦକ ଦ୍ରବ୍ୟର ପାଖ ପଶେନାହିଁ । ମଦ ପ୍ରତି ପିଲାଦିନୁ ମୋର ଘୃଣା । ତେଣୁ ତାକୁ ଛୁଇଁବା ମୋ ପକ୍ଷେ ଅସମ୍ଭବ ହେଲା । ପ୍ରାୟ ସମସ୍ତେ ଏମିତିକି ଝିଅମାନେ ମଧ୍ୟ ତାକୁ ଢକ୍‍ ଢକ୍‍ ପିଇଯାଉଥାନ୍ତି । ତେବେ ଆଉ କେତେକଙ୍କ ପାଇଁ ଫଳରସର ବ୍ୟବସ୍ଥା ଥାଏ । ମୁଁ ସେଥିରୁ ଗିଲାସେ ପିଇଲି । ରାତି ବେଶୀ ହୋଇ ଆସିଲା । କ୍ରମେ ମେଳା ମଉଳି ଆସିଲା ।

★★★

 

ପିଲା ଖେଳରୁ ପାଠ ପଢ଼ା

 

୧୯୭୧ ମସିହାର ଅକ୍ଟୋବର ମାସ ୧୪ ତାରିଖ । ସେଦିନ ଭୋରରୁ ଝିପି ଝିପି ବର୍ଷା ରହିଛି । ସେଥିରେ ପୁଣି ଥଣ୍ଡା ପବନ ପିଟୁଛି । ହାଡ଼ଭଙ୍ଗା ଶୀତରେ ଗୋଡ଼ହାତ କୋଲମାରି ଯାଉଛି ।

 

ଲଣ୍ଡନର ସହରତଳି ଅଞ୍ଚଳ । ସେଠାରେ ମାଉଲେମ ପ୍ରାଥମିକ ବିଦ୍ୟାଳୟରେ ଆମେ କେତେଜଣ ବିଦେଶୀ ଛାତ୍ରଛାତ୍ରୀ ପହଞ୍ଚିଲୁ । ଉକ୍ତ ବିଦ୍ୟାଳୟ ଦେଖିବା ପାଇଁ ଆଗରୁ ସବୁ ଠିକ୍ ହୋଇଥିଲା ।

 

ସାଢ଼େ ନଅଟା ବାଜିଥିଲା । ପିଲାମାନେ ପ୍ରାର୍ଥନା ସାରିଥାନ୍ତି । ଏକ ମହଲା କୋଠାଘର-। ବେଶୀ ଉଚ୍ଚ ମଧ୍ୟ ନୁହେଁ । ତା’ର ପାହାଚ, ଝରକା ଦୁଆର, ଚଉକି, ମେଜ ପ୍ରଭୃତି ପିଲାମାନଙ୍କୁ ଚାହିଁ ତିଆର ହୋଇଛି । ସେସବୁ ଛୋଟ ଛୋଟ ଆଉ ଅଳ୍ପ ଅଳ୍ପ ଉଚ୍ଚ । ଘରଗୁଡ଼ିକ ବାହାରୁ ଦେଖିବାକୁ ଯେମିତି ସୁନ୍ଦର, ଭିତରେ ସେମିତି ମନଲୋଭା । ଘରଗୁଡ଼ିକର କାନ୍ଥ ବାଡ଼ରେ ନାନାପ୍ରକାର ଚିତ୍ର ମରାଯାଇଥିଲା । ସେଥିରେ ଅଧିକାଂଶ ଚିତ୍ର ପୁଣି ପିଲାମାନଙ୍କ ହାତରେ ଅଙ୍କିତ-। ସବୁ ଘରଦ୍ଵାର ବାଡ଼ିବଗିଚା ସୁନ୍ଦର ଆଉ ପରିଷ୍କାର ପରିଚ୍ଛନ୍ନ । ବଗିଚାର ଫୁଟନ୍ତା ଫୁଲ ପରି ପ୍ରତ୍ୟେକ ପିଲାର ମୁହଁ ସତେଜ ଆଉ ସୁନ୍ଦର ।

 

ଆମେ ପହଞ୍ଚିବା ପୂର୍ବରୁ ପିଲାମାନଙ୍କର ପ୍ରାର୍ଥନା ସରିଥାଏ । ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନଙ୍କ ସହିତ ପ୍ରାର୍ଥନା କରୁଥିଲେ । ବିଲାତର ସବୁ ପ୍ରାଥମିକ ବିଦ୍ୟାଳୟ ପରି ଏଠାରେ ମଧ୍ୟ ଶିକ୍ଷକଙ୍କ ଅପେକ୍ଷା ଶିକ୍ଷୟିତ୍ରୀଙ୍କ ସଂଖ୍ୟା ଅଧିକ । ସମସ୍ତେ ପରସ୍ପର ଖୁବ୍ ସହଯୋଗୀ । ସମସ୍ତଙ୍କ ମନରେ ଆନନ୍ଦ ଆଉ ଉତ୍ସାହ । ଛୋଟ ଛୋଟ ପିଲାମାନଙ୍କୁ ଆପଣାର କରି ପାଠ ପଢ଼ାଇବାରେ ସେମାନେ ଭାରି ଆଗ୍ରହୀ । କାହାରି ମନରେ କୁଣ୍ଠା ନାହିଁ କି ଅବଶୋଷ ନାହିଁ ।

 

ଆମେ ଯିବା ମାତ୍ରେ ପ୍ରଧାନ ଶିକ୍ଷକ, ଓ ଶିକ୍ଷୟିତ୍ରୀମାନେ ଆମ୍ଭକୁ ପାଛୋଟି ନେଲେ । ଅପରିଚିତ ଅତିଥିମାନଙ୍କୁ ଆଦର କରିବାରେ ସେମାନଙ୍କ ମନରେ ତିଳେହେଲେ ଶଙ୍କା କି ସଂକୋଚ ବା ଅସ୍ୱାଭାବିକ ଆତ୍ମବଡ଼ିମା ନାହିଁ । କୌଣସି ଘଟଣାକୁ ଘୋଡ଼ାଇବା କିମ୍ବା କୌଣସି ଦୋଷ ବା ଅଭାବକୁ ଲୁଚାଇବା ପାଇଁ ସେମାନଙ୍କର ଟିକିଏ ହେଲେ ଚେଷ୍ଟା ନାହିଁ । ବିଦ୍ୟାଳୟର ସବୁ ସୁବିଧା ଅସୁବିଧା ଆମ୍ଭମାନଙ୍କୁ ଜଣାଇ ଦେବାରେ ଯେମିତି ସେମାନଙ୍କର ଆଗ୍ରହ, ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ସହିତ ଆମ୍ଭଙ୍କୁ ପରିଚିତ କରାଇବାରେ ସେମିତି ସେମାନଙ୍କର ଆନନ୍ଦ । ଏଠାରେ କିନ୍ତୁ ଆମର ଅବସ୍ଥା ଓଲଟା । ବାହାର ଲୋକଙ୍କୁ ଦେଖିଲେ ଆମର ଛନକା ପଶେ ।

 

ସେହି ବିଦ୍ୟାଳୟରେ ଶିଶୁ ବିଭାଗ ଓ ପ୍ରାଥମିକ ବିଭାଗ ଉଭୟ ରହିଛି । ଶିଶୁ ବିଭାଗରେ ୫ ବର୍ଷରୁ ୭ ବର୍ଷ ଆଉ ପ୍ରାଥମିକ ବିଭାଗରେ ୭ରୁ ୧୧ ବର୍ଷ ବୟସର ପିଲାମାନେ ଥାନ୍ତି । ମୋଟ ପିଲାମାନଙ୍କ ସଂଖ୍ୟା ୨୫୭ । ପ୍ରଧାନ ଶିକ୍ଷକଙ୍କ ଛଡ଼ା ଆଉ ଆଠଜଣ ଶିକ୍ଷୟିତ୍ରୀ ସେଇ ବିଦ୍ୟାଳୟରେ କାର୍ଯ୍ୟ କରନ୍ତି । ସେଠାରେ ଘର ଭିତରେ ଆଉ ବାହାରେ ଖେଳପଡ଼ିଆ, ସୁନ୍ଦର ଫୁଲବଗିଚା, ଦୁଇଟି ରେଡ଼ିଓ ଓ ଗୋଟିଏ ଟେଲିଭିଜନ ରହିଛି । ପିଲାମାନଙ୍କୁ ଚଳଚିତ୍ର ଦେଖାଇବା ପାଇଁ ଗୋଟିଏ ପ୍ରୋଜେକ୍ଟର ଆଉ ଠିକ୍‍ ଭାବରେ ଭାଷାଶିକ୍ଷା ଦେବାପାଇଁ ଗୋଟିଏ ଟେପ୍‍ ରେକର୍ଡ଼ର ମଧ୍ୟ ରହିଛି । ସେଗୁଡ଼ିକ ସବୁ ଠିକ୍‍ ଅବସ୍ଥାରେ ଅଛି । ଆମର ତ ସେସବୁ ନାହିଁ ଯାହା ଥାଏ ସେ କାମରେ ଲାଗେ ନାହିଁ ବା ଲାଗିପାରେ ନାହିଁ ।

 

ଶିଶୁ ଶ୍ରେଣୀ ଭିତରକୁ ଗଲୁ । ଦେଖିଲୁ ଯେମିତି ଶ୍ରେଣୀରେ ଆଦୌ ଶୃଙ୍ଖଳା ନାହିଁ । କେଉଁ ପିଲା କେଉଁଠି ବସିଛନ୍ତି ଠିକଣା ନାହିଁ । ସେମାନେ ମଧ୍ୟ ପାଟି କରୁଛନ୍ତି । କିଏ ଗୀତ ଗାଉଛି ତ କିଏ ଗପ କହୁଛି, କିଏ ଗପ ତ କିଏ ଗୀତ ଶୁଣୁଛି । କିଏ ଚିତ୍ର ଆଙ୍କୁଛି ତ କିଏ ଖେଳ ଖେଳୁଛି । କିଏ କଣ୍ଢେଇ ଗଢ଼ୁଛି ତ କିଏ ବହିରୁ ଚିତ୍ର ଦେଖୁଛି । ଦଳ ଦଳ ହୋଇ କୋଠରୀ ଭିତରେ ବସିଛନ୍ତି-। ଜଣେ ଶିକ୍ଷୟିତ୍ରୀ ଗୋଟିଏ ଦଳଙ୍କୁ ବହିରୁ ଗପଟିଏ ପଢ଼ି ଶୁଣାଉଛନ୍ତି । ପଞ୍ଝାଏ ପିଲା ଗୋଟିଏ ଦୋକାନ କରି ସଉଦାପତ୍ର ବିକିବା, କିଣିବା ଆଉ ହିସାବ ରଖିବାରେ ବ୍ୟସ୍ତ । କେତେକ ପିଲା ଗୋଟିଏ ଗାଁର ନମୁନା କରିବାରେ ମଜ୍ଜି ଯାଇଛନ୍ତି ।

 

ଏହିସବୁ ଦୃଶ୍ୟ ଦେଖିଲେ କିଏ ଭାବିବ ଯେ ଏଠାରେ ପାଠ ପଢ଼ା ହେଉଛି ? କିନ୍ତୁ ଏଇ ଗୀତ, କଥା, ଖେଳାବୁଲା ଆଦି ଭିତରେ ହିଁ ସେମାନଙ୍କର ପାଠପଢ଼ା ହୁଏ । ହସଖୁସି, ମଉଜମଜଲିସ୍‍ ମଧ୍ୟରେ ସେମାନେ ସ୍ୱାସ୍ଥ୍ୟରକ୍ଷା, ଆଚାରବ୍ୟବହାର ସମ୍ପର୍କରେ ସୁଅଭ୍ୟାସମାନ ଗଢ଼ିପାରୁଛନ୍ତି । ଆମେ କିଛି ପଚାରିଲେ ହସ ହସ ହୋଇ ଉତ୍ତର ଦେଇଥାନ୍ତି । ସେମାନଙ୍କର କି ଫୂର୍ତ୍ତି ଆଉ କି ଆନନ୍ଦ ! ସେମାନଙ୍କର ପାଠପଢ଼ା ତ ସତେ ପିଲାଖେଳ !

 

ସେମିତି ଆଉ ଗୋଟିଏ ଶ୍ରେଣୀରେ ପିଲାମାନେ ସଂଖ୍ୟା ଲିଖନ ଶିକ୍ଷା କରୁଛନ୍ତି । ସେଠାରେ ମଧ୍ୟ ପିଲାମାନେ ଦଳ ଦଳ ହୋଇ ବସି ଏଇ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ପିଲାମାନଙ୍କ ପାଇଁ ଡେସ୍କଗୁଡ଼ିକ ମଧ୍ୟ ଧାଡ଼ିମୂଳିଆ ପଡ଼ିନଥିଲା । ପିଲାମାନଙ୍କ ମଧ୍ୟରୁ କିଏ ଚକା ପକାଇ ତ କିଏ ଡେସ୍କକୁ ଆଉଜି ବସିଥାନ୍ତି । ଏକମୁହାଁ ହୋଇ ଧାଡ଼ି ଧରି ନୀରବ ମୂକ ପାଲଟି ବୁଦ୍ଧଦେବଙ୍କ ମୂର୍ତ୍ତି ପରି ବସିବା ପାଇଁ ସେଠାରେ ପିଲାମାନଙ୍କୁ ବାଧ୍ୟ କରାଯାଏ ନାହିଁ । ବିଭିନ୍ନ ଦଳରେ ବିଭକ୍ତ ହୋଇ ନିଜ ନିଜର ମନମୁତାବକ କାର୍ଯ୍ୟରେ ମଜ୍ଜି ରହିବା ଯୋଗୁଁ ବଡ଼ଶ୍ରେଣୀ ସମସ୍ୟା ଆଉ ରହେ ନାହିଁ ।

 

ଏମିତି ହସଖେଳ ଭିତରେ ଶିଶୁ ବିଭାଗର ପିଲାମାନେ ପ୍ରାଥମିକ ଶ୍ରେଣୀ ପାଇଁ ପ୍ରସ୍ତୁତ ହୋଇଯା’ନ୍ତି । ଲେଖାପଢ଼ା, ଅଙ୍କକଷା ପ୍ରଭୃତିରେ ଶ୍ରେଣୀର ଦୁଇ ତୃତୀୟାଂଶ ବା ତିନି ଚତୁର୍ଥାଂଶ ପିଲାଙ୍କର ସାଧାରଣ ଶକ୍ତି ଆସି ଯାଇଥାଏ ।

 

ପିଲାମାନେ ପ୍ରାୟ ୭ ବର୍ଷ ବୟସରେ ପ୍ରାଥମିକ ଶ୍ରେଣୀକୁ ଯା’ନ୍ତି । ସେଠାରେ ମଧ୍ୟ ପିଲାମାନେ ସେଇ ସହଜ ଓ ସରଳ ଉପାୟରେ ପାଠ ପଢ଼ନ୍ତି । କୌଣସି ବିଷୟରେ ବାଧ୍ୟବାଧକତା ବା କାଇଦାକଟକଣା ନାହିଁ । ଅବଶ୍ୟ ୧୧ ବର୍ଷ ଶେଷରେ ପିଲାମାନଙ୍କୁ ଗୋଟିଏ ସାଧାରଣ ବଛାବଛି ପରୀକ୍ଷାରେ ବସିବାକୁ ପଡ଼ୁଥିବାରୁ ପାଠପଢ଼ାର ଚାପ କ୍ରମେ ଅଧିକ ହୁଏ । ପିଲାମାନେ ନିର୍ଦ୍ଦିଷ୍ଟ ପାଠ୍ୟନିର୍ଘଣ୍ଟ ଓ ପାଠ୍ୟକ୍ରମର ସମ୍ମୁଖୀନ ହୁଅନ୍ତି । ଭାଷା, ଗଣିତ ଶିକ୍ଷା ବ୍ୟତୀତ ପ୍ରକୃତି ପାଠ, ଇତିହାସ, ଭୂଗୋଳ, ଗୀତ, ନାଚ, ଧର୍ମ, ସ୍ୱାସ୍ଥ୍ୟରକ୍ଷା ପ୍ରଭୃତି ବିଭିନ୍ନ ବିଷୟରେ ସେମାନେ ଶିକ୍ଷା ଲାଭ କରନ୍ତି । ପ୍ରାଥମିକ ଶ୍ରେଣୀର ଛୋଟ ଛୋଟ ପିଲା ଖେଳ, ଚିତ୍ରାଙ୍କନ, ହସ୍ତକର୍ମ, ଗପଗୀତ ଶୁଣିବା ଓ କହିବାରେ ଖୁବ୍ ଆଗ୍ରହୀ ହୋଇଥାନ୍ତି । ପିଲାମାନଙ୍କୁ ମଧ୍ୟ ବୁଦ୍ଧି ପରୀକ୍ଷା ସହିତ ପରିଚିତ କରାଯାଏ । ଆମେ ଦେଖିଲୁ, ପିଲାଏ ନାନାପ୍ରକାର ରଙ୍ଗ ଆଉ ତୂଳିରେ ମନଇଚ୍ଛା ଚିତ୍ର ଆଙ୍କିବାରେ ବ୍ୟସ୍ତ ଥାନ୍ତି । କେତେକ ପିଲା ମଧ୍ୟ କାଦୁଅ ଚକଟି କଣ୍ଢେଇ ପ୍ରଭୃତି ଗଢ଼ୁଥାନ୍ତି । ସେଥିରେ ତାଙ୍କର ଅସୀମ ଆନନ୍ଦ ।

 

ଆମକୁ ସବୁଠୁଁ ବେଶୀ ଆଶ୍ଚର୍ଯ୍ୟ ଲାଗିଲା ବିଦ୍ୟାଳୟଗୁଡ଼ିକରେ ପ୍ରଧାନ ଶିକ୍ଷକମାନଙ୍କର ନିରଙ୍କୁଶ କ୍ଷମତା ଦେଖି । ସେ ବିଦ୍ୟାଳୟରେ ଯେମିତି ସର୍ବଶକ୍ତିମାନ୍ । ବିଦ୍ୟାଳୟରେ କି କି ବିଷୟ ପଢ଼ାଯିବ, କି କି ବହି ଚଳିବ, କି କି ଉପକରଣ ବ୍ୟବହାର କରାଯିବ, କି କି କାର୍ଯ୍ୟକ୍ରମ ରହିବ, କିପରି ପରୀକ୍ଷା ହେବ, କିପରି ପିଲାମାନଙ୍କୁ ଶ୍ରେଣୀ ଉତ୍ତୀର୍ଣ୍ଣ କରାଯିବ ଇତ୍ୟାଦି ଅଧିକାଂଶ ବିଷୟରେ ପ୍ରଧାନ ଶିକ୍ଷକହିଁ ସର୍ବେସର୍ବା । ସେ ନିଜେ ବା ତାଙ୍କ ସହକର୍ମୀମାନଙ୍କ ସହିତ ପରାମର୍ଶ କରି ଯାହା କରିବେ ତାହା ହିଁ ଠିକ୍‍ । ସେଥିରେ କେହି ପ୍ରଶ୍ନ କରିବାକୁ ନାହିଁ କି ହାତ ଦେବାକୁ ନାହିଁ । ଅନ୍ୟକୌଣସି ଦେଶରେ ପ୍ରଧାନ ଶିକ୍ଷକଙ୍କୁ ଏତେ ସ୍ଵାଧୀନତା ମିଳେ ନାହିଁ । ଏମିତିକି ଫ୍ରାନ୍ସ, ଆମେରିକା ପ୍ରଭୃତି ବ୍ୟକ୍ତି ସ୍ଵାଧୀନତା-ପ୍ରେମୀ ଦେଶଗୁଡ଼ିକରେ ମଧ୍ୟ ଏହା ସମ୍ଭବ ନୁହେଁ । ସେଠାରେ ପାଠ୍ୟକ୍ରମ ପ୍ରସ୍ତୁତି, ପୁସ୍ତକ ନିର୍ବାଚନ, ପରୀକ୍ଷା ପ୍ରଭୃତିରେ ସରକାରୀ ନିୟନ୍ତ୍ରଣ କମ୍ ନୁହେଁ ।

 

ସାଧାରଣତଃ ଆମର ସନ୍ଦେହ ହେବା କଥା ଯେ ପ୍ରଧାନ ଶିକ୍ଷକଙ୍କ ମର୍ଜି ଉପରେ ପ୍ରାଥମିକ ଶିକ୍ଷା ନିର୍ଭର କରେ । ସେ ଯେମିତି ଇଛା କରିବେ, ସେମିତି ଭାବରେ ବିଦ୍ୟାଳୟର କାର୍ଯ୍ୟକ୍ରମ ରୂପାୟିତ ହେବ । ଯେଉଁ ବିଷୟରେ ତାଙ୍କର ଆଗ୍ରହ ସେ ବିଷୟ ଉପରେ ଜୋର ଦିଆଯିବା ଏବଂ ଯେଉଁ ବିଷୟରେ ତାଙ୍କର ବିତୃଷ୍ଣା ସେ ବିଷୟ ଅବହେଳିତ ହେବ ସ୍ଵାଭାବିକ । ଏହା ଅବଶ୍ୟ କେତେକାଂଶରେ ସତ, କିନ୍ତୁ ପୂରା ସତ ନୁହେଁ । କାରଣ ୧୧ ବର୍ଷ ପରେ ପିଲାମାନଙ୍କ ପାଇଁ ଥିବା ସାଧାରଣ ପରୀକ୍ଷାର ଆବଶ୍ୟକତାକୁ ଚାହିଁ ପ୍ରାଥମିକ ଶିକ୍ଷାର ପାଠ୍ୟ ରୂପାୟିତ ହୋଇଥାଏ । ତା’ପରେ ଶିକ୍ଷିତ ପିତାମାତା ଓ ଅଭିଭାବକମାନେ ପିଲାମାନଙ୍କ ପାଠପଢ଼ା ବିଷୟରେ ବୁଝାବୁଝି କରନ୍ତି । ଉପଯୁକ୍ତ ପ୍ରାଥମିକ ଶିକ୍ଷା ପାଇବା ସେଠାରେ ପ୍ରାଥମିକ ଛାତ୍ରର ଆଇନଗତ ଅଧିକାର । ତେଣୁ ପିତାମାତା ପିଲାର ପାଠପଢ଼ାର ଭଲମନ୍ଦ ବିଷୟରେ ବୁଝିବାକୁ ଦାବି କରିପାରନ୍ତି । ଏହାଛଡ଼ା ଯେଉଁ ସ୍ଥାନୀୟ ଶିକ୍ଷା ସଂସ୍ଥା (L.E.A.) ବିଦ୍ୟାଳୟ ଶିକ୍ଷାର ପରିଚାଳନା ଦାୟିତ୍ୱରେ ଥାନ୍ତି, ତା’ର କର୍ମକର୍ତ୍ତା ଓ ପରିଦର୍ଶକ କର୍ମଚାରୀମାନେ ବିଦ୍ୟାଳୟର ପାଠ୍ୟ, ପାଠୋନ୍ନତି ଓ ଶିକ୍ଷକଙ୍କ କାର୍ଯ୍ୟକଳାପର ସମୀକ୍ଷା କରନ୍ତି । ସେମିତି କେନ୍ଦ୍ର ସରକାରଙ୍କର ସ୍ଵତନ୍ତ୍ର ପରିଦର୍ଶକ (HMI) ଅଛନ୍ତି । ସେମାନେ ମଧ୍ୟ ବିଦ୍ୟାଳୟ ପରିଦର୍ଶନ କରି ଆବଶ୍ୟକ ପ୍ରେରଣା ଓ ପରାମର୍ଶ ଦିଅନ୍ତି । ସେମାନେ ପାଠପଢ଼ାର ଉନ୍ନତି ପାଇଁ ଯାହା କହନ୍ତି ବା କରନ୍ତି । କିନ୍ତୁ କେହି କୌଣସି କ୍ଷମତାକୁ ଜାହିର କରନ୍ତି ନାହିଁ କିମ୍ବା ତାଗିଦା ବା ନିର୍ଦେଶ ଦିଅନ୍ତି ନାହିଁ । ପୁଣି ବିଦ୍ୟାଳୟଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଓ ସହଯୋଗ ଉଭୟ ରହିଥିବାରୁ କେଉଁ ବିଷୟରେ କିଏ ଆଗେଇଲେ ବା ପଛାଇଲେ, ସେମାନେ ଜାଣିପାରନ୍ତି ଏବଂ କୌଣସି ବିଦ୍ୟାଳୟର ଗୋଟିଏ ଭଲ ଅଭ୍ୟାସ ପାଞ୍ଚୋଟି ବିଦ୍ୟାଳୟକୁ ପ୍ରଭାବିତ କରେ । ତେଣୁ ଶିକ୍ଷକମାନଙ୍କର ସ୍ଵାଧୀନତା ବରଂ ସେମାନଙ୍କୁ ଅଧିକ କର୍ମନିଷ୍ଠ ଓ ଦାୟିତ୍ୱଶୀଳ କରିବାରେ ସାହାଯ୍ୟ କରେ । ଜଗିଲା ବାଡ଼ ଫସଲ ଖାଏନାହିଁ ।

 

ଶିକ୍ଷକମାନଙ୍କୁ ନୂଆ ନୂଆ ଜ୍ଞାନ ଆଉ କୌଶଳ ଶିକ୍ଷା ଦେଇ ସର୍ବଦା ଉପଯୁକ୍ତ ଓ ଦକ୍ଷ କରିବା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା ରହିଛି । ବିଦ୍ୟାଳୟର ପାଠାଗାର ଯେମିତି ଉନ୍ନତ, ସେଠାରେ ନିଜର ସହାୟକ ବହିପତ୍ର ଯେମିତି ଯଥେଷ୍ଟ ସଂଖ୍ୟାରେ ମିଳେ, ସେମିତି ସେମାନଙ୍କର ଆଲୋଚନା ଓ ତାଲିମ ପାଇଁ ଶିକ୍ଷା କେନ୍ଦ୍ର (Teachers’ Centre)ମାନ ଗଠିତ ହୋଇଛି । ଶିକ୍ଷକ କେନ୍ଦ୍ରରେ ଶିକ୍ଷକମାନେ ଅବସର ସମୟରେ ଯାଇ ସୁବିଧାରେ ନୂତନ ଜ୍ଞାନ, ଶିକ୍ଷାଦାନ କୌଶଳ ଏବଂ ବିଦ୍ୟାଳୟ ପରିଚାଳନା ଦିଗରେ ସାହାଯ୍ୟ ପାଇଥାନ୍ତି । ଆମେ ଦେଖିଲୁ, ସେହିସବୁ କେନ୍ଦ୍ରମାନଙ୍କରେ ମଧ୍ୟ ସୁଦକ୍ଷ ଓ ତାଲିମପ୍ରାପ୍ତ କର୍ମକର୍ତ୍ତାମାନେ ସ୍ଥାନୀୟ ଶିକ୍ଷା ସଂସ୍ଥା ତରଫରୁ ନିଯୁକ୍ତ ହୋଇଛନ୍ତି । ଏହା ବ୍ୟତୀତ ଶିକ୍ଷକ ସଂଘଗୁଡ଼ିକ ମଧ୍ୟ କେବଳ ନିଜର ସୁବିଧା ସୁଯୋଗ ପାଇବାକୁ ଦାବି ନ କରି ଶିକ୍ଷକତାର ଉନ୍ନତି ବା ବୃତ୍ତିଗତ ଦକ୍ଷତା ବଢ଼ାଇବାରେ ନାନାପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରିଥାନ୍ତି ।

 

ପ୍ରାଥମିକ ବିଦ୍ୟାଳୟର ପିଲାମାନେ ମାଗଣାରେ ସରକାରଙ୍କ ତରଫରୁ ଖାଣ୍ଟି ଦୁଧ ପିଇବାକୁ ପାଇଥାନ୍ତି । ମଧ୍ୟାହ୍ନ ଭୋଜନ ମଧ୍ୟ ଶସ୍ତାରେ ଯୋଗାଇ ଦିଆଯାଏ । ଯେଉଁ ପିଲାମାନଙ୍କର ଅବସ୍ଥା ଖରାପ, ସେମାନଙ୍କୁ ବିନା ପଇସାରେ ଖାଇବାକୁ ଦିଆଯାଏ । ଗରିବ ପିଲାମାନଙ୍କୁ ଲୁଗାପଟା କିଣିବା ପାଇଁ ସାହାଯ୍ୟ ଦିଆଯାଏ । ପିଲାମାନଙ୍କୁ ବହିପତ୍ର, କାଳିକଲମ କିଣିବାକୁ ମଧ୍ୟ ପଡ଼େନାହିଁ । ସରକାର ସେସବୁ ଯୋଗାଇ ଦିଅନ୍ତି । ଏମିତି ପିଲାମାନଙ୍କୁ ପନ୍ଦର ବର୍ଷ ପର୍ଯ୍ୟନ୍ତ ବିନା ଖର୍ଚ୍ଚରେ ପଢ଼ାଇବାର ଦାୟିତ୍ଵ ସେଠାର ସରକାର ନେଇଛନ୍ତି । ଏବେ ସେଠାର ପିଲାମାନେ ଷୋଳବର୍ଷ ପର୍ଯ୍ୟନ୍ତ ମାଗଣାରେ ଶିକ୍ଷାଲାଭ କରିବାର ବ୍ୟବସ୍ଥା ହୋଇଛି ।

 

ସେଠାରେ ପିଲାମାନେ ଶିଶୁ ଶ୍ରେଣୀରେ ପଢ଼ିବା ପୂର୍ବରୁ ନର୍ସରୀ ସ୍କୁଲରେ ପଢ଼ନ୍ତି । ସେଠାରେ ସେମିତି କିଛି ପାଠପଢ଼ା ହୁଏ ନାହିଁ । ପିଲାମାନେ ତିନିବର୍ଷ ବୟସରୁ ସେଠାକୁ ଯାଇ ହସଖେଳ, ନାଚଗୀତ ଭିତରେ ଭଲ ଅଭ୍ୟାସ ଓ ଆଚରଣ ଶିଖନ୍ତୁ । ଏମିତିକି ମୁହଁ ଧୁଆ, ଦାନ୍ତଘଷା, ଖିଆପିଆ, ଗାଧୋଇବା, ଶୋଇବା ପ୍ରଭୃତିରେ ପିଲାମାନେ ଅଭ୍ୟସ୍ତ ହୁଅନ୍ତି । ପିଲାମାନେ ମିଳିମିଶି ନିଜ କାମ ନିଜ ହାତରେ କରନ୍ତି । ଏଇତ ସେମାନଙ୍କର ପାଠପଢ଼ା । ଏଇ ବିଦ୍ୟାଳୟ ତ ଭଲ ମଣିଷ ଗଢ଼ିବା ପାଇଁ ତଳିକିଆରୀର କାର୍ଯ୍ୟ କରେ । ଏମିତି ପିଲାଖେଳରୁ ହିଁ ପାଠପଢ଼ା ଆରମ୍ଭ ହୁଏ ଆଉ ଭଲ ମଣିଷ ହେବାର ପହିଲି ପାହାଚ ପଡ଼େ ।

★★★

 

କେତେ ମଜା ସତେ ?

 

୧୯୭୧ ମସିହା ଅକ୍ଟୋବର ମାସ ତିରିଶ ତାରିଖ । ଶନିବାର, ଶୀତରାତି । ପାହାନ୍ତିଆ ପହର, ସକାଳ ହେବାକୁ ପୁଣି ଅଢ଼େଇ ଘଣ୍ଟା ବାକି ! ସାଢ଼େ ସାତରେ ଯାଇ ରାତି ପାଇବ । ଏବେ ତ ଜମା ପାଞ୍ଚଟା ସମୟ । ନିଦ ଭାଙ୍ଗି ପୁଣି ବହଳିଆ ନିଦ ଲାଗି ଆସୁଛି । କାରଣ ସେ ଦିନ ତ ଛୁଟି-। ତା’ ଆର ଦିନ ବି ରବିବାର । ହଠାତ୍‍ ଖୁବ୍‍ ଶବ୍ଦ ହେଲା । ଚାଉଁକିନା ନିଦ ଭାଜିଗଲା । ଆମ ପାଖରେ କେଉଁଠି ପକ୍କା ଘର ଭୁଶୁଡ଼ି ପଡ଼ିଲା କି ? ଘରଦ୍ୱାର ଦୋହଲିଗଲା । ବୋମା ପଡ଼ିଲେ ଏମିତି ଶବ୍ଦ ହୁଏ ବୋଲି କହନ୍ତି । ସେଇଆ ହେଲା କି ? ମନରେ ଭାରି ଭୟ ଖେଳିଗଲା । ଚାରି ମହଲା ଉପର ଘରଟିରେ ମୁଁ ଏକୁଟିଆ । କବାଟ ଫିଟାଇ ଦେଖିଲି ଆଉ କେତେଜଣ ବି ଉଠିପଡ଼ିଛନ୍ତି । ସେତେବେଳକୁ ପାଞ୍ଚ ମିନିଟ ହୋଇଚି କି ନାହିଁ ଉଡ଼ାଜାହାଜ ଗୋଟିଏ ଦୁଇଟି ଶବ୍ଦ କରି ସେଇ ବାଟେ ଉଡ଼ିଗଲେ । ସାଇରେନ (ବିପଦକାଳୀନ ଶବ୍ଦ) ବି ବାଜି ଉଠିଲା । ସମସ୍ତେ ଆମେ ଡରରେ ଥରହର । କ’ଣ କେଉଁଠି ଯୁଦ୍ଧ ଲାଗିଲା କି ?

 

ଅବଶ୍ୟ ସେତେବେଳକୁ ରୁଷ ସାଥିରେ ବିଲାତର ଶତ୍ରୁତା ବଢ଼ିଛି । ବିଲାତ ସରକାର ଗୁପ୍ତଚର ଅପରାଧରେ ରୁଷ ଦୂତାବାସର ଶହେରୁ ଅଧିକ କର୍ମଚାରୀଙ୍କୁ ଦେଶରୁ ବାହାର କରି ଦେବାରୁ, ରୁଷ ସରକାର ମଧ୍ୟ ସେମିତି ତାଙ୍କ ଦେଶରୁ ବିଲାତ ଦୂତାବାସର ବହୁ କର୍ମଚାରୀଙ୍କୁ ବାହାର କରିଦେଇଛନ୍ତି । ବର୍ତ୍ତମାନ ବିଲାତର ଏକ ଅଂଶ ବିଶେଷ ଥିବା ଆୟାରଲ୍ୟାଣ୍ଡରେ ଏକ ସ୍ୱାୟତ୍ତ ସରକାର ପ୍ରତିଷ୍ଠିତ ଏବଂ ସେଠାରେ କେତେକ କାରଣରୁ ବହୁ ଆତଙ୍କବାଦୀ ଓ ବିପ୍ଳବୀ ସୈନ୍ୟ ସେଠା ସରକାରକୁ ଭାଙ୍ଗିବା ପାଇଁ ଲାଗିପଡ଼ିଛନ୍ତି । ପ୍ରତିଦିନ ଖବରକାଗଜ, ଟେଲିଭିଜନ ଓ ରେଡ଼ିଓରେ ସୈନ୍ୟ ଓ ପୋଲିସ ସହିତ ସେମାନଙ୍କର ସଂଘର୍ଷ, ହତ୍ୟାକାଣ୍ଡ, ପୋଡ଼ାଜଳା, ଗୁଳିଗୁଳା ଆଉ ବୋମାପକା ଘଟଣା ବାହାରୁଛି । ସେଠା ସରକାରଙ୍କୁ ସାହାଯ୍ୟ କରିବା ପାଇଁ ବିଲାତ ସରକାର ସୈନ୍ୟ ପଠାଇବାରୁ ଏହି ଆନ୍ଦୋଳନ ଆହୁରି ସାଙ୍ଘାତିକ ଅବସ୍ଥା ଧରିଛି । ବହୁ ଧନ ଜୀବନ ପ୍ରତିଦିନ ନଷ୍ଟ ହେଉଛି । ଏହି ଆନ୍ଦୋଳନ କ୍ରମେ ବିଲାତ ଓ ତା’ର ରାଜଧାନୀ ଲଣ୍ଡନ ନଗରୀକୁ ବ୍ୟାପିଯିବ ବୋଲି ବଡ଼ ବଡ଼ ନେତା ମତ ଦେଇଛନ୍ତି ।

 

ଭୋର ହେଲା । ରାତି ପୂରା ପାଇନାହିଁ । ରାସ୍ତା କଡ଼ର ଲାଇଟମାନ ବି ଲିଭିନାହିଁ । ସାତଟାରେ ରେଡ଼ିଓ ଘୋଷଣା କଲା ଯେ ବିଲାତର ସବୁଠାରୁ ଉଚ୍ଚ କୋଠା ପୋଷ୍ଟ ଅଫିସ ଟାୱାରରେ ବୋମା ପଡ଼ିଛି । ଏହାର ୩୨, ୩୩ ଓ ୩୪ ମହଲା ଘରମାନ ବିଶେଷ ଭାବରେ ଭାଙ୍ଗିରୁଜି ଯାଇଛି । ବିଜୁଳି ଓ ଫୋନ୍‍ ଲାଇନମାନ କଟିଯାଇଚି । ବହୁ ଯନ୍ତ୍ରପାତି ଅଚଳ ହୋଇ ଯାଇଚି । ଦୁଇ ତିନି ଶହ ଗଜ ଧରି ଏହି ଭଙ୍ଗାରୁଜା ଅଂଶମାନ ଖେଳାଇ ହୋଇ ପଡ଼ିଛି । ତଳେ ରାସ୍ତାକଡ଼ରେ ଥିବା ବହୁ କାର୍‍ ଭାଙ୍ଗିଯାଇଛି । କିନ୍ତୁ ସୌଭାଗ୍ୟକୁ କେହି ଲୋକ ମରି ନାହାନ୍ତି । ପୋଲିସ ତରଫରୁ ଖାନତଲାସ ଚାଲିଛି । କିପରି ବୋମା ପଡ଼ିଲା, କିଏ ପକାଇଲା ଏପର୍ଯ୍ୟନ୍ତ କିଛି ଜଣାପଡ଼ି ନାହିଁ ।

 

ସକାଳ ହେଲା । ଏଇ ପୋଷ୍ଟ ଅଫିସ ଟାୱାର ଆମ ହଷ୍ଟେଲଠାରୁ ମାତ୍ର ମାଇଲିଏ ଦୂର-। ପୁଣି ମୁଁ ଶ୍ରୀଲଙ୍କାର ଜଣେ ସାଙ୍ଗ ସହିତ ଏଇ ମାସ ନଅ ତାରିଖରେ ସେଠାକୁ ଯାଇଥିଲି । ସେ ଦିନ ହୋଇଥିଲା ଶନିବାର । ଉପର ବେଳା ତିନି ଧାଡ଼ିରେ ପ୍ରାୟ ଚାରି ପାଞ୍ଚ ଶହ ଲୋକ ଦେଖିବାକୁ ସେଠାରେ ଅପେକ୍ଷାକରିଥିଲେ । ଅଧ ଘଣ୍ଟାଏରୁ ଅଧିକ ସମୟ ଅପେକ୍ଷା କରି ଆମେ ଟିକେଟ୍ ପାଇଲୁ । ତେଣୁ କ’ଣ ହୋଇଛି ଯାଇ ଦେଖି ଆସିବାକୁ ମନ ଅଥୟ ହେଲା । ଆମେ କେତେଜଣ ସାଥିହୋଇ ସେଠାକୁ ଗଲୁ । ରାସ୍ତା କଡ଼, ଘର ଦୁଆର, ପକ୍କା ଉପର ସବୁଠି ଲୋକ ସେଇ ଟାୱାର ଆଡ଼କୁ ଚାହିଁ ଆଲୋଚନା କରୁଛନ୍ତି । ବହୁ ଦୂରରୁ ଅବଶ୍ୟ ଟାୱାରର ଭଙ୍ଗା ଅଂଶମାନ ଦିଶୁଚି । ପୋଲିସ କର୍ମଚାରୀମାନେ ତା’ ଉପରେ ଚଢ଼ି ସବୁ ଦେଖୁଛନ୍ତି । ଆମେ ଏତେ ଆଗ୍ରହରେ ସେଠାକୁ ଗଲୁ ସିନା, ଅଳ୍ପ ଦୂରରୁ ସେଠାକୁ କେହି ଯାଇପାରିବେନାହିଁ ଶୁଣି ନିରାଶହୋଇ ଫେରି ଆସିଲୁ ।

 

ତା’ପରେ ଜାଣିବାକୁ ପାଇଲୁ ସେଦିନ ଆୟାରଲ୍ୟାଣ୍ଡର ବିପ୍ଳବୀମାନଙ୍କ ଭିତରୁ କେହି ପଶି ଟାୱାରର ୩୩ ମହଲା ପାଇଖାନାଘରେ ସେଦିନ ସନ୍ଧ୍ୟାରେ ଏକ ଟାଇମ୍‍ ବମ୍‍ ରଖିଦେଇଥିଲେ । ସେଇ ଖବର ମଧ୍ୟ ସେଦିନ ସଂଧ୍ୟା ସାତଟାରେ ଗୋଟିଏ ରାସ୍ତାକଡ଼ ଟେଲିଫୋନ୍‍ରୁ ମିଳିଥିଲା । ଟାୱାରର କର୍ମଚାରୀମାନେ ବହୁ ଖୋଜାଖୋଜି କରିଥିଲେ ହେଁ ସେ ବୋମା ମିଳି ନଥିଲା । ତେଣୁ ସେମାନେ ବେଳାବେଳି ରାତି ସାଢ଼େ ନଅଟାରେ ସବୁ ବନ୍ଦ କରି ଚାଲିଯାଇଥିଲେ । ଟାୱାରର ସବାତଳ ମହଲାରେ କେବଳ କେତେଜଣ ଦାରୱାନ ଯାହା ଜଗି ରହିଥିଲେ । ବୋମା ଫୁଟିଲା ବେଳେ ଭୀଷଣ ଶବ୍ଦ କରିବାରୁ ସେମାନଙ୍କ କାନ କିପରି ତାବଦା ହୋଇଗଲା ଏବଂ ସେମାନେ ବସିଥିବା ଚଉକି ଉପରକୁ ଉଠି ପୁଣି ଚଟାଣରେ କଚାଡ଼ି ହୋଇ ପଡ଼ିଲା, ତାହା ସେମାନେ ବର୍ଣ୍ଣନା କରିଥିଲେ । ତେବେ ଭାଗ୍ୟର କଥା ଯଦି ରାତି ନଅ ପୂର୍ବରୁ ବା ତା’ ଆର ଦିନ ସକାଳେ ଏହି ବୋମା ଫୁଟିଥାନ୍ତା, କେତେ ଲୋକ ଯେ ମରିଥାନ୍ତେ ଆଉକେତେ ଯେ ଖଣ୍ଡିଆଖବରା ହୋଇଥାନ୍ତେ, ତା’ର ଠିକ୍ ଠିକଣା ନଥାନ୍ତା ।

 

ଏବେ ବିଲାତରେ ସବୁଠାରୁ ଉଚ୍ଚ ଏଇ ପକ୍କାଘର ବିଷୟରେ ଜାଣିବାକୁ ତୁମର ମନ ହେବଣି । ସଂକ୍ଷେପରେ କହୁଚି । ଆମର କୁତବମିନାର ପରି ଏହି ଗମ୍ବୁଜ ଆକାରରେ ଉପରକୁ ଗଢ଼ିଉଠିଛି । ଏହାର ଉଚ୍ଚତା ୧୯୮ ମିଟର ବା ୬୧୦ ଫୁଟ । କୁତବ ମିନାରରେ ପାହାଚ ଉପରେ ପାହାଚ ଚଢ଼ି ବହୁ କଷ୍ଟରେ ଉପରର ଯିବାକୁ ହୁଏ, ଏଠାରେ ସେମିତି କଷ୍ଟ କରିବାକୁ ପଡ଼େ ନାହିଁ । ବଡ଼ ବଡ଼ ଦୁଇଟା ଲିଫ୍‍ଟ ଲାଗିଛି । ଏକ ସମୟରେ ପ୍ରାୟ ୨୦/୩୦ ଜଣ ଲୋକଙ୍କୁ ଉପରକୁ ଏହା ଉଠାଇ ନିଏ । ଏହାର ଗତି ପୁଣି ଏକ ମିନିଟକୁ ହଜାର ଫୁଟ । ଏହା ଏତେ ଉଚ୍ଚ ହୋଇଥିବାରୁ ଦର୍ଶକମାନେ ଉପରକୁ ଯାଇ ସାରା ଲଣ୍ଡନ ନଗରୀ ଓ ତା’ର ଚାରି ପାଖର ଦୃଶ୍ୟ ଦେଖିପାରନ୍ତି । ଅବଶ୍ୟ ସବା ଉପରକୁ ଯିବାକୁ ହୁଏ ନାହିଁ । ମଝିରେ ଗୋଟିଏ ମହଲରେ ଦର୍ଶକମାନଙ୍କର ଦେଖିବା ପାଇଁ ବ୍ୟବସ୍ଥା ହୋଇଛି । ସେଠାରେ ଝରକା ବାଟେ ତଳକୁ ଚାହିଁଲେ ବହୁ ମହଲାର ପକ୍‍କା ଘରମାନ ଦିଆସିଲି ଖୋଳରେ ତିଆରି ଘରମାନ ପରି ଦେଖାଯାଏ । ରାସ୍ତାରେ ଯାଉଥିବା ମଟରଗାଡ଼ି ସବୁ ନାନାରଙ୍ଗର ଖେଳନା ପରି ଧୀରେ ଧୀରେ ଗଡ଼ି ଯାଉଥିବା ଜଣାଯାଏ । ରାସ୍ତାକଡ଼ରେ ଚାଲୁଥିବା ମନୁଷ୍ୟ ଟିକି ଟିକି ଚଢ଼େଇ ପରି ଦେଖାଯାନ୍ତି । ଦୂରର ପାହାଡ଼, ଲଣ୍ଡନ ଟାୱାର, ଲଣ୍ଡନ ବ୍ରିଜ୍‍, ସେଣ୍ଡପଲ ଗିର୍ଜା, ବିଗବେନ୍‍, ଇଉଷ୍ଟୁନ କୋଠା, ସେଣ୍ଟର ପଏଣ୍ଟ ପ୍ରଭୃତି ଖୁବ୍ ଉଚ୍ଚ ସ୍ଥାନମାନ ରିଲିଫ ମ୍ୟାପରେ ଚିହ୍ନିତ ହେଲା ପରି ଜଣାପଡ଼େ । ସେଠାରେ ପୁଣି ୩୪ଟି ଦୂରବୀକ୍ଷଣ ଯନ୍ତ୍ର ରଖାଯାଇଛି । ଯନ୍ତ୍ରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପାଞ୍ଚପେନସ୍‍ (ପ୍ରାୟ ୯୦ ପଇସା) ମୁଦ୍ରାଟିଏ ଗଳାଇ ଦେଲେ ଦୂର ଦୃଶ୍ୟମାନ ସ୍ପଷ୍ଟ ଓ ସୁନ୍ଦର ଦେଖାଯାଏ ।

 

ଏହି ଦର୍ଶକ ମହଲା ଉପରକୁ ପ୍ରାୟ ୧୫୯ ମିଟର ବା ୩୧୦ ଫୁଟ ଉଚ୍ଚରେ ଗୋଟିଏ ଘୂର୍ଣ୍ଣାୟମାନ ହୋଟେଲ ରହିଛି । ସେଠାରେ ଖାଇବା ପିଇବା ପାଇଁ ଆଗରୁ ଅନୁମତି ନେବାକୁ ହୁଏ-। ସେହି ମହଲାଟି ସର୍ବଦା ଘୂରୁଥାଏ । ସେହି ହୋଟେଲର ଚଉକିଟିରେ ବସି ତୁମେ ସାରା ଲଣ୍ଡନ ନଗରୀର ସବୁ ଦୃଶ୍ୟ ଉପଭୋଗ କରିପାରିବି । କେତେ ମଜା ସତେ ।

 

ସବା ତଳ ମହଲରେ ଟିକେଟ୍ ବିକ୍ରି ହେଉଥିବା କେତୋଟି ଘର, କେତେକ ଅଫିସ, ସୌଖୀନ୍‍ ପଦାର୍ଥମାନ ବିକ୍ରି ହୋଇଥିବା କେତୋଟି ଦୋକାନ ରହିଛି । ସେଠାରେ ପିଲାମାନଙ୍କର ଗୋଟିଏ ପ୍ରିୟସ୍ଥାନ ବି ରହିଛି । ସୁନ୍ଦର ଝରଣାରୁ ପାଣି ଝରି ଝରି ପଡ଼ୁଛି । ତଳେ ବିଭିନ୍ନ ରଙ୍ଗର ଗୋଲାକାର ପଥର; ବାଲିଗରଡ଼ା ଖଞ୍ଜାଯାଇଥିବା ଚଟାଣ ଉପରେ ସେ ପାଣି ବହିଯାଉଛି । ନାନାପ୍ରକାର ଗଛଲତାର ସବୁଜିମା; କେତେ ରଙ୍ଗର ଫୁଲ ଉଜ୍ଜ୍ଵଳ ଆଲୋକ ସେସବୁ ଉପରେ ବିଞ୍ଚି ହୋଇ ପଡ଼ିଛି । ସ୍ଥାନଟି ଅତି ସୁନ୍ଦର ଦିଶୁଛି । ଦର୍ଶକମାନେ ସେଇ ଚଟାଣ ଉପର ପାଣି ଭିତରକୁ ବିଭିନ୍ନ ପ୍ରକାର ମୁଦ୍ରା ପକାଇ ଦିଅନ୍ତି, ଯେମିତି ମନ୍ଦିରମାନଙ୍କରେ ପାଦୁକ ଥାଳିରେ ଆମେ ପଇସା ପକାଇ ଦେଉଁ । ମାତ୍ର ସେଇ ଅର୍ଥ ଆମ ଏଠାପରି ପୂଜକମାନଙ୍କ ପେଟରେ ପଡ଼େ ନାହିଁ । ଏହା ସଂଗୃହୀତ ହୋଇ ଶିଶୁମାନଙ୍କପାଇଁ କାର୍ଯ୍ୟକରୁଥିବା ଅନୁଷ୍ଠାନଗୁଡ଼ିକୁ ଦିଆଯାଏ । ବର୍ଷକୁ ଏମିତି ପ୍ରାୟ ଦୁଇ ତିନି ପାଉଣ୍ଡ ବା ତିନି ଚାରି ହଜାର ଟଙ୍କାରୁ ବେଶୀ ମିଳିଥାଏ ।

 

ଏହିସବୁ ପଢ଼ି ତୁମେ ଭାବୁଥିବ ଏଇ ଉଚ୍ଚ ପକ୍କାଘରଟି ଖାଲି ଲୋକଙ୍କର ମଉଜ ମଉଲିସ୍ ପାଇଁ ତିଆରି ହୋଇଛି । ସମୃଦ୍ଧ ଲଣ୍ଡନ ନଗରୀର ବହୁ ଅଳଙ୍କାର ଭିତରେ ଏହା ଗୋଟିଏ । ମାତ୍ର ତାହା ନୁହେଁ । ଏହା ଅତି ଉଚ୍ଛ ସ୍ଥାନ ହୋଇଥିବାରୁ ବେତାର, ଟେଲିଭିଜନ, ଟେଲିଫୋନ୍‍ ପ୍ରଭୃତି ଶିଳ୍ପ ପାଇଁ ଖୁବ୍‍ ସହାୟକ । ଏଠାରେ ଏହିସବୁ ଅଫିସମାନ ରହିଛି । ବହୁ ଜଟିଳ ମୂଲ୍ୟବାନ ଯନ୍ତ୍ରପାତି ଏଠାରେ ଖଞ୍ଜାଯାଇଛି । ଆଜିକାଲିର ବିଜ୍ଞାନ ଯୁଗରେ ଏହାର ଆବଶ୍ୟକତା ଅକଳନା ହୋଇଛି । ଦେଶ-ବିଦେଶରୁ ସୁବିଧାରେ ବାର୍ତ୍ତା ପାଇବା ଓ ସେଠାକୁ ପଠାଇବା ପାଇଁ ଏହା ଭାରି ସାହାଯ୍ୟ କରୁଛି । ଏହା ଯୋଗୁଁ ତିନିଲକ୍ଷ ଲୋକ ଏକ ସମୟରେ ଟେଲିଫୋନରେ କଥାବାର୍ତ୍ତା କରିପାରୁଛି ଏବଂ ଟେଲିଭିଜନର ବ୍ୟାପକ ପ୍ରସାର ସମ୍ଭବ ହୋଇଛି । ଏହାର ଉଚ୍ଚତା ଯୋଗୁଁ ପାଗ ଜାଣିବା ପାଇଁ ବହୁ ଯନ୍ତ୍ରପାତି ସେଠାରେ ରଖାଯାଇ ସହଜରେ ଖରା ବର୍ଷା ଝଡ଼ଝଞ୍ଜା ପ୍ରଭୃତି ଆଗରୁ ଜଣାପଡ଼ୁଛି । ଏଠାରେ ରାଡ଼ାର ଯନ୍ତ୍ର ଖଞ୍ଜାଯାଇଥିବାରୁ ଶତ୍ରୁ ତରଫରୁ ଉଡ଼ାଜାହାଜ ଆସିବା ସହଜରେ ଜଣାପଡ଼ୁଛି ।

 

ଏହି ସବୁ ସୁବିଧା ପାଇବା ପାଇଁ ବିଲାତରେ ବାରିକମିସ୍ତ୍ରୀ ବିଭାଗର ବହୁ ବିଖ୍ୟାତ ଇଞ୍ଜିନିୟରଙ୍କ ଚେଷ୍ଟାରେ ଏହା ନିର୍ମିତ ହୋଇଛି । ୧୯୬୧ ମସିହାରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୯୬୫ ମସିହାରେ ଶେଷ ହୋଇଥିଲା । ଏଥିରେ ୧୨୫ ହଜାର ପାଉଣ୍ଡ ବା ୨ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା । ବର୍ତ୍ତମାନ ଏହା ବିଲାତର ଡାକ ବିଭାଗ ଅଧୀନରେ ଏବଂ ଏହା ବିଲାତର ଡାକ ବ୍ୟବସ୍ଥାକୁ ଏକ ବଡ଼ ଯନ୍ତ୍ରଶିଳ୍ପରେ ପରିଣତ କରିଛି । ବାସ୍ତବରେ ଏହା ଆଧୁନିକ ବିଜ୍ଞାନର ଏକ ଜ୍ୱଳନ୍ତ ପ୍ରତୀକ ହୋଇ ଠିଆ ହୋଇଛି ।

 

ଏହା ବିଲାତର ଏକ ଅମୂଲ୍ୟ ସମ୍ପଦ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବାରୁ ଶତ୍ରୁମାନଙ୍କର ଆଖିପଡ଼ିବା କଥା । ଏବେ ବିଲାତ ସରକାର ଭାରି ହୁସିଆର । ସବୁ ବଡ଼ ଅଫିସରେ କଡ଼ା ପହରା-। ଏଠାରେ ବି ଦିନ ରାତି ଜଗୁଆଳି । ବୋମା ଫୁଟିବାଦ୍ଵାରା ଟାୱାରର ସ୍ଥାୟିତ୍ୱରେ ବେଶୀ ବାଧା ଆସିନାହିଁ । ମାତ୍ର ବହୁ ସମୟ ଧରି ଏହା ମରାମତି ହେବ ଏବଂ ବହୁ ଅର୍ଥ ବ୍ୟୟ ହେବ । ଆଉ ଦର୍ଶକମାନଙ୍କୁ ସେଠାକୁ ଛାଡ଼ି ଦିଆଯାଉ ନାହିଁ । ତେଣୁ ମୋର ଯେଉଁ ବନ୍ଧୁମାନେ ସେଠାକୁ ଏପର୍ଯ୍ୟନ୍ତ ଯାଇପାରି ନଥିଲେ, ସେମାନଙ୍କ ମନ ଭାରି ଖରାପ ।

★★★

 

ମନଲୋଭା ତାର ଶୋଭା

 

ରବିବାର ସକାଳ । ରାତିରୁ ହେଉଥିବା ଫିରି ଫିରି ବର୍ଷା ଛାଡ଼ିଯାଇଛି । ସୂର୍ଯ୍ୟ ନୂଆବୋହୂ ପରି ବଉଦର ଓଢ଼ଣା ତଳୁ ନାଲି ମୁହଁ କାଢ଼ି ଚାହିଁଦେଉଛନ୍ତି । ଆମେ ମନଖୁସିରେ ତାଙ୍କ ଆଡ଼କୁ ଚାହିଁ ଦେଲା ମାତ୍ରେ ସେ ଯେମିତି ଲାଜରେ ପୁଣି ମୁହଁ ଲୁଚାଇ ଦେଉଛନ୍ତି । ଶୀତଳ ପବନରେ ଦେହସାରା ଥରି ଯାଉଛି । ଥଣ୍ଡା ଲାଗୁଛି ଭାରି । କିନ୍ତୁ ଆମେ କେତେଜଣ ସାଙ୍ଗ ଲଣ୍ଡନର କେତୋଟି ପାର୍କ ଦେଖିବାକୁ ବାହାରିଲୁ ।

 

ଭୂଇଁତଳ ରେଲଗାଡ଼ିରେ ଯିବାକୁ ଠିକ୍ କଲୁ । ଛାତ୍ରାବାସଠାରୁ କିଛିବାଟ ଯିବାପରେ ଆମେ ଇଭଷ୍ଟନ ଷ୍ଟେସନରେ ପହଞ୍ଚିଲୁ । ଦେଖିଲୁ ତଳକୁ ଦୁଇଟି ଧାଡ଼ି ପାହାଚ ପଡ଼ିଛି । ମାତ୍ର ଗୋଟିଏ ଧାଡ଼ି ପାହାଚ ଆପେ ଆପେ ଉପରୁ ତଳକୁ ଯାଉଛି ଏବଂ ଆଉ ଗୋଟିଏ ଧାଡ଼ି ସେମିତି ତଳୁ ଉପରକୁ ଉଠୁଛି । ଆମେ ପ୍ରଥମେ ପହିଲି ପାହାଚରେ ଠିଆ ହେବା ମାତ୍ରେ ସେ ଆମଙ୍କୁ ତଳକୁ ତଳକୁ ନେଇଗଲା । ସବାତଳେ ପହଞ୍ଚିଲା ବେଳକୁ ମାଟି ଉପର ପରି ମାଟି ତଳେ ମଧ୍ୟ ପକ୍କାଘର, ଅଫିସ, ରେଲଗାଡ଼ି ଦୋକାନ ବଜାର ପ୍ରଭୃତି ରହିଛି । ଟିକେଟ୍‍ ବିକିବା ଯନ୍ତ୍ରସବୁ ଥାଏ । ଯେଉଁଠିକି ଯେତେ ମୂଲ୍ୟ ପଡ଼େ, ସେତିକି ପେନସ୍‍ ଗୋଟିଏ କଣାରେ ଗଳାଇଦେଲେ ସେଇ ସ୍ଥାନ ପାଇଁ ଟିକେଟ୍‍ ଆପେ ଆପେ ବାହାରିପଡ଼େ । ଆମେ ସେମିତି ଖଣ୍ଡେ ଲେଖାଁ ଟିକେଟ୍‍ କିଣି ଭୂଇଁ ତଳ ରେଲଗାଡ଼ିରେ ବସିଲୁ । ତାହା କେତୋଟି ମିନିଟରେ ବାର୍କର ଷ୍ଟ୍ରିଟ୍‍ ଷ୍ଟେସନରେ ପହଞ୍ଚିଗଲା । ତା’ପରେ ମାଟି ଉପରକୁ ଉଠି ଆସିଲୁ ।

 

ଭୂଇଁ ଉପରକୁ ଉଠିଲା ମାତ୍ରେ କେତେ ଉଜ୍ଜ୍ଵଳ ସୂର୍ଯ୍ୟକିରଣ । ଥଣ୍ଡା ପବନ ରହି ରହି ବହିଯାଉଛି । ଆମେ ପାଞ୍ଚ ଦଶ ମିନିଟ୍‍ ଚାଲିଛୁ କି ନାହିଁ ରିଜେଣ୍ଟ ପାର୍କ ପଡ଼ିଲା । ମୁଁ ଆଗରୁ ଏଡ଼େ ସୁନ୍ଦର ପାର୍କ ଦେଖିନଥିଲି । ଶହ ଶହ ଏକର ଜମି ଉପରେ ଯେଉଁ ସୁନ୍ଦର ଫୁଲବଗିଚା, ଗଛଲତାର ସବୁଜିମା, ନଦୀନାଳ, ପୁଷ୍କରିଣୀ, ପାରାହଂସ, ବତକ ଆଦି ନାନା ଜାତିର ପକ୍ଷୀମାନଙ୍କର ନିର୍ଭୟ ଲୀଳାଖେଳା, ନୌକାବିହାର, ଝରଣା, ପଥରମୂର୍ତ୍ତି ପ୍ରଭୃତି ରହିଛି, ସେଗୁଡ଼ିକ ଦେଖିଲେ ମନରେ ଅପାର ଆନନ୍ଦ ଭରି ଉଠେ ।

 

ପକ୍ଷୀମାନେ ପୋଷା ମାନିଲା ପରି ପାଖକୁ ଚାଲିଆସନ୍ତି, ମୁଣ୍ଡରେ କାନ୍ଧରେ ବସିଯା’ନ୍ତି-। ଅନେକ ସାହେବ ସାହେବାଣୀ ସେମାନଙ୍କୁ ଖାଇବାକୁ ଦେଉଥାନ୍ତି । ଏମିତିକି ଗୋଟିଏ ନେଉଳ କ’ଣ ଖାଇବା ଆଶାରେ ଆମ ହାତକୁ ଚାଲି ଆସିଲା । କେତେ ଜାତିର, କେତେ ରଙ୍ଗର ଫୁଲ-। ଗୋଲାପ ଫୁଲର କେତୋଟି ବଗିଚା ଦେଖି ଭାରି ଲୋଭ ହେଲା । ବଡ଼ ବଡ଼ ଗୋଲାପ ଫୁଲ ବିରାଟ ବଗିଚାରେ ତାରା ଫୁଟିଲା ପରି ସୁନ୍ଦର ଦିଶୁଥାଏ । କିନ୍ତୁ ଦୁର୍ଭାଗ୍ୟକୁ ସେଠାର ଶୀତଳ ଜଳବାୟୁରେ ଫୁଲଗୁଡ଼ିକର ସୁବାସ ବେଶୀ ନଥାଏ । ତେଣୁ ଏତେ ଗୋଲାପ ଫୁଲର ବାସନା ଖୁବ୍ କମ୍‍ ଜଣାପଡ଼ୁଥାଏ । କେତେଜଣ ସାହେବ ନାକ ପାଖକୁ ଫୁଲଗୁଡ଼ିକ ଟାଣିନେଇ ଶୁଙ୍ଘୁଥା’ନ୍ତି-। ହେଲେ ଗୋଟିଏ ଫୁଲ କେହି ଛିଣ୍ଡାଇବାର ଦେଖାଯାଏ ନାହିଁ ।

 

ସ୍ତ୍ରୀ ପୁରୁଷ, ପିଲା ଦଳ ଦଳ ଏକାଏକା ଛୋଟବଡ଼ ନୌକାରେ ବିହାର କରୁଥାନ୍ତି । ଗୋଟିଏ ଛୋଟ ପୋଖରୀଟିରେ ଆଣ୍ଠୁଏ ପାଣି ଥାଏ । ସେଥିରେ ନାନା ରଙ୍ଗର ଛୋଟ ଛୋଟ ନାଆ, ଷ୍ଟିମର, ଚକ୍ରଘୂରା ଡଙ୍ଗାରେ ପିଲାମାନେ ମଉଜରେ ଖେଳୁଥାନ୍ତି । ପାଣିରେ ପଡ଼ିଗଲେ ମଧ୍ୟ ଭୟ ନାହିଁ । ବରଂ କିରି କିରି ହସୁଥାନ୍ତି । ମୋର ଇଚ୍ଛା ହେଉଥାଏ, ସେଇ ପିଲାମାନଙ୍କ ସାଥିରେ ଟିକିଏ ଖେଳନ୍ତି କି ! ଝରଣାଗୁଡ଼ିକରେ ପାଣି ଝରି ଉପରକୁ ଉଠି ତଳକୁ ପଡ଼ୁଥାଏ । ତା’ ଉପରେ ଖରାପଡ଼ି ଝିଲିମିଲି ହେଉଥାଏ, ଥରେ ଥରେ ଇନ୍ଦ୍ରଧନୁ ସୃଷ୍ଟି ହୋଇ ଅତି ମନୋରମ ଦେଖାଯାଏ । ବଡ଼ ବଡ଼ ଘାସ ପଡ଼ିଆରେ ଯୁବକ ଯୁବତୀମାନେ ନାନାପ୍ରକାର ଖେଳ ଖେଳୁଥାନ୍ତି । ଆମେ ସବୁ ସ୍ଥାନରେ ବୁଲି କେତେକ ଫଟୋ ଉଠାଇ ଫେରିଲୁ । ସେତେବେଳକୁ ଗୋଟାଏ ବାଜିଯାଇଥିଲା ଆମର ଲକ୍ଷ୍ୟ ନଥିଲା । ଆମେ ଭୋକଶୋଷ ଭୁଲି ଯାଇଥିଲୁ ।

 

ଆଉ ଦିନେ ଗୋଟିଏ ଶନିବାର ଦେଖି ଆମେ କିଉ ଗାର୍ଡ଼ନ ଦେଖିବାକୁ ଯାଇଥିଲୁ । ଏହା ଆମ ରହିବା ସ୍ଥାନରୁ ବେଶୀ ଦୂର । ତେଣୁ ଗୋଟିଏ ଦୁଇ ମହଲା ଥିବା ନାଲି ଗାଡ଼ିରେ ସେଠାକୁ ଯାଇଥିଲୁ । ଛୁଟିଦିନଗୁଡ଼ିକରେ ଏଇପରି ବସ୍‍ ବହୁ ସଂଖ୍ୟାରେ ଲାଲ ଦର୍ଶକମାନଙ୍କୁ ନେଇ ବୁଲାଇବା ପାଇଁ ।

 

କିଉ ଗାର୍ଡ଼ନ ଏବେ ବିଲାତର କୃଷି ବିଭାଗଦ୍ଵାରା ପରିଚାଳିତ ହେଉଛି । ଏହାକୁ ଏବେ ରୟାଲ ବଟାନିକାଲ ଗାର୍ଡ଼ନ (Royal Botanical Garden) କୁହାଯାଉଛି । ଅଷ୍ଟାଦଶ ଶତାବ୍ଦୀରେ ବିଲାତର ରାଜ ପରିବାର ଏହି ଜମିକୁ କିଣି ଥିଲେ । ଏବେ ଏହା ଆୟତନ ୩୦୦ ଏକର । ରାଜାରାଣୀମାନଙ୍କୁ ଖୁସି କରିବା ପାଇଁ ବହୁ ଇଞ୍ଜିନିୟର ଓ ଉଦ୍ୟାନପଣ୍ଡିତ ଏହି ବଗିଚାର ସମୃଦ୍ଧି ଓ ସୌନ୍ଦର୍ଯ୍ୟ ପାଇଁ ଲାଗିପଡ଼ିଥିଲେ । ରାଣୀ ଭିକ୍ଟୋରିୟାଙ୍କ ରାଜତ୍ଵ କାଳରେ ଏହାର ଆୟତନ ଓ ସାଜସଜ୍ଜାରେ ଖୁବ୍ ଉନ୍ନତି ହୋଇଥିଲା ।

 

ଏହି ବଗିଚା ଏବେ ଗୋଟିଏ ବୈଜ୍ଞାନିକ ଅନୁଷ୍ଠାନରେ ପରିଣତ ହୋଇଛି । ବିଭିନ୍ନ ଜାତିର ଫୁଲ ଓ ଫଳ ଗଛ, ଔଷଧ ବୃକ୍ଷଲତା, ଶିଯୁ ଓ କଣ୍ଟାଜାତୀୟ ଗଛ ପ୍ରଭୃତି ଅତି ଯତ୍ନରେ ରଖାଯାଇଛି । ପୃଥିବୀର ସବୁ ଅଞ୍ଚଳରୁ ବୃକ୍ଷଲତାମାନ ଏଠାକୁ ଅଣାଯାଇଛି । ଏଠାରେ ବର୍ତ୍ତମାନ ପ୍ରାୟ ତିରିଶ ହଜାର ପ୍ରକାରର ଗଛଲତା ଦେଖିବାକୁ ମିଳେ । ଏଠାରୁ ମଧ୍ୟ ବିଭିନ୍ନ ଦେଶକୁ ଭଲ ଚାରାଗଛମାନ ପଠାଯାଏ । ୨୦୦ ବର୍ଷ ଧରି ବାହାର ଦେଶମାନଙ୍କରୁ ଉଦ୍ୟାନରକ୍ଷକମାନେ ଆସି ଏଠାରେ ତାଲିମ ପାଇଥାନ୍ତି । ସେମାନେ ୩ ବର୍ଷ ପଢ଼ି ଓ କାର୍ଯ୍ୟ କରି ଉଦ୍ୟାନ କାର୍ଯ୍ୟରେ ଗୋଟିଏ ଲେଖାଁ ଡିଗ୍ରୀ ପା’ନ୍ତି ।

 

ଏହି ବଗିଚା ମଧ୍ୟରେ ଗୋଟିଏ ବୃକ୍ଷାଗାର ଓ ଗୋଟିଏ ପୁସ୍ତକାଗାର ରହିଛି । ଏଠାରେ ପ୍ରାୟ ୭୦ ଲକ୍ଷ ପ୍ରକାରର ଶୁଷ୍କ ବୃକ୍ଷ ସଂଗୃହୀତ ହୋଇ ରହିଛି । ବୃକ୍ଷଲତା ବିଷୟରେ ଏକ ଲକ୍ଷରୁ ଅଧିକ ବହିପତ୍ର ରଖାଯାଇଛି । କେତେକ ପ୍ରକାରର ଗବେଷଣାଗାର ମଧ୍ୟ ରହିଛି । ସେଠାରେ ବୃକ୍ଷଲତାର ଆକାରପ୍ରକାର, ରୋଗନିଦାନ ଇତ୍ୟାଦି ପରୀକ୍ଷାନିରୀକ୍ଷା ଚାଲିଛି ।

 

ସେଦିନ ଉଦ୍ୟାନଟିରେ ଶରତ୍‍ ଋତୁ ଯେମିତି ରାଜତ୍ଵ କରୁଥିଲା । ବୃକ୍ଷଲତାରେ ଭରି ଉଠିଥିଲା ସବୁଜିମା ଆଉ ନାନା ରଙ୍ଗର କୁହୁକ । ଏହି ମାଟିର ଧରଣୀ ଯେମିତି ସ୍ଵର୍ଗର ସୁଷମାରେ ସାଜି ଉଠିଥିଲା । ଭୂଇଁ ତଳେ ଲୋଟିଥିବା ଲତାଟିଠାରୁ ଆକାଶକୁ ଛୁଇଁଥିବା ବଡ଼ଗଛ ପର୍ଯ୍ୟନ୍ତ ସବୁଥିରେ ବହୁ ରଙ୍ଗର ଫୁଲ ହସି ଉଠୁଥିଲା । ସେଥିରୁ ଭାସି ଆସୁଥିଲା ମନମତାଣିଆ ସୁବାସ, ନିର୍ମଳ ଆକାଶରୁ ଘନ ନିଳୀମାରେ ଧୋଇ ସତେ ଯେମିତି ସୂର୍ଯ୍ୟକିରଣ ଝରି ଆସୁଥିଲା ଆହୁରି ଉଜ୍ଜ୍ୱଳ ହୋଇ । ଭୂଇଁ ଉପର ବହଳ ଶାଗୁଆ ଘାସର ଶେଯ ଉପରେ ଲୋଟିଯିବାକୁ ମନ ହେଉଥିଲା । ଅନେକ ସାହେବ ସାହେବାଣୀ ତା’ ଉପରେ ବସି ଗପସପ କରୁଥିଲେ ।

 

ସବୁଠାରୁ ବଳି ଆକର୍ଷଣୀୟ ପଦାର୍ଥ ହେଲା କେତେଗୁଡ଼ିଏ ପ୍ରକାଣ୍ଡ କାଚଘର । ବୈଜ୍ଞାନିକ ଉପାୟରେ ତା’ ଭିତରେ ଉତ୍ତାପ ସୃଷ୍ଟି କରାଯାଇ ବିଷୁବ ମଣ୍ଡଳୀୟ ଉଦ୍ଭିଦମାନଙ୍କୁ ଯତ୍ନର ସହିତ ରଖାଯାଇଥିଲା । କିଆ, କେତକୀ, ବାଉଁଶ, କଦଳୀ, ଶିଜୁ, ନଡ଼ିଆ, ଖଜୁରୀ ପ୍ରଭୃତି ଯେଉଁ ଗଛ ସେଠାର ଶୀତଳ ଜଳବାୟୁରେ ମିଳେନାହିଁ, ସେହି କାଚଘରର ଉଷ୍ଣତା ଭିତରେ ଭଲଭାବରେ ବଢ଼ୁଥିଲା । ନାନାପ୍ରକାରର ଯତ୍ନ ନିଆଯାଇଥିବାରୁ ସେଗୁଡ଼ିକ କେଡ଼େ ସୁନ୍ଦର ଓ ସବୁଜ ! କେତେକ ଜାତିର ଗଛରୁ ବହୁ ବର୍ଣ୍ଣର ଲମ୍ବ ଲମ୍ବ କିମ୍ବା ପେନ୍ଥା ପେନ୍ଥା ଫୁଲ ଅଜାଡ଼ି ହୋଇ ପଡ଼ିଥିଲା । କେତେ ଲୋଭନୀୟ ଆଉ ଆକର୍ଷଣୀୟ ସେଇ ଦୃଶ୍ୟ ।

 

ସେଇ କାଚଘର ମଧ୍ୟରେ କେତେ ସୁନ୍ଦର ପୁଷ୍କରିଣୀ । ସେଥିରେ ନାନାଜାତିର ରଙ୍ଗୀନ ମାଛ ପହଁରୁଥିଲେ । କଇଁ, ପଦ୍ମ, ପ୍ରଭୃତି ଫୁଲ ଧୀର ପବନ ଯୋଗୁଁ ଦୋଳି ଖେଳୁଥିଲେ । ସେଗୁଡ଼ିକର ପତ୍ର ଆଉ ପାଖୁଡ଼ାରେ ବିନ୍ଦୁ ବିନ୍ଦୁ ହୋଇ କାକର ପଡ଼ିଥିଲା । ସ୍ୱଚ୍ଛ କାଚ ମଧ୍ୟଦେଇ ଝରିପଡ଼ୁଥିବା ସୂର୍ଯ୍ୟ କିରଣରେ ସେଇ କାକରବିନ୍ଦୁ ହୀରାପରି ଝଟକୁଥିଲା । କୃତ୍ରିମ ଉପାୟରେ ଉତ୍ତାପ ଜାତ ହେଉଥିବାରୁ ବାହାରେ କାର୍ତ୍ତିକ ମାର୍ଗଶିର ମାସର ଶୀତଳତା ଥିଲାବେଳେ, କାଚଘର ଭିତରେ ବୈଶାଖ, ଜ୍ୟେଷ୍ଠର ଉଷ୍ଣତା । ଧନ୍ୟ ମନୁଷ୍ୟର କରଣି !

 

ଉଦ୍ୟାନ ମଧ୍ୟରେ ପୁଣି ନାନାପ୍ରକାର ମାର୍ବଲ ଓ ବ୍ରୋଞ୍ଜର ପ୍ରତିମୂର୍ତ୍ତି, ଝରଣା, କଳସୀ ଇତ୍ୟାଦି ସୁସଜ୍ଜିତ ! ବଡ଼ ବଡ଼ ପୁଷ୍କରିଣୀରେ ନାନା ଜାତିର ପକ୍ଷୀ–ହଂସ, ହଂସରାଡ଼ି, ପାଣିକୁଆ, ବଗ, ବତକ, କଳାଧଳା, ଛାପିଛାପିକିଆ ଆଉ ରଙ୍ଗୀନ୍‍ । କେତେପ୍ରକାର ସେମାନଙ୍କ ସ୍ୱର, ପାଣି ଭିତରେ ବୁଡ଼ି ଉଠି, ଉପରେ ଉଡ଼ିବୁଲି ସେମାନଙ୍କର ଲୀଳା-ଖେଳା ଲଗାଇଥିଲେ । କେତେକ ପକ୍ଷୀ କୂଳ ଉପରକୁ ଉଠିଆସି ଲୋକମାନଙ୍କଠାରୁ ଖାଦ୍ୟ ପାଇବା ପାଇଁ ଅଳିଅର୍ଦ୍ଧଳି କରୁଥିଲେ । ସେଇ ଦୃଶ୍ୟ ସତେ କେଡ଼େ ସୁନ୍ଦର, କେଡ଼େ ମନଛୁଆଁ !

 

ବଗିଚା ଭିତରେ ଥିବା ଗୋଟିଏ ସୂର୍ଯ୍ୟଘଡ଼ି ପାଖକୁ ଆଖି ଆପେ ଆପେ ଟାଣି ହୋଇଗଲା । ସେଇ ଘଡ଼ିରେ କିଛି କଳକବ୍‍ଜା ନାହିଁ କି ଘଣ୍ଟାକଣ୍ଟା ବା ମିନିଟ୍‍ କଣ୍ଟା ନାହିଁ । କେବଳ ଉଚ୍ଚ ସ୍ତମ୍ଭ ଉପରେ ପିତ୍ତଳ ତିଆରି ଏକ ଗୋଲେଇର ମଧ୍ୟଭାଗରେ ଧାତବ ଦଣ୍ଡଟିଏ ଥାଏ-। ସେଇ ପିତ୍ତଳରେ କେତେକ ଚିହ୍ନ ଓ ସଂଖ୍ୟା ଥାଏ । ଦଣ୍ଡ ଉପରେ ଖରାପଡ଼ି ଯେଉଁ ଛାଇ ହୁଏ, ତାହା ସେଇ ଚିହ୍ନ ଓ ସଂଖ୍ୟା ଉପରେ ପଡ଼ି ସମୟ ଦେଖାଏ । ହେଲେ ସେଥିରୁ ମିନିଟ୍ ପର୍ଯ୍ୟନ୍ତ ସମୟ ଠିକ୍ ଠିକ୍ ଜାଣିହୁଏ । ମୋ ଘଣ୍ଟାରେ ସେତେବେଳେ ୧୨ଟା ୫ ମିନିଟ୍ ହୋଇଥିଲା-। ସେଇ ସୂର୍ଯ୍ୟ ଘଡ଼ିରେ ମଧ୍ୟ ୧୨ ସଂଖ୍ୟା ଉପରେ ଛାଇ ପଡ଼ିଥିଲା । ଆମେ ସେ ହିସାବ ଜାଣିନଥିବାରୁ ଠିକ୍ କେତେ ମିନିଟ୍ ହୋଇଥିଲା ଜାଣିପାରିଲୁନାହିଁ । ୨୦୦ ବର୍ଷ ତଳେ ତିଆରି ହୋଇଥିବା ଦଶ ମହଲାର ଗୋଟିଏ ଉଚ୍ଚ ପାଗୋଡ଼ା ଏହି ବଗିଚା ମଧ୍ୟରେ ଏପର୍ଯ୍ୟନ୍ତ ରହିଛି-। କିନ୍ତୁ ସେଇ ଘର କୌଣସି କାର୍ଯ୍ୟରେ ଲାଗେ ନାହିଁ । କେବଳ ପାର୍କର ଗୋଟିଏ ଅଳଙ୍କାର ପରି ରହିଛି ।

 

ବଗିଚା ଭିତରେ ଗୋଟିଏ ବଡ଼ ରାସ୍ତା । ତା’ର ଦୁଇକଡ଼ରେ ଗଛଲତାର ଧାଡ଼ି । ଆମର କୃଷ୍ଣଚୂଡ଼ା ପରି ସେଇସବୁ ଗଛରେ ପେନ୍ଥା ପେନ୍ଥା ଫୁଲ । ତାହା ପୁଣି କେତେ ରଙ୍ଗର, କେତେ ଆକାରର । ଶରତ୍‍ ଓ ବସନ୍ତରେ ଗଛଗୁଡ଼ିକ ଫୁଲର ପାହାଡ଼ ପରି ଦିଶେ । ଧୀରେ ଧୀରେ ପବନରେ ହଲି ହଲି ଚଉଦିଗରେ ଖେଳିଯାଏ ଫୁଲର ମହକ । କେତେକ ଗଛର ପତ୍ର ପୁଣି ନାନା ବର୍ଣ୍ଣର । ତଳକୁ ଝଡ଼ି ପଡ଼ି ଗଛ ମୂଳେ ତାହା ଗୋଟିଏ ବିଚିତ୍ର ଗାଲିଚା ପରି ଦିଶେ । ନାନା ଋତୁରେ କିଉ ବଗିଚା ନାନା ଶୋଭାଧରେ, ତେଣୁ ଶିରୀ ଅପାଶୋରା, ଆଉ ତା’ର ଶୋଭା ମନଲୋଭା ।

 

‘ସେଣ୍ଟ ଜେମସ’ ପାର୍କକୁ ଆମେ କେତେଥର ବୁଲି ଯାଇଥିଲୁ । ଏହା ବିଲାତ ରଜାରାଣୀଙ୍କ ଉଆସ ବକିଙ୍ଗ୍‍ ହାମ୍‍ ପ୍ରାସାଦ, ବଡ଼ ବଡ଼ ସରକାରୀ କାର୍ଯ୍ୟାଳୟ ପାଖରେ । ଏହାର ଆୟତନ ୯୩ ଏକର । ଏହାର ମଝିରେ ଗୋଟିଏ ବଡ଼ ହ୍ରଦ । ଏଥିରେ ନାନା ଜାତିର ସୁନ୍ଦର ଉଡ଼ାପକ୍ଷୀ ଥାନ୍ତି । ସମୟ ସମୟରେ ସେମାନେ କୁଆଡ଼େ ଚାଲିଯାନ୍ତି । ସେଇ ପାର୍କ ମଧ୍ୟ ବହୁତ ଗଛଲତା ଆଉ ଫୁଲରେ ଭରପୁର । ବଗିଚା ତମାମ ଶାଗୁଆ ଘାସର ଶେଯ ।

 

ତା’ ପାଖରେ ଗ୍ରୀନ୍‍ ପାର୍କ ବା ଶ୍ୟାମଳ ଉଦ୍ୟାନ । ଏହାର ଆୟତନ ୫୩ ଏକର । ବର୍ଷସାରା ଏହା ସତେ କେତେ ଶ୍ୟାମଳ ଓ ସୁନ୍ଦର । ସେଠାରୁ କିଛି ଦୂର ଗଲେ ବିଖ୍ୟାତ “ହାଇଡ୍‍ ପାର୍କ” । ଏହା ଆକାରରେ ଯେମିତି ବିରାଟ, ରୂପରେ ସେମିତି ବିଚିତ୍ର । ୩୬୦ ଏକର ଜମି ଉପରେ ଏହା ଅବସ୍ଥିତ, ଏହାର ମଝିରେ ମଝିରେ ଫୁଲବଗିଚାମାନ ରହିଚି । ବିସ୍ତୀର୍ଣ୍ଣ ଶ୍ୟାମଳ ତୃଣଭୂମି । କେତେକ ସ୍ଥାନରେ ପୁଷ୍କରିଣୀ, ମୂର୍ତ୍ତିମାନ ସୁସଜ୍ଜିତ । ଏହାର ଗୋଟିଏ ପାଖରେ ଖୁବ୍‍ ବଡ଼ ମାର୍ବଲ ତିଆରି ଫାଟକ । ଏହା ମାର୍ବଲ ଆର୍କ ନାମରେ ଭାରି ପ୍ରସିଦ୍ଧ । ଏଠାରେ ବହୁ ସରକାରୀ ଓ ରାଜାଙ୍କର ଉତ୍ସବ ବା କୋଣ ପାଳିତ ହୁଏ । ଏହା ପାଖରେ ଗୋଟିଏ ସ୍ଥାନ ହାଇଡ୍‍ ପାର୍କ କର୍ଣ୍ଣର ନାମରେ ଖୁବ୍‍ ଜଣାଶୁଣା । ଏଠାରେ ଯେକେହି ଲୋକ ସରକାରଙ୍କ ବିରୁଦ୍ଧରେ ଯାହା କିଛି କହିପାରେ । କେହି ଆପତ୍ତି କରିବେ ନାହିଁ । ପ୍ରତ୍ୟେକ ରବିବାର ଉପରବେଳା ଏହିପରି ସାଧାରଣ ସଭା ହୋଇଥାଏ । ସମସ୍ତେ ଧୈର୍ଯ୍ୟର ସହିତ ଶୁଣିବାରେ ଅଭ୍ୟସ୍ତ । ଏହା ସମସ୍ତଙ୍କୁ ସ୍ଵାଧୀନ ମତ ପ୍ରକାଶ କରିବାକୁ ସୁଯୋଗ ଦିଏ ।

 

“ହାଇଡ୍‍ ପାର୍କ”ର ଅନ୍ୟ ଗୋଟିଏ ମୁଣ୍ଡରେ ଏକ ସୁନ୍ଦର ହ୍ରଦ ସାପଭଳି ଏହାର ଜଳାଧାର ଲମ୍ବିଯାଇଥିବାରୁ ଏହାକୁ ସାପୁଆ ବା ସର୍‍-ପେଣ୍ଟାଇନ କୁହାଯାଏ । ଏହାର ଆୟତନ ୪୦ ଏକର । ଏଥିରେ ସେମିତି ଅନେକ ଜାତିର ପକ୍ଷୀ ଥାନ୍ତି । ଏହାର ଅନ୍ୟ ପାଖକୁ ଲାଗି ଗୋଟିଏ ବିରାଟ ଉଦ୍ୟାନ । ନାମ ତା’ର କେନସିଙ୍ଗଟନ୍‍ ଉଦ୍ୟାନ । ଏହା ପାଖରେ କେନସିଙ୍ଗଟନ୍ ପ୍ରାସାଦ । ବହୁ କାଳ ଧରି ଏଥିରେ ବିଲାତର ରଜାରାଣୀ ରହୁଥିଲେ । ମହାରାଣୀ ଭିକ୍ଟୋରିୟା ଏଇଠି ଜନ୍ମ ହୋଇଥିଲେ । ସେ ପିଲାଦିନେ ଏଇ ଉଦ୍ୟାନରେ ଖେଳୁଥିଲେ । ଏହାର ଆୟତନ ୨୭୦ ଏକର । ଏହା ଏବେ ମଧ୍ୟ ପିଲାମାନଙ୍କର ସବୁଠୁଁ ଅତି ପ୍ରିୟ ସ୍ଥାନ । ପିଲାମାନଙ୍କର ଲୀଳାଖେଳାରେ ଏହା କମ୍ପି ଉଠେ ।

 

ସାପୁଆ ହ୍ରଦ ପାଖକୁ ଲାଗି ପିଲାମାନଙ୍କ ଆଦରର ଗୋଟିଏ ପଥରମୂର୍ତ୍ତି । ନାଁ ତା’ର ପିଟର ପ୍ୟାନ । ସେଇ ମୂର୍ତ୍ତିର ପାଦତଳେ ବହୁତ ପରୀ, ଠେକୁଆ, ମୂଷା ପ୍ରଭୃତି ପଶୁପକ୍ଷୀର ମୂର୍ତ୍ତି-। ବର୍ଷ ବର୍ଷ ଧରି ପିଲାଏ ସେଗୁଡ଼ିକୁ ହାତରେ ଗେଲ କରି କରି ସାଉଳିଆ କରିଦେଇଛନ୍ତି ସେଇ ପାଖରେ ଗୋଟିଏ ସୁନ୍ଦର ପୋଖରୀ । ଏହା ଗୋଲାକାର ହୋଇଥିବାରୁ “ରାଉଣ୍ଡ ପଣ୍ଡ” ନାମରେ ଖ୍ୟାତ । ଏଥିରେ ପିଲାଠାରୁ ବଡ଼ଯାଏ, ହଂସଠାରୁ ବତକ ଯାଏ ଖେଳିବାରେ ବ୍ୟସ୍ତ । ପାଣି ଉପରେ ଡଙ୍ଗାରେ ବସି ଖେଳିବା ଆଉ ଗୁଡ଼ି ଉଡ଼ାଇବା ଆଦିରେ ସମସ୍ତେ ମଜ୍ଜି ରହନ୍ତି-। ମାଆମାନେ ମଧ୍ୟ ପିଲାମାନଙ୍କୁ ଗ୍ରାମରେ ଧରି ଖେଳାଇବାରେ ଆନନ୍ଦ ଅନୁଭବ କରନ୍ତି-

 

ଆମ ଛାତ୍ରାବାସଠାରୁ ଅଳ୍ପ ଦୂରରେ ଟାଭିଷ୍ଟକ୍‍ ପାର୍କ । ଏହା ମୋର ଚରାଭୂଇଁ ହୋଇଥିଲା । ଏହା କେବଳ ପାଖରେ ବୋଲି ନୁହେଁ, ଗାନ୍ଧିଜୀଙ୍କ ବ୍ରୋଞ୍ଜ ତିଆରି ପ୍ରତିମୂର୍ତ୍ତିଟିଏ ଏହାର ମଧ୍ୟସ୍ଥଳରେ ଥିବାରୁ ମୋର ଭାରି ପ୍ରିୟ ଓ ଅତି ଆପଣାର । ସମୟ ଟିକିଏ ପାଇଲେ ମନ ସେଠାକୁ ଧାଇଁଯାଏ । ଅବଶ୍ୟ ଏଇ ପାର୍କ ସେତେ ବଡ଼ ନୁହେଁ । କିନ୍ତୁ ଖରା ଟିକିଏ ପଡ଼ିଲେ କାଙ୍ଗାଳଙ୍କ ପରି କେତେ ଲୋକ ସେଠାରେ ଜମିଯା’ନ୍ତି । ଶୀତଦିନ ଛଡ଼ା ଅନ୍ୟ ସମୟରେ ବହୁତ ରଙ୍ଗର ଫୁଲ ଫୁଟେ । ପାଗ, ହଳଦିବସନ୍ତ, କାଉ ପରି କେତେ ଜାତିର ଚଢ଼େଇ ବି ସେଠି ରୁଣ୍ଡ ହୁଅନ୍ତି । ବସନ୍ତ ଋତୁର ଆରମ୍ଭରେ ଡାଫୋଡିଲ, ଟ୍ୟୁଲିପ ପ୍ରଭୃତି ସୁନ୍ଦର ଫୁଲଗୁଡ଼ିକ ପାର୍କଟିକୁ ମନୋହର ରୂପରେ ମଣ୍ଡନ କରିଦିଏ । ମହାତ୍ମା ଗାନ୍ଧୀ ୧୯୩୧ ମସିହାରେ ଗୋଲ ଟେବୁଲ ବୈଠକରେ ଯୋଗ ଦେବାକୁ ଲଣ୍ଡନ ଯାଇଥିଲେ । ସେ ଏହି ସ୍ଥାନରେ କେତେଥର ସନ୍ଧ୍ୟା ପ୍ରାର୍ଥନା କରିଥିଲେ । ତେଣୁ ତାଙ୍କର ସ୍ମୃତି ଯୋଗୁଁ ଏହା ପବିତ୍ର ।

 

ପାର୍କଗୁଡ଼ିକ ଲଣ୍ଡନ ନଗରୀର ପ୍ରମୋଦ ଉଦ୍ୟାନ, ଚିତ୍ତବିନୋଦନର ପ୍ରଧାନ କେନ୍ଦ୍ର । ଗାଡ଼ିମଟର, କଳକାରଖାନା, ଅଫିସଦୋକାନ ପ୍ରଭୃତିର ଭିଡ଼ଭାଡ଼ ଭିତରେ ଏଗୁଡ଼ିକ ମଣିଷ ଜୀବନକୁ ହାଲୁକା କରେ, ନୂଆ ଶକ୍ତି ଆଣିଦିଏ ଆଉ ଅଣନିଃଶ୍ଵାସୀ ପ୍ରାଣରେ ଖୋଲା ପବନରୁ ଝଲକାଏ ଲେଖାଁ ଭରିଦିଏ । ତେଣୁ ଟିକିଏ ସମୟ ପାଇଲେ ଫୁରୁସତ ମିଳିଲେ ପିଲାଠାରୁ ବଡ଼ଯାଏ ପାର୍କରେ ହିଁ ରୁଣ୍ଡ ହୁଅନ୍ତି । ମଉଜ ମଜଲିସ୍‍ କରନ୍ତି । ଖେଳାବୁଲା କରନ୍ତି । ତେଣୁ ଲଣ୍ଡନ ପରି ଜନଗହଳି ସହରରେ ସୁଦ୍ଧା ଏତେ ବଡ଼ ବଡ଼ ପାର୍କ ଅତି ଯତ୍ନରେ ରଖାଯାଇଛି । କିନ୍ତୁ ଆମେ କେଉଁ ଦିନ ଏହାର ମୂଲ୍ୟ ବୁଝିବା ?

★★★

 

କେତେ ସେ ଯାଦୁଘର ସବୁରି ଶିକ୍ଷାସ୍ଥଳ

 

ଲଣ୍ଡନ ତ ହେଉଛି ଗୋଟିଏ ବିରାଟ ଯାଦୁଘର । ଦୁନିଆଯାକର ସବୁକଥା ସେଇଠି । ଲୁଗା ଦୋକାନଟିରେ ଯେମିତି ପୃଥିବୀର ସବୁ ଦେଶର ପୋଷାକ, ଫଳ ଦୋକାନଟିରେ ସେମିତି ସବୁ ଅଞ୍ଚଳର ଫଳ ବିକ୍ରି ହେଉଛି । ଥରେ ଗୋଟିଏ ପରିବା ଦୋକାନକୁ ଯାଇଥିଲି । ଜଣେ ପାକିସ୍ଥାନୀ ହେଉଛନ୍ତି ତା’ର ମାଲିକ । ଭାରତ ଭାଗ ଭାଗ ହେବା ପୂର୍ବରୁ ସେ ବିଲାତକୁ ଚାଲିଯାଇଥିଲେ । ପାକିସ୍ଥାନରେ ତାଙ୍କ ବାପାମାଆ ଭାଇଭଉଣୀ ପ୍ରଭୃତି ଅଛନ୍ତି । କିନ୍ତୁ ସେ ଆଉ ନିଜ ଦେଶକୁ ଫେରି ନାହାନ୍ତି । ସେ ମୋତେ ଦୋକାନ ଭିତରେ ବୁଲାଇ ସବୁ ଦେଖାଇ ଦେଇଥିଲେ । ଆଳୁ ବିଲାତରୁ, ବାଇଗଣ ଭାରତରୁ, କଲରା ଚୀନରୁ, ମଟର ସ୍ପେନରୁ, କୋବି ଫ୍ରାନ୍ସରୁ, ଗ୍ୟାଜର ଇଜିପ୍‍ଟରୁ, ବିନ୍‍ ଜର୍ମାନୀରୁ, କଖାରୁ ଆଫ୍ରିକାରୁ ଆସିବା କଥା ସେ କହି ଯାଇଥିଲେ । ମୁଁ ଭାବିଥିଲି ସେଇ ଦୋକାନଟି ପରିବାପତ୍ରର ଏକ ବିରାଟ ପ୍ରଦର୍ଶନୀ ।

 

ପୃଥିବୀର ବିରାଟ ଯାଦୁଘର ଆଉ ପ୍ରଦର୍ଶନୀ ଲଣ୍ଡନ ସହରରେ ପୁଣି ବହୁପ୍ରକାରର ଯାଦୁଘର । କଳା, ବିଜ୍ଞାନ, ଶିଳ୍ପ, ଯୁଦ୍ଧ, ଖେଳନା ପ୍ରଭୃତିର ଯାଦୁଘରସବୁ ଯେମିତି ବଡ଼, ସେମିତି କୌତୂହଳପ୍ରଦ । ବିଲାତର ପିଲାମାନେ କେବଳ ବିଦ୍ୟାଳୟରେ ପାଠ ପଢ଼ନ୍ତି ନାହିଁ, ସେମାନେ ପ୍ରକୃତିର ମୁକ୍ତଭୂମି ବହୁ ପ୍ରମୋଦ ଉଦ୍ୟାନରୁ ଓ ମନୁଷ୍ୟର ଗୌରବପୀଠ ଏହିସବୁ ଯାଦୁଘରୁ ଅନେକ ବିଷୟ ଶିକ୍ଷା କରନ୍ତି । ଜଣେ ଲୋକ ଲଣ୍ଡନର ସବୁ ଯାଦୁଘର ଓ ପ୍ରଦର୍ଶନୀଗୁଡ଼ିକୁ ଭଲ କରି ଦେଖିବାକୁ ଇଚ୍ଛା କଲେ ଅତି କମରେ ଛ’ମାସ କଟାଇବାକୁ ହେବ ।

 

ମୁଁ ପ୍ରାୟ ପ୍ରତି ମାସରେ ଦୁଇ ତିନୋଟି ଲେଖାଁ ଯାଦୁଘର ଓ ପ୍ରଦର୍ଶନୀ ବୁଲି ଦେଖିବାକୁ ଠିକ୍‍ କଲି । ପ୍ରଥମେ ମୁଁ କେତେକ ସାଙ୍ଗଙ୍କ ସହିତ “ଲଣ୍ଡନ ଯାଦୁଘର”କୁ ଦେଖିବାକୁ ଯାଇଥିଲି । ଯଦିଓ ଏହା ସେତେ ବଡ଼ ନୁହେଁ, କିନ୍ତୁ ଐତିହାସିକ ନଗରୀ ଲଣ୍ଡନର ବହୁ ପ୍ରାଚୀନ ଓ ନୂତନ ଦୃଶ୍ୟ ଅତି ଜୀବନ୍ତ ଭାବରେ ସେଠାରେ ଦେଖାଇ ଦିଆଯାଇଛି । ସେଥିମଧ୍ୟରୁ ଗୋଟିଏ ଅତି ମନଲୋଭା ଚିତ୍ର ହେଲା ତିନିଶହ ବର୍ଷ ତଳେ ଲଣ୍ଡନରେ ଲାଗିଥିବା ପ୍ରବଳ ଅଗ୍ନିକାଣ୍ଡର ଦୃଶ୍ୟ । ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ହୁ ହୁ ହୋଇ ଯେମିତି ନିଆଁ ଲାଗିଯାଇଥିଲା, ତାହା ଅତି ସୁନ୍ଦର ଭାବରେ ସେହି ଚିତ୍ରରେ ଫୁଟି ଉଠିଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ଏକଶହ ଗିର୍ଜା ଆଉ ତେର ହଜାର ଘର ପୋଡ଼ି ଛାରଖାର ହୋଇଯାଇଥିଲା । ମୋଟ ଉପରେ ଏଥିରେ ଲଣ୍ଡନର ପାଞ୍ଚଭାଗରୁ ଚାରିଭାଗ ଧ୍ଵଂସ ପାଇଥିଲା । ଚାରିଶହ ବର୍ଷ ତଳେ ଲଣ୍ଡନର ବିଖ୍ୟାତ ପୋଲ “ଲଣ୍ଡନ ବ୍ରିଜ” କିପରି ଥିଲା, ତା’ ପାଖର ଦୋକାନ ବଜାର, ଘରଦ୍ଵାର ପ୍ରଭୃତି କିପରି ଦିଶୁଥିଲା, ତା’ର ଏକ ମଡ଼େଲ ବା ପ୍ରତିମୂର୍ତ୍ତି ଅତି ବାସ୍ତବ ହୋଇଛି । ଏହା ବ୍ୟତୀତ ନାନା ଅସ୍ତ୍ରଶସ୍ତ୍ର, ଆସବାବପତ୍ର, ମହାରାଣୀ ଭିକ୍ଟେରିୟା ଓ ରାଣୀ ମେରୀଙ୍କ ପିଲାଦିନର କଣ୍ଢେଇ ଘର ପ୍ରଭୃତି ଅତି ସୁନ୍ଦର ଭାବରେ ସୁସଜ୍ଜିତ । ପୁରାକାଳରୁ ଆଜିଯାଏ ଲଣ୍ଡନ ଯେଉଁ ସବୁ ରୂପ ଧରି ଆସିଛି, ସେସବୁ ଅତି ଜୀବନ୍ତ ଭାବରେ ସେଇ ଚିତ୍ରଟିରେ ଫୁଟି ଉଠିଛି ।

 

ଆଉ ଦିନେ ମୁଁ “ବିଜ୍ଞାନ ଯାଦୁଘରକୁ” ଯାଇଥିଲି । ଏଠାରେ ବିଜ୍ଞାନର କୁହୁକ ଦେଖି ଅବାକ୍ ହେବାକୁ ପଡ଼ିଲା । ବିଭିନ୍ନ ନୂଆ ପୁରୁଣା କଳକବଜା, ହାତହତିଆର, ଯନ୍ତ୍ରପାତି, ଗାଡ଼ିମଟର ରେଳଜାହାଜ ପ୍ରଭୃତି ରଖାଯାଇଛି । ପ୍ରଥମେ ଯେଉଁ ଆକାରରେ ଏଗୁଡ଼ିକ ତିଆରି ହୋଇଥିଲା, ସେଗୁଡ଼ିକୁ ଦେଖି ମନରେ ବିଶେଷ ଆନନ୍ଦ ପୂରି ଉଠେ । ଗୋଟିଏ ପୁରୁଣା ଘଣ୍ଟାରୁ ଖାଲି ସମୟ ଜାଣିହୁଏ ନାହିଁ, ସେଥିରୁ ବାର, ମାସ, ତିଥି ପ୍ରଭୃତି ମଧ୍ୟ ଜାଣିହୁଏ । ଶହ ଶହ ବର୍ଷ ତଳର ଆହୁରି ଅନେକ ପ୍ରକାର ଘଣ୍ଟା ମଧ୍ୟ ସେଠାରେ ରହିଛି ।

 

ପ୍ରଥମେ ବାହାରିଥିବା ଟ୍ରାକ୍ଟର, ରେଳଗାଡ଼ି ଉଡ଼ାଜାହାଜ, ସାଇକେଲ ପ୍ରଭୃତିର ମଡ଼େଲ ବା ପ୍ରତିରୂପମାନ ଦେଖିବାକୁ ଭାରି କୌତୂହଳଦାୟକ । ସେଗୁଡ଼ିକ କ୍ରମେ କିପରି ଉନ୍ନତ ହୋଇଛି, ତା’ର ରୂପ ଦେଖିଲେ ମନରେ ଆନନ୍ଦ ଆସେ । ବିଭିନ୍ନ ବିଦ୍ୟାଳୟରୁ ପିଲାମାନେ ଦଳ ଦଳ ହୋଇ ଶିକ୍ଷକମାନଙ୍କ ସହିତ ବୁଲି ଆସି ଏହିସବୁ ପଦାର୍ଥମାନ ଦେଖୁଥିଲେ । ଦଶବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ଏହିସବୁ ଯନ୍ତ୍ରପାତିଗୁଡ଼ିକୁ ବୁଝାଇ ଦେବାପାଇଁ ସୁବିଧାମାନ ରହିଛି । ଛୋଟା, କେମ୍ପା ପରି ବିକଳାଙ୍ଗ ପିଲାମାନଙ୍କୁ ତା’ ଭିତରେ ନେବା ଆଣିବା କରି ଦେଖାଇବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଥାଏ । ଏଠାରେ ପିଲାମାନଙ୍କ ଖାଇବା ପିଇବା ପାଇଁ ମଧ୍ୟ ସୁବିଧା ରହିଛି ।

 

ଦିନେ ଲଣ୍ଡନର ଆଉ ଗୋଟିଏ ଅତି ବଡ଼ ଯାଦୁଘରକୁ ବୁଲି ଯାଇଥିଲି । ଏହାର ନାମ “ପ୍ରାକୃତିକ ଇତିହାସ ଯାଦୁଘର’’ ପିଲାମାନଙ୍କର ଶିକ୍ଷା ଓ ମନୋରଞ୍ଜନ ପାଇଁ ସେଠି କେତେ ମନୋରମ ବ୍ୟବସ୍ଥା ହୋଇଛି । ଏଠାରେ ଥିବା ଗୋଟିଏ ଶିଶୁକେନ୍ଦ୍ରରେ ବିଭିନ୍ନ ଜୀବଜନ୍ତୁଙ୍କ ବିଷୟରେ ଅଧ୍ରକ ଜ୍ଞାନ ଲାଭ କରିବା ପାଇଁ ସେମାନଙ୍କର ପ୍ରତିରୂପ ବା ମଡ଼େଲ, ସେମାନଙ୍କ ବିଷୟରେ ଲିଖିତ ବହିପତ୍ର ପ୍ରଭୃତି ରହିଛି । ବୈଜ୍ଞାନିକଗଣ ରହି ପିଲାମାନଙ୍କୁ ସେସବୁ ବୁଝାଇ ଦେଇଛନ୍ତି । ସେଠାରେ ପିଲାମାନେ ନିର୍ଦ୍ଦିଷ୍ଟ କୌଣସି ପଶୁପକ୍ଷୀ ଉପରେ ରଚନା ବା ଗଳ୍ପ ଲେଖିବା କିମ୍ଵା ଚିତ୍ରାଙ୍କନ କରିବା ପାଇଁ ସୁବିଧା ଯୋଗାଇ ଦିଆଯାଏ ।

 

ପିଲାମାନଙ୍କୁ ବିଭିନ୍ନ ସମୟରେ ଜୀବଜନ୍ତୁମାନଙ୍କ ସମ୍ପର୍କରେ କୌତୂହଳୋଦ୍ଦୀପକ ଚଳଚ୍ଚିତ୍ରମାନ ଦେଖାଇ ଦିଆଯାଏ । ସେମାନଙ୍କୁ ସେଠାରେ ଭାଷଣ ଶୁଣାଇବାର ବ୍ୟବସ୍ଥା ହୁଏ । ମାସକୁ ଥରେ ଶିଶୁକେନ୍ଦ୍ରର କର୍ମଚାରୀଙ୍କ ସହିତ ପିଲାମାନେ ଭିନ୍ନ ଭିନ୍ନ ସ୍ଥାନ ପର୍ଯ୍ୟବେକ୍ଷଣ କରିବାକୁ ଯା’ନ୍ତି । ମୁଁ ବୁଝିଲି ଏଥିରେ ପିଲାମାନଙ୍କୁ ନିଜ ଖର୍ଚ୍ଚ ଦେବା ଛଡ଼ା ଆଉ କିଛି ଚାନ୍ଦା ଦେବାକୁ ହୁଏନାହିଁ । ବରଂ ସେମାନଙ୍କୁ ଚିତ୍ରାଙ୍କନ ଓ ଲେଖାଲେଖି ପାଇଁ କାଗଜପତ୍ର ଆଦି ଯୋଗାଇ ଦିଆଯାଏ ।

 

ଯାଦୁଘରେ ସାନଠାରୁ ବଡ଼ଯାଏ ପୃଥିବୀର ବିଭିନ୍ନ ଜୀବଜନ୍ତୁର ପ୍ରତିରୂପ ଜୀବନ୍ତ ଭାବରେ ରଖାଯାଇଛି । ପ୍ରଥମେ ଏହାର ପ୍ରବେଶ ଦ୍ଵାରରେ ଦଳେ ହାତୀ, ଗଣ୍ଡା, ହିପୋ ପ୍ରଭୃତି ଠିଆ ହୋଇ ଥିବାର ଦେଖାଯାଏ । ଛୁଆ ହାତୀ, ମୂଷା, ଦିନୋସାର୍‍, ପକ୍ଷୀ, ତିମି, ଗରିଲା ପ୍ରଭୃତି ଦେଖିବାକୁ ପିଲାମାନେ ରୁଣ୍ଡ ହୋଇଥାନ୍ତି । ସବୁଠାରୁ ବଡ଼ ୮୪ ଫୁଟ ଉଚ୍ଚ ଦିନୋସାର୍‍ଟି ଭାରି ଆକର୍ଷଣୀୟ । ତା’ର ମସ୍ତବଡ଼ ଦେହରେ ଥିଲା କ୍ଷୁଦ୍ର ମୁଣ୍ଡଟିଏ । କିନ୍ତୁ ଏହି ପ୍ରକାଣ୍ଡ ପ୍ରାଣୀ ପୃଥିବୀର ଜୀବନ ସଂଗ୍ରାମରେ ପରାଜିତ ହୋଇଛି । ବଂଶ ତା’ର ଆଜି ଲୋପ ପାଇଛି । ବଳଠାରୁ ବୃଦ୍ଧି କେତେ ବଡ଼, ଏହି ଦିନୋସାର୍‍ ତା’ର ମୂକସାକ୍ଷୀ ।

 

ଆଉ ଗୋଟିଏ ଘରେ ଏକ ବିରାଟ ନୀଳତିମି ଜୀଅନ୍ତା ଅବସ୍ଥାରେ ଶୋଇଥିବା ପରି ଜଣାଯାଏ । ତା’ର ଲମ୍ବ ୯୦ ଫୁଟ । ପୃଥିବୀର ସବୁଠାରୁ ବଡ଼ ଏହି ପ୍ରାଣୀ ।

 

ଚଢ଼େଇମାନଙ୍କର ଗୋଟିଏ କୋଠରୀ ଯେମିତି ବିରାଟ, ସେମିତି ଲୋଭନୀୟ । ସଜୀବ ରୂପରେ ବିଭିନ୍ନ ପ୍ରକାର ପକ୍ଷୀର ମଡ଼େଲ ରଖାଯାଇଛି । ସେଥିରୁ ଅନେକ ପକ୍ଷୀ ଏବେ ଆଉ ପୃଥିବୀରେ ଦେଖାଯା’ନ୍ତି ନାହିଁ । ପକ୍ଷୀଗୁଡ଼ିକର ବସା ମଧ୍ୟ ପ୍ରାୟ ପ୍ରତ୍ୟେକଙ୍କ ପାଖରେ ରହିଛି । ବସାଗୁଡ଼ିକୁ ତିଆରି କରିବାରେ ସେମାନଙ୍କର ବୁଦ୍ଧିକୁ ପ୍ରଶଂସା ନକରି ରହିହେବନାହିଁ । ଭାରତୀୟ ବୁଣାକାର ପକ୍ଷୀ ବାୟାଚଢ଼େଇର ବସାଟି ସବୁଠାରୁ ଭାରି ଆକର୍ଷଣୀୟ ହୋଇଛି । ଅନେକ ଦର୍ଶକ ସେହି ବସାଟିକୁ ନିରେଖି କରି ଚାହୁଁଥିଲେ ।

 

ବିଭିନ୍ନ ଦୃଶ୍ୟପଟ ଅଙ୍କନ କରାଯାଇଛି । ବାସ୍ତବ ପରିବେଶରେ ବିଭିନ୍ନ ପଶୁପକ୍ଷୀଙ୍କର ଜୀବନ ଓ ଚାଲିଚଳନର ଚିତ୍ରଣ ଅତି ମନୋରମ ହୋଇଛି । କେଉଁଠି ବଡ଼ ଜିରାଫ ଦୁଇଟି ଚାରିଦିନର ଛୁଆଟି ସାଥିରେ ଧରି ବଣର ଗୋଟିଏ ପାଣିଧାର ପାଖରେ ଠିଆ ହୋଇଛନ୍ତି, କେଉଁଠି ବଣ ମଇଁଷି ପିଠିରେ ଗୋଟିଏ ଚଢ଼େଇ ବସି ତା’ ଥଣ୍ଟରେ ଖୁମ୍ପୁଛି, କେଉଁଠି ସମ୍ବର ବା ହରିଣ ଦଳଟିଏ ଜଙ୍ଗଲରେ ଚରୁଛନ୍ତି ।

 

ଲଣ୍ଡନର ଗୋଟିଏ ପ୍ରସିଦ୍ଧ ଯାଦୁଘର ହେଉଛି “ଭିକ୍ଟୋରିୟା ଓ ଆଲବଟ’’ ଯାଦୁଘର । ଏହାର ବିଶେଷ ଆକର୍ଷଣ ହେଲା “ଟିପୁର ବାଘ”। ଏହି ବାଘ କାଠରେ ତିଆରି ଏବଂ ଏହା ଗୋଟିଏ ଭୟଭୀତ ମନୁଷ୍ୟ ଉପରକୁ ଲମ୍ପ ଦେଉଛି । ଏହି ବାଘ କଣ୍ଢେଇ ଦେହରେ ଥିବା ଗୋଟିଏ ବୋତାମ ଟିପି ଦେଲେ ଭୟରେ ମଣିଷ ଚିତ୍କାର କଲାପରି ଶବ୍ଦ ବାହାରେ । ଏହା ୧୭୯୫ ମସିହାରେ ଭାରତର ମହୀଶୂର ରାଜ୍ୟରେ ତିଆରି ହୋଇଥିଲା ବୋଲି ଜାଣିବାକୁ ପାଇଲି । ଏହା ଭାରି ଆଗ୍ରହଉଦ୍ଦୀପକ । ବିଲାତରେ ଓ ପୃଥିବୀର ବିଭିନ୍ନ ଦେଶରେ ବ୍ୟବହୃତ ପୋଷାକପତ୍ର, ହାତହତିଆର, ରାଜାରାଣୀଙ୍କଦ୍ୱାରା ବ୍ୟବହୃତ ନାନାପ୍ରକାର ସୌଖୀନ୍‍ ପଦାର୍ଥ ଏଠାରେ ରଖାଯାଇଛି । ଶିଳ୍ପ ଓ କଳାର ଗନ୍ତାଘର ଏହି ଯାଦୁଘରଟି ତା’ ଭିତରେ ବୁଲି ସବୁ ଦେଖୁଥିଲେ, ଭୋକଶୋଷ ଭୁଲିଯିବାକୁ ହୁଏ ।

ଅତୀତ କାଳରୁ ଆଜିପର୍ଯ୍ୟନ୍ତ ଯୁଦ୍ଧରେ ବ୍ୟବହୃତ ହେଉଥିବା ଅସ୍ତ୍ରଶସ୍ତ୍ର, ଯାନବାହାନ, ପୋଷାକପରିଚ୍ଛଦ, କେତେକ ଯୁଦ୍ଧର ଚିତ୍ରପଟ, ଚଳଚ୍ଚିତ୍ର ଇତ୍ୟାଦି ଗୋଟିଏ “ଯୁଦ୍ଧ ଯାଦୁଘର” ଭିତରେ ରଖାଯାଇଛି । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଦଳ ଦଳ ହୋଇ ଛାତ୍ରଛାତ୍ରୀମାନେ ଆସି ଏହି ଯାଦୁଘର ପରିଦର୍ଶନ କରିଥାନ୍ତି । ଅଭିଜ୍ଞ ଗାଇଡ୍‍ ବା ପଥପ୍ରଦର୍ଶକମାନେ ସାଥିରେ ରହି ସମସ୍ତ ବୁଝାଇ ଦେବାର ମଧ୍ୟ ସୁବିଧା ଥାଏ ।

ପୃଥିବୀର ସମୃଦ୍ଧିଶାଳୀ ଯାଦୁଘରଗୁଡ଼ିକ ମଧ୍ୟରେ ଅନ୍ୟତମ ହେଉଛି “ବ୍ରିଟିଶ ଯାଦୁଘର”-। ବିଲାତରେ ତ ଏହା ସବୁଠାରୁ ବଡ଼ । ଇଟାଲୀ, ଗ୍ରୀସ୍‍, ଇଜିପ୍ଟ, ସିରିଆ, ଭାରତ, ଚୀନ, ଜାପାନ, ପ୍ରଭୃତି ବହୁ ଦେଶର ପ୍ରାଚୀନ ପଦାର୍ଥମାନ ଏଠାରେ ରଖାଯାଇଛି । ଏହି ଯାଦୁଘରଟି ସାଢ଼େ ତିନିଶହ ବର୍ଷ ତଳେ ଜନ୍ମ ନେଇଥିଲା ।

ସାର୍‍ ହଂସ ନାମକ ଜଣେ ସାହେବ ସେତେବେଳେ ବିଲାତର ବଡ଼ ବୈଜ୍ଞାନିକ । ତାଙ୍କର ଖୁବ୍‍ ଆଗ୍ରହ ଥିଲା ବହୁ ବୈଜ୍ଞାନିକ ଓ ପୁରୁଣା ଜିନିଷଗୁଡ଼ିକ ସଂଗ୍ରହ କରିବାରେ । ତାଙ୍କର ମଧ୍ୟ ୫୦ ହଜାର ବହି ଓ ୪ ହଜାର ପାଣ୍ଡୁଲିପି ଥିଲା । ସେତେବେଳର ବିଲାତ ସରକାର ହଂସଙ୍କଠାରୁ ସବୁଜିନିଷପତ୍ର ୨୦ ହଜାର ପାଉଣ୍ଡ ମୂଲ୍ୟରେ କିଣି ନେବାକୁ ଗୋଟିଏ ଲଟେରି ଉଠାଇଥିଲେ । ଏବେ ଯେଉଁ ବ୍ଲୁମ୍‍ସବେରୀଠାରେ ବ୍ରିଟିଶ ଯାଦୁଘର ବିରାଟ ଆୟତନ ଧରି ଦଣ୍ଡାୟମାନ, ସେଠାରେ ପ୍ରାୟ ୩ଶହ ବର୍ଷ ତଳେ ଗୋଟିଏ ଘର କିଣାଯାଇ ଏହି ଯାଦୁଘରଟି ଆରମ୍ଭ ହୋଇଥିଲା । ସେହି ଘରେ ପୁଣି ଏକ ସମୟରେ ମାତ୍ର ୧୫ଜଣ ଲୋକ ପଶି ଦେଖିପାରୁଥିଲେ, ଦିନକୁଦିନ ତା’ର ଆକାର ବଢ଼ି ଏବେ ସେଠାରେ ହଜାର ହଜାର ଲୋକ ଦେଖିପାରୁଛନ୍ତି । ଏବେ ମଧ୍ୟ ସେଠାରେ ବଡ଼ ବଡ଼ ଘର ତିଆରି ଚାଲିଛି ।

ଯାଦୁଘରର ପୁସ୍ତକାଗାର ମଧ୍ୟ ଖୁବ୍ ବଡ଼ ଆକାର ଧାରଣ କରିଛି । ଏଥିରେ ଏବେ ୭୦ଲକ୍ଷ ବହି ଅଛି । କେବଳ ବହି ରଖା ଥାକଗୁଡ଼ିକୁ ପାଖକୁ ପାଖ ସଜାଇ ରଖିଦେଲେ ପ୍ରାୟ ୧୩୦ କିଲୋମିଟର ଲମ୍ବ ହୋଇଯିବ । ବିଲାତରେ ଯେତେ ବହି ଛପାଯାଏ, ସେଥିରୁ ଖଣ୍ଡେ ଲେଖାଁ ଏହି ପୁସ୍ତକାଗାରକୁ ପ୍ରକାଶକମାନେ ପଠାଇବାକୁ ଆଇନ ଅନୁସାରେ ବାଧ୍ୟ । ତେଣୁ ଦିନକୁ ଦିନ ତ ବହିର ସଂଖ୍ୟା ବଢ଼ୁଛି । ଏକ ସମୟରେ ପାଞ୍ଚଶହ ଲୋକ ବସି ପଢ଼ିବା ପାଇଁ ଏଠାରେ ସ୍ଥାନ ରହିଛି । ପ୍ରତିବର୍ଷ ୧୫।୨୦ ହଜାର ଲୋକ ଏହାର ସଭ୍ୟ ହୋଇ ବହି ଧାର ନିଅନ୍ତି । ପୃଥିବୀର ବହୁ ବଡ଼ ଲୋକ ଏହି ପୁସ୍ତକାଗାରରୁ ବହି ନେଇ ପାଠ କରିଛନ୍ତି ।

ଏହି ବ୍ରିଟିଶ ଯାଦୁଘରର ବହୁ ବିଶେଷ ଆକର୍ଷଣ ମଧ୍ୟରେ ମିଶର ଦେଶର ପ୍ରାଚୀନ କଳା, ବିଜ୍ଞାନ ଓ କାରୁକାର୍ଯ୍ୟ ପ୍ରଧାନ । ସେ ଦେଶର ବିଭିନ୍ନ ପିରାମିଡ଼୍‍ ବା କବରରୁ ମିଳିଥିବା ପ୍ରାଚୀନ ପଦାର୍ଥମାନ ଖୁବ୍‍ ଚିତ୍ତାକର୍ଷକ । ଖ୍ରୀଷ୍ଟଜନ୍ମର ହଜାର ହଜାର ବର୍ଷ ପୂର୍ବରୁ ମିଶରର ଲୋକମାନେ ବ୍ୟବହାର କରୁଥିବା ଆସବାବପତ୍ର, ଅଳଙ୍କାର, ପୋଷାକ, ରାଜାରାଣୀ, ଦେବଦେବୀ ପ୍ରଭୃତିର ପ୍ରତିମୂର୍ତ୍ତି ଖୁବ୍‍ ଦର୍ଶନୀୟ । ଏହି ପ୍ରାଚୀନ କାଳର ଜଣେ ମୃତବ୍ୟକ୍ତିର ଶବକୁ ତତଲା ବାଲୁକା ଶଯ୍ୟା ଉପରେ ରଖାଯାଇ ଥିବାର ଦେଖିବାକୁ ମିଳେ । ପ୍ରାୟ ପାଞ୍ଚ ହଜାର ବର୍ଷ ତଳର ଉକ୍ତ ଶବଟି ଏହି ଅବସ୍ଥାରେ ଗୋଟିଏ କବର ମଧ୍ୟରେ ରହିଥିଲା । ସେତେବେଳେ ମଧ୍ୟ ମିଶରର ଲୋକମାନେ କେତେ ଯତ୍ନ ଓ କୌଶଳର ସହିତ ମନୁଷ୍ୟ ଓ ପଶୁମାନଙ୍କର ମୃତଶରୀରକୁ କନାପଟାରେ ବାନ୍ଧି ରଖୁଥିଲେ । ଏହାକୁ “ମମି” କୁହାଯାଏ । ଏହି ଯାଦୁଘରେ ଏମିତି ବହୁ ମନୁଷ୍ୟର ମମି ସହିତ ଗୋଟିଏ କୁକୁର, ଗୋଟିଏ ବିଲୁଆ ଓ କେତେକ ବିରାଡ଼ିର ମମି ମଧ୍ୟ ରଖାଯାଇଛି ।

 

ଯାଦୁଘରର ଗୋଟିଏ ପ୍ରଶସ୍ତ କୋଠରୀରେ ବହୁ ବିଖ୍ୟାତ ସାହିତ୍ୟିକ, ଐତିହାସିକ, ବୈଜ୍ଞାନିକ, ସେନାପତି ପ୍ରମୁଖଙ୍କ ହାତଲେଖା ଚିଠିପତ୍ର, ମୁଦ୍ରଣ ଯନ୍ତ୍ରପୂର୍ବକ ହାତରେ ଲେଖା ଓ ବନ୍ଧେଇ ହେଉଥିବା ବିଭିନ୍ନ ସଚିତ୍ର ପାଣ୍ଡୁଲିପି, ଐତିହାସିକ ନଥିପତ୍ର ଇତ୍ୟାଦି ଅତି ଯତ୍ନର ସହିତ ରଖାଯାଇଛି । ଏହିପରି ବହୁ ମୂଲ୍ୟବାନ୍ ଓ ଆଗ୍ରହୋଦ୍ଦୀପକ ପଦାର୍ଥ ଏଠାରେ ଦେଖିବାକୁ ମିଳେ ।

 

ଆମ ଛାତ୍ରାବାସଠାରୁ ଅଳ୍ପ ଦୂରରେ ଗୋଟିଏ ନୂତନ ଧରଣର ଯାଦୁଘର ରହିଥିଲା । ମୁଁ ଏହା ଜାଣିବାକୁ ପାଇ ଦିନେ ଉପରବେଳା ସେଠାକୁ ଗଲି । ତାହା ଗୋଟିଏ ସୁନ୍ଦର ପ୍ରଦର୍ଶନୀ କହିଲେ ଚଳେ । ଏହା ଶ୍ରୀମତୀ ତୁଷୋଙ୍କର ଅନୁଷ୍ଠାନ । ଦେଢ଼ ଶହ ବର୍ଷ ତଳେ ତୁଷୋ ପ୍ୟାରିସରେ ରହୁଥିବା ତାଙ୍କର ଜଣେ ଦାଦାଙ୍କଠାରୁ ମହମରେ କିପରି ବିଭିନ୍ନ ପ୍ରକାର କଣ୍ଢେଇ ବା ମୂର୍ତ୍ତି କରିବାକୁ ହୁଏ, ଶିକ୍ଷା କରିଥଲେ । କ୍ରମେ ଏହି କଳାରେ ସେ ଭାରି ଜଣାଶୁଣା ହୋଇଥିଲେ । ଫରାସୀ ଆନ୍ଦୋଳନ ବେଳେ ତାଙ୍କୁ ହତ୍ୟା କରାଯାଇଥାନ୍ତା । ମାତ୍ର ଏହି ପ୍ରତିଭା ଯୋଗୁଁ ତାଙ୍କ ଜୀବନ ବଞ୍ଚି ଯାଇଥିଲା ।

 

ବିବାହ ପରେ ଶ୍ରୀମତୀ ତୁଷୋ ବିଲାତକୁ ଯାଇଥିଲେ । ସେଠାରେ ବିଭିନ୍ନ ସ୍ଥାନରେ ବୁଲି ସେ ତାଙ୍କର ମହମ ତିଆରି ପ୍ରାୟ ୩୦ଟି ପ୍ରତିମୂର୍ତ୍ତିର ପ୍ରଦର୍ଶନୀ ଦେଖାଉଥିଲେ । ପ୍ରାୟ ୩୩ ବର୍ଷ ଧରି ଏମିତି ସେ ବୁଲି ଓ ସମସାମୟିକ ନେତା, ଅଭିନେତା, ଲେଖକ ଆଉ ବୈଜ୍ଞାନିକମାନଙ୍କର ପ୍ରତିମୂର୍ତ୍ତିମାନ ଗଢ଼ି ସମୟ କଟାଉଥିଲେ ।

 

ଶେଷରେ ୧୮୩୫ ମସିହାରେ ଶ୍ରୀମତୀ ତୁଷୋ ଲଣ୍ଡନରେ ଗୋଟିଏ ସ୍ଥାୟୀ ପ୍ରଦର୍ଶନୀ ଖୋଲିଥିଲେ । ପ୍ରବେଶଦ୍ୱାରରେ ୮୧ ବର୍ଷ ବୟସ ତୁଷୋଙ୍କର ନିଜ ହାତରେ ତିଆରି ନିଜର ପ୍ରତିମୂର୍ତ୍ତି ଦର୍ଶକମାନଙ୍କୁ ସ୍ଵାଗତ କରୁଥିବା ଅବସ୍ଥାରେ ରଖାଯାଇଛି । ପୃଥିବୀର ବହୁ ଜନନାୟକଙ୍କ ସହିତ ବିଲାତର ରାଜାରାଣୀମାନଙ୍କର ଜୀବନ୍ତ ପ୍ରତିମୂର୍ତ୍ତି ଅତି ସୁନ୍ଦର ଦିଶେ । ଇତିହାସର କେତେକ ଅତି ମନଛୁଆଁ ଘଟଣା, ବହୁ ଲୋମହର୍ଷଣକାରୀ ଦୃଶ୍ୟ ଅତି ବାସ୍ତବ ରୂପରେ ମହମ ମୂର୍ତ୍ତି ମଧ୍ୟରେ ଫୁଟି ଉଠିଛି । ଆମ ଦେଶର ଗାନ୍ଧିଜୀ, ନେହେରୁ ପ୍ରମୁଖ ନେତାମାନଙ୍କ ମୂର୍ତ୍ତି ମଧ୍ୟ ଏଠାରେ ରଖାଯାଇଛି ।

 

ଏହିସବୁ ଯାଦୁଘର ବ୍ୟତୀତ ଜାତୀୟ କଳା ଗ୍ୟାଲେରୀ, ଟେଟେ ଗ୍ୟାଲେରୀ ପ୍ରଭୃତିର ପୃଥିବୀର ବହୁ ପ୍ରସିଦ୍ଧ ଶିଳ୍ପୀ ଓ ଚିତ୍ରକାରଙ୍କର ସୁନ୍ଦର ଚିତ୍ରମାନ ରଖାଯାଇଛି । ବିଭିନ୍ନ ରଙ୍ଗରେ ଜୀବନ ଓ ପ୍ରକୃତିର ରୂପ କେତେ ଜୀବନ୍ତ ଭାବରେ ଅଙ୍କିତ ହୋଇଛି । କଳାର ‘ଅପସରା ଭୁବନ’ ପରି ତାହା ହୋଇଛି ।

 

ଏହି ଯାଦୁଘର, ପ୍ରଦର୍ଶନ ଓ ଗ୍ୟାଲେରୀଗୁଡ଼ିକ କେଡ଼େ ଯତ୍ନର ସହିତ ସୁରକ୍ଷିତ ହୋଇଛି ! ସବୁଠାରେ କେଡ଼େ ଶୃଙ୍ଖଳା ଓ ପରିଚ୍ଛନ୍ନତା ! ଦର୍ଶକମାନଙ୍କୁ ଦେଖାଇବାରେ ଯେମିତି ସମସ୍ତ କର୍ମଚାରୀ ବ୍ୟାକୁଳ ! ଏହିସବୁ ଯାଦୁଘର ମୂଲ୍ୟବାନ ଜାତୀୟ ସମ୍ପତ୍ତି ଭାବରେ ସମସ୍ତଙ୍କ ଆଦରର ଧନ । କାହାର ତା’ପ୍ରତି ହତାଦର ନାହିଁ । କେହି କୌଣସି ପଦାର୍ଥରେ ହାତ ମାରିବା ଦେଖାଯାଏ ନାହିଁ । ଧାଡ଼ି ଧରି ଜଣଙ୍କ ପରେ ଜଣେ ଯାଇ ପ୍ରତ୍ୟେକ ଜିନିଷକୁ ଦେଖିବାରେ କେଡ଼େ ଆଗ୍ରହ, କେତେ ନିଷ୍ଠା ! ନିଜେ ଦେଖି ଶିଖିବା ଓ ଅନ୍ୟକୁ ଦେଖାଇ ଶିଖାଇବାରେ ସେଇ ଦେଶର ପିଲାଠାରୁ ବଡ଼ଯାଏ, ସମସ୍ତେ ଯେମିତି ଅଭ୍ୟସ୍ତ ଓ ଅନୁରକ୍ତ !

★★★

 

Unknown

ପୋଷା ପଶୁପକ୍ଷୀଙ୍କ ଘର

 

ବଡ଼ଦିନ ଛୁଟି ଭିତରେ ଥରେ ମୁଁ ସିଙ୍ଗାପୁରର ଜଣେ ଚୀନା ବନ୍ଧୁଙ୍କ ସହିତ ‘ଲଣ୍ଡନ ଚିଡ଼ିଆଖାନା’ (London zoo) ଦେଖିବାକୁ ଯାଇଥିଲି । ସେଦିନ ଫିରି ଫିରି ବର୍ଷା ସାଥିରେ ଟିକି ଟିକି ତୁଳା ପରି ବରଫ ଝଡ଼ି ପଡ଼ୁଥିଲା । ତଳେ ପଡ଼ି ସେହି ବରଫ ମିଳାଇ ଯାଉଥିଲା । ତାରି ଭିତରେ ଆମେ ଚାଲି ଚାଲି ଚିଡ଼ିଆଖାନା ପର୍ଯ୍ୟନ୍ତ ଗଲୁ । ଫାଟକ ପାଖରେ ଦେଖିଲୁ ପଞ୍ଝାଏ ଗଧିଆ ସେମାନଙ୍କର ଉଷୁମ କୋରଡ଼ରୁ ବାହାରି ଅଳସ ଭାଙ୍ଗୁଛନ୍ତି । କେଡ଼େ କେଡ଼େ ସେଗୁଡ଼ାକ ହୋଇଥାନ୍ତି ! ହାଇ ମାରିଲେ ଭୀଷଣ ଦୁର୍ଗନ୍ଧ ଉକୁଟି ଉଠୁଥାଏ ।

 

ଟିକେଟ୍ ଖଣ୍ଡିଏ ଲେଖାଁ କରି ଆମେ ଚିଡ଼ିଆଖାନା ଭିତରକୁ ପଶିଲୁ । କେତେ ବଡ଼ ତା’ର ପରିସର । ଏ ମୁଣ୍ଡରୁ ସେମୁଣ୍ଡକୁ ଆଖି ପାଉନଥାଏ । ଜାଣିବାକୁ ପାଇଲି ଚିଡ଼ିଆଖାନାଟିର ମୋଟ ଆୟତନ ୩୬ ଏକର । ଅବଶ୍ୟ ଜୀବଜନ୍ତୁଙ୍କ ବସା ଛଡ଼ା ଏଥିଭିତରେ କର୍ମଚାରୀମାନଙ୍କର ଘରଦ୍ଵାର ଓ ବାଡ଼ିବଗିଚା ମଧ୍ୟ ରହିଛି । ଚିଡ଼ିଆଖାନାଟିକୁ ଅତି ଆଧୁନିକଧରଣର ଓ ସୁନ୍ଦର ସ୍ଥାନଟିଏ କରିବାକୁ ସର୍ବଦା ଉଦ୍ୟମ ଚାଲିଛି । ଚିଡ଼ିଆଖାନାରେ ରହୁଥିବା ପ୍ରାଣୀମାନଙ୍କ ସଂଖ୍ୟା ପ୍ରାୟ ୭ ହଜାର । ଏହି ସଂଖ୍ୟା ଭିତରେ ଅବଶ୍ୟ ପଶୁପକ୍ଷୀ, ମାଛ, ସାପଙ୍କ ଛଡ଼ା ଅନ୍ୟାନ୍ୟ କୀଟପତଙ୍ଗ ନାହାନ୍ତି ।

 

ଚିଡ଼ିଆଖାନାର ଏହି ବଡ଼ ପରିବାରଟିକୁ ଚଳାଇବା ପାଇଁ ବର୍ଷକୁ ୪୫ ହଜାର ପାଉଣ୍ଡ ବା ୯ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ । ବର୍ଷ ସାରା ରୀତିମତ କିଣାଯାଉଥିବା ଜିନିଷପତ୍ରର ନାମ ଓ ପରିମାଣ ଶୁଣି ମୁଁ ତାଟକା ହୋଇଗଲି । ନଡ଼ା ପ୍ରଭୃତି ୨୦୦ ଟନ, ମାଂସ ୯୦ ଟନ, ଅଣ୍ଡା ୫୦ ହଜାରଟି, ଦୁଧ ୧୫,୦୦୦ ଲିଟର, କଦଳୀ ୪୧ ହଜାରଟି, ବିଲାତି ବାଇଗଣ ୩ ହଜାର, ବନ୍ଧାକୋବି ୩୦ କୁଇଣ୍ଟାଲ ଇତ୍ୟାଦି । ଏହିସବୁ ପଦାର୍ଥ ପୁଣି ତଟକା ଆଉ “ମନୁଷ୍ୟର ଖାଇବା ଉପଯୋଗୀ” ହୋଇଥିବା ଦରକାର ।

 

ପୁଣି ଅନେକ ପ୍ରକାର ଜୀବଜନ୍ତୁଙ୍କ ପାଇଁ କେତେକ ବିଶେଷ ଧରଣର ଖାଦ୍ୟ ଲୋଡ଼ା । ଉଦାହରଣ ସ୍ୱରୂପ, କେତେକ ପାଟଳ ରଙ୍ଗର ପରଥିବା ପକ୍ଷୀଙ୍କୁ ପ୍ରତିଦିନ ଗୋଟିଏ ପ୍ରକାର ରାସାୟନିକ ପଦାର୍ଥ ମିଶିଥିବା ଖାଦ୍ୟ ଦେବା ଦରକାର । ନଚେତ୍‍ ସେମାନଙ୍କ ପର ଧଳା ପାଲଟିଯାଏ । ସେଥିପାଇଁ ସେଇ ଚଢ଼େଇମାନଙ୍କୁ ବଡ଼ ଚିଙ୍ଗୁଡ଼ି ପ୍ରଭୃତି ଯେଉଁଥିରେ ପ୍ରଚୁର ପରିମାଣରେ ଏଇ ରାସାୟନିକ ପଦାର୍ଥ ଥାଏ, ଖାଇବାକୁ ଦିଆଯାଏ । ପିମ୍ପୁଡ଼ିଖିଆ (Ant-eaters) ଜୀବଗୁଡ଼ିକୁ ପ୍ରତିଦିନ ଯଥେଷ୍ଟ ସଂଖ୍ୟାରେ ପିମ୍ପୁଡ଼ି ସଂଗ୍ରହ କରିଦେବା ଗୋଟିଏ ସମସ୍ୟା । ତେବେ ମାଂସକୁ ଗୁଣ୍ଡ ଗୁଣ୍ଡ କରି ଦୁଧ ଓ ଅଣ୍ଡାରେ ଗୋଳାଇ ସେମାନଙ୍କୁ ଦିଆଯାଏ । ଏହାଦ୍ଵାରା ପିମ୍ପୁଡ଼ିଖିଆର ଖାଦ୍ୟ ସମସ୍ୟାର ସମାଧାନ କରାଯାଏ । ସେମିତି ଚିଚି ନାମକ ଏକ ଦୁର୍ଲଭ ପଶୁ । ସାରା ପୃଥିବୀରେ ଆଦୌ ୪।୫ଟି ଅଛନ୍ତି ବୋଲି ଜଣାଯାଏ । ତା’ପାଇଁ ପ୍ରତିଦିନ ତଟକା ବାଉଁଶ କରଡ଼ି ଦରକାର । ତାକୁ ମଧ୍ୟ ଭାତ, ସିଝା କୁକୁଡ଼ା ମାଂସ, ଦୁଧ, ଅଣ୍ଡା, ଫଳ, ଭିଟାମିନ୍‍ ବଟିକା ପ୍ରଭୃତି ଦିଆଯାଏ । କାରଣ ଚିଚି ହେଉଛି ଲଣ୍ଡନ ଚିଡ଼ିଆଖାନାର ବିଶେଷ ଆକର୍ଷଣ । ତା’ର ଯତ୍ନ ନେବାରେ ସମସ୍ତଙ୍କର ମୁଣ୍ଡ ବଥାଏ । ତା’ର ଦେହ ଟିକିଏ ଅସୁସ୍ଥ ହେଲେ ବିଲାତର ବଡ଼ ପଶୁ ଡାକ୍ତରଙ୍କୁ ଚିକିତ୍ସା ପାଇଁ ଅଣାଯାଏ ।

 

ଚିଡ଼ିଆଖାନାର ସବୁଠୁଁ ମଜାସ୍ଥାନଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା “ଚନ୍ଦ୍ରାଲୋକ ମହଲ”-। ଏଠାରେ ଆଲୋକ ବ୍ୟବସ୍ଥା ଦ୍ୱାରା ଦିନକୁ ରାତି ଓ ରାତିକୁ ଦିନରେ ପରିଣତ କରାଯାଏ-। ଫଳରେ ନିଶାଚର ପ୍ରାଣୀମାନଙ୍କୁ ଏଠି ଗତିରେ ବିଚରଣ କରୁଥିବାର ଦେଖାଯାଏ । ଯେଉଁ ପ୍ରାଣୀମାନେ ଦିନରେ ଆଖି ଆଢ଼ୁଆଳରେ ରହନ୍ତେ ବା ନିଦରେ ଢୁଳାନ୍ତେ, ସେମାନେ ଏହି ମହଲରେ ଥିବାରୁ ରାତିରେ ବିଶ୍ରାମ ନେଇ ଦିନରେ ଦର୍ଶକମାନଙ୍କୁ ସେମାନଙ୍କର ଲୀଳାଖେଳା ଦେଖାନ୍ତି ।

 

ଏଠାରେ ଆକର୍ଷଣୀୟ ଜନ୍ତୁଙ୍କ ଭିତରେ ଜିରାଫ ପ୍ରଧାନ । ସେ ପୃଥିବୀର ଡେଙ୍ଗା ପ୍ରାଣୀ-। ଏହାର ଉଚ୍ଚତା ପ୍ରାୟ ୧୫ ଫୁଟ । ଏହାର ବେକ ଖୁବ୍ ଲମ୍ବା । କିନ୍ତୁ ଏଥିରେ ମାତ୍ର ଆଠୋଟି ଗଣ୍ଠି ଥାଏ । ଅଥଚ ସାମାନ୍ୟ ଘର ଚଟିଆ ଚଢ଼େଇର ଛୋଟ ବେକରେ ଚଉଦଟି ଗଣ୍ଠି ଥାଏ-। ସେମିତି ଗଣ୍ଡାରଗୁଡ଼ିକୁ ଦେଖିବାର କଥା ।

 

ପୃଥିବୀରେ ଯେତେ ପ୍ରକାର ମାଙ୍କଡ଼ ଦେଖାଯା’ନ୍ତି, ସବୁପ୍ରକାର ସେଠାରେ ରୁଣ୍ଡ । ଧଳା, କଳା, କଷରା, ଲମ୍ବ ଲାଙ୍ଗୁଳିଆ, ଛୋଟ ଲାଙ୍ଗୁଳିଆ, ଅଲାଙ୍ଗୁଳିଆ ଇତ୍ୟାଦି । ବିଭିନ୍ନ ରଙ୍ଗର ଓ ପ୍ରକାରର ସେମାନେ । ଏସବୁ ଭିତରେ ସମସ୍ତଙ୍କ ଦୃଷ୍ଟି ପଡ଼େ ଗୋଟିଏ ଗରିଲା ବା ବଣ ମଣିଷ ଉପରେ । ଆକାର ତା’ର ଖୁବ୍‍ ବଡ଼ । ଓଜନ ତା’ର ପ୍ରାୟ ଅଢ଼େଇ କୁଇଣ୍ଟାଲ । ଚାଲି ଚାଲି ସେ ତା’ର ଘର ଭିତରେ ବୁଲୁଥାଏ । ଦର୍ଶକମାନଙ୍କୁ ଦେଖି ସେ କେତେବେଳେ ହସି ଦିଏ । କେତେବେଳେ ରାଗି ଦାନ୍ତ ଦେଖାଏ । ଥରେ ଥରେ କେତେପ୍ରକାର ଅବୁଝା ଶବ୍ଦ କରେ ।

 

ଚିଡ଼ିଆଖାନା ଭିତରେ କେତେକ ସ୍ଥାନରେ ଗୋଟିଏ ଲେଖା କଥାକୁହା ଯନ୍ତ୍ର ଥାଏ । କିଛି ପଇସା ଦେଇ ଅଫିସରୁ ଗୋଟିଏ ଚାବି ଆଣିବାକୁ ହୁଏ । ସେସବୁ କଥାକୁହା ଯନ୍ତ୍ରକୁ ସେଇ ଚାବିରେ ମୋଡ଼ିଦେଇ କାନ ପାଖରେ ଧରିଲେ ସେଠାରେ ଯେଉଁ ପଶୁପକ୍ଷୀ ଥାଏ, ତା’ ସମ୍ପର୍କରେ ବହୁକଥା ଶୁଣିବାକୁ ମିଳେ । ସେ କେଉଁଠୁ ଆସିଲା, କିପରି ଚଳେ, କ’ଣ ଖାଏ ପ୍ରଭୃତି ଏଥିରୁ ଜାଣିହୁଏ ।

 

ଲଣ୍ଡନ ଚିଡ଼ିଆଖାନାର ଗୋଟିଏ କୋଣରେ “ପିଲାମାନଙ୍କର ଚିଡ଼ିଆଖାନା” ନାମରେ ଏକ ଅଲଗା ଜାଗା ଥାଏ । ସେଠାରେ ତୁମେ ଅତିପାଖରେ ପୋଷାଜନ୍ତୁ ଓ ଚଢ଼େଇମାନଙ୍କୁ ଦେଖିପାରିବ । ଆଉମଧ୍ୟ କିଛି ପଇସା ଦେଲେ ତଟୁଘୋଡ଼ା ଓ ଛୋଟ ଗଧ ଉପରେ ବସାଇ ପିଲାମାନଙ୍କୁ ବୁଲାଇ ଦିଆଯାଏ । ପିଲାଙ୍କ ଚିଡ଼ିଆଖାନା ଭିତରକୁ ଯିବାପାଇଁ ଅଲଗା ଟିକେଟ୍‍ କିଣିବାକୁ ହୁଏ । କେତେକ ପିଲା ମଧ୍ୟ ଓଟ ପିଠିରେ ବସି ଛାତିଫୁଲାଇ ବୁଲନ୍ତି ।

 

ବର୍ଷାକାକର ହେଲେ ଚିଡ଼ିଆଖାନା ପଶୁପକ୍ଷୀମାଙ୍କର କିଛି ଯାଏ ଆସେ ନାହିଁ । ସେମାନେ ଆରାମରେ ଘର ଭିତରେ ରହିଥାନ୍ତି । ଏମିତିକି ହାତୀ ପ୍ରଭୃତି କେତୋଟି ଜନ୍ତୁ ଗାଧୋଇ ହେବା ପାଇଁ ସେମାନଙ୍କ ଘରେ ଉଷୁମ ପାଣିର ବ୍ୟବସ୍ଥା ହୋଇଥାଏ । ଚିମ୍ପାଞ୍ଜିମାନଙ୍କୁ ଅନେକ ସମୟରେ ଚା’ ପିଇବାକୁ ଦିଆଯାଏ । ସ୍ଵାସ୍ଥ୍ୟ ଦୃଷ୍ଟିରୁ ସିଂହମାନଙ୍କୁ ବୁଧବାର ଦିନ ଆଦୌ ଖାଇବାକୁ ଦିଆଯାଏ ନାହିଁ ଏବଂ ସାପମାନଙ୍କୁ ସପ୍ତାହରେ କେବଳ ଥରେ ମାତ୍ର ଖାଇବାକୁ ଦିଆଯାଏ ।

 

ପିଲାମାନଙ୍କ ପାଇଁ ସେଠାରେ କେତେକ କ୍ଲବ ଅଛି । ଏଥିରେ ସଭ୍ୟହେଲେ ଚିଡ଼ିଆଖାନାରେ ଜୀବଜନ୍ତୁଙ୍କ କଥା ଅଧିକ ଜାଣିବା, ଦେଖିବା, ଲେଖାଲେଖି କରିବା ଓ ଚିତ୍ରାଙ୍କନ କରିବାରେ ସୁବିଧା ଦିଆଯାଏ । ମାଗଣାରେ ସେମାନଙ୍କୁ ଚିଡ଼ିଆଖାନା ଦେଖିବା ପାଇଁ ବର୍ଷକୁ ୬ଥର ଛାଡ଼ ଦିଆଯାଏ । ଚିଡ଼ିଆଖାନା ତରଫରୁ ବାହାରୁଥିବା ଗୋଟିଏ ପତ୍ରିକା ଓ ଗୋଟିଏ ବ୍ୟାଜ ସେମାନଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯାଏ । ସେମାନଙ୍କ ପାଇଁ କେତେପ୍ରକାର ଶିକ୍ଷଣୀୟ ପ୍ରତିଯୋଗିତା କରାଯାଏ, ବକ୍ତୃତା ଦାନର ବ୍ୟବସ୍ଥା ହୁଏ, ଆଉ ସୁନ୍ଦର ଚଳଚ୍ଚିତ୍ର ଦେଖାଇ ଦିଆଯାଏ-। ଆମର “ନନ୍ଦନ କାନନ” ପ୍ରଭୃତି ସ୍ଥାନରେ ଏସବୁ ସୁବିଧା ମିଳିଲେ କେତେ ଭଲ ହୁଅନ୍ତା-?

★★★

 

ପର୍ବ ପର୍ବାଣି ଓ ମେଳା ମହୋତ୍ସବ

 

ଦୁନିଆସାରା କି ପିଲା କି ବଡ଼ ସଭିଏଁ ପର୍ବପର୍ବାଣିକୁ ଚାହିଁ ରହିଥାନ୍ତି । ଭାରତ ପରି ଯେଉଁ ଦେଶରେ ବର୍ଷସାରା ପର୍ବପର୍ବାଣି ଲାଗି ରହିଥାଏ, ସେଠାରେ ଯଦି ଆମେ ଆଗ୍ରହରେ ପୁନିଅଁ ପରବକୁ ଅପେକ୍ଷା କରୁଁ, ବିଲାତ ପରି ଯେଉଁ ଦେଶରେ ବର୍ଷକ ଭିତରେ ମୋଟେ ଚାରି ପାଞ୍ଚୋଟି ପର୍ବ ପଡ଼େ, ସେଠାରେ ଲୋକମାନେ କେଡ଼େ ଉତ୍କଣ୍ଠାରେ ସେଗୁଡ଼ିକୁ ଚାହିଁ ନରହିବେ ? ପୁଣି ସବୁ ପର୍ବ ମଧ୍ୟରେ ବଡ଼ଦିନଟି ସେମାନଙ୍କର ଅତି ପବିତ୍ର ଓ ପ୍ରିୟ । ତେଣୁ ବଡ଼ଦିନ ପର୍ବ ପୂର୍ବରୁ ଲୋକମାନଙ୍କ ମନରେ ଖୁବ୍‍ ଜାଗରଣ ଓ ଉତ୍ସାହ ଖେଳିଯାଏ । ଦୋକାନବଜାରରେ ଆଗରୁ ସଜାସଜି ଆରମ୍ଭ ହୋଇଯାଏ । ଗ୍ରାହକମାନଙ୍କ ମନ କିଣିବା ପାଇଁ ସବୁରି ଚେଷ୍ଟା ଚାଲିଥାଏ ।

 

ଆମେ ଭାରତରେ ବଡ଼ଦିନର ଏମିତି ଉଷ୍ମତା କେତେବେଳେ ଅନୁଭବ କରୁନାହିଁ । ମୁଁ ଖାଲି ଏତିକି ଜାଣିଥାଏ ଯେ, ପ୍ରାୟ ଦୁଇହଜାର ବର୍ଷ ତଳେ ଡିସେମ୍ବର ୨୫ ତାରିଖର ଏଇ ପୁଣ୍ୟ ଦିନରେ ପାଲେଷ୍ଟାଇନ୍‍ର ଗୋଟିଏ ଗାଁରେ ଜଣେ ଗରିବ ମେଣ୍ଢାଜଗାଳିର ଘରେ ପିଲାଟିଏ କୁଆଁ କୁଆଁ କରିଥିଲା । ଏଇ ପିଲା ବଡ଼ ହୋଇ ଯିଶୁ ଖ୍ରୀଷ୍ଟ ନାମରେ ପରିଚିତ ହେଲେ । ସେତେବେଳେ ସେଇ ସମାଜରେ ପୂରି ରହିଥିବା ଅନ୍ୟାୟ ଅତ୍ୟାଚାର ଆଉ ଅନ୍ଧବିଶ୍ୱାସ ବିରୁଦ୍ଧରେ ସେ ଆନ୍ଦୋଳନ କରିଥିଲେ । ଫଳରେ ଶାସକମାନେ ତାଙ୍କ ଦେହରେ କଣ୍ଟା ମାରି ହତ୍ୟା କରିଥିଲେ । ଯିଶୁଙ୍କଠାରୁ କିନ୍ତୁ ଜନ୍ମ ନେଲା ଗୋଟିଏ ଧର୍ମ, ଯାହା ଖ୍ରୀଷ୍ଟଧର୍ମ ନାମରେ ସାରା ଜଗତରେ ଜଣାଶୁଣା ହେଲା ।

 

ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶରେ ଖ୍ରୀଷ୍ଟଧର୍ମ ପ୍ରସାର ଲାଭ କରିଛି । ବିଶେଷତଃ ୟୁରୋପ, ଆମେରିକା ପ୍ରଭୃତି ମହାଦେଶରେ ଅନେକ ଲୋକ ଖ୍ରୀଷ୍ଟଧର୍ମାବଲମ୍ବୀ ହୋଇଥିବାରୁ ବଡ଼ଦିନ ପର୍ବଟି ବଡ଼ ଜାକଜମକରେ ପାଳିତ ହୁଏ । ଆମେ ଦୋଳ, ଦଶ’ରା, ଦୀପାବଳି ପ୍ରଭୃତି ପର୍ବଗୁଡ଼ିକରେ ଯେମିତି ନୂଆ ଲୁଗାପଟା ପିନ୍ଧୁ, ଭଲ ଖାଦ୍ୟ ଖାଉଁ, ନିଜ ବନ୍ଧୁବାନ୍ଧବ, ସାଙ୍ଗସାଥୀମାନଙ୍କୁ ବିଭିନ୍ନ ଉପହାର ଦେଉଁ, ବଡ଼ଦିନ ପର୍ବରେ ବିଲାତର ଲୋକମାନେ ସେମିତି ସବୁ କରନ୍ତି । କିନ୍ତୁ ଆପଣାର ଲୋକମାନଙ୍କୁ ଉପହାର ଦେବାରେ ସେମାନେ ଖୁବ୍‍ ବ୍ୟସ୍ତ ହୋଇ ପଡ଼ନ୍ତି । ଏମିତିକି ପରିବାର ଭିତରେ ମାଆ ପୁଅକୁ, ପୁଅ ମାଆକୁ, ବାପ ପୁଅକୁ, ପୁଅ ବାପାଙ୍କୁ, ସ୍ତ୍ରୀ ପୁରୁଷକୁ, ପୁରୁଷ ସ୍ତ୍ରୀକୁ, ଭାଇ ଭଉଣୀକୁ ଆଉ ଭଉଣୀ ଭାଇକୁ ଉପହାର ଦିଅନ୍ତି । ମାସେ ଦୁଇମାସ ଆଗରୁ ଦୋକାନବଜାରରେ ଗହଳି ଲାଗିଯାଏ । ପ୍ରିୟଜନମାନଙ୍କୁ ପୋଷାକପତ୍ରଠାରୁ ସୌଖୀନ ଜିନିଷମାନ କିଣି ଉପହାର ଦେବାରେ ସେମାନେ ମଜ୍ଜି ରହନ୍ତି । ଶୁଭେଚ୍ଛା ଜଣାଇ ପତ୍ରମାନ ପଠାଇବା ତ ସାଧାରଣ କଥା । ସେତେବେଳେ ଡାକଘରଗୁଡ଼ିକରେ ଚିଠିପତ୍ର ଓ ପାର୍ସଲର ସଂଖ୍ୟା ଚାରି ପାଞ୍ଚଗୁଣ ହୋଇଯାଏ । ଡାକ ବିଭାଗ ଏତେ ଅଧିକ କାମ ତୁଲାଇବା ପାଇଁ ଅସ୍ଥାୟୀ ଭାବରେ କର୍ମଚାରୀ ନିଯୁକ୍ତ କରନ୍ତି ।

 

ବଡ଼ଦିନ ବା ଖ୍ରୀଷ୍ଟମାସରେ ପିଲାମାନଙ୍କର ସବୁଠୁଁ ମଜା ବେଶୀ । ଏହି ପର୍ବରେ ସେମାନେ ବାପାମାଆଙ୍କଠାରୁ ଆରମ୍ଭ କରି ବନ୍ଧୁବାନ୍ଧବଙ୍କ ପର୍ଯ୍ୟନ୍ତ ବହୁ ଲୋକଙ୍କଠାରୁ ଉପହାରମାନ ପା’ନ୍ତି । ତେଣୁ ପିଲାମାନେ ଏହି ଦିନଟିକୁ ବଡ଼ ଆଗ୍ରହରେ ଚାହିଁ ରହିଥାନ୍ତି । ସେମାନେ ୨।୩ ଦିନ ଆଗରୁ ଘରଦ୍ଵାର ସଜାସଜି କରିବାରେ ଲାଗି ପଡ଼ନ୍ତି । ପ୍ରାୟ ପ୍ରତ୍ୟେକଙ୍କ ଘରେ “ଖ୍ରୀଷ୍ଟମାସ୍‍ ଗଛ” ଶୋଭାପାଏ । ପାଇନ୍‍ ଗଛର ଡାଳ ବାଡ଼ି, ଅଗଣା ବା ଘର ଭିତରେ ପୋତି ବା ଠିଆ କରି ସେଥିରେ ନାନା ରଙ୍ଗର ବିଜୁଳିବତୀ ଖଞ୍ଜି ଦିଅନ୍ତି । “ଫାଦର ଖ୍ରୀଷ୍ଟମାସ” ନାମରେ ଗୋଟିଏ ବୁଢ଼ାଲୋକର ମୂର୍ତ୍ତି ଗଢ଼ି ଉଠେ । ତା’ର ମୁହଁରେ ଛାତିକୁ ଲମ୍ବିଥିବା ଧୋବ ଫରଫର ଦାଢ଼ି । ଥରେ ଥରେ ସତରେ ଜଣେ ବୁଢ଼ା ମଧ୍ୟ ଏହି ରୂପ ଧରି ଘରେ ବିଜେ ହୁଅନ୍ତି । ଫାଦର ଖ୍ରୀଷ୍ଟମାସ ବା ବଡ଼ଦିନ ବାପାଙ୍କୁ “ସାନ୍ତାକ୍ଲସ” ମଧ୍ୟ କୁହାଯାଏ ।

 

ଏହି ବୁଢ଼ା ସାନ୍ତାକ୍ଲସ ପିଲାମାନଙ୍କର ଭାରି ଆଦରର I କାରଣ ସେମାନଙ୍କର ବିଶ୍ୱାସ ଯେ ବଡ଼ଦିନ ଉତ୍ସବରେ ସେମାନେ ଯେଉଁସବୁ ଉପହାର ପା’ନ୍ତି, ସେସବୁ ସାନ୍ତାକ୍ଲସ ଆଣି ବଡ଼ଦିନ ପୂର୍ବ ରାତିରେ ଏଇ ଖ୍ରୀଷ୍ଟମାସ ଗଛରେ ଝୁଲାଇ ଦିଅନ୍ତି । ରାତିରେ ପିଲାମାନଙ୍କର ନିଦ ପତଳା ହୋଇ ଆସେ । ରାତି ପାହୁ ପାହୁ ହାଡ଼ଭଙ୍ଗା ଶୀତକୁ ଖାତିର ନକରି ସେମାନେ ଉଷୁମ ଶେଯରୁ ଉଠି ସେଇ ବଡ଼ଦିନ ଗଛ ଆଡ଼କୁ ଧା’ନ୍ତି । ସେମାନେ ସେହି ଗଛରୁ ଝୁଲୁଥିବା ନିଜ ନିଜର ଉପହାରମାନ ସାଉଁଟି ନିଅନ୍ତି । ଉପହାରମାନ ପାଇ ସମସ୍ତେ ଖୁସି । କାହାର ଖରାପ ହେଲା ବୋଲି କହିବାକୁ ନାହିଁ । ବାପା ମା’ଙ୍କୁ ଦୋଷ ଦେବାତ ଦୂରର କଥା ! କାରଣ ସେମାନେ ଭାବନ୍ତି ଯେ ବଡ଼ଦିନ ବାପା ବା ସାନ୍ତାକ୍ଲସ ଯାହା ତା’ର ପାଇବା କଥା ତାକୁ ଦେଇଛନ୍ତି । ସେ ତେଣୁ କହିବ କାହାକୁ ?

 

ଉପହାର ସାଥିକୁ ପିଲାମାନଙ୍କର ଆହୁରି ମଜା ହେଲା ପ୍ରଚୁର ପିଠାପଣା, କ୍ଷିରିପୁରି, କେକ୍‍ ପୁଡ଼ିଙ୍ଗ, ମାଛ ମାଂସ ତରକାରୀ । ସେତେବେଳେ କୁକୁଡ଼ା ଓ କୁକୁଡ଼ା ଜାତୀୟ ଟର୍କୀ ପକ୍ଷୀର ଚାହିଦା ଖୁବ୍‍ ବଢ଼ିଯାଏ । ଖ୍ରୀଷ୍ଟମାସ ଦିନ ପ୍ରତ୍ୟେକଙ୍କ ଘରେ ଯେଉଁ ବିଶେଷ ରାତ୍ରି ଭୋଜନର ବ୍ୟବସ୍ଥା ହୋଇଥାଏ, ସେଥିରେ ସାଧାରଣତଃ ବିଜୁଳିବତୀ ଜଳେ ନାହିଁ । ସମସ୍ତଙ୍କ ଘରେ ସେହି ଭୋଜନବେଳାରେ ମହମବତୀ ଜଳି ଉଠେ ।

 

ଆମର ଦୋଳ ଦଶ’ରା ଦିନ ଯେମିତି ଧୋବା, ଭଣ୍ଡାରୀ ପ୍ରଭୃତି ଯେଉଁମାନେ ଆମଙ୍କୁ ନାନା ଦିଗରେ ସାହାଯ୍ୟ କରନ୍ତି, ସେମାନଙ୍କୁ ବକ୍ସିସ୍‍ ଦେଉ, ବଡ଼ଦିନ ବାସି ଡିସେମ୍ବର ୨୬ ତାରିଖ ଦିନ ସେମିତି ବଡ଼ ବଡ଼ ଜମିଦାର, ଧନୀ ବ୍ୟବସାୟୀମାନେ ସେମାନଙ୍କର ତଳିଆ ଲୋକମାନଙ୍କୁ ବିକ୍ସିସ୍‍ ଦିଅନ୍ତି । ଆଗେ ଗୋଟିଏ ବାକ୍ସ ଧରି ଏହି ବାକ୍ସିସ୍‍ ସଂଗ୍ରହ କରୁଥିବାରୁ ସେହି ଦିନଟିକୁ ବକ୍ସିଙ୍ଗ (Boxing) ଦିନ ବୋଲି କୁହାଯାଏ । ମୋ ଧାରଣା ଏଇ ବକ୍ସିଙ୍ଗରୁ “ବକ୍ସିସ୍‍” ଶବ୍ଦଟି ଏବେ ଚଳୁଛି । ଏବେ ଅବଶ୍ୟ ସେ ଦେଶରେ ବକ୍ସିସ୍‍ ମାଗିବା ସେମିତି ଚାଲୁନାହିଁ । କିନ୍ତୁ ଆମ ଦେଶରେ ଏହା ତ ଏବେ ଗୋଟିଏ ସାଧାରଣ ରୋଗରେ ପରିଣତ ହୋଇଛି ।

 

ପ୍ରତିବର୍ଷ ବଡ଼ଦିନକୁ ଶୀତ ଘନେଇ ଆସିଥାଏ । ବହଳ ବରଫ ବର୍ଷା ହୁଏ । ଧଳା ଶେଯ ପରି ବରଫ ଚଉଦିଗରେ ବିଛେଇ ହୋଇ ପଡ଼ିଥାଏ । ତେଣୁ ବଡ଼ଦିନକୁ ନେଇ ଯେତେ ଚିତ୍ର ତିଆରି ହୋଇଥାଏ, ସେଥିରେ ପ୍ରାୟ ଏଇ ବରଫ ବର୍ଷାର ଦୃଶ୍ୟ ଫୁଟି ଉଠିଥାଏ । ପରିବାରର ସମସ୍ତେ ବଡ଼ଦିନକୁ ଏକାଠି ହୋଇ ଖିଆପିଆ, ମଉଜମଜ୍‍ଲିସ କରନ୍ତି । ବିଭିନ୍ନ ସ୍ଥାନରେ ବନ୍ଧୁମିଳନ ହୋଇ ରାତିରେ ମଉଜ କରାଯାଏ । ଗୀତଗାନ, ବାଦ୍ୟବାଦନ ଓ ନୃତ୍ୟର ତାଳରେ ସେସବୁ ସ୍ଥାନ କମ୍ପି ଉଠେ ।

 

ବଡ଼ଦିନ ପରି ଇଷ୍ଟର, ଗୁଡ଼ଫ୍ରାଇଡ଼େ ପ୍ରଭୁତି ଧର୍ମପର୍ବ ସବୁ ଆନନ୍ଦ ସହିତ ପାଳିତ ହୁଏ-। ଘରେ ଯେମିତି ଭଲଭାବରେ ଖିଆପିଆ ହୁଏ, ଗିର୍ଜାରେ ସେମିତି ଭଲଭାବରେ ପୂଜାଉଜା ଆଉ ସମୂହ ପ୍ରାର୍ଥନା ହୁଏ । ଜନ୍ମଦିନ ତ ପାଳନ କରାଯାଏ । ମୁହଁରେ ଚୁମା ଆଉ ହାତରେ ଫୁଲତୋଡ଼ାଟିଏ ଦେଇ ଶୁଭେଛା ଜଣାଇବା ତ ମାମୁଲି କଥା । ଅନେକେ ମଧ୍ୟ ପିଲାମାନଙ୍କୁ ଭଲ ବହି ଆଉ ଖେଳନା ଉପହାର ଦେଇ ଜନ୍ମଦିନରେ ଭବିଷ୍ୟତ ଜୀବନର ମଙ୍ଗଳ କାମନା କରନ୍ତି-

 

ଆଉ କେତୋଟି ଉତ୍ସବ ସାହେବମାନେ ସେମାନଙ୍କ ଘରେ ପାଳନ କରି ପାରିବାରିକ ଜୀବନକୁ ମଧୁମୟ କରନ୍ତି । ସେଥିଭିତରେ ଗୋଟିଏ ହେଲା ମାର୍ଚ୍ଚ ମାସର ୧୨ ତାରିଖ ଦିନ ପାଳିତ ହେଉଥିବା “ମାତୃ ଦିବସ’’ (Mother’s Day) l ସେମିତି ଆଉ ଗୋଟିଏ ହେଲା “ପିତୃଦିବସ” (Father’s Day) l ସେଦିନ ପ୍ରତ୍ୟେକେ ନିଜ ନିଜର ମାଆବାପାଙ୍କୁ ଫୁଲତୋଡ଼ାରୁ ଆରମ୍ଭ କରି ନାନାପ୍ରକାର ଉପହାର ଦିଅନ୍ତି । ବିବାହ ବର୍ଷ ପୂରୁଣି ଦିନ ମଧ୍ୟ ସ୍ୱାମୀ ସ୍ତ୍ରୀଙ୍କୁ ଓ ସ୍ତ୍ରୀ ସ୍ଵାମୀଙ୍କୁ ସେମାନଙ୍କ ମନକୁ ପାଇଲା ଭଳି ଉପହାର ଦେଇ ଶୁଭେଚ୍ଛା ଜଣାଇଥାନ୍ତି । କେତେକ ମଧ୍ୟ ବର୍ଷର ନିର୍ଦ୍ଦିଷ୍ଟ ଦିନ “ଅଜାଦିନ” (Grandfather’s Day) ଓ ଆଈଦିନ (Grandmother’s Day) ପାଳନ କରନ୍ତି । ଯେଉଁ ବୁଢ଼ାବୁଢ଼ୀମାନଙ୍କର ପୁଅଝିଅ ନଥାଇ ନାତିନାତୁଣୀ ଥା’ନ୍ତି, ସେମାନେ ହୁଏତ ଏଇଦିନ କିଛି ପ୍ରୀତ୍ୟୁପହାର ଦେଇ ସେମାନଙ୍କ ମନରୁ ସେଇ ଦୁଃଖ ଦୂର କରନ୍ତି । ଆମ ଦେଶରେ ଭାଇଭଉଣୀଙ୍କ ପାଇଁ ଏମିତି ପର୍ବ ଅଛି । ପିଲାମାନଙ୍କ ଜନ୍ମଦିନ ତ ଏବେ ଅନେକ ପାଳୁଛନ୍ତି । ଶିକ୍ଷକମାନଙ୍କ ପାଇଁ ତ ଗୁରୁଦିବସ ପାଳିତ ହେଉଛି । ବାପାମାଆଙ୍କ ପାଇଁ ସେମିତି କିଛି ତ ନାହିଁ !

 

ବର୍ଷର ବିଭିନ୍ନ ଋତୁରେ ସେମିତି କ୍ରୀଡ଼ା, ନାଟକ, ଗୀତ, ବଦ୍ୟବାଦନ, ବକ୍ତୃତା, ଆଲୋଚନା ଆଦି ପାଇଁ ନାନାପ୍ରକାର ସାଂସ୍କୃତିକ ଉତ୍ସବମାନ ପାଳନ କରାଯାଏ । ବସନ୍ତ ଋତୁରେ ଲଣ୍ଡନର ବିଭିନ୍ନ ସ୍ଥାନରେ ବସନ୍ତ ଉତ୍ସବମାନ ଖୁବ୍‍ ଜାକଜମକରେ ପାଳିତ ହୁଏ । ସେଥିରେ ନାନାପ୍ରକାର ଗୀତବାଦ୍ୟ, ନାଟକ, ଚଳଚ୍ଚିତ୍ର, ପ୍ରଦର୍ଶନୀ ପ୍ରଭୃତିର ବ୍ୟବସ୍ଥା ହୋଇଥାଏ । ସବୁ ଅଫିସ, ସ୍କୁଲ କଲେଜ ଏମିତିକି କଳକାରଖାନାରେ ମଧ୍ୟ ପ୍ରତ୍ୟେକେ ସପ୍ତାହରେ ଦୁଇଦିନ ଛୁଟି ପା’ନ୍ତି । ଏଇ ଦୁଇଦିନ ସେମାନେ ବିଭିନ୍ନ ଦର୍ଶନୀୟ ସ୍ଥାନକୁ ଯାଇ ମଉଜମଜ୍‍ଲିସ କରନ୍ତି । ଇଂରେଜମାନେ ତ ଭାରି ଖେଳପ୍ରିୟ । ଖରାଟିକିଏ ପଡ଼ିଲେ ପିଲାଠାରୁ ବଡ଼ଯାଏ ଖେଳପଡ଼ିଆରେ ରୁଣ୍ଡ ହୁଅନ୍ତି । ଆମ ଦେଶରେ ଗାଁ ପରିମଳ ଧୋବାତୁଠରୁ ଜଣାପଡ଼ିଲା ପରି ସେମାନଙ୍କର ଖେଳଝୁଙ୍କ ସେମାନଙ୍କର ଖେଳପଡ଼ିଆରୁ ଜଣାପଡ଼େ । ସଙ୍ଗୀତ ସେମିତି ସେମାନଙ୍କର ଅତି ପ୍ରିୟ । ବହୁ ସ୍ଥାନରେ ସଙ୍ଗୀତ ଗୃହ (Music Hall) ଦେଖାଯାଏ । ପିଲାଦିନରୁ ସ୍କୁଲମାନଙ୍କରେ ସଙ୍ଗୀତ ଶିକ୍ଷା ଦିଆଯାଏ । ତେଣୁ ବିଭିନ୍ନ ସଙ୍ଗୀତରେ ସ୍କୁଲ ପିଲାମାନଙ୍କର ଖୁବ୍‍ ଜ୍ଞାନ ଥାଏ । ଜୀବନକୁ ସରସ ସୁଖମୟ କରିବା ପାଇଁ ସାହେବମାନେ ଭାରି ଚେଷ୍ଟା କରନ୍ତି ।

★★★

 

ସୁସ୍ଥ ଶିଶୁ, ସୁଖୀ ଦେଶ

 

ଆମର ଏଠାରେ ଡାକ୍ତରଖାନାକୁ ନରକର ଘର କୁହାଯାଏ । ମଣିଷ ମରଣର ମୁହାଁମୁହିଁ ନହେଲେ ଏଠାକୁ ଆସେ ନାହିଁ । ସେମିତି ଅଖଞ୍ଜରେ ନ ପଡ଼ିଲେ ନରକର ଭେଟ କାହାକୁ ସୁଖ ଲାଗେ ? କିନ୍ତୁ ବିଲାତରେ ଡାକ୍ତରଖାନା ଭାରି ଆନନ୍ଦର ସ୍ଥାନ । ଅବଶ୍ୟ ରୋଗରେ ନ ପଡ଼ିଲେ କିଏ କାହିଁକି ଡାକ୍ତରଖାନା ମାଡ଼ିବ ? ହେଲେ ସେଠାରେ ଡାକ୍ତରଖାନା ଏମିତି ଯନ୍ତ୍ରଣା ଭୋଗିବାର ସ୍ଥାନ ନୁହେଁ । ଆଉ ଏଠା ପରି ସମସ୍ତ ପ୍ରକାର ଅବହେଳା ଓ ଅସୁବିଧା ଅନୁଭବ କରିବାକୁ ହୁଏ ନାହିଁ । ରୋଗୀ ପ୍ରତି ଯେମିତି ସ୍ନେହ ସହାନୁଭୂତି ଥାଏ, ରୋଗର ଚିକିତ୍ସା କରିବାକୁ ସେମାନଙ୍କର ନିଷ୍ଠା ବି ସେମିତି ଥାଏ ।

 

ଥରେ ଆଫ୍ରିକାର ଗୋଟିଏ ରାଜ୍ୟ ଏଥିଓପିଆରୁ ଆସି ମୋ ସାଥିରେ ପଢ଼ୁଥିବା ଜଣେ ସାଙ୍ଗର ପେଟ ଗୋଳମାଳ ହେଲା । ସେ ଲଣ୍ଡନରେ ଥିବା ଗୋଟିଏ ସ୍ଵତନ୍ତ୍ର ଡାକ୍ତରଖାନାରେ ଆଠ ଦଶଦିନ ରହିଲା । କି ଆରାମ ! ଖାଇବା ପିଇବାରେ ଯେମିତି ସୁବିଧା, ଶୋଇବା ବସିବାରେ ସେମିତି ମଉଜ । ରେଡ଼ିଓ ଟେଲିଭଜନ ଲାଗିଛି । ଖଟରେ ଶୋଇ ଦୁନିଆଯାକର ଖବର ଅନ୍ତର ଜାଣିବା, ଗୀତବାଦ୍ୟ ଶୁଣିବା ଆଉ ଖେଳନାଚ ଦେଖିବା ଆଦି ସବୁ ସମ୍ଭବ ହୋଇପାରୁଥିଲା । ରୋଗର ପରୀକ୍ଷା ନିରୀକ୍ଷାଠାରୁ ଚିକିତ୍ସା କରିବା ପର୍ଯ୍ୟନ୍ତ ସବୁଥିରେ ନର୍ସ, ଡାକ୍ତର ପ୍ରଭୃତି ସବୁ କର୍ମଚାରୀଙ୍କର ସାହାଯ୍ୟ ଓ ସହାନୁଭୂତି । ରୋଗୀର ଅଭାବ ଅସୁବିଧା ବୁଝିବାକୁ ସେମାନେ ଯେମିତି ଜଗି ରହିଛନ୍ତି । ତେଣୁ ଏଥିଓପିଆର ସାଙ୍ଗ କହୁଥିଲା ଯେ ଆମ ଛାତ୍ରାବାସଠାରୁ ସେଇ ଡାକ୍ତରଖାନାରେ ତାଙ୍କୁ ଅଧିକ ଭଲ ଲାଗୁଥିଲା । ଆଉ କେତେଦିନ ସେଠାରେ ରହିବାକୁ ଚାହୁଁଥିଲା-

 

ବିଲାତରେ ପ୍ରତ୍ୟେକ ଲୋକର ନିଶ୍ଚୟ ଜଣେ ଡାକ୍ତର ଅଛନ୍ତି । ଭଲ ମନ୍ଦରେ ସେ ଆସି ପହଞ୍ଚିଯିବେ ବା ରୋଗୀ ତାଙ୍କ ପାଖକୁ ଚାଲିଗଲେ ସବୁ ପରୀକ୍ଷା ଆଉ ଚିକିତ୍ସା ହୋଇଯିବ । ସେଠାର ସରକାରୀ ନିୟମ ଅନୁସାରେ ପ୍ରତ୍ୟେକ ଲୋକ ଗୋଟିଏ ଡାକ୍ତର ତାଲିକାରୁ ବାଛି ଜଣଙ୍କୁ ନିଜପାଇଁ ଠିକ୍‍ କରି ଗୋଟିଏ ଫର୍ମ ପୂରଣ କରିବାକୁ ହେବ । ସାଧାରଣତଃ ଘର ପାଖରେ ରହୁଥିବା ଡାକ୍ତରଙ୍କୁ ସମସ୍ତେ ବାଛନ୍ତି । ଡାକ୍ତର ତାଙ୍କ ପାରିଶ୍ରମିକ ସରକାରଙ୍କଠାରୁ ପା’ନ୍ତି । ସବୁଠୁଁ ମଜାକଥା ହେଲା ଯେଉଁ ଖଣ୍ଡିଏ କାଗଜରେ ସେ ଔଷଧ ପାଇଁ ଲେଖିବେ, ତାକୁ ଆଣି ଗୋଟିଏ ଔଷଧ ଦୋକାନରେ ଦେଲେ ସେ ବିନା ଖର୍ଚ୍ଚରେ ଔଷଧ ପାଇପାରିବ । କେବଳ ଦୋକାନରେ ଅଳ୍ପ କିଛି ଅର୍ଥ ମାମୁଲି ଭାବରେ ଦେବାକୁ ହୋଇଥାଏ । ସେ କିନ୍ତୁ ଔଷଧର ମୂଲ୍ୟ ନୁହେଁ । ଦୋକାନୀ ଔଷଧର ମୂଲ୍ୟ ସରକାରଙ୍କଠାରୁ ପାଇଥାଏ ।

 

ବିଦେଶୀ ଛାତ୍ର ବା ଛାତ୍ରୀ ମଧ୍ୟ ସେମିତି ଜଣେ ଡାକ୍ତରଙ୍କୁ ବାଛି ବାଛି ତାଙ୍କ ପାଖରେ ନାଁ ଲେଖାଇବେ । ମୁଁ ଆମ ଲଣ୍ଡନ ବିଶ୍ୱବିଦ୍ୟାଳୟ ପାଖରେ ଥିବା ଜଣେ ଡାକ୍ତରାଣୀଙ୍କ ପାଖରେ ନାଁ ଲେଖାଇଥିଲି । ସେଠାରେ କେତେଜଣ ଡାକ୍ତର ଓ ଡାକ୍ତରାଣୀ ମିଶି ଏକାଠି ଗୋଟିଏ ଅଫିସ ପରି କରିଛନ୍ତି । ସେଠାରେ ଚିକିତ୍ସାର କିଛି ବ୍ୟବସ୍ଥା ନାହିଁ । କିନ୍ତୁ ସେମାନେ ରୋଗ ପରୀକ୍ଷା କରି ଔଷଧ ବତାଇ ଥାନ୍ତି ବା ପରାମର୍ଶ ଦେଇଥାନ୍ତି । ମୁଁ ଥରେ ଥରେ ସେଇ ଡାକ୍ତରାଣୀଙ୍କ ପାଖକୁ ଯାଇ ପରାମର୍ଶ କରେ । ଥରେ ମୋ ପେଟ ଖରାପ ହେବା ଶୁଣି ଗୋଟିଏ ଡାକ୍ତରଖାନାରେ ଭଲଭାବରେ ପରୀକ୍ଷା କରିବା ପାଇଁ ଡାକ୍ତରାଣୀ ଲେଖିଦେଲେ । ମୋ ଏଥିଓପିଆ ସାଙ୍ଗ ସେଇଠାରେ ରହି ଚିକିତ୍ସିତ ହେଉଥିଲେ । ମୁଁ ତେଣୁ ଖୁସି ହେଲି । ଭାବିଲି ସେମାନେ ମୋତେ ସେଠାରେ କେତେଦିନ ରହିବାକୁ କହିଲେ ଭଲ ହେବ । କିଛିଟା ଅନୁଭୂତି ହେବ ।

 

ମୁଁ ଦିନେ ସେଇ ଡାକ୍ତରଖାନାକୁ ଗଲି । କିନ୍ତୁ ହାୟ ମୋତେ ସେଠାରେ ରହିବାକୁ ପଡ଼ିଲା ନାହିଁ । ସେଇ ଦିନକ ଭିତରେ ମୋର ମଳ, ମୂତ୍ର, ରକ୍ତ ସବୁକିଛି ପରୀକ୍ଷା କରିଦେଲେ । ଆମର ଏଠା ହୋଇଥିଲେ ଏଥିପାଇଁ ସପ୍ତାହଟିଏ ଧାଇଁବକୁ ପଡ଼ିଥାନ୍ତା । ମାତ୍ର ସେମାନେ ମୋତେ କହିଲେ–ଆପଣ ଆଉ ଆସିବା ଦରକାର ନାହିଁ । ଆମେ ସବୁ ପରୀକ୍ଷାର ଫଳାଫଳ ଆପଣଙ୍କ ଡାକ୍ତରାଣୀଙ୍କୁ ଜଣାଇ ଦେବୁ । ମୁଁ ୨/୩ ଦିନ ପରେ ଯାଇ ବୁଝିଲା ବେଳକୁ ସବୁ ଆସି ପହଞ୍ଚି ଯାଇଛି । ଡାକ୍ତରାଣୀ କହିଲେ–ଆପଣଙ୍କର ସେମିତି କିଛି ନାହିଁ । କେବଳ କେତେକ କେଞ୍ଚୁଆ ହୋଇଛନ୍ତି । ମୁଁ ଗୋଟିଏ ଔଷଧ ଲେଖି ଦେଉଛି । ଆପଣ ରାତିରେ ଶୋଇଲାବେଳେ ତାକୁ ଖାଇଦେବେ । ମୁଁ ସେଇଆ କଲି । ସବୁ ଠିକ୍‍ ହୋଇଗଲା ।

 

ମୁଁ ଭାରତକୁ ଆସିବା ପୂର୍ବରୁ ଦିନେ ସେଇ ଡାକ୍ତରାଣୀଙ୍କଠାରୁ ବିଦାୟ ନେବାକୁ ଯାଇଥିଲି । ମୋତେ ସେ ପଚାରିଲେ–କ’ଣ ଆପଣଙ୍କ ଘରେ ସବୁ ଭଲ ? ମୁଁ କହିଲି–ନାଁ, ପିଲାମାନେ ଭଲ ନାହାନ୍ତି । ସେ ପଚାରିଲେ–ମୁଁ କିଛି ସାହାଯ୍ୟ କରିପାରିବି କି ? ମୁଁ ଉତ୍ତର ଦେଲି–ଯଦି ସ୍ଵାସ୍ଥ୍ୟ ଭଲ ହେବା ପାଇଁ ଟନିକ୍‍ ପରି କିଛି ଔଷଧ ଲେଖିଦେବେ, ମୁଁ କିଣି ସାଥିରେ ନିଅନ୍ତି ।

 

ସେ ଆଗ୍ରହର ସହିତ କହିଲେ–ଅବଶ୍ୟ ଆପଣଙ୍କ କହିବାମତେ ମୁଁ ଗୋଟିଏ ଭଲ ଔଷଧ ଲେଖି ଦେଉଛି । କିନ୍ତୁ ଆପଣ ତାକୁ କୁଆଡ଼େ ନେଉଛନ୍ତି ବୋଲି କାହାକୁ କହିବେ ନାହିଁ ।

 

ମୁଁ ସେଥିରେ ରାଜି ହେଲି । ଚିଠାଟି ତାଙ୍କଠାରୁ ନେଇ ଧନ୍ୟବାଦ ଦେଲି ଆଉ ଶେଷଥର ପାଇଁ ବିଦାୟ ନେଲି ।

 

ମୁଁ ଔଷଧ ଦୋକାନରେ ନିର୍ଦ୍ଧିଷ୍ଟ ଅର୍ଥ ସହିତ ଚିଠାଟି ବଢ଼ାଇ ଦେଲି, ମାତ୍ର ଉକ୍ତ ଔଷଧ ପିଲାପାଇଁ ହୋଇଥିବାରୁ କିଛି ଅର୍ଥ ଲୋଡ଼ାନାହିଁ ବୋଲି ଦୋକାନର ବିକ୍ରେତା କହିଲେ । ମୁଁ ଔଷଧ ଧରି ଆସିଲି । ମୁଁ ଜାଣିବାକୁ ପାଇଲି ଯେ ୧୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଔଷଧ କିଣିଲେ ପଇସା ଦେବାକୁ ପଡ଼େ ନାହିଁ । ବିଲାତର ସ୍ଵାସ୍ଥ୍ୟ ବ୍ୟବସ୍ଥାକୁ ସାଧୁବାଦ ନ ଦେଇ ମୁଁ ରହିପାରିଲି ନାହିଁ ।

 

ବିନାଖର୍ଚ୍ଚରେ ଆଉ ପୁଣି ସୁଯୋଗ୍ୟ ଡାକ୍ତରମାନଙ୍କର ଅଶେଷ ଯତ୍ନରେ ରୋଗର ଚିକିତ୍ସା ବିଲାତ ସମାଜର ଗୋଟିଏ ଆଶୀର୍ବାଦ । କେତେକ ଯାପ୍ୟ ରୋଗୀ କିପରି ସ୍ଥାୟୀ ଭାବରେ ଡାକ୍ତରଖାନାରେ ବର୍ଷ ବର୍ଷ ଧରି ଚିକିତ୍ସିତ ହେଉଛନ୍ତି ତାହା ଜାଣିବା କଥା । ମୁଁ ଶୁଣିଲି ଆମ ଗୃହ ପରିଚାରିକା ଜୋନର ସ୍ଵାମୀ ଅତିରିକ୍ତ ମଦ୍ୟପାନ କରି ଦୁର୍ବଳ ହୋଇପଡ଼ିବାରୁ ରୋଗୀ ଭାବରେ ସେଠା ଡାକ୍ତରଖାନାରେ ଆଜିକୁ ୧୦।୧୨ ବର୍ଷ ହେଲା ରହିଛି । ମୁଁ ଭାବିଲି ସେଠାରେ ସରକାର ଯେତେବେଳେ ବେକାର ଲୋକଙ୍କୁ ଚଳିବା ପାଇଁ ଭତ୍ତା ଦିଅନ୍ତି, ସେତେବେଳେ ସ୍ଥାୟୀ ରୋଗୀ ଓ ମଦ୍ୟପମାନଙ୍କୁ ଡାକ୍ତରଖାନାରେ ବନ୍ଦ କରି ରଖିବାରେ କ୍ଷତି କ’ଣ ? ବିନା ପଇସାରେ ମଧ୍ୟ ଲୋକମାନଙ୍କୁ ଚଷମା, ଦାନ୍ତ ପ୍ରଭୃତି ଯୋଗାଇ ଦିଆଯାଇଛି ।

 

ବିଲାତ ବିଶେଷତଃ ଲଣ୍ଡନରେ ପୃଥିବୀର ସବୁ ଦେଶର ଲୋକଙ୍କୁ ଦିନକୁ ଦିନ ବହୁ ସଂଖ୍ୟାରେ ଦେଖିବାକୁ ମିଳିଲାଣି । ସେମାନଙ୍କ ସହିତ ନୂଆ ନୂଆ ରୋଗ ମଧ୍ୟ ଦେଖାଦେଲାଣି । ତେଣୁ ବିଲାତରେ ଏ ବିଷୟରେ ବହୁତ ଆଲୋଚନା ଚାଲିଛି । କିନ୍ତୁ ସେମାନେ ଏତିକିରେ ଚୁପ୍‍ ହୋଇ ବସି ନାହାନ୍ତି । ସେମାନେ ନୂଆ ରୋଗର ପରୀକ୍ଷା ଓ ଚିକିତ୍ସା ପାଇଁ ସ୍ଵତନ୍ତ୍ର ଡାକ୍ତରଖାନାମାନ ପ୍ରତିଷ୍ଠା କରିଛନ୍ତି । ସେଥିପାଇଁ ଡାକ୍ତର, ନର୍ସ ପ୍ରଭୃତି ମଧ୍ୟ ନୂତନ ଶିକ୍ଷାଦୀକ୍ଷା ପାଇ ପ୍ରସ୍ତୁତ ହୋଇଗଲେଣି । ବହୁ ଭାରତୀୟ ଡାକ୍ତର ସେହିସବୁ ଡାକ୍ତରଖାନାଗୁଡ଼ିକରେ କାର୍ଯ୍ୟ କରି ଚାଲିଛନ୍ତି । ସେମାନଙ୍କର ମଧ୍ୟ ସୁନାମ ଅଛି ।

 

ମୁକବଧିରମାନଙ୍କର ଯତ୍ନ ନେବାକୁ ଶିକ୍ଷା ଦିଗରେ ଯେମିତି ସ୍ଵତନ୍ତ୍ର ବ୍ୟବସ୍ଥାମାନ ରହିଛି, ସ୍ଵାସ୍ଥ୍ୟ ଦିଗରେ ମଧ୍ୟ ସେମିତି ସେମାନଙ୍କ ପାଇଁ ବିଶେଷ ଯତ୍ନ ନିଆଯାଇଛି । ସମାଜରେ ଅନ୍ୟମାନଙ୍କ ପରି ସେମାନେ ମଧ୍ୟ ଉପଯୁକ୍ତ ଆସନ ବାଛି ନେବାକୁ ପ୍ରସ୍ତୁତ । ପିଲାମାନଙ୍କ ସ୍ଵାସ୍ଥ୍ୟ ପାଇଁ ଖାଦ୍ୟ ପାନୀୟ, ଔଷଧ, ଚିକିତ୍ସା ପ୍ରଭୃତି ପ୍ରତ୍ୟେକ ଦିଗରେ ଯେତେ ସୁବିଧା କରାଯାଇଛି, ଆମେ ଏଠାରେ ତାହା କଳ୍ପନା ବି କରିପାରିବା ନାହିଁ । ତେଣୁ ଦିନକୁ ସେମାନଙ୍କର ସ୍ଵାସ୍ଥ୍ୟ ଯେମିତି ଖୁବ୍‍ ଉନ୍ନତି କରୁଛି, ସେମାନଙ୍କର ବୁଦ୍ଧିବିଚାର ଶକ୍ତି ମଧ୍ୟ ସେମିତି ବଢ଼ିବାରେ ଲାଗିଛି ।

 

ଜଣାଶୁଣା ପଣ୍ଡିତମାନେ ଭଲଭାବରେ ପରୀକ୍ଷା କରି ଜାଣିଲେଣି ଯେ ପିଲାମାନଙ୍କର ଶାରୀରିକ ସ୍ଵାସ୍ଥ୍ୟ ଉପରେ ସେମାନଙ୍କର ମାନସିକ ସ୍ଵାସ୍ଥ୍ୟ ବିଶେଷ ଭାବରେ ନିର୍ଭର କରେ । ତେଣୁ ସେଠାରେ ଛାତ୍ରଛାତ୍ରୀମାନଙ୍କର ପାଠ ପଢ଼ିବା, ନୂଆ ନୂଆ କାମ କରିବା, ଖେଳ, ଗୀତ, ନାଚ, ଚିତ୍ରାଙ୍କନ ଲେଖାଲେଖି ପ୍ରଭୃତି ସବୁ ଦିଗରେ ଯେମିତି ସଫଳତା ଲାଭ କରୁଛନ୍ତି ଆଉ କରିବାର ସୁଯୋଗ ରହିଛି, ଆମର ଏଠାରେ ତାହା ସମ୍ଭବ ହେଉ ନାହିଁ । ଆମର ଭଲରେ ରହିଥିବା ପିଲା ଯେ ସେମାନଙ୍କ ଦୃଷ୍ଟିରୁ ଭୋକିଲା ଏଥିରେ ସନ୍ଦେହ ନାହିଁ । ତେଣୁ ସେମାନଙ୍କର ଯେଉଁ ଶକ୍ତି କଢ଼ି ରୂପରେ ରହିଛି, ତାହା ଫୁଟିବା ଆଗରୁ ଆମେ ତାକୁ ପୋଡ଼ି ଦେଉଛୁ । କେବେ ଏଇ ଅବସ୍ଥା ବଦଳିବ ? ବଡ଼ମାନଙ୍କର ମନ ବଦଳିଲେ ଯାଇ ପିଲାମାନଙ୍କର ମାନ ବଦଳିବ । ପିଲାମାନଙ୍କର ଅବସ୍ଥା ବଦଳିଲେ ଆମ ଦେଶର ଭାଗ୍ୟ ବଦଳିବ । ଶିଶୁ ସୁସ୍ଥ ହେଲେ ଯାଇ ଦେଶ ସୁସ୍ଥ ହୋଇପାରିବ ।

★★★

 

ସିଝା ଖାଦ୍ୟ ଆଉ କଡ଼ା ପାନୀୟ

 

ଜନ ଆଡ଼ାମ୍‍ସ ହଲର ଛାତ୍ରାବାସରେ ମୋତେ ଖିଆପିଆରେ କେତେକ କାରଣରୁ ଭାରି ହଇରାଣ ହେବାକୁ ପଡ଼ିଲା । ଭଲ ପନିପରିବା, ମାଂସ, ମାଛ, ଅଣ୍ଡା ପ୍ରଭୃତିର ଅଭାବ ନଥିଲା-। ତରକାରୀ ପତ୍ରକୁ ସୁସ୍ୱାଦୁ କରିବା ପାଇଁ ଯେତେ ମସଲାତେଲ ଆଉ କିସ୍‍ମିସ୍‍ ପ୍ରଭୃତି ଅନ୍ୟାନ୍ୟ ପଦାର୍ଥ ମିଶାଉ, ସେଠାରେ ସେଗୁଡ଼ିକର ମଧ୍ୟ କିଛି ଅଭାବ ନାହିଁ । ବରଂ ସେସବୁ ଖାଣ୍ଟି ଓ ଶସ୍ତାରେ ମିଳେ । କେବଳ ତରକାରୀ ପତ୍ର ତିଆରି କରିବାର ପ୍ରଣାଳୀ ଖୁବ୍‍ ଅଲଗା । ସେମାନଙ୍କ ଓ ଆମର ରୁଚି ଭିତରେ ଭାରି ଫରକ୍‍ ।

 

ପନିପରିବାଠାରୁ ମାଛ ମାଂସ ପର୍ଯ୍ୟନ୍ତ ସବୁ ସିଝା ବା କଦବା କେତେବେଳେ ତେଲଛଣା । କିନ୍ତୁ ସାଧାରଣତଃ ଅଳଙ୍କାର ଭିତରେ ନିମ୍ବକାଠି ପରି ମସଲା ଭିତରେ ଗୋଲମରିଚ ଗୁଣ୍ଡ ଓ ଲୁଣ । ପୁଣି ସେସବୁ ସିଝା ଦରବରେ ହଳଦିଗୁଣ୍ଡା ବି ପଡ଼ିନଥାଏ । ତେଣୁ କାହାର ପ୍ରାକୃତିକ ବର୍ଣ୍ଣରେ କିଛି ପରିବର୍ତ୍ତନ ହୋଇ ନଥାଏ । ବିନ୍‍, ମଟର, ବନ୍ଧାକୋବି, ଶାଗ ପ୍ରଭୃତି ଖାଦ୍ୟ ରୂପରେ ଟେବଲ ଉପରକୁ ଆସିଲେ ଯେମିତି ଶାଗୁଆ ଛନ ଛନ, ସେମିତି ପାଣି ଝରଝର । ଆଳୁ, ଫୁଲକୋବି ପରି ପରିବା ତ ଖାଲି ସିଝା ହୋଇ ତୁମ ଆଗରେ ଖାଦ୍ୟ ରୂପରେ ଉଭା ହୁଏ । ଏସବୁ ଦେଖିବାକୁ ଧୋବ ଫରଫର । ମାଛ ମାଂସ ତ ଅନେକ ସମୟରେ ସେମିତି ସିଝା । କେତେବେଳେ ଚେକି ଚେକି ତ କେତେବେଳେ ଖଣ୍ଡଖଣ୍ଡ । ସାହେବମାନେ ପୁଣି ଶରଧାରେ ମେଣ୍ଢା ମାଂସକୁ ଲ୍ୟାମ୍ୱ (ମେଣ୍ଢାଛୁଆ) ଆଉ କୁକୁଡ଼ା ମାଂସକୁ ଚିକିନ୍‍ (କୁକୁଡ଼ା ଛୁଆ) କହନ୍ତି । ଖୁବ୍‍ ଭଲଭାବରେ ସିଝି ଥିବାରୁ ମାଂସରୁ କଣ୍ଟାସବୁ ସହଜରେ ଛାଡ଼ିଯାଏ ।

 

ମୁଁ ତ ଘୁଷୁରୀ ମାଂସ ଓ ଗୋ ମାଂସ ଛୁଏ ନାହିଁ । ସେଥିପାଇଁ ଛାତ୍ରାବାସରେ ରୋଷେଇ ବାସ କରି ପରଷିବା ଦାୟିତ୍ୱରେ ଥିବା ପରିଚାରିକାମାନଙ୍କୁ ଆଗରୁ ଜଣାଇ ଦେଇଥାଏ । ହେଲେ ସବୁପ୍ରକାର ମାଂସତ ଦେଖିବାକୁ ପ୍ରାୟ ସମାନ । ସିଝା ମାଂସ ପୁଣି ଶେତା କଟକଟ । ବାଉଳାରେ ସେମାନେ ଦେବେ ବୋଲି ମୁଁ ଭାରି ହୁସିଆର ଥାଏ । ତେଲ ମସଲା ଦିଆଯାଇ ନଥିବାରୁ ମାଂସ ତରକାରୀର ସ୍ଵାଦ ବା କେଉଁଠୁ ମିଳିବ ? କୁକୁଡ଼ା ମାଂସକୁ ନିଃସନ୍ଦେହରେ ଖାଇବାକୁ ହୁଏ । ମେଣ୍ଢାମାଂସ ବଡ଼ ଦୋଦୋପାଞ୍ଚରେ ଖାଇବାକୁ ପଡ଼େ ! ଛେଳି ମାଂସ ତ ସେଠି ସ୍ଵପ୍ନ । ଘୁଷୁରୀ ଓ ଗୋରୁ ମାଂସ ଅତି ସାଧାରଣ । ତେଣୁ ସବୁବେଳେ ମୋତେ ସଜାଗ ରହିବାକୁ ହୁଏ ।

 

ଦୁଧଅଣ୍ଡାର ଅଭାବ ନାହିଁ । ମୁଁ ମାଂସ ବଦଳରେ ଅନେକ ସମୟରେ ଅଣ୍ଡା ଖାଏ । ମଧ୍ୟାହ୍ନ ଭୋଜନ ବା ରାତି ଭୋଜନ ପରେ ଚା’ କଫି ବେଶୀ ନ ପିଇ ଦୁଧ ଉଷୁମ କରି ପିଇଥାଏ । ପ୍ରତ୍ୟେକ ଭୋଜନ ପରେ ସୁଇଟସ୍‍ ବା ମିଠା ବୋଲି ସେମାନେ ଯାହା ଦିଅନ୍ତି, ତାହା ଆମ ଧାରଣାଠାରୁ ବହୁ ତଫାତ୍‍ । କେତେବେଳେ ଆଇସ୍କ୍ରିମ୍‍ ଓ କେତେବେଳେ କେକ୍‍ ଖଣ୍ଡେ । କେତେବେଳେ କଦଳୀଟିଏ ତ କେତେବେଳେ ଆତଟିଏ । କିଛି ନ ହେଲେ କ୍ଷୀରଟିକେ କି କାଷ୍ଟର ପାଉଡ଼ରଗୋଳା ଟିକିଏ ମିଳେ । ଖାଦ୍ୟ ଭିତରେ ସାଲାଡ୍‍ ବୋଲି ଯେଉଁ କଞ୍ଚା ପନିପରିବା ଥରେ ଥରେ ଦିଆଯାଏ, ତାହା ଅବଶ୍ୟ ସ୍ଵାସ୍ଥ୍ୟ ପାଇଁ ଭଲ । ମାତ୍ର ମୋ ପାଟିକୁ ତ ଆଦୌ ଭଲଲାଗେନାହିଁ । ସେଥିରେ ବିଲାତି ବାଇଗଣ, କାକୁଡ଼ି, ମୂଳା ପ୍ରଭୃତି ଖଣ୍ଡ ଖଣ୍ଡ ବା ଚେକି ଚେକି ହୋଇ କଟା ହୋଇଥାଏ । କିନ୍ତୁ ସବୁଠୁଁ ଆଶ୍ଚର୍ଯ୍ୟର କଥା ସେଥିରେ ଥାଏ ବନ୍ଧାକୋବିର ପତ୍ର ଆଉ କେତେକ ପ୍ରକାର କଞ୍ଚା ପତ୍ର । ସେସବୁ ପତ୍ରକୁ ଛେଳି ଚୋବାଇବା ଭଳି ସେମାନେ ଚୋବାଉ ଥା’ନ୍ତି । ମୁଁ ଯେତେ ଚେଷ୍ଟାକଲେ ବି ତାହା ଖାଇପାରିଲି ନାହିଁ ।

 

ପ୍ରତ୍ୟେକ ଭୋଜନ ବେଳାରେ ଆରମ୍ଭରୁ ଏକପ୍ରକାର “ସୁପ୍‍” ଦିଆଯାଏ । “ସୁପ୍‍”ର ଅର୍ଥ ଆମେ ମାଛ ମାଂସ ବା ପନିପରିବା ତରକାରୀର ଝୋଳକୁ ବୁଝୁଁ । ମାତ୍ର ଏହି ସୁପ୍‍ ଅଲଗା । ଏହା ସାଧାରଣତଃ ମାଛ ମାଂସ, ପନିପରିବା ଏମିତିକି ଛତୁଗୁଣ୍ଡାରୁ ତିଆରି ହୋଇଥାଏ । ମାଂସ, ବିନ୍‍, ଛତୁ ପ୍ରଭୃତିକୁ କୌଣସି କଳରେ ଏହି ଗୁଣ୍ଡା ବା ଚୂନା କରାଯାଏ । ତାକୁ କେବଳ ଗରମ ପାଣିରେ ଫେଣ୍ଟି କିଛି ପରିମାଣରେ ଲୁଣ ମିଶାଇ ପ୍ରସ୍ତୁତ କରାଯାଏ । ଚାମୁଚରେ ଢକ୍‍ ଢକ୍‍ କରି ଏଇ ଢ଼ଙ୍କସର୍‍ ପାଣି ସୁପ୍‍କୁ ପିଇଯିବା ଗୋଟିଏ ଦେଖିବାର କଥା । ମୋତେ ପ୍ରଥମେ ଏହି ସୁପ୍‍ ଭଲଲାଗୁନଥିଲା । ମାତ୍ର କିଛି ଦିନ ପରେ ମୋତେ ଚିକିନ୍‍ ଓ ଛତୁ ଚୂନାରେ ତିଆରି ସୁପ୍‍ ଭଲଲାଗିଲା ।

 

ଭାତ ଖୁବ୍ କମ୍ ଥର ହୁଏ । ପାଉଁରୁଟି ସେଠାରେ ଆମ ଭାତର ଆସନ ନେଇଥାଏ । ଛତୁ ଏଠାରେ ଚାଷ କରାଯାଏ, ଆଉ ବର୍ଷସାରା ଏହା କିଣିବାକୁ ମିଳେ । ତେଣୁ ଏହା ଏକ ସାଧାରଣ ପରିବା । ମାଂସ ବଦଳରେ ମୋତେ ଥରେ ଥରେ “ଚିଜ୍‍” ଖଣ୍ଡେ ଖଣ୍ଡେ ଖାଇବାକୁ ମିଳେ । ପ୍ରଥମେ ସେଇ ‘ଚିଜ୍‍’ ନାମକ ଚିଜଟି ମୋତେ ଜମା ଆରେଇଲା ନାହିଁ । କିନ୍ତୁ କିଛିଦିନ ପରେ ତାହା ବେଶ୍‍ ଆରେଇଲା । ‘ଚିଜ୍‍’ କହିଲେ ଆମେ ସାଧାରଣତଃ ଦୁଧ ବା ଦହିର ଛେନାକୁ ବୁଝୁ । ମାତ୍ର ସେଠା ଛେନା କଳ ସାହାଯ୍ୟରେ ଦୁଧରୁ ଏମିତି ଭାବରେ ତିଆରି ହୋଇଥାଏ ଯେ ଖଣ୍ଡ ଖଣ୍ଡ କରି କାଟି ଖାଇବାକୁ ହୁଏ । ତାହା ଭାରି ଟାଣ ହୋଇଥାଏ, ଆଉ ସେଥିରେ ଜଳୀୟ ଅଂଶ ପ୍ରାୟ ନ ଥାଏ । ଟିକିଏ ଉତ୍ତାପ ପାଇଲେ ତରଳିବାକୁ ଆରମ୍ଭ କରେ । ଅବଶ୍ୟ ଘିଅ ପରି ଏତେ ତରଳିଯାଏ ନାହିଁ ।

 

ମୋତେ କେତେଥର ମେଣ୍ଢାମାଂସ କହି ଯେଉଁ ମାଂସ ସିଝା ଖାଇବାକୁ ଦେଇଥିଲେ, ମୁଁ ସନ୍ଦେହରେ ପଡ଼ି ତାକୁ ଖାଇପାରିନଥିଲି । ମୁଁ ମେଣ୍ଢା ମାଂସ ବୋଲି ଠିକ୍‍ କରି ଜାଣିଲେ ଖାଏ, ନଚେତ୍‍ ଛାଡ଼ିଯାଏ । ପାଖରେ ଖାଉଥିବା ଅନ୍ୟ ସାଙ୍ଗସାଥୀଙ୍କୁ ସନ୍ଦେହ ହେଲେ ପଚାରିଦିଏ । ଥରେ ମୋତେ ଛାତ୍ରାବାସରେ ପରିଚାରିକାଟିଏ ମେଣ୍ଢାମାଂସ ବୋଲି ଅନ୍ୟ କି ମାଂସ ଦେଇଥିଲା । ମୁଁ ସନ୍ଦେହରେ ତାକୁ ନ ଖାଇ ସାଙ୍ଗମାନଙ୍କୁ କି ମାଂସ ବୋଲି ପଚାରିଲି । ସେମାନେ ଅନ୍ୟ ମାଂସ ବୋଲି କହିବାରୁ ମୁଁ ସବୁ ଖାଦ୍ୟ ଛାଡ଼ିଗଲି । ସେଇ ପରିଚାରିକାଟି ଉପରେ ବିରକ୍ତ ହୋଇଥିଲି ଆଉ ଛାତ୍ରାବାସର ପରିଚାଳକ ହଲାଣ୍ଡ ସାହେବଙ୍କ ଆଗରେ ଏମିତି ଠକାମିର ପ୍ରତିବାଦ କଲି । ସେ ସେହି ପରିଚାରିକାଙ୍କୁ ତାଗିଦା କରିଥିଲେ । ମୋତେ ପୁଣିଥରେ ଅଣ୍ଡା ଚିଜ୍‍ ପ୍ରଭୃତି ଖାଇବାକୁ ଦିଆଗଲା । ମୁଁ ସେତକ ସାଙ୍ଗ ସାଥୀମାନଙ୍କୁ ଧରି ଖାଇଲି । ତା’ ପରଠାରୁ କେତେଥର ମସଲାଦିଆ ତରକାରୀ ହୋଇଥିଲା । ମାତ୍ର ସେ ଖାଲି ସିଝା ପରିବାରେ ଗୁଣ୍ଡ ରାଗ ମସଲାର ମିଶ୍ରଣ । ତେବେ ସାଙ୍ଗମାନେ କହିଲେ ଯେ ମୁଁ ଅନ୍ୟାୟର ପ୍ରତିବାଦ କରି ଏଇ ଅଲଗା ବ୍ୟବସ୍ଥା କରାଇ ପାରିଲି ।

 

ମୁଁ ଦେଖିଲି ଆମ ଦେଶର କେତେକ ବନ୍ଧୁ (ଜଣେ ଆନ୍ଧ୍ର, ଜଣେ ପଞ୍ଜାବ, ଆଉ ଜଣେ ବଙ୍ଗଳାର ହିନ୍ଦୁ) ଗୋ ମାଂସ ବିନା ଦ୍ଵିଧାରେ ଖାଇ ଯା’ନ୍ତି । ଭଲଲାଗେ ବୋଲି ମଧ୍ୟ ସେମାନେ ମତ ଦିଅନ୍ତି । ସେମାନେ କିନ୍ତୁ ସଫେଇ ଦିଅନ୍ତି ଯେ ଭାରତୀୟ ଗୋରୁ ବିଲାତର ଗୋରୁଠାରୁ ତଫାତ୍‍ । ଏଠା ଗୋରୁଙ୍କୁ ସିନା ଗୋମାତା, ବଳଭଦ୍ର ଭାବରେ ପୂଜା କରାଯାଏ । କିନ୍ତୁ ସେଠା ଗୋରୁ ତ ପୂଜା ହୁଅନ୍ତି ନାହିଁ ! ସେମାନଙ୍କର ଆକାର ପ୍ରକାର ମଧ୍ୟ ଅଲଗା । ତେଣୁ ସେଠା ଗୋମାଂସ ଖାଇବାରେ କିଛି ଦୋଷନାହିଁ । ଏହି ଯୁକ୍ତି ଶୁଣି ମୋତେ ହସ ମାଡ଼େ ।

 

ମୁଁ ମଝିରେ ମଝିରେ ମୋର ଜଣେ ଅଧ୍ୟାପକ ବନ୍ଧୁ ରଙ୍ଗାଧର ବାବୁଙ୍କ ଘରକୁ ଯାଇ ମନବୋଧ କରି ଓଡ଼ିଆ ଖାନା ଖାଏ । ରଙ୍ଗାଧର ବାବୁ ଗଣିତରେ ଉଚ୍ଚଶିକ୍ଷା ଲାଭ କରିବାକୁ ସସ୍ତ୍ରୀକ ବିଲାତକୁ ଯାଇଥିଲେ । ତାଙ୍କ ସ୍ତ୍ରୀ କଲ୍ୟାଣୀ ଦେବୀ ମଧ୍ୟ ଅନେକ ସମୟରେ ଯିବାକୁ ମୋତେ ସସ୍ନେହ ଅନୁରୋଧ କରିଥାନ୍ତି । ସେ କହନ୍ତି ସବୁ ପନିପରିବା, ଦୁଧ ଘିଅ ଆଉ ମସଲା ପ୍ରଭୃତି ତଟକା, ଖାଣ୍ଟି ଓ ଶସ୍ତାରେ ମଧ୍ୟ ମିଳେ । କେବଳ ମାଛମାଂସ ଅନେକ ସମୟରେ ବରଫଦିଆ । ସେସବୁ କେତେ ଦିନ ଧରି ଯେ ଦୋକାନର ବରଫଯନ୍ତ୍ର (ରେଫ୍ରିଜେରେଟର)ରେ ସାଇତା ହୋଇ ରହିଥାଏ ଜାଣିବା ମୁସ୍କିଲ । କିନ୍ତୁ ସେ ଖୁବ୍‍ ସୁସ୍ୱାଦୁ ମାଛମାଂସ ଝୋଳ, ପନିପରିବା ତରକାରୀ, କାନେକା ପ୍ରଭୃତି ତିଆରି କରିଥାନ୍ତି । ଯେଉଁଦିନ ସେଠାକୁ ମୁଁ ଯାଏ, ସେଦିନ ଭାରୀ ପେଟରେହିଁ ଘରକୁ ଫେରେ ।

 

ସେମିତି ମୋର ଆଉ ଜଣେ ଓଡ଼ିଆ ବନ୍ଧୁ ନିରଞ୍ଜନ ବାବୁ କଟକ ସରକାରୀ ପ୍ରେସର ସହକାରୀ ତତ୍ତ୍ୱାବଧାରକ । ବିଲାତରେ ସେ ମୁଦ୍ରଣ ଶିଳ୍ପ ଉପରେ ଉଚ୍ଚ ଶିକ୍ଷା ଲାଭ କରୁଥିଲେ । ମୁଁ ସେଠି ପହଞ୍ଚିବା ପରେ କୌଣସି ଓଡ଼ିଆ ଲୋକଙ୍କୁ ନପାଇ ତାଙ୍କ ପାଖକୁ ଚିଠି ଦେଇଥିଲି । ସେ ଦିନେ ଆସି ଆମ ଛାତ୍ରାବାସରେ ପହଞ୍ଚିଥିଲେ । ମୁଁ ତାଙ୍କୁ ସେଠାରେ ଖାଇବାପାଇଁ ଅନୁରୋଧ କଲି-। କିନ୍ତୁ ସେଠା ଖାଦ୍ୟ ଦେଖି ସେ ତାଟକା । କାରଣ ସେ ପୂରା ନିରାମିଷାଶୀ । ତେବେ ସେ ଯାହା କଷ୍ଟେମଷ୍ଟେ ଦିଟା ଖାଇଲେ । ସେ ଏବେ ହାତେ ହାତେ ରୋଷେଇ କରି ଖାଉଛନ୍ତି ।

 

ନିରଞ୍ଜନ ବାବୁ ଯାହା ଘର ଭଡ଼ାରେ ନେଇଥିଲେ, ସେମାନେ ତାଙ୍କର ଖାଇବା ବ୍ୟବସ୍ଥା କରୁଥିଲେ । ସେମାନେ ଗୋମାଂସ, କୁକୁଡ଼ାମାଂସ ପ୍ରଭୃତି ଗପାଗପ ଖାଉଥିଲାବେଳେ, ସେ ବିଚରା ସାଦାସିଧା ସିଝା ପରିବା ଖାଇ ଚଳୁଥାନ୍ତି ।

 

ଘରମାଲିକ ଓ ତାଙ୍କ ସ୍ତ୍ରୀ ନିରଞ୍ଜନବାବୁଙ୍କ ପାଇଁ ଅଲଗା ରୋଷେଇ ବ୍ୟବସ୍ଥା କରିଥିଲେ । ସୌଭାଗ୍ୟକୁ ଯେଉଁ ଘରଟି ତାଙ୍କୁ ରହିବାପାଇଁ ମିଳିଥିଲା, ସେଥିରେ ରୋଷେଇ କରିବା ପାଇଁ ସବୁ ସୁବିଧା ରହିଥିଲା । ତେଣୁ ନିରଞ୍ଜନ ବାବୁ ହାତେ ହାତେ ରୋଷେଇବାସର ଆୟୋଜନ କଲେ । ସେ ମଧ୍ୟ ସେଥିରେ ଖୁସି । ନିଜ ହାତରନ୍ଧା ଖାଦ୍ୟ ତାଙ୍କୁ ବେଶୀ ସୁଆଦିଆ । ମୋତେ ମଧ୍ୟ ତାଙ୍କ ବସାରେ ଅତିଥି ହେବାକୁ ବହୁଥର କହନ୍ତି । ମୁଁ ଥରେ ଯାଇଥିଲି, ଗ୍ୟାସ ଚୁଲା ଲଗାଇଦେଲେ, ମିଳିମିଶି ପରିବାପତ୍ର କଟାକଟି କରିଦେଲୁ । ଦି’ ଘଣ୍ଟାରେ କାନେକା, ଡାଲି, ଆଳୁକୋବି ତରକାରୀ ଇତ୍ୟାଦି କେତେ କ’ଣ କରି ସେ ଥୋଇଦେଲେ । ସାଥିରେ ସେ ଘରୁ ଆସିଲାବେଳେ ଯେଉଁ ମସଲାଗୁଣ୍ଡ ଆଣିଥିଲେ, ତାହା ବହୁଦିନ ପାଇଁ ଭାରି କାମରେ ଲାଗିଥିଲା । ସେଦିନ ମୁଁ ତାଙ୍କ ସହିତ ମଉଜରେ ଖାଇ ଧନ୍ୟବାଦ ଦେଇ ଆନନ୍ଦରେ ଫେରିଲି ।

 

ଲଣ୍ଡନରେ ଅନେକ ସମୟରେ ପାର୍ଟିରେ ଯୋଗ ଦେବାକୁ ହେଲା । ପାର୍ଟି କହିଲେ ଆମର ଏଠାରେ ରାଜନୈତିକ ଦଳ ନୁହେଁ, ସେ ହେଲା ଏକ ପ୍ରକାର ବନ୍ଧୁମିଳନ । ସନ୍ଧ୍ୟାବେଳେ ସାଧାରଣତଃ ଏଇ ମିଳନ ଆଉ ସମାବେଶର ଆୟୋଜନ ହୋଇଥାଏ । କେତେ ରଙ୍ଗର ଆଲୁଅ ସାଜ୍ଜସଜା ଆଉ ନାନାପ୍ରକାର ବାଜା ବାଜିଉଠେ । ବିଲାତୀ ସଙ୍ଗୀତର ସ୍ୱର ଛୁଟେ ଓ ନାଚ କରିବାରେ ଉଭୟ ସ୍ତ୍ରୀ ପୁରୁଷ ମତ୍ତ ହୋଇଯା’ନ୍ତି ।

 

ସାଧାରଣତଃ ଦୁଇ ପ୍ରକାର ପାନୀୟର ବ୍ୟବସ୍ଥା ହୋଇଥାଏ–ଥଣ୍ଡା ଆଉ ଗରମ । ଥଣ୍ଡା ପାନୀୟ ଭିତରେ ପୁଣି କଡ଼ା ବା ହାର୍ଡ଼ ଆଉ ସାଦା ବା ସଫ୍‍ଟ । କଡ଼ା ପାନୀୟ ସାଧାରଣତଃ ମଦ ପ୍ରଭୃତି ନିଶାପାଣିକୁ ବୁଝାଏ, ଆଉ ସାଦା ପାନୀୟ ଭିତରେ ଫଳରସ ବା କ୍ୱାସ୍‍ ପ୍ରଧାନ । ଗରମ ପାନୀୟ ଭିତରେ ତ ଚା’ ଆଉ କଫି ଜଣାଶୁଣା । ମୁଁ ଗରମ ପାଣି ପିଇ ଦେହକୁ ତାଜା କରେ । କିନ୍ତୁ କଡ଼ା ପାନୀୟକୁ ଦୂରରୁ ଜୁହାର କର । ବହୁ ସାଙ୍ଗଙ୍କ ବାଧ୍ୟବାଧକତାରେ ଅବଶ୍ୟ ମୁଁ ଥରେ ଅଧେ ଚାଖିଛି । କିନ୍ତୁ ତା’ର ଉତ୍କଟ ସୁଆଦ ଆଉ ଦୁର୍ଗନ୍ଧ ମୋତେ ଆଦୌ ରୁଚିକର ହୁଏନାହିଁ । ହେଲେ ମୁଁ ମନବୋଧ କରି ଫଳରସ ପିଇଦିଏ । ତା’ର ଗ୍ରାହକ ବି ସେଠାରେ କମ୍‍ ଥା’ନ୍ତି । ଭାରତୀୟମାନଙ୍କ ମଧ୍ୟରେ ଅଧିକାଂଶ ଫଳରସର ଗ୍ରାହକ ହେଲେ ହେଁ କଡ଼ା ପାନୀୟର ଭକ୍ତ ବି ଦେଖାଯା’ନ୍ତି । ଭୋଜନ ପରେ ତ ସେଠାରେ ଥଣ୍ଡା ପାଣି କମ୍‍ ଲୋକ ପିଅନ୍ତି । ସାଧାରଣତଃ ଏହି ସମୟରେ ସେମାନେ କଡ଼ା ଓ ଗରମ ପାନୀୟର ବ୍ୟବହାର କରନ୍ତି । କେତେକ ନିଶା ପାଣି ନିୟମିତ ଭାବରେ ନ ପିଇଲେ ଥୟ ଧରି ପାରନ୍ତି ନାହିଁ । ସେଠାରେ ମଧ୍ୟ ତାହା ଶସ୍ତା । କେତେକ ଲୋଭରେ ଅଧିକ ପିଇ ନିଜକୁ ସମ୍ଭାଳି ପାରନ୍ତି ନାହିଁ । ନାନା ବିପଦର ସମ୍ମୁଖୀନ ହୁଅନ୍ତି ।

 

ଦୁଧ ତ ସେଠାରେ ସୁବିଧାରେ ମିଳେ । ତାହା ଖାଣ୍ଟି ଓ ଦର ମଧ୍ୟ କମ୍‍ । ଏଠା ପରି ପାଣିମିଶା ଦୁଧ ଚଢ଼ାଦରରେ ବିକାହେବା କେହି କଳ୍ପନା ବି କରିପାରିବେ ନାହିଁ । ସିଲ୍‍ଦିଆ ବୋତଲ ଲୋକେ ଉଠିଲା ବେଳକୁ ଦୁଆର ମୁହଁରେ ଥୁଆ । ପୁଣି ସେଥିରେ ଗୋଳମାଳ ବା ଚୋରାଲୁଚାର ଖବର ମିଳେ ନାହିଁ । ଏଠାରେ ଏମିତିକି ସରକାରୀ ଗାଡ଼ି ଦୁଧ ପାଇଁ ସକାଳୁ ଲମ୍ବା ଲମ୍ବା ଧାଡ଼ି ଲାଗିଯାଏ । ଏସବୁ ଅବସ୍ଥା ଦେଖି ଦୁଃଖ ଲାଗେ । ଆମର ପିଲାମାନେ ସତେ କେତେ ନାରଖାର । ମାଛ, ମାଂସ, ଅଣ୍ଡା ଆଦି ତ ଦୂରର କଥା । ବହୁ ପିଲା ତ ସପ୍ତାହରେ ଥରେ ମଧ୍ୟ ଏଥିରୁ ପାଇପାରନ୍ତି ନାହିଁ । ଗୋମାତା ପୂଜା ପାଉଥିବା ଦେଶରେ ପୁଣି ଗୋ ଦୁଗ୍ଧର ସତେ କି ଦୁର୍ଭିକ୍ଷ । କେବେ ଆମର ଭାଗ୍ୟ ବଦଳିବ ?

★★★

 

ସବୁରି ଭଲରେ ନିଜର ଭଲ

 

ଲଣ୍ଡନର ସବୁଠୁଁ ଅଧିକ ଜନଗହଳି ରାସ୍ତା ଅକ୍ସଫୋର୍ଡ଼ ଷ୍ଟ୍ରୀଟ୍‍ର ଯେଉଁଠି ଟଟନ୍‍ହମ କୋଟ୍‍ ଗେଡ଼ଟି ମିଶିଛି, ସେଠି ସିଟି ସେଣ୍ଟର (City centre) ବା ଲଣ୍ଡନ ନଗରୀର କେନ୍ଦ୍ର । ସେହି ଅଞ୍ଚଳ ବ୍ୟବସାୟ ବାଣିଜ୍ୟର ପେଣ୍ଠ ଜାଗା ଆଉ ବହୁ ବଡ଼ ବଡ଼ ସ୍ଥାନର କେନ୍ଦ୍ରରେ ରହିଥିବାରୁ ଲୋକମାନଙ୍କର ଭାରି ଭିଡ଼ ହୁଏ । ସେହି କେନ୍ଦ୍ରଠାରୁ ଅଳ୍ପ ଦୂରରେ ରାସ୍ତା କଡ଼ରେ ଥିବା ଗୋଟିଏ ଚାରି ମହଲା କୋଠା ଭଙ୍ଗା ଯାଇଛି । ପୁରୁଣା କୋଠାକୁ ଭାଙ୍ଗି ନୂଆ ଢଙ୍ଗରେ ତିଆରି କରିବା ସେଠା ଲୋକଙ୍କର ଗୋଟିଏ ସଉକ ହୋଇଛି । ସେହି ଭଙ୍ଗା ଗଢ଼ା ଦାୟିତ୍ଵରେ ଗୋଟିଏ ଗୋଟିଏ ନିର୍ମାଣକାରୀ କମ୍ପାନୀ ରହିଥାନ୍ତି । ସେମାନେ କେଡ଼େ ଯତ୍ନର ସହିତ ସାଧାରଣ ଲୋକଙ୍କର ନିରାପତ୍ତା ଓ ସୁବିଧା ଦୃଷ୍ଟିରୁ ନାନାପ୍ରକାର ବ୍ୟବସ୍ଥା ଗ୍ରହଣ କରିଥାନ୍ତି, ତାହା ଲକ୍ଷ୍ୟ କରିବାର କଥା । ଲୁହା ପାଇପ ପୋତି, କାଠପଟା, କେରପାଲ ଇତ୍ୟାଦି ଘେରାଇ ସେହି ସ୍ଥାନଟିକୁ ଏମିତି ସୁରକ୍ଷିତ କରିଥାନ୍ତି ଯେ ତା’ ଭିତରେ ମସ୍ତବଡ଼ ଯନ୍ତ୍ରଗୁଡ଼ିକ ସାହାଯ୍ୟରେ କୋଠାଟିର କାନ୍ଥ ଛାତ ଭାଙ୍ଗୁଥିଲେ ହେଁ ବାହାରେ ପାଞ୍ଚଫୁଟ ଦୂରରେ ଯାଉଥିବା ଲୋକମାନଙ୍କ ଦେହରେ ଧୂଳି ଟିକିଏ ସୁଦ୍ଧା ପଡ଼ୁନାହିଁ ।

 

ସେମିତି ଯେତେ ଲୋକଗହଳି ସ୍ଥାନରେ ରାସ୍ତା କାମ ବା ପାଣି ପାଇପ ମରାମତି କିମ୍ଵା ବିଜୁଳି ଲାଇନ ସଜଡ଼ା ସଜଡ଼ି ଚାଲିଥାଉ ପଛେ ଲୋକମାନଙ୍କର ଗାଡ଼ିମଟର ଯାତାୟାତରେ ବିଶେଷ କିଛି ବାଧା ସୃଷ୍ଟି କରାଯାଏ ନାହିଁ । ସେଠାରେ ଛୋଟ ତମ୍ବୁଟିଏ କିମ୍ଵା ନାଲି ଆଲୁଅଟିଏ ଖଞ୍ଜି କି ଖଣ୍ଡେ ଦିଖଣ୍ଡ ନାଲି ପତାକା ପୋତି ସେଇ କିଣ୍ଟ୍ରାକ୍ଟର ନିଶ୍ଚିନ୍ତ ହୋଇ ନଥିବେ । ପୁଣି ଘଣ୍ଟାକର କାମକୁ ବେପରବାୟ ହୋଇ ଦଶଘଣ୍ଟା ଧରି କରାଉନଥିବେ । ବରଂ ସେ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ସାରିବାକୁ ଚେଷ୍ଟା କରୁଥିବେ । ପୁଣି ସେଠାରେ ଗୋଟିଏ ସାଇନ୍‍ ବୋର୍ଡ଼ ମାରି ଦେଇଥିବେ । ସେଥିରେ ଲେଖା ହୋଇଥିବ–“ରାସ୍ତା କାମ ହେଉଛି । ଆପଣମାନଙ୍କର ଅସୁବିଧା ପାଇଁ ଆମ୍ଭେ ଦୁଃଖିତ । କ୍ଷମା କରିବେ ।”

 

ତୁମେ କେଉଁଠିକୁ ଯାଉଛ । ଘର ପାଇ ପାରୁନାହଁ । କାହାକୁ ପଚାରି ଦେଲେ ସେ ବତାଇ ଦେବେ ବା ସମ୍ଭବ ହେଲେ ସାଥିରେ ଯାଇ ଦେଖାଇ ଦେବେ । ଅଥଚ ସେଠାରେ ସମସ୍ତେ ବ୍ୟସ୍ତ । ରାସ୍ତାରେ ଖାଲି ଦଉଡ଼ିଲା ପରି ଚାଲୁଥିବେ । ଆମ ପରି ରାସ୍ତାରେ ଢଳି ଢଳି ଗପସପ ହୋଇ ଗଜଗମନ କରିବା ସେଠାରେ ସମ୍ଭବ ନୁହେଁ । ଦିନକର କଥା । ମୁଁ ମୋର ବନ୍ଧୁ ଡଃ ରଙ୍ଗାଧର ଦାଶଙ୍କ ଘରକୁ ଦ୍ଵିତୀୟ ଥର ପାଇଁ ଯାଉଛି । ବାଟ ପାଇଲି ନାହିଁ । ସନ୍ଦେହରେ ପଡ଼ି ଜଣେ ସାହେବଙ୍କୁ ସେ ରାସ୍ତା କେଉଁ ପଟେ ପଚାରିଲି । ସେ ମୋତେ ଦେଖାଇ ଦେଲେ । ମୁଁ ପ୍ରାୟ ଅଧ କିଲୋମିଟର ସେଇ ରାସ୍ତାରେ ଆସିଲିଣି । ମୋ ପଛରେ ସେ ସାହେବ ବି ଛୁଟିଛନ୍ତି । ମୋତେ ପଛରୁ ଡାକି ସେ କହୁଛନ୍ତି–ମୁଁ ଭାରି ଦୁଃଖିତ । କ୍ଷମା କରିବେ, ମୁଁ ଭୁଲ ରାସ୍ତା ବତାଇ ଦେଲି । ଆପଣ ମୋ ସାଥିରେ ଆସନ୍ତୁ । ଠିକ୍‍ ରାସ୍ତାରେ ଛାଡ଼ିଦେବି ।

 

ମୁଁ ଅବାକ୍‍ ହେଲି । ତାଙ୍କୁ ଧନ୍ୟବାଦ ଦେଇ ତାଙ୍କ ସହିତ କିଛି ଦୂର ଯିବା ପରେ ସେହି ରାସ୍ତାଟି ପାଇଲି । ସେ ମୋତେ ହସି ହସି ବିଦାୟ ଦେଇ ଗଲେ । ମୁଁ ମଧ୍ୟ କୃତଜ୍ଞତା ପ୍ରକାଶ କରି ମୋ ବାଟରେ ଚାଲିଲି ।

 

ସେଇ ଲୋକ ଆପଣଙ୍କ ପଚାରୁଥିବା ରାସ୍ତା ଜାଣିନଥିଲେ, ଦୁଃଖପ୍ରକାଶ କରିବେ । କୌଣସି କଥା କରିନପାରିଲେ ବା ନିଜର ଦେହ ବା ଗୋଡ଼ ଅନ୍ୟ ଦେହରେ ଅଜାଣତରେ ବାଜିଗଲେ ଦୁଃଖପ୍ରକାଶ କରିବା କିମ୍ଵା କ୍ଷମା ମାଗିବା ଅତି ସାଧାରଣ କଥା । ଅନ୍ୟଠାରୁ କିଛି ସାହାଯ୍ୟ ପାଇଲେ ‘ଧନ୍ୟବାଦ’ ଜଣାଇବା ବା କୃତଜ୍ଞତା ପ୍ରକାଶ କରିବା ସେମାନଙ୍କର ଦୈନନ୍ଦିନ ଅଭ୍ୟାସ । ଏମିତିକି ଚାକର ବା ନିଜ ସ୍ତ୍ରୀ ଚା’ କପେ ଆଣିଦେଲେ ସେମାନେ ‘ଧନ୍ୟବାଦ’ ନ କହି ରହିପାରିବେ ନାହିଁ । ଯେକୌଣସି ଲୋକଙ୍କୁ କିଛି ଗୋଟିଏ କାର୍ଯ୍ୟ କରିବାକୁ କହିଲେ, ପ୍ରଥମେ “ଅନୁଗ୍ରହ କରି”, “ଦୟାକରି” କହିବା ନିତାନ୍ତ ଦରକାର । ଏହା କହିବା ଯେମିତି ସେମାନଙ୍କର ଅତି ସ୍ଵାଭାବିକ, ନ କହିବା ସେମିତି ନିତାନ୍ତ ଅଭଦ୍ରତା ବୋଲି ସେମାନେ ଭାବନ୍ତି ।

 

କେହି କୌଣସି କାମ କରିନପରିଲେ ବା ଅସୁବିଧାରେ ପଡ଼ି କିଛି ଦେଇନପାରିଲେ କ୍ଷମା ମାଗିନେବାକୁ ସେମାନେ ତିଳେ ହେଲେ କୁଣ୍ଠିତ ହୁଅନ୍ତି ନାହିଁ । ଶିକ୍ଷକ ମଧ୍ୟ ଛାତ୍ରଠାରୁ କ୍ଷମା ମାଗିଥାନ୍ତି । ମୋର ଅଧ୍ୟାପକ ଦିନେ ୩ଟା ବେଳେ ତାଙ୍କୁ ଦେଖା କରିବାକୁ ସମୟ ସ୍ଥିର କରିଥାନ୍ତି । ମୁଁ ସେଇ ସମୟରେ ଯାଇ ତାଙ୍କୁ ପାଇଲି ନାହିଁ । ଅଧଘଣ୍ଟାଏ ଅପେକ୍ଷା କରି ମୁଁ ଫେରି ଆସିଲି । ତା’ ଆରଦିନ ସକାଳୁ ପ୍ରଥମେ ଅଧ୍ୟାପକ ମହାଶୟ ମୋତେ କହିଲେ–ମି: ମହାନ୍ତି, କ୍ଷମା କରିବେ । ମୁଁ ଗୋଟିଏ ଜରୁରୀ କାମରେ କାଲି ଅନୁପସ୍ଥିତ ରହିଥିଲି ।

 

ଆଉ ଦିନେ ମୁଁ ବିଶ୍ଵବିଦ୍ୟାଳୟ ଆଉ ହଲ ବାରଣ୍ଡାରେ ଯାଉଛି । ଦେଖିଲି ଗୋଟିଏ କୋଠରୀର ଦ୍ଵାର ଦେଶରେ ଛୋଟ କାଗଜ ଖଣ୍ଡିଏ ଝୁଲୁଛି । ସେଥିରେ ଲେଖା ହୋଇଛି–ବନ୍ଧୁଗଣ, ଆଜି ମୁଁ ଅସୁସ୍ଥତା ଯୋଗୁଁ ଆଲୋଚନା କରିବାକୁ ରହି ନପାରି ଦୁଃଖିତ । କିନ୍ତୁ ଆପଣମାନେ ଆଲୋଚନା ଚଳାଇବେ କି ? ଧନ୍ୟବାଦ–ଡକ୍ଟର ଟମାସ । ସମ୍ଭବତଃ ଅଧ୍ୟାପକ ଅସୁସ୍ଥ ହୋଇପଡ଼ି ଛାତ୍ରମାନଙ୍କୁ ଶ୍ରେଣୀ ଆଲୋଚନା ଚଳାଇବାକୁ ଅନୁରୋଧ କରିଯାଇଛନ୍ତି ।

 

ଦିନେ ରବିବାରିଆ ଛୁଟିଦିନ । ଭାରି କୋହଲା ପାଗ । ରାସ୍ତା କଡ଼ରେ କେତେଗୁଡ଼ିଏ ଗଛ ଲାଗିଛି । ୩।୪ ହାତ ଉଚ୍ଚ ହୋଇଗଲାଣି । କିନ୍ତୁ ଗୋଟିଏ ବୁଢ଼ାଲୋକ ଗଛଗୁଡ଼ିକର ମୂଳ ଖୋଳି ସାର ଟିକିଏ ଟିକିଏ ଦେଉଛନ୍ତି, ଆଉ ତା’ପରେ ପାଣି ଛିଞ୍ଚି ଦେଉଛନ୍ତି । ମୋ ସାଥିରେ ଦୁଇଜଣ ବନ୍ଧୁ ଥିଲେ ସେମାନେ ଶ୍ରୀଲଙ୍କାର ।

 

ମୁଁ ପଚାରିଲି–ଆପଣଙ୍କ ଦେଶରେ ଲୋକେ ଏମିତି ସାଧାରଣ କାମ କରନ୍ତି କି ?

 

ସେମାନେ ହଠାତ୍‍ ଉତ୍ତର ଦେଲେ–ଅସମ୍ଭବ । କେହି କେବେ ଏହି ଭୀଷଣ ଥଣ୍ଡା ପାଗରେ ଏମିତି କରନ୍ତେ ନାହିଁ ।

 

ଘରେ ବସି ସବୁ କାମ ହୋଇଛି ବୋଲି ମିଛରେ କହି ନିଜର ପାଉଣାତକ ଠିକ୍‍ ସମୟରେ ବୁଝିନିଅନ୍ତେ ?

 

ମୁଁ ମନେମନେ ଭାବିଲି–ଆମ ଦେଶରେ ତ ସେଇ ସାରତକ ରାସ୍ତାକଡ଼ର ଗଛମୂଳକୁ ନଯାଇ ସିଧା କଳାବଜାରକୁ ଚଲିଯା’ନ୍ତା । ସେମିତି ରାସ୍ତାକଡ଼ର ଗୋଟିଏ ଗୋଟିଏ ସ୍ଥାନରେ ଖବରକାଗଜମାନ ରଖାଯାଇଥାଏ । କାହାର ଇଛା ହେଲେ ମୂଲ୍ୟ ସେଠାରେ ରଖି ଖବରକାଗଜ ନେଇଥାଆନ୍ତି ।

 

ଅବଶ୍ୟ ଅନେକ ସ୍ଥାନରେ ଲୋକ ମଧ୍ୟ ବସି ପତ୍ରପତ୍ରିକାମାନ ବିକାବିକି କରନ୍ତି । ଖବରକାଗଜ କିଣି ପଢ଼ିବାରେ ଏଠା ଲୋକଙ୍କ ଭାରି ଝୁଙ୍କ୍‍ । ସନ୍ଧ୍ୟାରେ ଅଫିସରୁ ଫେରୁଥିଲାବେଳେ ଖବରକାଗଜ ବିକ୍ରି ସ୍ଥାନରେ କି ଭିଡ଼ ! ଆମର ଏଠାରେ ସିନେମା ଟିକେଟ୍‍ ବା ମାଛ ମାଂସ କିଣିବା ପାଇଁ ସେମିତି ଭିଡ଼ ହେଉଥିବ ପରା ! ଖବରକାଗଜ ଖଣ୍ଡିଏ ନ କିଣି ଅନ୍ୟଠାରୁ ମାଗି ପଢ଼ିବାକୁ ସମ୍ଭବତଃ ସେମାନେ ଭାରି ଘୃଣା କରନ୍ତି । ଆମର ଏଠାରେ ଠିକ୍‍ ଓଲଟା ହିଁ ସତ ।

 

ଆଜିକାଲି ଅଫିସ, ହୋଟେଲ, ଦୋକାନ ଏମିତିକି କଳକାରଖାନାଗୁଡ଼ିକରେ ସ୍ତ୍ରୀଲୋକମାନେ ବହୁ ସଂଖ୍ୟାରେ କାର୍ଯ୍ୟ କରନ୍ତି । ପ୍ରଥମିକ ଓ ପ୍ରାକ୍ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ଶତକଡ଼ା ଅଶୀ ହେବ । ପୋଷାକ ପରିଚ୍ଛଦରେ ତ ଉଭୟ ସ୍ତ୍ରୀପୁରୁଷଙ୍କ ପୋଷାକ କ୍ରମେ ପ୍ରାୟ ସମାନ ହେଉଛି । ଉଭୟ ପୂରା ପ୍ୟାଣ୍ଟସାର୍ଟ ପିନ୍ଧୁଛନ୍ତି । ସେମାନେ ମଧ୍ୟ ଖୁବ୍‍ ନିଷ୍ଠାର ସହିତ ସେମାନଙ୍କ କାର୍ଯ୍ୟ କରିଥାନ୍ତି । ପୁରୁଷମାନଙ୍କଠାରୁ କୌଣସି ଗୁଣରେ ସେମାନେ କମ୍‍ ନୁହନ୍ତି । ବରଂ ସେମାନେ ଅଧିକ ଧ୍ୟାନ ଦେଇ ଯତ୍ନର ସହିତ ନିଜ ନିଜର କର୍ତ୍ତବ୍ୟ କରୁଥିବା ଜଣାପଡ଼େ । ବ୍ରିଟିଶ କାଉନସିଲରେ ଆମ ପରି ବିଦେଶୀ ଛାତ୍ରଛାତ୍ରୀମାନଙ୍କ ବିଷୟ ବୁଝିବା ଦାୟିତ୍ୱରେ ମାର୍ଜୋରୀ ମିକ୍‍ ନାମକ ଜଣେ ମହିଳା କର୍ମଚାରୀ ଥାନ୍ତି । ସେ ତାଙ୍କ ହାତରେ ଶହ ଶହ ଶିକ୍ଷାର୍ଥୀଙ୍କୁ ସେମାନଙ୍କର ବୃତ୍ତି ଅର୍ଥ ଦେବାପାଇଁ ବିଲ୍‍ମାନ ତିଆରି କରନ୍ତି, ଆଉ ସୁବିଧା ଅସୁବିଧାରେ ଚିଠିପତ୍ର ଲେଖନ୍ତି । ଏମିତିକି ବିଭିନ୍ନ ପର୍ବପର୍ବାଣିରେ ସେ ଶୁଭେଚ୍ଛା ଜଣାଇ ପତ୍ର ପଠାନ୍ତି । ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ବୁଲାଇ ନେବାର ବ୍ୟବସ୍ଥା ମଧ୍ୟ ସେ କରନ୍ତି । ତାଙ୍କର କାର୍ଯ୍ୟଦକ୍ଷତା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ।

 

ଦୋକାନ ବଜାରରେ ଅଧିକାଂଶ ବିକ୍ରେତା ହେଉଛନ୍ତି ମହିଳା । ସେମାନେ କେଡ଼େ ଆଗ୍ରହରେ କ୍ରେତାମାନଙ୍କୁ ହସି ହସି ସ୍ଵାଗତ କରନ୍ତି । ତାହା ଦେଖିଲେ ଭାରି ଖୁସି ଲାଗେ । କ୍ରେତାର ଚାହିଦା ମୁତାବକ ଜିନିଷପତ୍ର ଦେଖାଇବାକୁ ଯେତେ ପରିଶ୍ରମ କରିବାକୁ ପଡ଼ିଲେ ସୁଦ୍ଧା ସେମାନେ ତିଳେ ହେଲେ କୁଣ୍ଠିତ ହୁଅନ୍ତି ନାହିଁ । ତାଙ୍କ ଆଡ଼ୁ ଟିକିଏ ହେଳା ହେଲେ ସେ ଦୁଃଖ ପ୍ରକାଶ କରିବେ ବା କ୍ଷମା ମାଗିବେ । ତାଙ୍କର ଭଦ୍ର ବ୍ୟବହାର ଯେକୌଣସି ଲୋକଙ୍କୁ ମୁଗ୍ଧ କରିବ-। କୌଣସି ଜିନିଷ ନ କିଣିଲେ ସୁଦ୍ଧା ତାଙ୍କ ମନରେ ଲେଶମାତ୍ର ଦୁଃଖ ହେବାର ସୂଚନା ପାଇବ ନାହିଁ ।

 

ଅଫିସ୍‍ମାନଙ୍କରେ ସାଧାରଣତଃ ମହିଳାମାନେ ଅଭ୍ୟର୍ଥନା ଦାୟିତ୍ୱରେ ଥାନ୍ତି । କେହି ଆଗନ୍ତୁକ ଯାଇ କିଛି ପଚାରିଲେ ସେମାନେ ଅତି ଆଦରରେ ସବୁକଥା ବୁଝାଇ ଦିଅନ୍ତି । କାହା ସହିତ ଦେଖା କରିବାକୁ ଇଚ୍ଛା କଲେ ସେ ତା’ର ବ୍ୟବସ୍ଥା କରିଦିଅନ୍ତି । ଏମିତିକି ଦରକାର ପଡ଼ିଲେ ସେମାନେ ତଳ ଉପର ଘରକୁ ଧାଁ ଧାପଡ଼ କରି କେତେ ଯେ କ୍ଳାନ୍ତଶ୍ରାନ୍ତ ହୋଇ ଆଗନ୍ତୁକମାନଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତି, ତାହା ଦେଖିଲେ ସେମାନଙ୍କୁ ଧନ୍ୟବାଦ ନ ଦେଇ ରହିପାରିବା ନାହିଁ ।

 

ମହିଳା କର୍ମଚାରୀମାନଙ୍କର ସାଧୁତା ମଧ୍ୟ ସେମିତି ଖୁବ୍‍ ପ୍ରଶଂସନୀୟ । ଛାତ୍ରାବାସରେ ଘର ଓଳାଓଳି ଆଉ ସଫା କରିବା ଦାୟିତ୍ୱରେ ସାଧାରଣତଃ ଯେଉଁ ସ୍ତ୍ରୀଲୋକମାନେ ଥା’ନ୍ତି, ସେମାନଙ୍କ ହାତରେ ସବୁ ଘରର ଚାବି ଥାଏ । ସେମାନେ ତେଣୁ ଯେକୌଣସି ଜିନିଷ ଇଚ୍ଛା କଲେ ନେଇଯାଇ ପାରିବେ । କିନ୍ତୁ ସେମାନେ କେବେ କିଛି ଚୋରି କରିବାର ଶୁଣାଯାଏ ନାହିଁ । ବରଂ ଜିନିଷପତ୍ର ଏଠିସେଠି ପଡ଼ିଥିଲେ ସେମାନେ ସଜାଡ଼ି ଦିଅନ୍ତି । ହଜିଥିବା ଜିନିଷ କେଉଁଠି ପଡ଼ିଥିଲେ ସେମାନେ ପାଇ ଆଣିଦିଅନ୍ତି ।

 

ସେଇ ମହିଳା କର୍ମଚାରୀମାନେ ପୁଣି ଖାଲି ମାମୁଲି ଭାବରେ ନିଜର କାମଦାମ ସାରି ନିଜ ନିଜ ଘରକୁ ଫେରନ୍ତି ନାହିଁ । ସେମାନେ ବିଦେଶୀ ଛାତ୍ରଛାତ୍ରୀମାନଙ୍କର ସୁବିଧା ଅସୁବିଧା ପଚାରି ବୁଝନ୍ତି । ଘରଆଡ଼ୁ ଯାଉଥିବା ଖବର ଅନ୍ତର ବୁଝିବାରେ ସେମାନେ ଆଗ୍ରହ ଦେଖାନ୍ତି । ବିଭିନ୍ନ ବିଷୟରେ ସେମାନେ ମଧ୍ୟ ଭଲ ପରାମର୍ଶ ଦିଅନ୍ତି । ସେମାନେ ଆପଣା ଛାଏଁ ଛାଏଁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି । ମୁଁ ନେବା ଆଣିବା କରୁଥିବା ଗୋଟିଏ ସୁଟକେସ୍‍ର ହ୍ୟାଣ୍ଡଲଟି ଛିଣ୍ଡି ଯାଇଥିଲା । ଥରେ ମୁଁ ମ୍ୟାଞ୍ଚେଷ୍ଟର ଯିବାକୁ ବାହାରିଲି । କିନ୍ତୁ ସୁଟକେସ୍‍ଟିକୁ କେଉଁଠି ମରାମତି ନ କଲେ ସାଥିରେ ନେବି କିପରି ? ସେଠାରେ ଏମିତି ମରାମତି କାମ କେଉଁଠି ହୁଏ ମୁଁ ଜାଣିପାରିନଥିଲି । ଆମ ଘର ସଫାସଫି କରିବା ଦାୟିତ୍ୱରେ ଥିବା ଜୋନ୍‍ ଯେମିତି ଏଇ ଅସୁବିଧା ଦେଖିଛନ୍ତି, ହଠାତ୍‍ ସୁଟକେସ୍‍କୁ ଧରି ତଳକୁ ଚାଲିଲେ । ଅଧଘଣ୍ଟାକ ଭିତରେ ମରାମତି କାମ ସାରି ମୋ ପାଖରେ ହାଜର । ମୁଁ ତାଙ୍କୁ ଅଶେଷ ଧନ୍ୟବାଦ ଦେଲି ।

 

ସେମିତି ମ୍ୟାଞ୍ଚେଷ୍ଟରଠାରେ ପହଞ୍ଚି ଯେଉଁ ହୋଟେଲରେ କେତେ ଦିନ ରହିଲି, ସେଠାରେ ଗୃହ ପରିଚାରିକା ମୋ ରହିବାର ଦିନକ ପରେ ଆଉ ଗୋଟିଏ କମ୍ବଳ ଆଣି ଦେଲେ । ସେତେବେଳେ ଖୁବ୍‍ ଶୀତ ପଡ଼ିଥିଲା । ଯେଉଁ ରାତିଟି ପ୍ରଥମେ ମୁଁ ସେଠାରେ କଟାଇଲି, ଶୀତରେ ଭାରି ଥୁରୁ ଥୁରୁ ହୋଇଥିଲି । ସେ ମୋ ଅସୁବିଧା ବୁଝି ଛାଏଁ ଛାଏଁ ଆଉ ଗୋଟିଏ କମ୍ବଳ ଆଣି ଦେବାରେ ମୁଁ କୃତଜ୍ଞତା ଜଣାଇଲି ।

 

ନିଜ କାମ ନିଜେ କରିବା ଆଉ ନିଜ ଘରଦୁଆର ଅଳିଆ ସଫା କରିବାକୁ ସାହେବ ଓ ମେମ୍‍ମାନେ ଆଦୌ ଘୃଣା କରନ୍ତି ନାହିଁ । ଆମେ ଗାଡ଼ି ମଟରରେ ଯିବା ଆସିବା କଲାବେଳେ ଆମ ଜିନିଷପତ୍ର ବୁହାଇବାକୁ କୁଲି ଖୋଜୁଥିଲାବେଳେ ସେମାନେ ନିଜ ମାଲପତ୍ର ନିଜେ ବୁହାଇ ନେଇଯା’ନ୍ତି । ଆମ ଛାତ୍ରାବାସର ୱାର୍ଡ଼େନ ହଲାଣ୍ଡ ସାହେବ ନିଜର ବାଡ଼ିବାଗିଚା ସଫାସଫି କରନ୍ତି-। ତାଙ୍କର ସ୍ତ୍ରୀ ରାସ୍ତା କଡ଼ରେ ନିଜ ମଟରଗାଡ଼ିକୁ ରଖି ସାବୁନ୍‍ ପାଣିରେ ଧୁଅନ୍ତି ଆଉ କନାରେ ପୋଛାପୋଛି କରି ସଫା କରି ଦିଅନ୍ତି !

 

ଆଗରୁ ମୁଁ ହାଇଡ୍‍ ପାର୍କର ଖୋଲା ପଡ଼ିଆ ସଭା କଥା କହିଛି । ସେମିତି ଟ୍ରାଫାଲ୍‍ଗାର ଛକରେ ଖୋଲାଖୋଲି ଭାବରେ ସରକାରଙ୍କୁ ସମାଲୋଚନା କରି ବକ୍ତୃତା ଦିଆଯାଏ । ଛାତ୍ରମାନଙ୍କଠାରୁ ଆରମ୍ଭ କରି ସରକାରୀ କର୍ମଚାରୀମାନଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରତିବାଦ ସଭା କରନ୍ତି । କିନ୍ତୁ ସେଥିରେ କେହି ହୋହା, ପାଟିତୁଣ୍ଡ କିମ୍ବା ଭଙ୍ଗାରୁଜା କରନ୍ତି ନାହିଁ । ତେଣୁ ପୋଲିସର ମଧ୍ୟ ଜୁଲମ କି ଅତ୍ୟାଚାର ନଥାଏ । ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରିବା ସବୁରି ଜନ୍ମଗତ ଅଧିକାର । ଏହା ସମସ୍ତେ ବୁଝିଛନ୍ତି ।

 

ବିଲାତରେ ଯାତ୍ରୀମାନେ ଗାଡ଼ିମଟର କିମ୍ବା ଦୋକାନ ବଜାରରେ କୌଣସି ଜିନିଷପତ୍ର ହଜାଇ ଦେଲେ ସେଗୁଡ଼ିକୁ ଅନ୍ୟମାନେ ପାଇ “ହଜାଧନ” ବା ଲଷ୍ଟ ପ୍ରପର୍ଟି ନାମକ ଗୋଟିଏ ଅଫିସରେ ଜମା ଦିଅନ୍ତି । ହଜାଇ ଥିବା ଲୋକ ପାଖ “ହଜାଧନ” ଅଫିସରେ ବୁଝାବୁଝି କରନ୍ତି । ଜିନିଷର ଉପଯୁକ୍ତ ଚିହ୍ନଟ ଦେଲେ ତାଙ୍କୁ ତାଙ୍କର ମାଲ ମିଳିଯାଏ । ତେଣୁ ଏମିତି “ହଜାଧନ” ଅଫିସରେ କଲମ, ବହି, ଛତା, ଟୋପିଠାରୁ ଆରମ୍ଭ କରି ଦାମିକା ଘଡ଼ି, ହଜାର ହଜାର ଟଙ୍କାର ଚେକ୍‍, ଶହ ଶହ ପାଉଣ୍ଡ ଥିବା ମନିବେଗ୍‍ ପର୍ଯ୍ୟନ୍ତ ବହୁପ୍ରକାର ଛୋଟବଡ଼ ପର୍ଦାଥ ରହିଥାଏ । ସେମାନେ ଭାବନ୍ତି ମୁଁ ଆଜି ଗୋଟିଏ ଜିନିଷ ପାଇଲି ତ କାଲି ମୁଁ କ’ଣଟିଏ ହଜାଇ ଦେବି । ତେଣୁ କାହା ଜିନିଷ ପାଇଲେ ଫେରାଇ ଦେବା ନିତାନ୍ତ ଦରକାର ବୋଲି ଭାବନ୍ତି । ସଚ୍ଚୋଟପଣିଆ ସେଠା ଲୋକଙ୍କର ସ୍ଵଭାବ । କିନ୍ତୁ ଏଠି ତ ଆମେ ନିଜେ ନିଜକୁ ଠକୁଛୁ ଆଉ ବିଲାତରେ ମଧ୍ୟ ଭାରତୀୟ ଦୋକାନୀମାନେ ଏମିତି ଠକୁଥିବାରୁ ଭାରି ବଦନାମ ରହିଛି ।

 

ସେଠାରେ ରାସ୍ତାଘାଟ ଖୁବ୍‍ ସଫାସୁତରା । କାରଣ ସେଇ ଲୋକମାନେ ଏଠିସେଠି କିଛି ଫିଙ୍ଗାଫିଙ୍ଗି କରନ୍ତି ନାହିଁ । ଏମିତିକି କାଗଜଖଣ୍ଡିଏ କି ସିଗାରେଟ୍‍ ଅଗକୁ ରାସ୍ତାକଡ଼ରେ ଥିବା ବାକ୍ସ ବା ଡ୍ରମ୍‍ଟିରେ ପକାଇଦିଅନ୍ତି । ତେଣୁ ଯେତେ ଲୋକଗହଳି ହେଲେ ମଧ୍ୟ ରାସ୍ତାଘାଟ କିମ୍ବା ପାର୍କ ପ୍ରଭୃତି ମଣିଷ ଯୋଗୁଁ କିଛି ଅଳିଆ ଅସନା ହୁଏ ନାହିଁ । ଯାହା ଗଛଲତାରୁ ପତ୍ର ଝଡ଼ି ବା ଉଡ଼ନ୍ତା ପକ୍ଷୀମାନଙ୍କ ଯୋଗୁଁ ରାସ୍ତା ବଗିଚା ଅଳିଆ ହୁଏ । ଆମେ ତ ରାସ୍ତାଘାଟ ପ୍ରଭୃତି ସାଧାରଣ ସ୍ଥାନରେ ଅଳିଆ ଗଦା କରିବାକୁ ପଛାଉନାହିଁ । ରାସ୍ତାରେ କାଗଜ, ଫଳଚୋପା, ଛେପଖଙ୍କାର, ପାନପିକ ପ୍ରଭୃତି ସବୁ ଅଳିଆ ପକାଇ ଦେଉ । ରାସ୍ତା କଡ଼ରେ ଝାଡ଼ା ପରିସ୍ରା କରିବାକୁ ବି ଲାଜମାଡ଼େ ନାହିଁ । ଧନ୍ୟ ଆମର ପ୍ରକୃତି ! ସେଥିରେ ପୁଣି ବୁଲା ଗାଈଗୋରୁ ଆଉ କୁକୁର ବିରାଡ଼ିଙ୍କ ଅତ୍ୟାଚାର ଅଛି !!

 

ପ୍ରତ୍ୟେକ ସ୍ଥାନରେ ଧାଡ଼ିଧରିବା ସାହେବମାନଙ୍କର ସ୍ଵଭାବ । ହୋଟେଲ, ସିନେମା, ଦୋକାନବଜାର, ବସ୍‍, ଟ୍ରେନ୍‍, ସବୁଠାରେ ଧାଡ଼ି ଧରି ଟିକେଟ୍‍ ଓ ଜିନିଷପତ୍ର କିଣିବାରେ ସେମାନେ ହେଳା କରନ୍ତି ନାହିଁ । ଆମର ତ ଏହା ଏପର୍ଯ୍ୟନ୍ତ ଅଭ୍ୟାସରେ ପଡ଼ିଲା ନାହିଁ । ସେଥିପାଇଁ ସିନେମା ଦେଖିବାକୁ ଗଲେ ଭିଡ଼ାଓଟରା ହୋଇ ଲୁଗାପଟା ଚିରେ, ଗାଡ଼ିରେ ଚଢ଼ିବାକୁ ଠେଲାପେଲା ହୋଇ ଦୁର୍ଘଟଣା ଘଟେ, ଦୋକାନବଜାରରେ ଅସମ୍ଭବ ଭିଡ଼ ହୁଏ । ପୁଣି ଧାଡ଼ି ଧରିଲେ ଯେତେ ଶୀଘ୍ର ଆଉ ଯେତେ ସୁବିଧାରେ ସବୁକମା ହୋଇପାରନ୍ତା, ତାହା ବିଳମ୍ବରେ ଆଉ ବାରପ୍ରକାର ଅସୁବିଧା ଭିତରେ ହୋଇଥାଏ ।

 

ଭଲ ବ୍ୟବହାର ଆଉ ଭଲ ଗୁଣ ସାହେବମାନଙ୍କୁ ଭଲ ମଣିଷ କରିଥାଏ । ଅନ୍ୟ ଲୋକଙ୍କ ସୁବିଧା ଅସୁବିଧା ଦେଖିବା, ସଚ୍ଚୋଟ ଭାବରେ ସବୁ କାମ କରିବା, ଅପରକୁ ଶ୍ରଦ୍ଧା ଓ ସମ୍ମାନ କରିବା, ସବୁରିଙ୍କୁ ସାହାଯ୍ୟ କରିବାରେ ଆନନ୍ଦ ପାଇବା ପ୍ରଭୃତି ଭଲ ଗୁଣଗୁଡ଼ିକ ସେମାନଙ୍କୁ ଭଲ ନାଗରିକ ରୂପେ ଗଢ଼ିଥାଏ । ତା’ ଫଳରେ ସେମାନଙ୍କ ଦେଶଶାସନ ଯେମିତି ଭଲଭାବରେ ଚାଲେ, ଲୋକମାନଙ୍କର ମଙ୍ଗଳ ପାଇଁ ସବୁପ୍ରକାର କାର୍ଯ୍ୟ ସେମିତି ସୁବିଧାରେ ହୁଏ-। ପ୍ରତ୍ୟେକ ପାଇଁ ସମସ୍ତେ, ଆଉ ସମସ୍ତଙ୍କ ପାଇଁ ପ୍ରତ୍ୟେକ କାର୍ଯ୍ୟ କରନ୍ତି । ନିଜ ଭଲରେ ସବୁରି ଭଲ ଆଉ ସବୁରି ଭଲରେ ନିଜର ଭଲ–ଏହା ସେମାନେ ଭଲ କରି ବୁଝିଥାନ୍ତି ଏବଂ ସେଇ ଅନୁସାରେ ସେମାନେ କାମ କରନ୍ତି ।

★★★

 

ଜାତିର ଛାତି ଆଉ ଜୀବନର ନାଡ଼ି

 

ଲଣ୍ଡନରେ ମୋର ରହଣିକାଳ ଆସି ସରିବାକୁ ହେଲା, କିନ୍ତୁ ଗଣତନ୍ତ୍ରର ମାଆ ବିଲାତ ପାର୍ଲାମେଣ୍ଟକୁ ଦେଖିବାର ସୁଯୋଗ ମିଳି ନ ଥିଲା । ତେବେ ଜାଣିଲି ଯେ ଆମ ଭାରତର ହାଇକମିଶନରଙ୍କଠାରୁ ଗୋଟିଏ ଅନୁମତି ପତ୍ର ପାଇଲେ ପାର୍ଲାମେଣ୍ଟ ଭିତରକୁ ଯିବାରେ ଅସୁବିଧା ହୁଏ ନାହିଁ । ତେଣୁ ମୁଁ ୨।୩ ଦିନ ପୂର୍ବରୁ ଭାରତୀୟ ହାଇକମିଶନରଙ୍କ ଅଫିସକୁ ଗଲି । ସେଠାରୁ ଖଣ୍ଡିଏ ଅନୁମତି ପତ୍ର ପାଇ ମୁଁ ତା’ ଆରଦିନ ଗୋଟାଏବେଳେ ପାର୍ଲାମେଣ୍ଟ ଅଭିମୁଖେ ଚାଲିଲି ।

 

ପାର୍ଲାମେଣ୍ଟ ଲଣ୍ଡନର ଗୋଟିଏ ଇତିହାସ-ପ୍ରସିଦ୍ଧ ଅଞ୍ଚଳ ଓଏଷ୍ଟମିନଷ୍ଟାରରେ ଅବସ୍ଥିତ-। ପ୍ରଥମେ ମୁଁ ଡାଉନି ଷ୍ଟ୍ରିଟ୍‍ର ୧୦ ନମ୍ବର ଘର ପାଖରେ ପହଞ୍ଚିଲି । ଗୋଟାଏ ଗଳି ଭିତରେ ପୁରୁଣା ପକ୍କା ଘରଟିଏ । କିନ୍ତୁ ଦିନେ ପୃଥିବୀର ବିରାଟ ସାମ୍ରାଜ୍ୟର ପ୍ରାଣକେନ୍ଦ୍ର ଏହା ଥିଲା । ଶହ ଶହ ବର୍ଷ ହେଲା ଏହା ବିଲାତ ପ୍ରଧାନମନ୍ତ୍ରୀଙ୍କର ସରକାରୀ ବାସସ୍ଥାନ ହୋଇ ଆସିଛି-। ଏଠାରେ ମନ୍ତ୍ରିମଣ୍ଡଳର ସଭା ହୁଏ । କେବଳ ବିଲାତରେ ନୁହେଁ, ସାରା ଜଗତରେ ପ୍ରଭାବ ପକାଉଥିବା ନିଷ୍ପତ୍ତିମାନ ଏଠାରେ ନିଆଯାଏ ।

 

ଟେମ୍‍ସ ନଦୀର କୂଳେ କୂଳେ ଆଠ ଏକର ଜମି ଉପରେ ଓଏଷ୍ଟମିନଷ୍ଟାର ଏବିର ବିରାଟ ପକ୍କାଘର ଠିଆ ହୋଇଛି । ଏଠାରେ ଅଛି ଗୋଟିଏ ବଡ଼ ଗିର୍ଜା ଆଉ ପ୍ରସିଦ୍ଧ ସମାଧିପୀଠ । ଶହ ଶହ ବର୍ଷ ତଳର ଏଇସବୁ ଅନୁଷ୍ଠାନ । ଏହା ବିଲାତ ଇତିହାସର ମୂକସାକ୍ଷୀ । ବିଲାତର ସବୁ ସୁଖଦୁଃଖ, ହସକାନ୍ଦ, ଯୁଦ୍ଧଶାନ୍ତିର ଏହା କେନ୍ଦ୍ର । ଏଇଠି ହୁଏ ରାଜାରାଣୀମାନଙ୍କର ଅଭିଷେକ । ଏଇଠି ହୋଇଛି ବହୁ ରାଜାରାଣୀଙ୍କର କବର । ବିଲାତର ପ୍ରଥମ ବହି ଏଠାରେ ଛପା ହୋଇଥିଲା-। ବିଲାତର ବହୁ ବିଖ୍ୟାତ ଲେଖକ ଓ ପଣ୍ଡିତମାନଙ୍କର ସମାଧି ରହିଛି । ଏଠାରେ ଅଛି ଅଜଣା ସୈନିକମାନଙ୍କ ଉଦ୍ଦେଶ୍ୟରେ ଗୋଟିଏ ସମାଧି ଜାତିର ପବିତ୍ର ସ୍ମୃତିପୀଠ । ପ୍ରଥମ ମହାଯୁଦ୍ଧରେ ଇଂରେଜ ସୈନ୍ୟମାନେ ଦେଶବିଦେଶରେ ଯୁଦ୍ଧ କରି ସ୍ଵାଧୀନତା ପାଇଁ ଜୀବନ ବଳି ଦେଇଥିଲେ-। ୧୯୨୦ ମସିହା । ଯୁଦ୍ଧ ସରିଲା, ଶାନ୍ତି ପାଇଁ ସନ୍ଧି ଚୁକ୍ତି ହେଲା । ବହୁ ଯୁଦ୍ଧଭୂମିରୁ ମାଟି ଅଣାଯାଇ ସେହି ବୀର ସୈନ୍ୟମାନଙ୍କ ଉଦ୍ଦେଶ୍ୟରେ ବିଲାତର ରାଜା, ମନ୍ତ୍ରୀ ଆଉ ଦେଶବାସୀ ଭକ୍ତିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଅଜଣା ସୈନିକମାନଙ୍କର ଏହି ସ୍ମୃତି କେନ୍ଦ୍ରକୁ ପ୍ରତିଷ୍ଠା କରାଗଲା-। ସେଠାରେ ଏବେ ମଧ୍ୟ ଭକ୍ତିରେ ସବୁରି ମୁଣ୍ଡ ନଇଁ ପଡ଼େ । ଆଖିରେ ଲୁହ ଭରିଯାଏ । ଅନେକ ମଧ୍ୟ ଫୁଲମାଳ ଫୁଲତୋଡ଼ା ସେଠାରେ ଦିଅନ୍ତି ।

 

ଏଠାର ବିଖ୍ୟାତ ଗିର୍ଜାଟିରେ ଜାତୀୟ ଦିନଗୁଡ଼ିକରେ ଯେମିତି ଉତ୍ସବ ପାଳନ କରାଯାଏ, ଧର୍ମ ପର୍ବପର୍ବାଣୀରେ ସେମିତି ପୂଜା ପ୍ରାର୍ଥନା ହୁଏ । ରାଜାରାଣୀ, କବି ସାହିତ୍ୟିକ ପ୍ରଭୃତିଙ୍କର ସୁନ୍ଦର ପ୍ରତିମୂର୍ତ୍ତିମାନ ସେଠାରେ ଶୋଭାପାଉଛି । ଏଠାରେ କେବଳ ବହୁ ରାଜାରାଣୀଙ୍କର ସମାଧି ରହିନାହିଁ, ବହୁ କବି, ଲେଖକମାନଙ୍କର ପବିତ୍ର ସମାଧିମାନ ରହିଛି । ଏହି ସ୍ଥାନଟି “ପୋଏଟସ୍‍ କର୍ଣ୍ଣର” ବା କବିପୀଠ କୁହାଯାଏ । ଇଂରେଜ ସାହିତ୍ୟର ପିତା ଚଷର, ଜଗତ ବିଖ୍ୟାତ ନାଟ୍ୟକାର ସେକ୍ସପିଅର, ଅମର କବି ଟେନିସନ, ବ୍ରାଉନିଂ, ହାର୍ଡ଼ି, କିପ୍ଲିଂ, ମିଲଟନ୍‍, ବାଇରନ୍‍ ପ୍ରଭୃତିଙ୍କ ଭିତରୁ କାହାର ସମାଧି ତ କାହାରି ପ୍ରତିମୂର୍ତ୍ତିମାନ ରହିଛି ।

 

ପାର୍ଲାମେଣ୍ଟ ଗୋଟିଏ ବିରାଟ ଅନୁଷ୍ଠାନ । ଏଠାରେ ୧୧ ଶହ ବଖରା କୋଠାଘର, ୧୧ଟି ଅଗଣା ଓ ପ୍ରାୟ ୧୦୦ଟି ପାହାଚ ପଡ଼ିଛି । ତିନୋଟି ମୀନାର ଥାଇ ଏହା ଅତି ସୁନ୍ଦର ଦେଖାଯାଏ । ସେଥିରୁ ଗୋଟିଏ ହେଲା ଭିକ୍ଟୋରିଆ ମୀନାର । ଏହା ସବୁଠୁଁ ବଡ଼ । ଏହାର ଉଚ୍ଚତା ୩୩୬ ଫୁଟ । ଏହି ମୀନାରରେ ସର୍ବଦା ଜାତୀୟ ପତାକା ଉଡ଼ୁଥାଏ । ଆଉ ଗୋଟିଏ ମୀନାରର ନାମ କ୍ଲକ ମୀନାର । ଉଚ୍ଚତା ୩୨୦ ଫୁଟ । ଏହି ମୀନାରରେ ବିଗବେନ୍‍ ନାମକ ପୃଥିବୀପ୍ରସିଦ୍ଧ ଘଣ୍ଟା ଖଞ୍ଚା ଯାଇଛି । ଏହି ଘଣ୍ଟା ଖୁବ୍‍ ବଡ଼ । ଏହାର ଓଜନ ସାଢ଼େ ୧୩ ଟନ୍‍ ବା ପ୍ରାୟ ୧୨୫ କୁଇଣ୍ଟାଲ । ଏହାର ଉଚ୍ଚତା ୨୩ ଫୁଟ ଓ ଓସାର ୨୩ ଫୁଟ । ଘଣ୍ଟାରେ ଅଙ୍କଗୁଡ଼ିକ ଦୁଇ ଦୁଇ ଫୁଟ ଅନ୍ତରରେ ଲେଖା ଯାଇଛି । ଏହାର ମିନିଟ୍‍ କଣ୍ଟାଟିର ଲମ୍ବା ୧୪ ଫୁଟ ଘଣ୍ଟାକଣ୍ଟାଟିର ଲମ୍ବ ୯ ଫୁଟ । ଏହି ଘଣ୍ଟାର ଶଦ୍ଦ ବହୁ ଦୂରକୁ ଶୁଣାଯାଏ ।

 

ସେଦିନ ବିଗବେନ୍‍ର ଘଣ୍ଟାରେ ଡାଇଁ ଡାଇଁ ହୋଇ ଦୁଇଟା ବାଜିଲା । ମୁଁ ତର ତର ହୋଇ ପାର୍ଲାମେଣ୍ଟ ଆଡ଼କୁ ଚାଲିଲି । ଶହ ଶହ ଲୋକ ଧାଡ଼ି ଧରି ଠିଆ ହୋଇଥାନ୍ତି । ମୁଁ ମଧ୍ୟ ଯାଇ ସେଠାରେ ଅଭ୍ୟାସ ଯୋଗୁଁ ସେମାନଙ୍କ ଧାଡ଼ିରେ ଯୋଗ ଦେଲି । ପ୍ରଥମେ ମୋର ସନ୍ଦେହ ହେଲା ପାର୍ଲାମେଣ୍ଟ ଭିତରକୁ ଯିବାପାଇଁ ଏଠା ଲୋକଙ୍କର ଏତେ ଭିଡ଼ କାହିଁକି ହେବ ? ପୁଣି ସେ ଧାଡ଼ି ଅଙ୍କାବଙ୍କା ହୋଇ ପ୍ରାୟ ଶହେ ଗଜ ଦୁରକୁ ଲମ୍ବି ଓଏଷ୍ଟମିନଷ୍ଟାର ଏବିର ଗିର୍ଜା ପାଖରେ ପହଞ୍ଚିଥିଲା । କିଛି ସମୟ ଠିଆ ହେବା ପରେ ମୋର ମନେପଡ଼ିଲା–ମୁଁ ଆମ ହାଇକମିଶନରଙ୍କଠାରୁ ତ ଗୋଟିଏ ଅନୁମତି ପତ୍ର ପାଇଥିଲି । ଆଉ ଏଠାରେ ଧାଡ଼ି ଧରିବି କାହିଁକି ? ଆଗକୁ ଗଲି, ପାର୍ଲମେଣ୍ଟର ନିମ୍ନଗୃହ (ହାଉସ ଅଫ୍‍ କମନ୍‍ସ) ଫାଟକ ଆଗରେ ପହଞ୍ଚିଲି । ପୋଲିସଙ୍କୁ ମୋ ପାଖରେ ଥିବା ଅନୁମତି ପତ୍ର ଦେଖାଇବାରୁ ସେ ଭିତରକୁ ଛାଡ଼ିଦେଲେ । ପୁଣି ଘର ମଧ୍ୟରେ ଥିବା ଗୋଟିଏ ଅଫିସରୁ ପ୍ରବେଶପତ୍ର ଓ ପାର୍ଲାମେଣ୍ଟ ସଂପର୍କୀୟ ଏକ ବିବରଣୀ ପାଇ ସେଇ ଘର ଭିତରେ ପଶିଲି ।

 

ଦର୍ଶକ ଗ୍ୟାଲେରୀରେ ସେଦିନ ଭିଡ଼ ଟିକିଏ କମ୍ ଥିଲା । ଉପସ୍ଥିତ ସଭ୍ୟସଂଖ୍ୟା ମଧ୍ୟ ବେଶୀ ନଥିଲା । ହେଲେ ଆଲୋଚନା ସରଗରମ ଚାଲିଥାଏ । କେଉଁ ବିଷୟ ଆଲୋଚନା ଚାଲିଛି ଏବଂ କିଏ କିଏ ଆଲୋଚନା କରୁଛନ୍ତି, କାନ୍ଥରେ ମରାଯାଇଥିବା ଗୋଟିଏ ଦର୍ପଣ ପରି ଯନ୍ତ୍ରରେ ଆଲୁଅରେ ଲେଖି ହୋଇ ଯାଉଥିଲା । ଦର୍ଶକ ଗ୍ୟାଲେରୀ ପରି ହାଉସ ଅଫ୍‍ କମନ୍‍ସରେ ଲମ୍ବା ଲମ୍ବା ବେଞ୍ଚ ଆଉ ଡେସ୍କ ଏମିତିକି ଆଗ ଧାଡ଼ିରେ ମଧ୍ୟ ଲମ୍ବା ବେଞ୍ଚ ଆଗରେ ଡେସ୍କ ନଥିଲା । ତେଣୁ ଗୋଡ଼ ଲମ୍ବେଇ କେତେକ ବାଚସ୍ପତିଙ୍କ ଟେବୁଲ ଗୋଡ଼ରେ ପାଦକୁ ଢେରା ଦେଇଥାନ୍ତି । ଘରଟିର ବିଶେଷ କିଛି ଆଡ଼ମ୍ବର ବା ସାଜସଜ୍ଜା ନଥିଲା । ପ୍ରତ୍ୟେକ ଆସନରେ ଛୋଟ ଛୋଟ ଡାକବାଜି ଯନ୍ତ୍ର ଖଞ୍ଜା ହୋଇଥିବାରୁ ସଭାର ବିବରଣୀ ଶୁଣିବାରେ କିଛି ଅସୁବିଧା ହେଉ ନଥିଲା ।

 

ବାଚସ୍ପତି ମୁଣ୍ଡରେ ଗୋଟିଏ ପରଚୂଳ ପିନ୍ଧିଥିଲେ । ତାଙ୍କ ଟେବଲ ଉପରେ ଗୋଟିଏ ଗଜଦଣ୍ଡ ରଖା ହୋଇଥାଏ । ଆମର ଯେକୌଣି ପୂଜା ବା ହୋମଯଜ୍ଞରେ ଯେମିତି ଗୋଟିଏ କଳସୀ ବା ପୂର୍ଣ୍ଣକୁମ୍ଭ ନିତାନ୍ତ ଦରକାର, ସେମିତି ଏଇ ଗଜଦଣ୍ଡ ବ୍ୟତୀତ ସଭାର କାର୍ଯ୍ୟକ୍ରମ ବିଧାନସମ୍ମତ ହୋଇପାରେ ନାହିଁ । ବିଲାତରେ ପାର୍ଲାମେଣ୍ଟ କାର୍ଯ୍ୟ ଉପରବେଳା ଆରମ୍ଭ ହୋଇ ରାତି ୧୦ଟା ବା ୧୧ଟା ଯାଏ ଚାଲେ । ଏମିତିକି ଜରୁରୀ କାମ ପଡ଼ିଲେ ରାତି ପାହି ଯାଏ । ତାରି ଭିତରେ ଚା’, ଜଳଖିଆ ଆଉ ରାତ୍ରିଭୋଜନ ହୋଇଯାଏ । କାମ କରିବାରେ କି ଝୁଙ୍କ୍‍ !

 

ମୁଁ ଦର୍ଶକ ଗ୍ୟାଲେରୀରେ ବସିଥିବାବେଳେ ଭାବିଲି–ଏଇ ଅନୁଷ୍ଟାନଟି ଗଣତନ୍ତ୍ରକୁ ଗଢ଼ିବା ସଙ୍ଗେ ସଙ୍ଗେ ରାଜାରାଜୁଡ଼ା ଶାସନ ଆଉ ଅତ୍ୟାଚାରରୁ ଜନସାଧାରଣଙ୍କୁ ରକ୍ଷା କରିବା ପାଇଁ କି କାମ କରିନାହିଁ ? ଯେଉଁ ରାଜା ଛ’ଶହ ବର୍ଷ ତଳେ ତାଙ୍କୁ ପରାମର୍ଶ ଓ ଉପଦେଶ ଦେବା ପାଇଁ କ୍ଷୁଦ୍ର ସମିତିଟିଏ ଗଢ଼ିଥିଲେ, ସେଇ ସଭାଟି ରାଜବଂଶର କ୍ଷମତାକୁ ଲୋପ କରି ପାର୍ଲାମେଣ୍ଟ ରୂପରେ ସର୍ବଶକ୍ତିମାନ୍ ହୋଇ ଉଠିଲା । ସେ ପୁଣି ହେଲା ଜନତାର ଶାନ୍ତି, ମୁକ୍ତି ଆଉ ପ୍ରଗତିର ପ୍ରତୀକ । ସାରା ଜଗତରେ ତାହା ଗଣତନ୍ତ୍ରର ପଥପ୍ରଦର୍ଶକ ଆଉ ବିଧାନସଭାର ମାଆ ଭାବରେ ଜଣାଶୁଣା ହେଲା । ରାଜା ବଡ଼ କି ଲୋକପ୍ରତିନିଧିଙ୍କୁ ନେଇ ଗଢ଼ା ହୋଇଥିବା ପାର୍ଲାମେଣ୍ଟ ବଡ଼–ଏଇ ଲଢ଼େଇ ଶହ ଶହ ବର୍ଷ ଧରି ଚାଲିଥିଲା । ଏମିତିକି ଜମିଦାର, ପାଦ୍ରୀ, ପୁରୋହିତମାନଙ୍କୁ ନେଇ ଗଢ଼ା ପାର୍ଲାମେଣ୍ଟର ଉପରସଭା ହାଉସ ଅଫ୍‍ ଲର୍ଡ଼ସ୍‍ଙ୍କଠାରୁ ଲୋକପ୍ରତିନିଧିମାନଙ୍କୁ ନେଇ ଗଢ଼ା ପାର୍ଲାମେଣ୍ଟର ତଳ ସଭାର କ୍ଷମତା ଅଧିକ ବୋଲି ବହୁ ବର୍ଷ ଧରି ଗଣ୍ଡଗୋଳ ଲାଗିଥିଲା । ଶେଷରେ ରାଜାଙ୍କର କ୍ଷମତା ଲୋପ ପାଇଲା, ଆଉ ଲୋକପ୍ରତିନିଧି ହୋଇନଥିବାରୁ ହାଉସ ଅଫ୍ ଲର୍ଡ଼ସ୍‍ର ବଳ ଭାଙ୍ଗିଦିଆଗଲା । ‘‘ପ୍ରଜା ପାଇଁ ରାଜା, ରାଜା ପାଇଁ ପ୍ରଜା ନୁହେଁ” ଆଉ ‘‘ପ୍ରତିନିଧିତ୍ଵ ଯେଉଁଠି କ୍ଷମତା ସେଇଠି” ଏହି ନୀତି ଦିନକୁ ଦିନ ଦୃଢ଼ ହେଲା । ଶେଷରେ ପୁଣି ପାର୍ଲାମେଣ୍ଟ କଥାରେ ଜଣେ ରାଜା ନିଜର ଫାଶି ହୁକୁମରେ ନିଜେ ଦସ୍ତଖତ କଲେ । ଆଉ ଜଣେ ରାଜା ନିଜ ମନ ମୁତାବକ ଜଣେ ସ୍ତ୍ରୀଙ୍କୁ ବିବାହ କରିବାକୁ ରାଜଗାଦି ଛାଡ଼ିଥିଲେ ।

 

ଏବେ ବିଲାତରେ ରାଜା ଅଛନ୍ତି, ରାଣୀ ଅଛନ୍ତି, ରାଜସିଂହାସନ ଅଛି, ରାଜମୁକୁଟ ଅଛି, ରାଜଦଣ୍ଡ ଅଛି, ଅଛି ପୁଣି ରାଜ ଉଆସ, ରାଜ ଆଡ଼ମ୍ୱର ଆଉ ରାଜକୀୟ ଜାକଜମକ । ହେଲେ ନାହିଁ ଆଉ ସେଇ ରାଜଶକ୍ତି ଆଉ ରାଜକ୍ଷମତା । କର୍ପୂର ଉଡ଼ିଯାଇ କନା ପଡ଼ିଛି । ବିଲାତର ରାଜା ଖାଲି ନାମକୁ ମାତ୍ର ଇଂରେଜ ଜାତିର ମୁଖିଆ । ଲୋକପ୍ରତିନିଧି ଭାବରେ ମନ୍ତ୍ରୀମଣ୍ଡଳର ବୋଲକରା । ତେବେ ବିଲାତର ଲୋକମାନେ ରାଜରାଣୀଙ୍କୁ ଖୁବ୍‍ ଭକ୍ତି କରନ୍ତି ।

 

ଅବଶ୍ୟ ଏବେ ମଧ୍ୟ ପାର୍ଲାମେଣ୍ଟ କହିଲେ ରାଜା, ହାଉସ ଅଫ ଲର୍ଡ଼ସ୍‍ ଓ ହାଉସ ଅଫ୍ କମନ୍‍ସକୁ ବୁଝାଏ । କେଉଁ ଗୋଟିକ ବିନା ପାର୍ଲାମେଣ୍ଟ ପୂର୍ଣ୍ଣାଙ୍ଗ ହୁଏ ନାହିଁ । ପ୍ରତ୍ୟେକ ବିଲ୍‍ ଉଭୟ କମନ୍‍ସ ଓ ଲର୍ଡ଼ସ୍‍ ସଭାରେ ପାସ୍‍ ହୋଇ ରାଜା ବା ରାଣୀଙ୍କଦ୍ଵାରା ମଞ୍ଜୁର ହେଲେ ଯାଇ ଆଇନ୍‍ ହୁଏ । କମନ୍‍ସ ସଭାର ମୋଟ ସଭ୍ୟସଂଖ୍ୟା ୬୪୦ । ପାଞ୍ଚବର୍ଷରେ ଥରେ ଆମ ଦେଶ ପରି ବିଲାତରେ ନିର୍ବାଚନ ହୋଇ କମନ୍‍ସ ସଭାର ସଭ୍ୟମାନଙ୍କୁ ବଛାଯାଏ । ସେମିତି ଲର୍ଡ଼ସ୍‍ ସଭାରେ ୮୬୦ଜଣ ସଭ୍ୟ । ସେମାନେ ଲୋକମାନଙ୍କର ପ୍ରତିନିଧି ନୁହନ୍ତି । ସେମାନଙ୍କ ପାଇଁ ନିର୍ବାଚନ କରାଯାଏ ନାହିଁ । ବଂଶ ପରମ୍ପରା କ୍ରମରେ ଏହି ସଭାର ସଭ୍ୟମାନେ ଆସନ୍ତି ଓ ଯା’ନ୍ତି ।

 

ହାଉସ ଅଫ କମନ୍‍ସ ଅର୍ଥାତ୍‍ ଜନସାଧାରଣଙ୍କ ସଭାଗୃହ ପାର୍ଲାମେଣ୍ଟର ପ୍ରଧାନ ଅଙ୍ଗ ଭାବରେ ବିବେଚିତ । ଏହା କିପରି ରାଜା ବା ରାଣୀଙ୍କ ପାଖରେ ମଧ୍ୟ ନିଜର କ୍ଷମତା ଦେଖାଇଥାଏ, ତାହା ପାର୍ଲାମେଣ୍ଟ ଖୋଲା ହେବା ଦିନର ଗୋଟିଏ ଘଟଣାରୁ ଜଣାପଡ଼େ । ପାର୍ଲାମେଣ୍ଟ ଖୋଲାଦିନ ଗୋଟିଏ ଉତ୍ସବ ପାଳନ କରାଯାଏ । ରାଜାରାଣୀ ରାଜମୁକୁଟ ଓ ରାଜପୋଷାକ ପିନ୍ଧି ଶୋଭାଯାତ୍ରାରେ ବକିଙ୍ଗହାମ୍‍ ରାଜ ଉଆସରୁ ବାହାରି ଲର୍ଡ଼ସ୍‍ ସଭାକୁ ଆସନ୍ତି-। ରଙ୍ଗ ବେରଙ୍ଗର ପୋଷାକ ଆଉ ଆଲୁଅରେ ସଭା ଘରଟି ଝିଲ୍‍ମିଲ୍‍ ଦିଶେ । ଲର୍ଡ଼ସ୍‍ ସଭା ରାଜାରାଣୀକୁ ସ୍ଵାଗତ ଜଣାଏ ।

 

ଜଣେ କର୍ମଚାରୀ ରାଜା ବା ରାଣୀଙ୍କ ତରଫରୁ ଯାଏ କମନ୍‍ସ ସଭାର ସଭ୍ୟମାନଙ୍କୁ ଡାକି ଆଣିବାକୁ । କିନ୍ତୁ ସେ ସଭାର ଦ୍ଵାର ମୁହଁରେ ପହଞ୍ଚିବା ମାତ୍ରେ ସେଇ ଦ୍ଵାର ବନ୍ଦ କରି ଦିଆଯାଏ । ଏହା କରି ଜଣାଇ ଦିଆଯାଏ ଯେ ରାଜାଙ୍କର କମନ୍‍ସ ସଭାରେ କିଛି ଅଧିକାର ନାହିଁ, ଆଉ କମନ୍‍ସ ସଭା ସ୍ଵାଧୀନ ଓ ରାଜାଙ୍କଠାରୁ ଅଧିକ କ୍ଷମତାଶାଳୀ । ତା’ପରେ ସେଇ ଦ୍ଵାରର କବାଟରେ ତିନି ଥର ଠକ୍‍ ଠକ୍‍ କରିବାରୁ ଦ୍ଵାର ଖୋଲିଯାଏ ଏବଂ କର୍ମଚାରୀ ଜଣଙ୍କ ସମ୍ମାନର ସହିତ ରାଜାଙ୍କର ନିମନ୍ତ୍ରଣ ଜଣାଇଥାନ୍ତି । କମନ୍‍ସ ସଭାର ସମସ୍ତ ସଭ୍ୟ ଓ ବାଚସ୍ପତି ଶୋଭାଯାତ୍ରାରେ ଯାଇ ଲର୍ଡ଼ସ୍‍ ସଭାରେ ବସନ୍ତି । ରାଜା ତାଙ୍କର ଭାଷଣ ପାଠ କଲାପରେ ସେଇ ସଭ୍ୟମାନେ ପୁଣି କମନ୍‍ସ ସଭାକୁ ଫେରନ୍ତି । ରାଜା ମଧ୍ୟ ସେମିତି ଶୋଭାଯାତ୍ରାରେ ପ୍ରସିଦ୍ଧ ବକିଙ୍ଗହାମ୍‍ ରାଜ ଉଆସକୁ ବାହୁଡ଼ିଯାନ୍ତି ।

 

ମୁଁ ମଧ୍ୟ ସେଦିନ ଦେଢ଼ଘଣ୍ଟା ପରେ ସେଠାରୁ ଫେରିଲି । ଆସିଲା ବେଳକୁ ଓଏଷ୍ଟମିନଷ୍ଟାରର ବିରାଟ ଗୃହ ମଧ୍ୟରେ ବିଭିନ୍ନ ପ୍ରତିମୂର୍ତ୍ତି, ସ୍ମୃତିସ୍ତମ୍ଭ ପ୍ରଭୃତି ଦେଖି ଦେଖି ଆସିଲି । ସବୁଠୁଁ ଗୋଟିଏ କଥା ମୋତେ ଭାରି ବିହ୍ଵଳ କଲା । ତା’ ହେଲା ଗୋଟିଏ ସ୍ମୃତି ଫଳକରେ ଲିଖିତ ରାଜା ଚାର୍ଲସ ପ୍ରଥମଙ୍କର ଫାଶି ଦଣ୍ଡ ଖବର । ରାଜା ନିଜ ବଂଶର କ୍ଷମତାକୁ ଜାହିର କରିବାକୁ ଯାଇ କମନ୍‍ସ ସଭା ଗୃହରେ ପ୍ରବେଶ କରିଥିଲେ । ସେଥିପାଇଁ ଉକ୍ତ ସଭାଦ୍ଵାରା ସେ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିଲେ । ସେହି ଗୃହରେ ଫଳକ ଥିବା ସ୍ଥାନରେ ତାଙ୍କୁ ଫାଶୀ ଦିଆଯାଇଥିଲା । କେଡ଼େ ଅଦ୍ଭୁତ କଥା ସତେ ! ରାଜା ପ୍ରଜାମାନଙ୍କଠାରୁ ପ୍ରାଣଦଣ୍ଡ ପାଇଥିଲେ ହାୟ !

 

ଆଉ ଦିନକର ଗୋଟିଏ ସ୍ମରଣୀୟ ଘଟଣା । ଜୁନ୍‍ ୨ ତାରିଖ । ରାଜ୍ୟଗୋଷ୍ଠୀ ଦିବସ ପାଳନ ପାଇଁ ସେଇ ଓଏଷ୍ଟମିନଷ୍ଟାର ଏବିରେ ଏକ ମନୋରମ ଉତ୍ସବ । ବିଲାତର ବିରାଟ ସାମ୍ରାଜ୍ୟ ସିନା ଗଲା । କିନ୍ତୁ ସବୁ ସ୍ଵାଧୀନ ରାଜ୍ୟକୁ ପୁଣି ଗୋଟିଏ ବନ୍ଧୁତ୍ୱର ସୂତ୍ରରେ ବାନ୍ଧି ରଖିବା ଉଦ୍ଦେଶ୍ୟରେ ରାଜ୍ୟଗୋଷ୍ଠୀ ଗଢ଼ାଯାଇଛି । ରାଜ୍ୟଗୋଷ୍ଠୀର ସବୁ ରାଜ୍ୟ ମଧ୍ୟରେ ସଦ୍‍ଭାବ ଓ ସହଯୋଗ ରକ୍ଷା କରିବା ପାଇଁ ନାନାପ୍ରକାର ବ୍ୟବସ୍ଥା ରହିଛି । ପ୍ରତିବର୍ଷ ଏହି ଦିନ ରାଜ୍ୟଗୋଷ୍ଠୀ ଦିବସଟି ଖୁବ୍‍ ଜାକଜମକରେ ପାଳିତ ହୋଇଥାଏ ।

 

ମୁଁ ନିମନ୍ତ୍ରଣ ପାଇ ଠିକ୍‍ ସମୟରେ ଏବି ପାଖରେ ପହଞ୍ଚିଲି । ଚଉଦିଗ ଲୋକଗହଳି । ଲୋକେ ଏବିର ଘରେ ଦୁଆରେ ଜମା ହୋଇଥାନ୍ତି । ପ୍ରବେଶ ପତ୍ର ଦେଖାଇ ମୁଁ ଭିତରକୁ ଗଲି । ବିଭିନ୍ନ ଶ୍ରେଣୀର ଦର୍ଶକମାନଙ୍କ ପାଇଁ ସ୍ଵତନ୍ତ୍ର ସ୍ଥାନ ଥାଏ । ଗୋଟିଏ ଶୋଭାଯାତ୍ରାରେ ଭିନ୍ନ ଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ଉଚ୍ଚ କର୍ମଚାରୀ ଆସିଲେ । ଜାତୀୟ ପତାକା ଧରି ରାଜ୍ୟଗୋଷ୍ଠୀ ଅନ୍ତର୍ଗତ ସବୁ ଦେଶର ଦଳେ ଲେଖାଁ ଲୋକ ଦୁଇଧାଡ଼ିରେ ପ୍ରବେଶ କଲେ । ଆମ ଦେଶର ପତାକା ତୃତୀୟ ସ୍ଥାନରେ ଥିଲା । ବଙ୍ଗଳା ଦେଶର ପତାକା ନୂତନ ହୋଇଥିବାରୁ ସବା ପଛରେ ରହିଥିଲା । ଏକ ଗମ୍ଭୀର ପରିବେଶ ଭିତରେ ବିଲାତର ରାଣୀ ଏଲିଜାବେଥ୍‍ ଓ ତାଙ୍କ ସ୍ଵାମୀ ଫିଲିପ୍ସ (ଏଡ଼ିନବରାର ଡ୍ୟୁକ୍‍) ଆସିଲେ । ଗୀତ ବାଦ୍ୟ ବାଜି ଉଠିଲା । ସଙ୍ଗୀତର ଲହରରେ ଏତେ ବଡ଼ ଏବିଟା ପ୍ରତିଧ୍ଵନିତ ହୋଇ ଉଠିଲା ।

 

ପ୍ରତ୍ୟେକ ଦେଶର ପ୍ରଧାନ ଧର୍ମ ପୁସ୍ତକରୁ କିଛି ଅଂଶ ରାଷ୍ଟ୍ରଦୂତ ବା ତାଙ୍କର ପ୍ରତିନିଧିଙ୍କଦ୍ଵାରା ପଠିତ ହେଲା । ତା’ର ଇଂରେଜୀ ରୂପ ମଧ୍ୟ ପଢ଼ା ଯାଉଥିଲା । ଆମର ଭଗବତ୍‍ ଗୀତାରୁ ଗୋଟିଏ ଅଂଶ ଆବୃତ୍ତି କରାଗଲା । ସେତେବେଳେ ମନ ମୋର ଆନନ୍ଦରେ ପୂରିଉଠିଲା-। ବଙ୍ଗଳାଦେଶ ପାଇଁ ସେମିତି କୋରାନରୁ ପାଠ କରାଗଲା । ପାକିସ୍ଥାନ ସେତେବେଳେ ରାଜ୍ୟଗୋଷ୍ଠୀରୁ ବିଦାୟ ନେଇଥିବାରୁ ଉତ୍ସବରେ ସେ ଅନୁପସ୍ଥିତ ଥିଲା । ବିଲାତର ଜାତୀୟ ସଂଗୀତ ସହିତ ଆଉ କେତୋଟି ଗୀତ ମଧ୍ୟ ବୋଲାହେଲା ।

 

ସମୁଦାୟ ଉତ୍ସବଟି ସରଳ ଅଥଚ ଆଡ଼ମ୍ବରପୂର୍ଣ୍ଣ ଭାବରେ ସମାପ୍ତ ହେଲା । ସମସ୍ତେ ବିଭିନ୍ନ ପ୍ରକାର ପୋଷାକ ପିନ୍ଧି ଶୋଭାଯାତ୍ରାରେ ଯିବା ପରି ଏବି ମଧ୍ୟରୁ ବାହାରିଗଲେ । ଆହୁରି ଗୋଟିଏ କଥା ଶୁଣି ଭାରି ଖୁସି ଲାଗିଲା । ୧୯ ବର୍ଷ ତଳେ ଠିକ୍‍ ଏଇଦିନ ଏହି ସ୍ଥାନରେ ଏବିର ବିଲାତ ରାଣୀ ଏଲିଜାବେଥ୍‍ଙ୍କର ଅଭିଷେକ ହୋଇଥିଲା ।

 

ଓଏଷ୍ଟମିନଷ୍ଟାର ଏବି ସତେ ବିଲାତ ଜାତିର ଛାତି ଆଉ ଜୀବନର ନାଡ଼ି । ଏହା ସଭ୍ୟତା ଓ ସଂସ୍କୃତିର ଗୋଟିଏ ପବିତ୍ର ପୀଠ । ଏବେ ଏହି ଏବି ରାଜ୍ୟଗୋଷ୍ଠୀର ବିଭିନ୍ନ ଦେଶ ମଧ୍ୟରେ ଶାନ୍ତି ଓ ସଦ୍‍ଭାବର ଯୋଗସୂତ୍ର ଭାବରେ ଗଢ଼ି ଉଠିଛି ।

★★★

 

କଳର ବଳ ଆଉ ବିଜୁଳିର କରାମତି

 

ଆମ ଛାତ୍ରବାସରେ ଦେଢ଼ ଶହ ଛାତ୍ରଛାତ୍ରୀ ରହି ଖିଆପିଆ କରୁଥିଲେ । ଆମ ଦେଶରେ ଏତକ ଲୋକଙ୍କ ପାଇଁ ରୋଷେଇବାସ ଓ ପରସାପରସି କରିବା ପାଇଁ ଅତି କମରେ ୧୦।୧୫ ପୂଜାରୀ ଚାକର ଦିନକୁ ୧୨ ଘଣ୍ଟା ପରିଶ୍ରମ କରନ୍ତେ । ସେମାନେ ପୁଣି ସକାଳ ଚା’ ଜଳଖିଆଠାରୁ ଆରମ୍ଭ କରି ରାତ୍ରୀଭୋଜନ ପର୍ଯ୍ୟନ୍ତ ସବୁ କରିବାକୁ ଆହୁରି ହଇରାଣ । କିନ୍ତୁ ସେଠାରେ ୪ ଜଣ ସ୍ତ୍ରୀ ଓ ୨ଜଣ ପୁରୁଷ ଦିନକୁ ୫।୬ ଘଣ୍ଟା ଖଟି ସବୁ ସୁବିଧାରେ ନେଇ ଆଣି ଥୋଇଦିଅନ୍ତି । ଆମରି ଚାକର ପୂଜାରୀଙ୍କ ଭିତରୁ ଜଣଙ୍କୁ କାହାର ବାପମାଆ ଶୁଦ୍ଧ ଶ୍ରାଦ୍ଧ ପାଇଁ ଛୁଟି ମିଳିବା କାଠିକର ପାଠ । କିନ୍ତୁ ଲଣ୍ଡନରେ ସେମାନଙ୍କ ଭିତରୁ ଅଧିକାଂଶ ଯେ ସଂଧ୍ୟା ସାତଟା ଭିତରେ ସେମାନଙ୍କ କାମ ସାରି ସିନେମା ଦେଖାଠାରୁ ସବୁପ୍ରକାର ମଉଜମଜ୍‍ଲିସରେ ମସ୍ତ ହୁଅନ୍ତି ସେତିକି ନୁହେଁ, ଜଣେ ଦୁଇଜଣ ଶହ ଶହ ମାଇଲ ଦୂର ଦେଶ ଗ୍ରୀସ୍‍ ଆଉ ସ୍ପେନରେ ଥିବା ସେମାନଙ୍କ ଘରକୁ ୫।୭ ଦିନ ପାଇଁ ଛୁଟି ନେଇ ଯିବାର ମୁଁ ଦେଖିଥିଲି ।

 

ଏତେଶୀଘ୍ର ଏତେ ଲୋକଙ୍କ ପାଇଁ ୪।୬ ଜଣ ଲୋକ କିପରି ରୋଷେଇବାସ କରି ଥୋଇ ଦିଅନ୍ତି ଜାଣି ତୁମେ ଆଶ୍ଚର୍ଯ୍ୟ ହେବ । କିନ୍ତୁ କଳବଳରେ ଏହା ସହଜସାଧ୍ୟ ହୋଇପାରିଛି, ଅଳ୍ପ ସମୟରେ ଯେ ସବୁକାମ ହୋଇପାରୁଛି । ଆମର ପୂଜାରୀ ଚାକର କିମ୍ବା ସ୍ତ୍ରୀମାନେ ଚୁଲି ପାଖରେ ଦିନରାତି ବସି ନିଆଁ ଧୂଆଁରେ ଯେମିତି ଝାଳନାଳ ହୁଅନ୍ତି ସେମାନଙ୍କୁ ଦେଖିଲେ ଦୟା ହେବ ଆଉ ମନରେ ଆଘାତ ଲାଗିବ । ସେଠି ବିଜୁଳି ଶକ୍ତି ଆଉ କଳର କରାମତି ଯୋଗୁଁ ସବୁ କାମ କେତେ କେତେ ସହଜ ଆଉ ସହଳ ହୋଇପାରିଛି, ତାହା ଦେଖିବା କଥା ।

 

ସେମିତି ସେଠାରେ ବର୍ଷ ସାରା ତ ଥଣ୍ଡା । ପୁଣି ଶୀତ ଦିନରେ ବରଫ ବର୍ଷାକୁ ଶୀତଳ ପବନ । ଦିନରେ ବି ସୂର୍ଯ୍ୟ ଦେଖିବା ସ୍ଵପ୍ନ । କୋହଲା ପାଗକୁ ବହଳ କୁହୁଡ଼ି । ପୁଣି ସେଥିରେ ଝିପ୍‍ ଝିପ୍‍ ବର୍ଷା । କିନ୍ତୁ ବାହାରେ କଲିଜାଫଟା ଥଣ୍ଡା ହେଲା ବେଳକୁ ଘର ଭିତରେ ଉଷୁମ, ଝାଳ ବୋହି ପଡ଼ୁଥିବ । ଏହା ମଧ୍ୟ ସମ୍ଭବ ହୋଇଛି ସେଇ କଳ ଆଉ ବିଜୁଳି ବଳରେ । ଗୋଟିଏ ବୋତାମ ଟିପିଦେଲେ ଯେମିତି ଘର ସାରା ଆଲୁଅ, ସେମିତି ହିଟର ପରି କଳରେ ସୁଇଚ୍‍ଟିଏ ଚିପିଦେଲେ ଘରଟି ଉଷୁମ ହୋଇଯିବ ।

 

ଆଗରୁ ମୁଁ ଲଣ୍ଡନର ଭୂଇଁତଳ ରେଳଗାଡ଼ି କଥା କହିଛି । ଭୂଇଁ ତଳେ ତଳେ ଲଣ୍ଡନ ଭିତରେ ଓ ବାହାରେ ରେଲଗାଡ଼ିମାନ ବିଜୁଳି ବେଗରେ ଚାଲିଛି । ଲଣ୍ଡନ ସହର ଭିତରେ ବହିଯାଉଥିବା ଟେମସ ନଦୀ ତଳେ ୧୮୭୦ରେ ପୃଥିବୀର ପ୍ରଥମ ଭୂଇଁ ତଳ ରେଳଗାଡ଼ି ଚାଲିଲା-। ତା’ର ୨୦ ବର୍ଷ ପରେ ବିଜୁଳିଚାଳିତ ରେଳଗାଡ଼ିର ଯାତ୍ରା ଆରମ୍ଭ ହେଲା । ଏବେ ଲଣ୍ଡନରେ ଚାରି ହଜାରରୁ ଅଧିକ ବିଜୁଳି ଚାଳିତ ରେଳଗାଡ଼ି ଚାଲୁଛି । ତୁମେ କେଉଁ ସ୍ଥାନକୁ ଯିବ ଜାଣିଥିଲେ କାହାକୁ ନ ପଚାରି ମଧ୍ୟ ତୁମେ କାନ୍ଥରେ ଅଙ୍କା ହୋଇଥିବା ମାନଚିତ୍ର ଓ ନିର୍ଦ୍ଦେଶମାନ ଦେଖି ଏଇ ରେଳଗାଡ଼ିରେ ଯାଇପାରିବ । ଟିକେଟ୍‍ ପୁଣି କେଉଁ ସ୍ଥାନକୁ କେତେ ପଡ଼େ ନୋଟିସ୍‍ ବୋର୍ଡ଼ରୁ ଦେଖି ରେଳ କର୍ମଚାରୀଙ୍କଠାରୁ ଟିକେଟ୍‍ କିଣିପାରିବ କିମ୍ବା ଗୋଟିଏ ବାକ୍ସ ପରି ଯନ୍ତ୍ରରେ ନିର୍ଦ୍ଧିଷ୍ଟ ପରିମାଣର ଅର୍ଥ ପୂରାଇଦେଲେ ଛାଏଁ ଛାଏଁ ସେଇ ମୂଲ୍ୟର ଟିକେଟ ବାହାରି ପଡ଼ିବ ।

 

ଏଇ ଭୂଇଁ ତଳେ ରେଳଗାଡ଼ି ଖୁବ୍‍ ବେଗରେ ସୁଡ଼ଙ୍ଗ ମଧ୍ୟରେ ଗତିକରେ । ପ୍ରତି ଦୁଇତିନି ମିନିଟ୍‍ ଅନ୍ତରରେ ଏଇ ଗାଡ଼ି ଚାଲେ । ତେଣୁ ଯିବା ଆସିବାରେ ସମୟର ଅଯଥା ଅପବ୍ୟୟ ହୋଇନଥାଏ । ପୁଣି ବାହାରର ଝଡ଼ବର୍ଷା, ଶୀତକାକର ଭୂଇଁ ତଳକୁ ଛୁଏଁ ନାହିଁ । କେବଳ ତଳୁ ଉପରକୁ ଉଠି କୁଆଡ଼େ ଯିବାରେ ଯାହା ହଇରାଣ ।

 

ଲଣ୍ଡନର ପରିବହନ ସଂସ୍ଥା ତରଫରୁ କେବଳ ଏଇ ଭୂଇଁତଳ ରେଳଗାଡ଼ି ଚାଲେ ନାହିଁ-। ଲଣ୍ଡନର ୨୫ ମାଇଲ ଦୂରତା ଭିତରେ ଥିବା ଦୁଇ ହଜାର ବର୍ଗମାଇଲ ଅଞ୍ଚଳରେ ଆଠ ହଜାରରୁ ଅଧିକ ବସ୍‍ ଚାଲିଥାଏ । ସେଥିରୁ ପୁଣି ଅଧିକାଂଶ ବସ୍‍ ଦୋମହଲା । ଶନିବାର, ରବିବାର ପ୍ରଭୃତି ଛୁଟିଦିନଗୁଡ଼ିକରେ କେତେକ ନାଲି ବସ୍‍ ଚାଲେ । ଯେଉଁଥିରେ ଟିକେଟ୍‍ ଖଣ୍ଡିଏ କାଟିଲେ (ପିଲାମାନଙ୍କର ଅଧା ଟିକେଟ୍‍) ୧୫ ଶହ ମାଇଲ ପର୍ଯ୍ୟନ୍ତ ବୁଲି ଲଣ୍ଡନ ସାରା ବିଭିନ୍ନ ସ୍ଥାନ ଦେଖି ପାରିବ । ଏହାଛଡ଼ା ଲଣ୍ଡନରେ ହଜାର ହଜାର କାର ଟ୍ୟାକ୍ସି ଆଉ ନଦୀପଥରେ ଲଞ୍ଚ ନାଆ ପ୍ରଭୃତିରେ ମଧ୍ୟ ବିଭିନ୍ନ ସ୍ଥାନକୁ ଯାତାୟାତର ସୁବିଧା ଅଛି ।

 

ରାସ୍ତା କଡ଼ରେ ତୁମେ ନିର୍ଦ୍ଧିଷ୍ଟ ସ୍ଥାନରେ କାର ରଖିପାରିବ । ହେଲେ ତୁମେ ମାଗଣାରେ ରଖିପାରିବ ନାହିଁ । ସେଥିପାଇଁ ଭଡ଼ା ଦେବାକୁ ପଡ଼ିବ । ସେ ଭଡ଼ା ପୁଣି ତୁମଠାରୁ କେହି ଲୋକ ଆସି ସଂଗ୍ରହ କରିବେ ନାହିଁ । ତୁମେ ଛାଏଁ ଛାଏଁ ରାସ୍ତାକଡ଼ରେ ଠିଆ ହୋଇଥିବା ଗୋଟିଏ ମିଟର ପରି ଯନ୍ତ୍ରଟିରେ ଏଇ ଭଡ଼ାତକ ଗଳାଇ ଦେବ, ଅବଶ୍ୟ ସମୟକୁ ଚାହିଁ ଭଡ଼ା । ଅଧିକ ସମୟ ପାଇଁ ଗାଡ଼ି ଠିଆ କରିବାକୁ ହେଲେ ଅଧିକ ଭଡ଼ା ଦେବାକୁ ହୁଏ । ନଚେତ୍‍ ସେଠାରେ କେତେବେଳେ ଜଣେ ଜଗୁଆଳି (ସ୍ତ୍ରୀ ବା ପୁରୁଷ) ଆସି ପହଞ୍ଚି ତୁମ ଗାଡ଼ି ନମ୍ବର ଟିପିନେବେ । ତା’ର କେତୋଟି ଦିନ ଭିତରେ ତୁମଙ୍କୁ କଚେରୀକୁ ଟଣାଯିବ ଆଉ ଜୋରିମାନା ଦେବାକୁ ପଡ଼ିବ । ସେଥିରେ ହାରିଗୁହାରି କଲେ କେହି କାନରେ ପୂରାଇବେ ନାହିଁ ।

 

ରାସ୍ତାଘାଟ, ଷ୍ଟେସନ, ଅଫିସ ପ୍ରଭୃତିରେ ଛୋଟ ଛୋଟ ଇସ୍ପାତ ଆଲମିରା ପରି ଯନ୍ତ୍ରମାନ ରହିଥାଏ । ସେଥିରେ ଥାକ ଥାକ ହୋଇ ବିସ୍କିଟ୍‍, ଚକୋଲେଟ୍‍, ସିଗାରେଟ ପ୍ରଭୃତି ଥାଏ-। ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ସେଇ ଯନ୍ତ୍ରଟିରେ ଗଳାଇଦେଲେ ସେଇ ମୂଲ୍ୟର ପଦାର୍ଥଟି ଗୋଟିଏ ବାଟରେ ବାହାରି ପଡ଼ିବ । ଏମିତିକି ଚା’, କଫି ପ୍ରଭୃତି ପାନୀୟ ମଧ୍ୟ ସେମିତି ଗୋଟିଏ ଲେଖାଁ ଯନ୍ତ୍ରରେ ରହିଥାଏ । କାଗଜ ବା ପ୍ଲାଷ୍ଟିକ୍‍ ତିଆରି ଗ୍ଲାସ ମଧ୍ୟ ସେଠାରେ ଥାଏ । ସେଥିରୁ ଗୋଟିଏ ଲେଖାଁ ସେହି କଳରେ ନିର୍ଦ୍ଦିଷ୍ଟ ସ୍ଥାନରେ ରଖିଦେଇ ଉଚିତ ମୂଲ୍ୟ ଗୋଟିଏ କଣାରେ ପୂରାଇ ଦେଲେ ଚାହିଦା ମୁତାବକ ଚା’ ବା କଫି ସାଧା କିମ୍ବା ଚିନିମିଶା ହୋଇ ବାହାରି ଗ୍ଲାସଟିକୁ ପୂରାଇ ଦେବ ।

 

ଥରେ ମୁଁ ଗୋଟିଏ ଅନୁଷ୍ଠାନରେ ସଭ୍ୟ ହେବାକୁ ଯାଇଥିଲି । ତା’ର ନିୟମ ଅନୁସାରେ ମୋତେ ଦରଖାସ୍ତ ସହିତ ମୋର ଦୁଇଟି ଫଟୋ ଦାଖଲ କରିବାକୁ ହେବ ବୋଲି ଅଫିସର କହିଲେ । ପଚାରିଲି–ମୋ ପାଖରେ ତ ଫଟୋ ଜମା ନାହିଁ । କେଉଁ ଫଟୋ ଦୋକାନରୁ ଉଠାଇଲେ ବିଳମ୍ବ ତ ହେବ । ସେ ବାବୁ କହିଲେ–ଆପଣ ଆର ଘରକୁ ଯା’ନ୍ତୁ । ଗୋଟିଏ ଫଟୋ ଉଠା ଯନ୍ତ୍ର ଅଛି । ସେଠାରେ ଦଶ ପେନସ୍‍ ଗଳାଇ ଦେଇ ମିନିଟ୍‍ଏ ପାଇଁ ସେଇ ଯନ୍ତ୍ରରେ ଲାଗିଥିବା ଗୋଟିଏ ଦର୍ପଣ ଆଗରେ ବସିଗଲେ ଆପଣଙ୍କ ଫଟୋର ୩ଟି କପି ୫ ମିନିଟରେ ବାହାରି ପଡ଼ିବ । ମୁଁ ତାଙ୍କୁ ଧନ୍ୟବାଦ ଦେଇ ଯନ୍ତ୍ର ପାଖକୁ ଗଲି । ଉପଯୁକ୍ତ ମୂଲ୍ୟର ମୁଦ୍ରାଟିଏ ଗଳାଇ ୩ଟି ଫଟୋ ପାଇଗଲି । ଶସ୍ତାରେ ଏତେ ଶୀଘ୍ର ଫଟୋ ଉଠାଇବା ଜାଣି ଆଶ୍ଚର୍ଯ୍ୟ ହେଲି । ମନୁଷ୍ୟ ଅଧିକ ପଇସା ନେଇ ଫଟୋ ଉଠାଇ ଦେବା ପାଇଁ ୨।୩ ଦିନ ଯେଉଁଠି ଲାଗୁଛି, ସେଠାରେ ଯନ୍ତ୍ରଟି ୫ ମିନିଟରେ କରିଦେଉଛି କେଡ଼େ ଆଶ୍ଚର୍ଯ୍ୟର କଥା ସତେ । ଅବଶ୍ୟ ମୁଁ ଦେଖିଲି ଫଟୋଗୁଡ଼ିକ ସେତେ ସ୍ପଷ୍ଟ ନୁହେଁ । ତେବେ କାମ ଚଳିଯିବାପାଇଁ ଯଥେଷ୍ଟ ହେଲା ତ ।

 

ଆଉ ଦିନକର କଥା । ମୁଁ ଛାତ୍ରାବାସରେ ରହିବାର ଅଳ୍ପଦିନ ଭିତରେ ଜାଣିବାକୁ ପାଇଲି ଯେ ସେଠାରେ ଗୋଟିଏ ଲଣ୍ଡ୍ରୀ ବା ଧୋବୀଘର ରହିଛି । ମୁଁ ତେଣୁ କେତୋଟି ଲୁଗାପଟା ସଫା କରିବାକୁ ସେଇ ଲଣ୍ଡ୍ରୀ ପାଖରେ ପହଞ୍ଚିଲି । ଦୁଆରମୁହଁରେ ‘ଲଣ୍ଡ୍ରୀ’ ବୋଲି ଲେଖାଥିଲା । ମାତ୍ର ଘର ଭିତରକୁ ଯାଇ ଦେଖେ ସେଠାରେ କୌଣସି ଲୋକ ନାହାନ୍ତି, କେବଳ କେତୋଟି ଯନ୍ତ୍ର ରହିଛି-। ସେଠାରେ ସବୁ ନିର୍ଦ୍ଦେଶ ରହିଛି । କେତେ ପଇସା ପକାଇ ଦେଇ ମଇଳା ଲୁଗାପଟାକୁ ସାବୁନଗୁଣ୍ଡ ବା ପାଉଡରରେ ଗୋଳି ଦେଲାପରେ ସେଇ ଯନ୍ତ୍ରର ନିର୍ଦ୍ଦିଷ୍ଟ ସ୍ଥାନରେ ରଖି ସୁଇଚଟିଏ ଚିପିଦେଲେ ହେଲା । ଯନ୍ତ୍ରଟି ଘର୍‍ ଘର୍‍ କରି ସବୁତକ ସଫା କରିବାରେ ଲାଗିଯିବ । ଲୁଗାପଟା ୧୦।୧୫ ମିନିଟରେ ସଫା ହୋଇଯିବ । ଓଦା ଲୁଗାକୁ ପୁଣି ଶୁଖାଇବା ପାଇଁ ଖରା ଦରକାର ନାହିଁ-। ଆଉ ଗୋଟିଏ ଯନ୍ତ୍ରରେ ସେସବୁ ପୂରାଇ ଦେଲେ ସବୁ ଶୁଖିଯିବ । ଇସ୍ତ୍ରି କରି ଦେବାକୁ ମଧ୍ୟ ସବୁ ସୁବିଧା ରହିଛି । ଇଚ୍ଛା କଲେ ଯେ କେହି ହାତେ ହାତେ ଇସ୍ତ୍ରି କରି ଦେଇ ପାରିବେ-

 

ସେମିତି ତୁମେ ଭୂଇଁ ତଳେ ବା ଉପରେ ଥିବା ଷ୍ଟେସନ, ଦୋକାନ ବଜାରକୁ ଯିବା ଆସିବା କରିବା ପାଇଁ ଲମ୍ବା ଲମ୍ବା ସିଡ଼ି ପଡ଼ିଛି । ସେଥିରେ ତୁମେ ପରିଶ୍ରମ କରି ଉଠିବା ଦରକାର ନାହିଁ । ପାହାଚଗୁଡ଼ିକ ଆପେ ଆପେ ଉପରକୁ ଉଠୁଛି ବା ତଳକୁ ଯାଉଛି । ତୁମେ ଯୁଆଡ଼େ ଯିବାକୁ ମନ କରିବ ସିଆଡ଼କୁ ଯାଉଥିବା ପାହାଚରେ ଠିଆ ହେଲେ ଯାଇପାରିବ । ପାହାଚରେ ଚଢ଼ିଯାଇ ପାରିଲେ ଶୀଘ୍ର ମଧ୍ୟ ପହଞ୍ଚିଯାଇ ହେବ ।

 

ସେମିତି ଟେଲିଫୋନ କରିବାପାଇଁ ତୁମେ ଗୋଟିଏ ବାକ୍ସରେ ଦୁଇ ପେନସ୍‍ ଗଳାଇ ଦେଇ ଉଦ୍ଦିଷ୍ଟ ଫୋନ ନମ୍ବର ଘୂରାଇ ଦେଲେ ତୁମେ କଥାବାର୍ତ୍ତା ହୋଇପାରିବ । ନିର୍ଦ୍ଦିଷ୍ଟ ସମୟ ଭିତରେ ତୁମେ କଥାବାର୍ତ୍ତା ନ ହେଲେ ପୁଣି କ୍ରିଂ କ୍ରିଂ ବାଜିଉଠିବ । ଆଉ ଥରେ ଦୁଇ ପେନସ୍‍ ପକାଇଲେ ଯାଇ ଠିକ୍ ଭାବରେ କଥାବାର୍ତ୍ତା ହୋଇପାରିବ । ନଚେତ୍‍ ଆପେ ଆପେ ତାହା ବନ୍ଦ ହୋଇଯିବ ।

 

ଲଣ୍ଡନରେ କେତେକ ବସ୍‍ ଚାଲେ, ଯେଉଁଥିରେ କେବଳ ଜଣେ ଡ୍ରାଇଭର ଥାନ୍ତି । କଣ୍ଡକ୍ଟର କି କ୍ଲିନର ସେଥିରେ ନଥାନ୍ତି । ଡ୍ରାଇଭରଙ୍କ ପାଖରେ ଗୋଟିଏ ସୁଇଚ ଥାଏ; ତାକୁ ଚିପି ଦେଲେ ଦୁଆର ଖୋଲିଯାଏ ବା ବନ୍ଦ ହୋଇଯାଏ । ତାଙ୍କ ପାଖରେ ବାକ୍ସଟିଏ ଥାଏ । ସେଥିରେ ଭଡ଼ା ପଇସାଟି ଗଳାଇ ଦେବାକୁ ହୁଏ । କିଏ କେଉଁଠାରେ ଓହ୍ଲାଇବାକୁ କଲିଂ ବେଲ ମାରି ଜଣାଇଦେଲେ ଡ୍ରାଇଭର ସେଇ ସ୍ଥାନରେ ଗାଡ଼ି ବନ୍ଦ କରିବା ସଙ୍ଗେ ସଙ୍ଗେ ସୁଇଚ ଟିପି ଦୁଆର ଖୋଲି ଦିଅନ୍ତି । ଯାତ୍ରୀମାନେ ଓହ୍ଲେଇଗଲେ ପୁଣି ସୁଇଚ ଟିପି ଦୁଆର ବନ୍ଦ କରିବାକୁ ହୁଏ । ସେଥିପାଇଁ ଡ୍ରାଇଭରଙ୍କୁ ସିଟରୁ ଉଠିବାକୁ ହୁଏ ନାହିଁ ।

 

ଥରେ ବିଲାତରେ ବିଜୁଳିଶକ୍ତି ଉତ୍ପାଦନ ବନ୍ଦ ହେବାରୁ ଘରେ ଦୋକାନବଜାରରେ, ଅଫିସରେ ସବୁଠାରେ କମ୍‍ ସମୟ ପାଇଁ ବିଜୁଳି ଜାଳିବାକୁ କୁହାଗଲା । କିନ୍ତୁ ଡାଏରି ଫାର୍ମ ବା ଗୋପାଳନ କେନ୍ଦ୍ରରେ ବିଜୁଳି ଶକ୍ତି ଅଭାବରୁ ଗାଈ ଦୁହାଁ ହୋଇପାରିଲା ନାହିଁ । କୁକୁଡ଼ା ଫାର୍ମରେ ସେମିତି ବିଜୁଳି ଶକ୍ତି ଅଭାବରୁ ଅଣ୍ତା ଉତ୍ପାଦନରେ ବାଧା ସୃଷ୍ଟି ହେଲା ବୋଲି ଖବର କାଗଜରୁ ଜାଣିବାକୁ ପାଇଲି ।

 

ଏମିତି ଦେଖିଲେ ରୋଷଘର, ଗାଡ଼ିମଟର, ଦୋକାନ ବଜାର, ଡାଏରି ଫାର୍ମ, କୁକୁଡ଼ା ଫାର୍ମ, ଅଫିସ ପ୍ରଭୃତି ସବୁଠାରେ ବିଜୁଳି ଶକ୍ତିର କରାମତି ଆଉ କଳର ବଳ ଅନୁଭୂତ ହେଉଛି । ଯନ୍ତ୍ରସବୁ ମନୁଷ୍ୟର କଷ୍ଟକୁ କମାଇ ଦେବା ସଙ୍ଗେ ସଙ୍ଗେ ତା’ର ଶ୍ରମକୁ ଲାଘବ କରିପାରୁଛି । ତାକୁ ସେ ଅଧିକ ବିଶ୍ରାମ ଆଉ ଅବସର ଯୋଗାଇ ଦେଇ ପାରୁଛି । ତାହା ମଣିଷର ଜୀବନକୁ ସୁଖଶାନ୍ତିରେ ପରିପୂର୍ଣ୍ଣ କରିବାରେ ସହାୟକ ହୋଇପାରିଛି ।

★★★

 

ସ୍ଵାଧୀନ ଜାତିର ସମ୍ମାନ ଓ ଅପମାନ

 

ଲଣ୍ତନରେ ମୋର ରହଣି କେତେ ଚଞ୍ଚଳ ସରିଆସିଲା । ସମୁଦାୟ ଦଶଟି ମାସ ଦଶଟି ସପ୍ତାହରୁ ବି କମ୍‍ ସମୟ ପରି ଲାଗିଲା । ପହିଲେ ଯେତେବେଳେ ସେଠାରେ ପାଦ ଦେଲି, ସବୁ ନୂଆ ନୂଆ ଲାଗୁଥିଲା । ସବୁ ଆଡ଼େ ଅଜଣା ଅଚିହ୍ନା ଲୋକ । ସେମାନଙ୍କ ସହିତ ମିଶି ଚଳିବାକୁ ହେଲା । ଛାତ୍ରାବାସରେ ଯେମିତି ପୃଥିବୀର ନାନା ଦେଶରୁ ଆସିଥିବା ଲୋକଙ୍କ ସହିତ ବନ୍ଧୁତା ବାନ୍ଧିଲି, ବିଶ୍ଵବିଦ୍ୟାଳୟ ଶିକ୍ଷାନୁଷ୍ଠାନରେ ସେମିତି ଅଧ୍ୟାପକମାନଙ୍କଠାରୁ ଆରମ୍ଭ କରି ବହୁ କର୍ମଚାରୀଙ୍କ ସହିତ ଚିହ୍ନା ହେଲି । ଏମିତି ପରସବୁ ଆପଣାର ହେଲେ । ଖାଦ୍ୟପେୟ, ପୋଷାକପତ୍ର, ଚଳଣିଚମକ ସବୁକଥା ଅଲଗା ଅଲଗା । ସବୁକିଛି ଅଭ୍ୟାସରେ ପକାଇବାକୁ ହେଲା । ଅଖାଡ଼ୁଆ ଲାଗୁଥିବା କଥାସବୁ କେତେ ଆରେଇ ଗଲା । ଖରାପ ଲାଗୁଥିବା ଜିନିଷପତ୍ର ଭଲ ଲାଗିଲା । ଅଚିହ୍ନା ଅଜଣା ଜାଗାସବୁ କେତେ ପ୍ରିୟ ହୋଇ ପଡ଼ିଲା ।

 

ଲଣ୍ତନର କେତେ ସ୍କୁଲ କଲେଜ, ସିନେମା ରାସ୍ତାଘାଟ, ଦୋକାନବଜାର, ଗଳିକନ୍ଦିରେ ମୁଁ କେତେବେଳେ ଏକା, କେତେବେଳେ ସାଙ୍ଗମାନଙ୍କ ସହିତ ବୁଲାବୁଲି କରିଛି । ପାର୍କ ଗୁଡ଼ିକରେ ମୁଁ ପରୀରାଇଜର ପରୀଟିଏ ପରି ଉଡ଼ିଛି । ପୁସ୍ତକାଗାରରେ ପ୍ରଜାପତି ପରି ପାଠର ମହୁ ସାଉଁଟିଛି-। ଶିକ୍ଷାନୁଷ୍ଠାନରେ ଶିକ୍ଷାର୍ଥୀ ପରି ଶିକ୍ଷା ଲାଭରେ ଲାଗିପଡ଼ିଛି । ଦୋକାନବଜାରରେ କେତେ ନୂଆ ଜିନିଷ ଦେଖିଛି ଆଉ କିଣିଛି । ହେଲେ ମନ ବୋଧ ହୋଇ ନାହିଁ । ଯେତେ ଦେଖିଲେ ବି ସବୁ ନୂଆ ପରି ଲାଗିଛି ।

 

ଜୁନ୍‍ ମାସ । ସେଠାରେ ସେଇ ମାସ ଖରାଦିନ । ହେଲେ ଶୀତ ତ ପୂରା ଛାଡ଼ି ନାହିଁ । କୋଟ୍‍, ସୁଏଟର ବି ପିନ୍ଧିବାକୁ ହେଉଛି । ବର୍ଷା ବି ଥରେ ଥରେ ଝରିପଡ଼ୁଛି । ସକାଳ ପାଞ୍ଚଟାରେ ହେଲାବେଳକୁ, ସନ୍ଧ୍ୟା ଆଠଟାରେ ହେଉଛି । ରାତି ନଅଟାରେ ବି ରାସ୍ତାଘାଟ କେତେ ଫରଚା । ତେଣୁ ଅବୋଧ ମନକୁ ବୋଧ କରିବା ପାଇଁ ସୁବିଧା ହୁଏ । ପ୍ରିୟ ସ୍ଥାନଗୁଡ଼ିକୁ ଭଲଭାବରେ ଆଖି ପୂରାଇ ଦେଖିବାକୁ ଅଧିକ ସମୟ ମିଳିଲା । ସନ୍ଧ୍ୟା ଛଅଟାରେ ଖିଆପିଆ ସାରି ପୁଣି ତିନିଘଣ୍ଟା କାଳ ମନଇଚ୍ଛା ବୁଲିବାକୁ ସୁବିଧା ହେଲା ।

 

ଘରକୁ ଫେରିଯାଇ ପିଲାପିଲି, ସାଙ୍ଗସାଥୀ ଆଉ ଆପଣା ଦେଶବାସୀଙ୍କୁ ଦେଖିବାକୁ ମନ ଉଚ୍ଛନ୍ନ ହେଲାଣି । କେତେ ଆନନ୍ଦମୟୀ, କେତେ ରହସ୍ୟମୟୀ ଆଉ କେତେ କୌତୂହଳମୟୀ ଲଣ୍ଡନ ନଗରୀକୁ ପୁଣି ଛାଡ଼ି ଚାଲିଯିବାକୁ ହେବ ଭାବିଲେ ମନରେ ଭାରି ଦୁଃଖ ହେଲା । ହୁଏତ ଆଉ ଥରେ ଲଣ୍ଡନ ଆସିବାକୁ ସୁଯୋଗ ନ ମିଳିପାରେ । ତେଣୁ ଯେତେ ସମ୍ଭବ ଅଧିକ ସମୟ ବାହାରେ କଟାଇବାକୁ ଲାଗିପଡ଼ିଲି । ଆଫ୍ରିକାର ସାଙ୍ଗମାନେ କହିଲେ–ଆମ ଦେଶରେ ତ ବହୁ ଭାରତୀୟ ଶିକ୍ଷକ ଅଛନ୍ତି । ସେମାନେ କବାଟ କିଳି ଘର ଭିତରେ ରହନ୍ତି । କୁଆଡ଼େ ଯା’ନ୍ତି ନାହିଁ । ଆପଣ ଏତେ ବୁଲାବୁଲି କରୁଛନ୍ତି କିପରି ?

 

ମୁଁ କହିଲି–ଆମେ କ’ଣ ସମସ୍ତେ ସମାନ ? ସେମାନେ ତୁମ ଦେଶର କେଉଁ ପରିସ୍ଥିତିରେ ଏମିତି ଆଚରଣ କରୁଥିବେ । କିନ୍ତୁ ମୁଁ ତ ଏଠି ମୁକ୍ତ ପକ୍ଷୀ ପରି ଉଡ଼ି ବୁଲିବାକୁ ଇଚ୍ଛା କରୁଛି । ନୂଆ ନୂଆ କଥା ଦେଖିବା, ଶିଖିବା ଓ ଜାଣିବାରେ ମୋର ଆନନ୍ଦ ।

 

ସେମାନେ ଚୁପ୍‍ ହୁଅନ୍ତି । ସେମାନେ ନିଜେ ମଧ୍ୟ ବେଶୀ କିଛି ଦେଖିବାକୁ ଯା’ନ୍ତି ନାହିଁ । ଖାଲି ସାନ୍ଧ୍ୟ ମିଳନରେ ମଦ ପିଇବା ଆଶାରେ ଯାହା ବାହାରକୁ ଯା’ନ୍ତି । ସେମାନଙ୍କର ରୁଚି ଆଦୌ ଉନ୍ନତ ନୁହେଁ ।

 

ଆଫ୍ରିକାର ଅଧିକାଂଶ ଦେଶ ଭାରତ ତୁଳନାରେ ଭାରି ଅନୁନ୍ନତ । ବହୁ ଦେଶ ଏବେ ଭାରତ ସ୍ଵାଧୀନ ହେବାର ସାତପଛରେ ସ୍ଵାଧୀନ ହେଲେ । ଆଫ୍ରିକାକୁ ଅନ୍ଧାରୀ ମୁଲକ କୁହାଯାଏ । ସେଠାର କେତେକ ଦେଶର ଲୋକ, କଞ୍ଚମାଂସ କାଟି ଖା’ନ୍ତି ବୋଲି ଶୁଣିଲି । ହେଲେ ସେଠା ଲୋକଙ୍କର ଗର୍ବ, ଗୁଣ୍ଡାମି ଆଉ ଠାଣିମାଣି କମ୍‍ ନୁହେଁ ।

 

ବିଲାତର ବହୁ ସାହେବ ଆଫ୍ରିକାର ବିଭିନ୍ନ ରାଜ୍ୟରେ ଚାକିରି କରିଥିଲେ । ଏମିତିକି ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଯେଉଁ ବିଭାଗ ଆମ ପାଠପଢ଼ା ବ୍ୟବସ୍ଥା କରୁଥିଲେ, ସେଥିରେ ନିଯୁକ୍ତ ଅଧିକାଂଶ ଅଧ୍ୟାପକ ଆଫ୍ରିକାରେ କାର୍ଯ୍ୟ କରିଥିଲେ । ଆମର ଟିଉଟର (ଦାୟିତ୍ୱରେ ଥିବା ଅଧ୍ୟାପକ) ସେମିତି ବହୁ ବର୍ଷ ଆଫ୍ରିକାର କେତେକ ରାଜ୍ୟର ଶିକ୍ଷା ବିଭାଗରେ କାର୍ଯ୍ୟ କରିଥିଲେ । ସେ ଆଫ୍ରିକଠାରୁ ଭାରତକୁ ଆହୁରି ଅନୁନ୍ନତ ବୋଲି ଧାରଣା କରିଥିବା ପରି ମୋତେ ଜଣାଗଲା । ଖବରକାଗଜ, ଟେଲିଭିଜନ, ରେଡ଼ିଓ ପ୍ରଭୃତିରୁ ଭାରତୀୟ ଲୋକମାନଙ୍କ ଦୁଃଖ ଦାରିଦ୍ର୍ୟର ଚିତ୍ର ପାଇ ତାଙ୍କ ପରି ବହୁ ସାହେବଙ୍କର ଏମିତି ଧାରଣା ହୋଇଛି ।

 

ଅଧ୍ୟାପକ ସାହେବଙ୍କର ପ୍ରକୃତ ଧାରଣା ଜାଣିବାକୁ ଦିନେ ବିଦାୟ ନେବା ପୂର୍ବରୁ ମୁଁ କହିଲି–ସାର୍‍, ଆପଣ କେବେ ଭାରତ ଯାଇପାରିଲେ ମୁଁ ଭାରି ଖୁସି ହୁଅନ୍ତି । ଆପଣ ଆଫ୍ରିକାରେ କାମ କରି ସେଠା ଅବସ୍ଥା ଯେମିତି ଜାଣିପାରିଛନ୍ତି, ଭାରତକୁ ଯାଇନଥିବାରୁ ସେଠା ଅବସ୍ଥା ବିଷୟରେ ସେମିତି ଜାଣିପାରି ନାହାନ୍ତି ।

 

ସେ ଉତ୍ତର ଦେଲେ–ମିଷ୍ଟର ମହାନ୍ତି, ମୁଁ ଭାରତ ଗଲେ କିନ୍ତୁ ଖୁସିହୋଇ ପାରିବି ନାହିଁ-

 

ମୁଁ ଏଇ ଉତ୍ତର ଶୁଣି ତଟସ୍ଥ ହେଲି । ତେବେ ମୁଁ ତାଙ୍କୁ ଏହାର କାରଣ ପଚାରିଲି । ସେ କହିଲେ ଯେ ଭାରତର ଦୟନୀୟ ଅବସ୍ଥା ଦେଖିଲେ ସେ ଭାରି ଦୁଃଖିତ ହେବେ ।

 

ମୁଁ କହିଲି–ଆପଣ ଏଠାର ଖବରକାଗଜ ଟେଲିଭିଜନରୁ ଭାରତର ଯେଉଁ ଚିତ୍ର ପାଇଛନ୍ତି, ତାହା ପ୍ରକୃତ ଚିତ୍ର ନୁହେଁ । ଏହା ଅବଶ୍ୟ ମନଗଢ଼ା ନୁହେଁ । କିନ୍ତୁ ଭାରତ ପରି ବିରାଟ ଦେଶରେ କେଉଁଠି ଲୋକମାନେ କିପରି ଅବସ୍ଥାରେ ଅଛନ୍ତି । କେଉଁଠି ଲୋକମାନେ ଏ ଦେଶପରି ସମସ୍ତ ସୁବିଧା ସୁଯୋଗ ଭୋଗୁଥିଲା ବେଳେ, କେଉଁଠି ଜୀବନର ସବୁଠୁଁ ନିତାନ୍ତ ଆବଶ୍ୟକତା ମଧ୍ୟ ପୂରଣ ହୋଇପାରୁ ନାହିଁ ।

 

ବୁଢ଼ା ଅଧ୍ୟାପକ ଉତ୍ତର ଦେଲେ–ମୋର ଜଣେ ସାଙ୍ଗ ଭାରତକୁ ଯାଇ କେତେଦିନ କାମ କରିଥିଲେ । ସେ ଫେରି କହିଲେ–ପିଟର (ଟିଉଟରଙ୍କ ନାମ) ତୁମେ ଯଦି “ଦାରିଦ୍ର୍ୟ” ଶବ୍ଦର ପ୍ରକୃତ ଅର୍ଥ ବୁଝିବାକୁ ଚାହିଁବ, ଭାରତ ଯିବ । ଭାରତକୁ ନଯିବାଯାଏ ତୁମେ ମଣିଷର ଦୁଃଖ ବୁଝିପାରିବ ନାହିଁ ।

 

ମୁଁ ଅବଶ୍ୟ ସ୍ଵାଧୀନତାପର ଭାରତର ଉନ୍ନତି, ପଞ୍ଚବାର୍ଷିକ ଯୋଜନାର ସଫଳତା ପ୍ରଭୃତି ବିଷୟରେ ଛୋଟ ବକ୍ତୃତାଟିଏ ଦେଇ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲି । କିନ୍ତୁ ମୋର ନିଜ ମନ ବୁଝିଲା ନାହିଁ । ହାୟରେ ଭାଗ୍ୟ, ଯେଉଁ ଭାରତରେ ସୁନା ଫଳେ ବୋଲି ଶୁଣି ବିଦେଶୀମାନଙ୍କ ପାଟିରୁ ଲାଳ ବୋହୁଥିଲା ଆଉ ସେମାନେ ଜୀବନକୁ ପାଣି ଛଡ଼ାଇ ଭାରତକୁ ଧାଇଁଥିଲେ, ସେମାନେ ଆଜି ଭାରତର ଏଇ ରୂପ ହିଁ ଦେଖୁଛନ୍ତି । ଭାରତ ଭିତରେ ପୁଣି ଓଡ଼ିଶାର ଭାଗ୍ୟ କି ଶୋଚନୀୟ ! ବିଶେଷ କରି ଆମ ପିଲାମାନଙ୍କର ଅବସ୍ଥା ଭାବି ମୋ ମନରେ ଭାରି ଦୁଃଖ ହୁଏ । କେବେ ସେମାନଙ୍କର ଦଶା ବଦଳିବ ସତେ ?

 

ମୁଁ ୧୫।୨୦ ଦିନ ପୂର୍ବରୁ ବମ୍ବେ ଦେଇ ଶ୍ରୀଲଙ୍କାର ଜଣେ ବନ୍ଧୁଙ୍କ ସହିତ ଆସିବାକୁ ଠିକ୍‍ କରିଥିଲି । ମୋର ତ ଜାପାନ ବିମାନ କମ୍ପାନୀର ଫେରନ୍ତା ଟିକେଟ୍‍ ଥିଲା । କିନ୍ତୁ ନିର୍ଦ୍ଦିଷ୍ଟ କରି ଦିନ ଓ ସମୟ ଠିକ୍‍ କରିବା ପାଇଁ ସେଇ କମ୍ପାନୀକୁ କହିବା ଫଳରେ ସେ ଦିନକ ଭିତରେ ଲଣ୍ଡନରୁ ବମ୍ବେ ଠିକ୍‍ କରିଦେଲେ । କିନ୍ତୁ ବମ୍ବେରୁ କଲିକତା ପର୍ଯ୍ୟନ୍ତ ଯେଉଁ ଭାରତୀୟ ବିମାନରେ ମୁଁ ଆସିବା କଥା ତାହା ୧୫ ଦିନ ଭିତରେ ବି ଠିକ୍‍ ହୋଇପାରିଲା ନାହିଁ । ଜାପାନ ବିମାନ କମ୍ପାନୀ ତରଫରୁ ଭାରତୀୟ ବିମାନ ସଂସ୍ଥାକୁ ୫।୬ ଥର ତାର ଖବର ପଠାଇ ଉତ୍ତର ମିଳୁ ନଥିଲା । ମୁଁ ତେଣୁ ଯାତ୍ରାର ପୂର୍ବଦିନ ଯାଏ ବଡ଼ ଅନିଶ୍ଚିତ ଅବସ୍ଥାରେ ପଡ଼ିଥିଲି । ଭାରତୀୟ ବିମାନ ସଂସ୍ଥାର ଅପାରଗତା ବିଷୟରେ ମଧ୍ୟ ସେଠାରେ ସମସ୍ତଙ୍କର ଏଇ ଧାରଣା ଶୁଣିବାକୁ ମିଳିଲା ।

 

ମୁଁ ଆଗରୁ ଭାରତୀୟ ହାଇକମିଶନର ଅଫିସକୁ ଯିବା କଥା କହିଥିଲି । ବିଲାତରେ ଭାରତୀୟମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଆଉ ଭାରତ ଓ ବିଲାତ ସରକାରଙ୍କ ମଧ୍ୟରେ ଯାଗସୂଚ୍ର ଭାବରେ ଏହି ଅଫିସ ଥାଏ । ତା’ର ପରିଚାଳକ ଥାନ୍ତି ଭାରତ ସରକାରଙ୍କ ହାଇକମିଶନର ବା ରାଷ୍ଟ୍ରଦୂତ । ଭାରତର ଛାତ୍ରଛାତ୍ରୀମାନେ ବିଲାତ ଗଲେ, ସେଠାରେ ପହଞ୍ଚି ସେମାନଙ୍କୁ ସେଇ ଅଫିସରେ କେଉଁଠି ପଢ଼ିବେ, କ’ଣ ପଢ଼ିବେ, କେଉଁଠି ରହିବେ ପ୍ରଭୃତି ଜଣାଇ ଦେବାକୁ ହୋଇଥାଏ । ସେଠାକୁ “ଇଣ୍ଡିଆ ହାଉସ” କୁହାଯାଏ ।

 

ମୁଁ ଲଣ୍ଡନରେ ପହଞ୍ଚିବା ପରେ ପରେ ଗୋଟିଏ ଶନିବାର ଦିନ ପାଠପଢ଼ା ବନ୍ଦ ଥିବାରୁ ସେଇ ଭାରତୀୟ ଦୂତାବାସକୁ ଯାଇଥିଲି । ଏହା ଏକ ୪।୫ ମହଲାର ପକ୍କାଘରେ ଅବସ୍ଥିତ । ରବୀନ୍ଦ୍ରନାଥ, ଗାନ୍ଧିଜୀ, ଜବାହରଲାଲ ପ୍ରମୁଖ ବଡ଼ ବଡ଼ ନେତାମାନଙ୍କ ଚିତ୍ର ଭାରତୀୟ ଶୈଳୀରେ ପ୍ରସ୍ତୁତ ବହୁ ଅଙ୍କନ କାନ୍ଥଗୁଡ଼ିକରେ ଝୁଲୁଥିବାର ଦେଖିଲି ।

 

ଦୂତାବାସରେ ଗୋଟିଏ ପାଠାଗାର ଅଛି । ସେଥିରେ ବହୁ ଭାରତୀୟ ଖବରକାଗଜ ଅଛି । କିନ୍ତୁ ସେଦିନର ଖଣ୍ଡିଏ କାଗଜ ନ ଥିଲା । ସବୁ ପୁରୁଣା–ଅତି କମରେ ସପ୍ତାହକ ପୂର୍ବରୁ ସେସବୁ ଆସିଥିଲା । ଓଡ଼ିଶାରୁ ବାହାରୁଥିବା ଖଣ୍ଡିଏ କାଗଜ ତ ସେଠାରେ ଦେଖିବାକୁ ମିଳିଲା ନାହିଁ ।

 

ସେଦିନ ଦୂତାବାସର ଅଫିସ ବନ୍ଦ ଥିଲେ ସୁଦ୍ଧା ଶ୍ରୀ ସହଦେଓ ଶର୍ମା ନାମକ ଜଣେ କର୍ମଚାରୀଙ୍କ ସହିତ ସେଠାରେ ଭେଟ ହେଲା । ତାଙ୍କୁ ମୁଁ ମୋର କାଗଜଖଣ୍ଡି ଦେଲି । ତାଙ୍କ ସହିତ କଥାବାର୍ତ୍ତା କରି ଜାଣିବାକୁ ପାଇଲି ଯେ ସେ ଦିଲ୍ଲୀରେ ଜଣେ ଶିକ୍ଷକ ଥିଲେ । ପ୍ରଥମେ ଲଣ୍ଡନରେ ମଧ୍ୟ ଶିକ୍ଷକତା କରୁଥିଲେ । ଏବେ ଏଇ ଦୂତାବାସର ଜଣେ କର୍ମଚାରୀ ହୋଇଛନ୍ତି । କିନ୍ତୁ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଶିକ୍ଷକତା ପାଇଁ ଏଇ ତାଲିମ ପାଉଛନ୍ତି ।

 

ସେଠାରୁ ଫେରି ଭାରତୀୟମାନଙ୍କ ପାଇଁ ଥିବା ଗୋଟିଏ ବିରାଟ ହଷ୍ଟେଲକୁ ଗଲି । ସେଠାରେ କିନ୍ତୁ ଦେଖିଲି ଦକ୍ଷିଣ ଭାରତୀୟମାନଙ୍କର ରାଜୁତି ଚାଲିଛି । ସେମାନେ ମଧ୍ୟ ପ୍ରିୟାପ୍ରୀତି ନୀତି ଚଳାଇଛନ୍ତି । ମୁଁ ସେଠାରେ ଗୋଟିଏ ଘର ପାଇଁ ଚେଷ୍ଟା କରି ନିରାଶ ହେଲି । ଆଉ କେତେକ ଯୁବକ ମଧ୍ୟ ସେଇ ଅନୁଭୂତି ଜଣାଇଥିଲେ । ଓଡ଼ିଆ ଲୋକ ସେଠାରେ କେହି ନ ଥିଲେ-। ମୁଁ ଅନୁଭବ କଲି ଏଇ ଦୁର୍ନୀତି ରୋଗ କେବଳ ଭାରତର ଚଉସୀମା ଭିତରେ ଆବଦ୍ଧ ନୁହେଁ-। ତା’ର ଚେରମୂଳ ସାତ ଦରିଆ ସେପାରିକୁ ମାଡ଼ି ଚାଲିଛି । ହାୟରେ ଭାରତୀୟ ଜାତୀୟତା-। ସେହି ଜାତୀୟତା ଆଜି ସଂକୀର୍ଣ୍ଣତା । ମୁଁ ଦୀର୍ଘ ନିଶ୍ୱାସଟିଏ ପକାଇ ସେଠାରୁ ଫେରିଲି-

ମୁଁ ଆସିବା ପୂର୍ବରୁ ସେମିତି ଦିନେ ଭାରତୀୟ ହାଇକମିଶନଙ୍କ ଅଫିସକୁ ଯାଇ ମୋର ପାଠ୍ୟ ଶେଷ କରି ସ୍ଵଦେଶକୁ ଫେରିବା ବିଷୟ ଜଣାଇଲି । ସେଠାର ଶିକ୍ଷାବିଭାଗର ପ୍ରଧାନ କର୍ମକର୍ତ୍ତା ଜଣେ ଭଦ୍ର ମହିଳା । ସେ ଖୁବ୍‍ ଭଲ ବ୍ୟବହାର କରିଥିଲେ ଏବଂ ମୋର ଶୁଭଯାତ୍ରା ସାଙ୍ଗେ ଉଚ୍ଚଶିକ୍ଷାର ସଦୁପଯୋଗ କାମନା କରିଥିଲେ । ମୁଁ ତାଙ୍କୁ ଧନ୍ୟବାଦ ଦେଇ ବିଦାୟ ନେଇଥିଲି !

ମୁଁ ଶେଷଥର ପାଇଁ ସଫେଇ ଦୋକାନ ବା ଲଣ୍ଡ୍ରୀରେ ମୋର କେତେକ କୋଟ୍‍ କମିଜ ଦେଇଥିଲି । ଫେରାଇ ଆଣିବା ଦିନ ସେଇ ସଫେଇ ଦୋକାନରେ ଜଣେ ଝିଅ ଥିଲେ । ସେ କୋଟ୍‍ କମିଜରେ ଭାଙ୍ଗ ପକାଇ ମୋତେ ଠିକ୍‍ ବଢ଼ାଇଲା ବେଳକୁ କହିଉଠିଲେ–କ୍ଷମା କରିବେ ମୁଁ ଦୁଃଖିତ ଯେ ଏଇ କୋଟରେ ଟିକିଏ କ’ଣ ଦାଗ ଲାଗିଛି । ମୋତେ ଦିଅନ୍ତୁ ମୁଁ ସଙ୍ଗେ ସଙ୍ଗେ ତାକୁ ଛଡ଼ାଇ ଦେଉଛି । ସେ ତାକୁ ନେଇ ଦୁଇ ମିନିଟରେ ସେଇ ଦାଗ ଛଡ଼େଇ ଆଣିଲେ । ତାକୁ ପୁଣି ଭାଙ୍ଗ ପକାଇବାକୁ ଯାଉଛନ୍ତି ମୁଁ କହିଲି–ଥାଉ, ଭାଙ୍ଗ ପକେଇବା ଦରକାର ନାହିଁ । ମୁଁ ତ ତାକୁ ସବୁ ସୁଟକେସରେ ପୂରାଇ ନେବି ।

ସେ ଉତ୍ତର ଦେଲେ–ନାଁ, ମୁଁ ଭାଙ୍ଗ ପକାଇ ଦେଉଛି । ତାହା ଆମର କର୍ତ୍ତବ୍ୟ । ଆପଣ ତାକୁ ଘରେ ଯେମିତି ରଖନ୍ତୁ ପଛେ, ଏଠାରୁ ତ ମୁଁ ଠିକ୍‍ କରି ଆପଣଙ୍କୁ ଦେବା ଉଚିତ ।

ମୁଁ ନୀରବ ହେଲି । ତାଙ୍କୁ ଧନ୍ୟବାଦ ଦେଇ ସବୁଦିନ ପାଇଁ ବିଦାୟ ନେଲି । ସେ ମଧ୍ୟ ହସି ହସି ବିଦାୟ ଦେଲେ । ନିଜ କାମଟି ଠିକ୍‍ ଭାବରେ କରିବାରେ ସେମାନଙ୍କର ନିଷ୍ଠା ସତେ କେତେ ? ଆମର ତ ଏଠି ଦୋକାନବଜାର, ଧୋବାବାରିକ, ବଢ଼େଇମିସ୍ତ୍ରୀ, ଇଞ୍ଜିନିୟର, ଡାକ୍ତର, ଶିକ୍ଷକ, ଅଧ୍ୟାପକ ସବୁରି ଯେମିତି ବେଠିଆପଣ । ନିଜ କାମ ଠିକ୍‍ ହେଉ ବା ନ ହେଉ ପାଇସାଟି କଷିକରି ନେଲେ ହେଲା ।

ଶେଷଥର ପାଇଁ ଲଣ୍ଡନର ପ୍ରିୟ ପ୍ରମୋଦ ଉଦ୍ୟାନଗୁଡ଼ିକ ମନବୋଧ କରି ଦେଖିବାକୁ ଇଚ୍ଛା ହେଲା । କିନ୍ତୁ ତାହା ଆଉ ସମ୍ଭବ ହେଲାନାହିଁ । କେବଳ ଛାତ୍ରାବାସ ପାଖ ଟାଭିଷ୍ଟକ ପାର୍କ ଆଉ ରିଜେଣ୍ଟ ପାର୍କ ଦେଖିବାକୁ ଠିକ୍‍ କଲି । ସୌଭାଗ୍ୟକୁ ମୋର ଅନ୍ତରଙ୍ଗ ବନ୍ଧୁ ଗଙ୍ଗାଧର ବାବୁ ଦିନେ ସପରିବାର ମୋ ପାଖରେ ପହଞ୍ଚିଲେ । ସେମାନଙ୍କ ସହିତ ରିଜେଣ୍ଟ ପାର୍କ ଯାଇଥିଲି । ସେଠାରେ ପୂର୍ବ ପରିଚିତ ମନଲୋଭା ଫୁଲବୁଗିଚା, ଝରଣା, ପ୍ରତିମୂର୍ତ୍ତି ଆଦି ବୁଲି ଦେଖିଲୁ । କେତେକ ସ୍ଥାନରେ ଫଟୋ ମଧ୍ୟ ଉଠାଇଲୁ । ଗୋଟିଏ ସ୍ଥାନରେ ଆମେ ସମସ୍ତେ ଥାଇ ଫଟୋଟିଏ ଉଠାଇବାକୁ ଭାବିଲୁ । ଜଣେ ସାହେବଙ୍କୁ ଫଟୋ ଉଠାଇବାକୁ ଅନୁରୋଧ କରିବାରୁ ସେ ଆନନ୍ଦରେ ଆସି ଆମ କ୍ୟାମେରାରେ ଫଟୋଟିଏ ଉଠାଇଲେ । ଟାଭିଷ୍ଟକ୍‍ ପାର୍କକୁ ଯାଇ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ପାଖରେ ଶେଷ ପ୍ରଣାମ ଜଣାଇଥିଲି।

 

ସିଙ୍ଗାପୁରର ଜଣେ ଚୀନ ବନ୍ଧୁ ଚାକିରିରୁ ଅବସର ନେଇ ଲଣ୍ଡନ ବିଶ୍ଵବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରୁଥିଲେ । ତାଙ୍କ ନାମ ସୁଏନ୍‍ ଏବଂ ବୟସର ଖୁବ୍‍ ବ୍ୟବଧାନ ସତ୍ତ୍ୱେ ମୋର ଜଣେ ପ୍ରିୟ ବନ୍ଧୁ । ଅନେକ ଭଲମନ୍ଦ ସୁଖଦୁଃଖରେ ସେ ମୋର ସାଥୀ ହୋଇଥିଲେ । ତାଙ୍କ ସହିତ ମୁଁ ଲଣ୍ଡନ ବିଶ୍ଵବିଦ୍ୟାଳୟର ବିଭିନ୍ନ ସ୍ଥାନରେ ବୁଲି କେତେକ ଫଟୋ ଉଠାଇଥିଲି ।

 

ଥରେ ମୁଁ ସାଙ୍ଗସାଥୀ ଆଉ ପିଲାମାନଙ୍କ ପାଇଁ କେତେକ ଛୋଟ ଛୋଟ ଜିନିଷ କିଣିବାକୁ ଲଣ୍ଡନର ଏକ ସ୍ମୃତିପୀଠ ଟ୍ରାଫାଲଗାର ସ୍କୋୟାର ଯାଉଥିଲି । ସେଠାରେ ପ୍ରସିଦ୍ଧ ସେଣ୍ଟପଲ ଗିର୍ଜା ପାଖରେ ଦଳେ ସର୍ବହରା ଦୁଇଦିନ ହେଲା ଅନଶନ କରିଥିଲେ । ବିଲାତ ଏତେ ସମୃଦ୍ଧ ଦେଶ ହେଲେ ମଧ୍ୟ କେତେ ଲୋକ ଏବେ ବି ଗୃହହୀନ ଓ ବେକାର ଜୀବନଯାପନ କରୁଛନ୍ତି ଜାଣି ଆଶ୍ଚର୍ଯ୍ୟ ହେଲି । ଦଳେ ଯୁବକଯୁବତୀ ସେଠାରେ ବିନା ମୂଲ୍ୟରେ ଗୃହ ଓ ଚାକିରି ଦାବି କରି ଅନଶନ କରିଥିଲେ । ମୁଁ ମଧ୍ୟ ସେମାନଙ୍କର ଗୋଟିଏ ଫଟୋ ଉଠାଇଥିଲି । ସେଠାରୁ ଯାଇ ଅଳ୍ପଦୂରରେ ଥିବା ବିଲାତର ବିଖ୍ୟାତ ଓଏଷ୍ଟମିନଷ୍ଟାର ଏବି, ପାର୍ଲାମେଣ୍ଟ ଭବନ, ବିଗବେନ ଘଣ୍ଟା, ଟେମସ୍‍ ନଦୀ ପ୍ରଭୃତିକୁ ଶେଷଥର ପାଇଁ ଦେଖି ଆସିଲି ।

 

ଦିନେ ଛାତ୍ରାବାସ ତରଫରୁ ଆମ୍ଭମାନଙ୍କୁ ଗୋଟିଏ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୁଣି ଦେଶବିଦେଶର ଛାତ୍ରଛାତ୍ରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ଏବର୍ଷ ରାଣୀ ଏଲିଜାବେଥ୍‍ ଗୋଟିଏ ଉଦ୍ୟାନ ସମାରୋହ ବା ଗାର୍ଡ଼ନ ପାର୍ଟିର ଆୟୋଜନ କରିଥିଲେ । ଜୁନ୍‍ ମାସର ୨୯ ତାରିଖ, ଇତିହାସପ୍ରସିଦ୍ଧ ପ୍ରକାଣ୍ଡ ଲାଙ୍କାଷ୍ଟର ହାଉସରେ ସେ ଦିନ ୩ଟାରୁ ୫ଟା ଭିତରେ ବିପୁଳ ସମାବେଶ । ସାରା ଦୋ ମହଲା ପକ୍କା ଘରଟି ସୁନ୍ଦର ଭାବରେ ସଜ୍ଜିତ ହୋଇଥିଲା-। ବିଭିନ୍ନ ସ୍ଥାନରେ ଫୁଲଦାନୀ, ନାନା ରଙ୍ଗର ଆଲୋକ ସଜ୍ଜାରେ ଚଉଦିଗ ଝିଲ୍‍ମିଲ୍‍ ହୋଇଉଠିଲା-। ସୁନ୍ଦର ଗାଲିଚାମାନ ଚଟାଣ ଓ ପାହାଚଗୁଡ଼ିକରେ ପଡ଼ିଥିଲା । ପ୍ରାୟ ତିନି ଶହ ଛାତ୍ର, ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ସେହି ଉତ୍ସବରେ ଯୋଗ ଦେଇଥିଲେ । ଫଳରସ, କଫି, ଚିଜ୍‍, ଚକୋଲେଟ, ମିଠା ପ୍ରଭୃତି ଖାଇବାକୁ ଦିଆଯାଇଥିଲା ।

 

ଏହି ସମାରୋହରେ ମଦ ଆଦୌ ବ୍ୟବହୃତ ହୋଇନଥିଲା । ଏମିତି ହେବା ବିଲାତ ଦେଶରେ ଗୋଟିଏ ନୂଆ କଥା । ରାଣୀ ଏଲିଜାବେଥ୍‍ ଓ ତାଙ୍କ ସ୍ୱାମୀ ଫିଲିପ୍ସ ଆମ୍ଭମାନଙ୍କ ସାଥିରେ ବିଭିନ୍ନ ବିଷୟରେ କଥାବାର୍ତ୍ତା ହୋଇଥିଲେ । ସେମାନଙ୍କର ପୋଷାକପତ୍ର ଓ ଚାଲିଚଳନରେ ସେମିତି କିଛି ଆଡ଼ମ୍ବର ନ ଥିଲା । ସେମାନଙ୍କର ବ୍ୟବହାର ଅତି ସରଳ ଓ ଅମାୟିକ ଥିଲା । ଫଟୋ ଉଠାଇବାକୁ ମନା ଥିଲା । ତେବେ ଜଣେ ଦୁଇଜଣ ସାମ୍ବାଦିକ ସେଠାରେ ଫଟୋ ଉଠାଇଥିଲେ । ବିଲାତର ବିଭିନ୍ନ ସ୍ଥାନରେ ପାଠ ପଢ଼ୁଥିବା ବହୁ ଭାରତୀୟ ଛାତ୍ରମାନଙ୍କ ସହିତ ସେଠାରେ ପରିଚୟ ହେଲା । ସମସ୍ତେ ପ୍ରାୟ ଘରବାହୁଡ଼ା ଅବସ୍ଥାରେ ଥା’ନ୍ତି ।

 

ସେଦିନର ରାଜୁଡ଼ା ସଭା ଧୀରେ ମଉଳିଲା । ରାଣୀ ଓ ତାଙ୍କର ସ୍ୱାମୀ ଆମଠାରୁ ବିଦାୟ ନେଲେ । ମୁଁ ଭାବିଲି–ଯେଉଁ ରାଣୀ ଦିନେ ଆମ ଦେଶକୁ ରାଜୁତି କରିଥିଲେ, ସେ ଆଜି ଆମକୁ ସମ୍ବର୍ଦ୍ଧନା ଜଣାଇଲେ । ଏହା ନୁହେଁ ଆମର ବ୍ୟକ୍ତିଗତ ଗୌରବ । ଏହା ଆମ ସ୍ଵାଧୀନ ଦେଶର ସମ୍ମାନ । ଦିନେ ସିନା ଆମଙ୍କୁ ଶମନ (ଯମ) ପରି ସେ ଶାସନ କରୁଥିଲେ । ଆଜି ସେ ସମ୍ମାନର ସହିତ ଆମକୁ ସମ୍ବର୍ଦ୍ଧନା ଦେଇଛନ୍ତି ଏହାହିଁ ସ୍ଵାଧୀନତାର ସମ୍ମାନ ଆଉ ଜାତିର ମାନ ।

★★★

 

ବିଦାୟ ବିଲାତ ବିଦାୟ

 

ଜୁଲାଇ ମାସର ପହିଲା ଦିନ । ବିଲାତକୁ ବିଦାୟ ଦେବାର ବେଳା ଆସିଗଲା । ଖରାଦିନ ହେଲେ ବି ଶୀତ ଛାଡ଼ି ଛାଡ଼ି ନାହିଁ କିମ୍ବା ବର୍ଷା ଆସି ଆସିନାହିଁ । ସାଙ୍ଗସାଥୀମାନଙ୍କୁ ମେଲାଣି ଦେଇ ହିଥ୍ରୋ ବିମାନଘାଟି ଅଭିମୁଖେ ଯାତ୍ରାରମ୍ଭ କଲି ।

 

ଦଶମାସ ତଳେ ଯେଉଁସବୁ ସ୍ଥାନ ଅଚିହ୍ନା ଅଜଣା ଥିଲା, ସେ ସତେ କେତେ ଆପଣାର ହୋଇପଡ଼ିଥିଲା । ତା’ର ପାଣିପବନ, ଚଳଣି, ଢଙ୍ଗରଙ୍ଗ ସବୁ ମନକୁ ପାଇଥିଲା । ଆଉ ଥରେ ହୁଏତ ଏଠାକୁ ଆସିବା ସମ୍ଭବ ହେବ କି ନାହିଁ । ତେଣୁ ମନରେ ଦୁଃଖ ହେଉଥାଏ । ତେବେ ତା’ର ଆକାଶଛୁଆଁ କୋଠାଘର, ଧୂଆଁଳିଆ ଆକାଶ, ସୁନ୍ଦର ଶାଗୁଆ ବଗିଚାବାଡ଼ି, ଓସାରିଆ ପିଚୁରାସ୍ତା, ଗାଡ଼ିମଟରର ଗହଳି, ଗୋରାଲୋକମାନଙ୍କର ବୋଳିଲା ବୋଳିଲା ଦେହ, ସାହେବାଣୀମାନଙ୍କର ରୂପରଙ୍ଗ, ସୁସ୍ଥ ପିଲାମାନଙ୍କର ଡଉଲଡାଉଲ ଚେହେରା ଆଦି ସବୁ କିଛିକୁ ପଛରେ ପକାଇ ମୁଁ ଶ୍ରୀଲଙ୍କାର ବନ୍ଧୁ ଶ୍ରୀଚନ୍ଦ୍ର ପେରେରାଙ୍କ ସହିତ ବିଲାତୀ ବିଓଏସି (BOAC) ବିମାନରେ ଚଢ଼ିଲି ।

 

ଦିନ ୧୧ଟାରେ ବିମାନ ବିଲାତ ଭୂଇଁକୁ ଛାଡ଼ି ତା’ର ନୀଳ ଆକାଶକୁ ଲମ୍ଫ ଦେଲା । ଶେଷଥର ପାଇଁ ବିଲାତର ସବୁକିଛି ଆଖି ପୂରାଇ ଦେଖି ଦେବାକୁ ମନ ହେଉଥିଲା । କିନ୍ତୁ ବିମାନର ବିଜୁଳି ବେଗ ମୋର ସେ ଆଶା ପୂରଣ କରିବାରେ ବାଧା ଦେଲା । କିଛି ସମୟ ଭିତରେ ମାଟି ଉପର ଦୃଶ୍ୟମାନ କୁଆଡ଼େ ଛପିଗଲା । ଆମର ତଳେ ଭାସିଲା ବଉଦର ଭେଳା କାହିଁ କେତେ ! ସୂର୍ଯ୍ୟ କିରଣରେ ଝିଲ୍‍ମିଲ୍‍ ହୋଇଉଠିଲା ଚଉଦିଗ । ଆମ ଦୁଇ ପାଖରେ ଦୂର ଆକାଶରେ ଭିଣା ତୂଳାଗଦା ପରି ଚିକ୍‍ ଚିକ୍‍ ବଉଦର ରୂପ ।

 

ବିଲାତୀ ବିମାନର ଗତି କ୍ରମେ ଅଧିକରୁ ଅଧିକ ହେଲା । ଘଣ୍ଟାକୁ ୫୦୦।୬୦୦ ମାଇଲ ବେଗରେ ସେ ଉଡ଼ିଲା । କ୍ରମେ ତାହା ଉପରକୁ ଉପରକୁ ଉଠିଲା । ୮।୯ ମାଇଲ ଉଚ୍ଚରେ ଏହା ଗତିକଲା । ବିମାନ ପରିଚାରିକାମାନେ କାର୍ଯ୍ୟଦକ୍ଷ ହୋଇପଡ଼ିଲେ । ଫଳରସରୁ ଗିଲାସେ ଲେଖାଁ ପ୍ରତ୍ୟେକ ଯାତ୍ରୀଙ୍କୁ ବଢ଼ାଇ ଦେଲେ । ଚକୋଲେଟ ମଧ୍ୟ ଗୋଟିଏ ଦୁଇଟି ଲେଖାଁ ଦେଲେ । ସେମାନଙ୍କ ମଧ୍ୟରେ ଜଣେ ଭାରତୀୟା ମହିଳା ଥିଲେ । ଫୁଲ ବଗିଚାରେ ପ୍ରଜାପତି ଉଡ଼ିଲା ପରି ଏହି ପରିଚାରିକାମାନେ ଉଡ଼ନ୍ତା ଉଡ଼ାଜାହାଜରେ ବୁଲିବାରେ ଲାଗିଲେ । ଯାତ୍ରୀମାନଙ୍କର ସୁବିଧା ଅସୁବିଧା ବୁଝିବାକୁ ସେମାନେ ସର୍ବଦା ତତ୍ପର ହୋଇଥାନ୍ତି । ସେହି ବିମାନରେ ବସିବା ଯେମିତି ଆରାମଦାୟକ, ଖାଇବା ପିଇବା ସେମିତି ଭଲ । କିନ୍ତୁ ଉଡ଼ାଜାହାଜଟି ଯେତେବେଳେ ଆକାଶର ଅତି ଉପରକୁ ଉଠିଯାଏ କିମ୍ବା ତଳକୁ ଓହ୍ଲାଇ ଆସେ ଛାତିରେ ଛନକା ପଶିଯାଏ । ଏହିପରି ସମୟରେ ପ୍ରତ୍ୟେକ ଆସନରେ ଲାଗିଥିବା ପଟିକୁ ଅଣ୍ଟାରେ ବାନ୍ଧି ଦେବାକୁ ନିର୍ଦ୍ଦେଶ ହୁଏ । ମାତ୍ର ମୁଁ ଆଦୌ ବୁଝିପାରେ ନାହିଁ । କାରଣ ଜାହାଜ କୌଣସି ବିପଦରେ ପଡ଼ିଲେ ଏହି ପଟିବନ୍ଧା କି ସାହାଯ୍ୟ କରିପାରିବ ? ଏଇ ପ୍ରଶ୍ନ ସର୍ବଦା ମୋର ମନରେ ଉଠେ । ଥରେ ମୁଁ ଜଣେ ପରିଚାରିକାଙ୍କୁ ଏହା ପଚାରିବାରୁ ସେ କହିଲେ ଯେ ସମୟ ସମୟରେ ଉଡ଼ାଜାହାଜ ଖୁବ୍‍ ଜୋରରେ ଝିଙ୍କି ହୋଇପଡ଼େ ଆଉ ଯାତ୍ରୀମାନେ ଛିଟିକି ପଡ଼ି ନାନା ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି । ତେଣୁ ପଟିଟିଏ ଅଣ୍ଟାରେ ଭିଡ଼ି ବାନ୍ଧିଥିଲେ ଅତି କମରେ ସେଇ ବିପଦରୁ ହୁଏତ ରକ୍ଷା ମିଳିପାରିବ-!

 

ଥରେ ଥରେ ଜଣେ ଜଣେ ବିମାନ ପରିଚାରିକା ଗୋଟିଏ ଗୋଟିଏ ମୋଟା କନା ତିଆରି ପୋଷାକ କିପରି ଦୁର୍ଘଟଣା ସମୟରେ ପିନ୍ଧିବାକୁ ହେବ ଅଭିନୟ କରି ବତାଇ ଦିଅନ୍ତି । ସେ ଯାହାସବୁ କରି ବାହାରେ ଦେଖାଇ ଦିଅନ୍ତି, ଆଉ ଜଣେ ଭିତରେ ରହି ଭାଷାରେ ତାହା କହିଦେଉଥାନ୍ତି । ମାତ୍ର ସେ ଯେମିତି ଭାବରେ ଲାଜମିଶା ସ୍ଵରରେ କହନ୍ତି, ଆଉ ତାକୁ ଯେମିତି କୁନ୍ଥେଇ କରି ଆଉ ଜଣେ ବାହାରେ ଦେଖାନ୍ତି, ତାକୁ କେହି ବୁଝିପାରନ୍ତି ନାହିଁ । ତାହା ଖାଲି ଗୋଟିଏ ପ୍ରହସନରେ ପରିଣତ ହୁଏ । ପରିଚାରିକାଙ୍କ ଅଙ୍ଗଭଙ୍ଗୀ ଆଉ ଦରଲୁଚା ହସକୁ ହିଁ ଯାତ୍ରୀମାନେ ଯାହା ଦେଖନ୍ତି ।

 

ବାଟରେ ଅଳ୍ପ କେତୋଟି ସ୍ଥାନରେ କିଛି ସମୟ ପାଇଁ ବିମାନଟି ଓହ୍ଲାଇ ପୁଣି ତା’ର ଲକ୍ଷ୍ୟ ପଥରେ ଉଡ଼ିଚାଲିଲା । ଶେଷରେ ତା’ ଆରଦିନ ଭୋରରୁ ତାହା ବମ୍ୱେ ସାନ୍ତାକ୍ରୁଜ ବିମାନ ବନ୍ଦରରେ ଓହ୍ଲାଇଲା । ମାତୃଭୂମିର ପବିତ୍ର କୋଳରେ ଓହ୍ଲାଇ ପଡ଼ିବାକୁ ମନ ଭାରି ଉଚ୍ଛନ୍ନ ହୋଇପଡ଼ିଲା । କିନ୍ତୁ ସେତେବେଳକୁ ବାହାରେ ଖୁବ୍‍ ବର୍ଷା ପିଟୁଛି । ଆମେ ଉଡ଼ାଜାହାଜରୁ ବାହାରି ଦରଓଦା ହୋଇ ଗୋଟିଏ ବାସରେ ବସିଲୁ । ବାସ୍‍ଟି ଆମଙ୍କୁ ବିମାନ ବନ୍ଦରର ଯେଉଁ ସ୍ଥାନରେ ପାରପତ୍ର (ପାସ୍ଫୋର୍ଟ)ଠାରୁ ଆରମ୍ଭ କରି ବାହାରୁ ଆଣିଥିବା ମାଲପତ୍ର ପର୍ଯ୍ୟନ୍ତ ସବୁ ଯାଞ୍ଚ ହେବା କଥା ସେଠାରେ ପହଞ୍ଚାଇ ଦେଲା ।

 

ଦେଶ ବିଦେଶର ବହୁ ଯାତ୍ରୀ ଧାଡ଼ି ଧରି ଯାଞ୍ଚ ଅପେକ୍ଷାରେ ଠିଆ ହୋଇ ରହିଲେ । କିନ୍ତୁ ଚାରିଆଡ଼ ଅନ୍ଧାର । ପଙ୍ଖାଟିଏ ମଧ୍ୟ ଘୂରୁନଥିଲା । କିନ୍ତୁ କାରଣ କ’ଣ ଆମେ ଜାଣି ପାରୁନଥିଲୁ । ଅଳ୍ପ ଦୂରରେ ଆଉ ଗୋଟିଏ ଘରେ ଓ ବାହାରେ ଆଲୁଅ ଜଳୁଥିଲା । କିନ୍ତୁ ସେଠାରେ ଭାରି ଗରମ ହେଉଥିଲା । ବାହାରୁ ପିନ୍ଧି ଆସିଥିବା ପୂରା ପୋଷାକ ଝାଳରେ ତିନ୍ତିଲା । କିନ୍ତୁ କେହି ହେଲେ କହୁନଥିଲେ କେଉଁ କାରଣରୁ ଏମିତି ଗରମ ଆଉ ଅନ୍ଧାର ରାଜୁତି ଚାଲିଛି । ଅନ୍ୟ କେଉଁ ଦେଶ ହୋଇଥିଲେ ଏଥିଭିତରେ ବିମାନବନ୍ଦରର କର୍ତ୍ତୃପକ୍ଷ ପାଞ୍ଚଥର କ୍ଷମା ମାଗି ସାରିଥାନ୍ତେ । କିନ୍ତୁ ଏଠାରେ କିଏ ପଚାରେ ? ଯାତ୍ରୀମାନଙ୍କ ସୁବିଧା ଅସୁବିଧାକୁ କେଡ଼େ ବେଖାତିର ! ଏହି ଅବହେଳା ଆମର ଜାତୀୟ ଦୋଷ !

 

କ୍ରମେ ଫରଚା ହେଲା । ସେତେବେଳକୁ ଆମର ଧାଡ଼ି ଧରି ଠିଆ ହେବା ଦୁଇଘଣ୍ଟା ହୋଇଗଲାଣି । ଆମେ ଶେଷରେ ଆବିଷ୍କାର କଲୁ ଯେ ବିଜୁଳି ତାର କ’ଣ ଅସଜ ହେବାକୁ ଏମିତି ଅନ୍ଧାର ଘୋଟିଯାଇଥିଲା । ଶ୍ରୀଲଙ୍କାର ବନ୍ଧୁ ମଝିରେ ମଝିରେ ଆମ ଦେଶର ଏତେବଡ଼ ବିମାନ ବନ୍ଦରରେ ଏମିତି ଅବ୍ୟବସ୍ଥା ଚେତାଇ ଦେଉଥିଲେ । ତାହା ମୋତେ ପୋଡ଼ା ଘା’ରେ ଚୂନ ବୋଲିଲା ପରି ଲାଗୁଥିଲା । ପୁଣି ଆମେ ଧାଡ଼ି ଧରି ଠିଆ ହୋଇଥିଲା ବେଳେ ଆମ ମଝିରେ ବୁଲାଷଣ୍ଢ ପରି ଜଣେ ଜଣେ ଲୋକ ପଶି ଯାଉଥିଲେ । କେହି ଥରେ ଆଡ଼େଇ ଯିବାକୁ ମଧ୍ୟ କହୁନଥିଲେ । ଭଦ୍ରାମି ଦେଖାଇ “କ୍ଷମା” ମାଗିବା ବା “ଦୁଃଖ” ପ୍ରକାଶ କରିବା ତ ଦୂରର କଥା !

 

ଦୀର୍ଘ ଘଣ୍ଟାଏ କାଳ ଯାଞ୍ଚ କରିବାରେ କଟିଲା । ଆମେ ଘର ଭିତରକୁ ଗଲୁ । ସେଠାରେ ଆମ ଜିନିଷପତ୍ର ସବୁ ଜମା ହୋଇ ଯାଇଥିଲା । ସେଥିରୁ ନିଜ ନିଜର ସୁଟକେସ୍‍ ପ୍ରଭୃତି ଚିହ୍ନଟ କରି ନିଆଯାଉଥିଲା ଆଉ ତା’ ଭିତର ମାଲପତ୍ର ଯାଞ୍ଚକରି ଟିକସ ପ୍ରଭୃତି ଦେବାକୁ ହେଉଥିଲା । ପୁଣି ହାୟରେ ଦୁର୍ଭାଗା ଦେଶ । ଯେଉଁଠି ସୁଟକେସ୍‍ ପ୍ରଭୃତି ମାଲପତ୍ର ଜମା ହୋଇଥିଲା, ସେଠି ବଳାଗଣ୍ଠିଯାଏ ପାଣିକାଦୁଅ । କେତେକ ସୁଟକେସ୍‍ ପୁଣି ପାଣିକାଦୁଅରେ ଜୁଡ଼ୁସୁଡ଼ୁ ହୋଇ ପଡ଼ିଥିଲା । ଅବଶ୍ୟ ବର୍ଷରେ ନୂଆ ତିଆରି ହେଉଥିବା ଘରେ ଏମିତି ଅବସ୍ଥା ହୋଇଥିଲା ବୋଲି ପରେ ଜାଣିବାକୁ ପାଇଲି ।

 

ମୁଁ ସବୁ ସୁଟକେସ୍‍, ମାଲପତ୍ର ଖୋଜି କେବଳ ମୋର ବ୍ୟାଗ୍‍ଟିଏ ପାଇଲି । କିନ୍ତୁ ମୋର ବଡ଼ ସୁଟକେସ୍‍ଟି ପାଇଲି ନାହିଁ । ଖୋଜି ଖୋଜି ମୁଁ ହାଲିଆ ହେଲି । ସେସବୁ ଦାୟିତ୍ଵରେ ଥିବା କର୍ମଚାରୀଙ୍କୁ କହିଲେ କେହି ମୁଣ୍ତକୁ ନେଉନଥିଲେ । ସେମାନେ ଯେମିତି ମାଲପତ୍ର ଚେକ୍‍ କରି ଟିକସ ଆଦାୟ କରିବାକୁ ଖାଲି ଛକି ରହିଥିଲେ !

 

ଶେଷରେ ମୁଁ ବିଲାତୀ ବିମାନ ସଂସ୍ଥା ତରଫରୁ ସେଠାରେ ଥିବା ଜଣେ ଭଦ୍ର ମହିଳାଙ୍କୁ ମୋର ଦୁଃଖ ଜଣାଇଲି । ସେ ବିଚାରୀ ବହୁତ ଖୋଜାଖୋଜି କରି ନିରାଶ ହେଲେ । ୨।୩ ଘଣ୍ଟା କାଳ ଖୋଜି ଖୋଜି ଶେଷରେ ଦେଖିଲି ମୋର ସୁଟକେସ୍‍ର ରଙ୍ଗ ଆଉ ଆକାରର ଗୋଟିଏ ସୁଟକେସ୍‍ ପଡ଼ିରହିଛି । ଜଣେ ବିଶିଷ୍ଟ ଭଦ୍ରଲୋକଙ୍କ ନାଁ ମଧ୍ୟ ସେଥିରେ ଲେଖା ଯାଇଥିଲା । ସବାଶେଷରେ ସେଇଟି ରହିଥିବାରୁ ମୋର ଟିକିଏ ଆଶଙ୍କା ହେଲା ଯେ ତାକୁ କିଏ ଛାଡ଼ିଦେଇଛି । ମାତ୍ର ମୋର ସୁଟକେସ୍‍ଟିକୁ ତ ତା’ ବଦଳରେ ଅନ୍ୟ କେହି ନେବାର ଉପାୟ ନାହିଁ । କାରଣ ଚାବିଖୋଲି ସବୁ ଜିନିଷ ଯାଞ୍ଚ କରାଇବାକୁ ହୁଏ ।

 

ବହୁ ବିଳମ୍ବ ହେବାରୁ ସେହି ଭଦ୍ରମହିଳାଙ୍କ ଅନୁରୋଧରେ ଶେଷରେ ମୋର ବ୍ୟାଗ୍‍ଟି ସହିତ ବାହାରକୁ ଯିବାପାଇଁ ଅନୁମତି ମିଳିଲା । ମୁଁ ଶ୍ରୀଲଙ୍କାର ବନ୍ଧୁଙ୍କ ସହିତ କେଉଁ ହୋଟେଲକୁ ଯିବାକୁ ଠିକ୍‍ କଲି । କିନ୍ତୁ ପୁଣି ଥରେ ମୋର ସୁଟକେସ୍‍ଟିକୁ ଦେଖିବା ପାଇଁ ଆସିବାକୁ ପଡ଼ିବ । ଏତେ ବାଟ ଆସିବା ସହଜ ନୁହେଁ । ତେଣୁ ଆମେ ବିମାନଘାଟିରେ କୌଣସି ଗୋଟିଏ ମାଲପତ୍ର ଘର ବା କ୍ଲୋକରୁମ୍‍ ଖୋଜିଲୁ । ସେଠାରେ ଆମେ ଆମ ଜିନିଷପତ୍ର ରଖି ଗାଧୁଆପାଧୁଆ ଓ ଖିଆପିଆ କରିଥାନ୍ତୁ । ମାତ୍ର ସାନ୍ତାକ୍ରୁଜ ପରି ଆନ୍ତର୍ଜାତୀୟ ବିମାନଘାଟିରେ ଏହିପରି ମାଲଘରଟିଏ ନଥିବା ଜାଣି ଯେତିକି ଦୁଃଖିତ ହେଲି ସେତିକି ଲଜ୍ଜିତ ବି ହେଲି । ଯାତ୍ରୀମାନଙ୍କର ସାଧାରଣ ଆବଶ୍ୟକତାଟିଏ ବୁଝିବାକୁ ମଧ୍ୟ ଆମର କର୍ମକର୍ତ୍ତାମାନେ ଅକ୍ଷମ ? ହାୟରେ ବିଧାତା !!

 

ଶେଷରେ ଆମେ ବିମାନଘାଟିର ତଳି ଅଞ୍ଚଳର ଗୋଟିଏ ହୋଟେଲରେ ଦିନକୁ ତିରିଶ ଟଙ୍କା ଭଡ଼ାରେ ରହିଲୁ । ମୋର କଲିକତାକୁ ଯିବାପାଇଁ ଉଡ଼ାଜାହାଜଟା ତା’ ଆରଦିନ ସକାଳ ଛଅଟାରେ । ଶ୍ରୀଲଙ୍କାର ସାଙ୍ଗ ଆଉ ଦିନେ ରହି ନିଜ ଦେଶକୁ ବାହୁଡ଼ିବେ । ଆମେ ଗାଧୁଆପାଧୁଆ ସାରି କିଛି ଜଳଖିଆପତ୍ର କରି ପୁଣି ବିମାନଘାଟିକୁ ଆସିଲୁ । ପ୍ରଥମେ ବିଓଏସି ଅଫିସରେ ସେହି ଭଦ୍ରମହିଳାଙ୍କୁ ଦେଖା କଲି । ସେ ଦେଖିଲାମାତ୍ରେ କହିଉଠିଲେ–ଆପଣ, ମିଷ୍ଟର ମହାନ୍ତି ଏପର୍ଯ୍ୟନ୍ତ କେଉଁଠି ଥିଲେ ?

 

ମୁଁ ମନେମନେ ପ୍ରମାଦ ଗଣି ପଚାରିଲି–କାହିଁକି ? ଆପଣ ମୋତେ ଖୋଜୁଥିଲେ କି ?

 

ସେ କହିଲେ–ହଁ । ଆପଣଙ୍କ ଯିବା ପରେ ଜଣେ ଭଦ୍ରଲୋକ ଆପଣଙ୍କ ସୁଟକେସ୍‍ଟିକୁ ଆଣି ଏଠାରେ ପହଞ୍ଚିଲେ । ସେ ଭୁଲରେ ତାଙ୍କ ସୁଟକେସ୍‍ ବଦଳରେ ଆପଣଙ୍କର ନେଇ ଯାଇଥିଲେ । ପରେ ସେ ଏହା ଜାଣି ଏଠାରେ ଆପଣଙ୍କର ସୁଟକେସ୍‍ଟିକୁ ଫେରାଇ ଦେଇଗଲେ ।

 

ମୁଁ ସେ ଭଦ୍ରମହିଳାଙ୍କୁ ଶତ ଧନ୍ୟବାଦ ଦେଲି । ସେ ହସି ହସି କହିଲେ–ଆପଣ ଭାଗ୍ୟବାନ୍‍ । ମୋତେ ଆଉ କିଛି ନକହି ଆପଣ ସୁଟକେସ୍‍ଟିକୁ ନେଇ ଶୀଘ୍ର ଚାଲିଯାନ୍ତୁ ।

 

ମୁଁ ତାଙ୍କୁ ପଚାରିଲି–ମୋର ମାଲପତ୍ରତକ ଯାଞ୍ଚ କରାଇ ନେବ କି ? କେତେ କ’ଣ ଟିକସ ଦେବାକୁ ପଡ଼ିପାରେ ।

କିନ୍ତୁ ସେ ହସି ହସି ଉତ୍ତର ଦେଲେ–ଆପଣ କ’ଣ ଓଲୁ ହେଲେ ? ଆପଣ ଆପଣଙ୍କ ବାଟରେ ଯାଉନାହାନ୍ତି କାହିଁକି ? ଆଉ କିଛି କରିବା ଦରକାର ନାହିଁ । ଥରେ ଆପଣ ଏ ଅଡ୍‍ଡା ଡେଇଁଲେ ଆଉ ଧରିବ କିଏ ?

ମୁଁ ଅଯାଚିତ ଭାବରେ ଏମିତି ସୁବିଧା ପାଇଥିବାରୁ ଭଗବାନଙ୍କ ପାଖରେ ଗଭୀର କୃତଜ୍ଞତା ଜଣାଇଲି । ମଣିଷର ବିପଦ କିପରି ସମୟରେ ସମ୍ପଦ ହୁଏ, ଏହା ଏଥିରୁ ଦେଖିବାର କଥା । ମୋର ଜାଣିବାକୁ ବାକି ରହିଲା ନାହିଁ ଯେ ଯେଉଁ ବାବୁ ମୋର ସୁଟକେସ୍‍ଟି ବାଉଳାରେ ନେଇଥିଲେ, ସେ ନିଶ୍ଚୟ ଜଣେ ସେଠାର ଜଣାଶୁଣା ଲୋକ । ଆମେ ଅନ୍ଧାରରେ ଧାଡ଼ି ଧରି ଠିଆ ହୋଇଥିଲା ବେଳେ ସେଇ ବାବୁ ସମ୍ଭବତଃ ଟିକସ ଆଦାୟ କରୁଥିବା ବାବୁମାନଙ୍କୁ ହାତକରି ତାଙ୍କ ସୁଟକେସ୍‍ ଭାବି ମୋ ସୁଟକେସ୍‍ଟିକୁ ନେଇ ଯାଇଥିଲେ । କିନ୍ତୁ ତାଙ୍କର ସୁବିଧା ମୋତେ ପ୍ରଥମେ ଅସୁବିଧାରେ ପକାଇ ପରେ ମୋ ପାଇଁ ସୁବିଧାଜନକ ହୋଇଥିଲା । ସେ ତାଙ୍କର ନିଜ ସୁଟକେସ୍‍ଟିକୁ ପୁଣି କିପରି ନେଲେ ଭଗବାନ ଜାଣନ୍ତି । ଧନ୍ୟରେ ମୋର ଭାଗ୍ୟ ! ଧନ୍ୟରେ ଏଇ ଦେଶର ଆଇନକାନୁନ ଆଉ କଟକଣା ! ହାତୀ ଗଳି ଚାଲି ଯାଉଛି ପିମ୍ପୁଡ଼ି ଯିବାକୁ ବାଟ ବନ୍ଦ !!

ଆମେ ସୁଟକେସ୍‍ଟିକୁ ଧରି ଆନନ୍ଦରେ ସେଇ ହୋଟେଲକୁ ଗଲୁ । ସେଠାରେ ସବୁ ରଖାରଖି କରି ବମ୍ୱେର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ଦେଖିଲୁ । କିନ୍ତୁ ଭାରି ବର୍ଷା ହେବାରୁ ବଡ଼ ହଇରାଣ ହେଲୁ । ଭଲଭାବରେ ବମ୍ବେ ଦେଖାଦେଖି କରିପାରିଲୁ ନାହିଁ । ହାଲିଆ ଲାଗିବାରୁ ରିତି ସାଢ଼େ ଆଠଟାରେ ଖିଆପିଆ ସାରି ବିଶ୍ରାମ ନେଲୁ ।

ତା’ ଆରଦିନ ସକାଳ ୬ଟାରେ ଉଡ଼ାଜାହାଜ କଲିକତା ଅଭିମୁଖେ ଛାଡ଼ି ଯିବାର ଥିଲା-। ତେଣୁ ମୁଁ ୪ଟାରେ ଉଠି ନିତ୍ୟକର୍ମ ସାରି ୫ଟାରେ ଚୌକିଦାରକୁ ଉଠାଇଲି । ଗୋଟିଏ ଟ୍ୟାକ୍ସି ଡାକି ଆଣିବାକୁ ତାକୁ ପଠାଇଲି । ତା’ର ଆସିବା ବିଳମ୍ୱ ହେବାରୁ ମୁଁ ନିଜେ ଫାଟକ ପାଖକୁ ଗଲି-। ଦେଖିଲି ଗୋଟିଏ କଳା ବିରାଡ଼ି ମ୍ୟାଉଁ ମ୍ୟାଉଁ କରି ମୋ ଆଡ଼କୁ ଚାହିଁ ଚାହିଁ ଯାଉଛି । ବିରାଡ଼ି ବଡ଼ ଅଶୁଭକର ବୋଲି ଶୁଣିଥିଲି । ତେଣୁ ମନରେ ଟିକିଏ ଭୟ ହେଲା । ପୁଣି ମନେପଡ଼ିଲା ଗତ ରାତି ପାହାନ୍ତାରେ କେତେଥର ଗୋଟିଏ ପେଚା ବୋବାଉଥିଲା । ଏସବୁ ଅଶୁଭ ଚିହ୍ନ ଉଡ଼ାଜାହାଜ ଯାତ୍ରା ପାଇଁ କେତେ ଭୟ ଜାତ କରେ, ତାହା ଅନୁଭବୀ କେବଳ ଜାଣିପାରିବ । ସେତେବେଳେ ପୁଣି ବହୁ ଉଡ଼ାଜାହାଜ ଦୁର୍ଘଟଣା ଘଟୁଥିଲା । ତେଣୁ ଭାବିଲି ଏତେ ବାଟ ନିରାପଦରେ ଆସି ଏଇତକ ବାଟରେ କ’ଣ ଘଟିବ ? ଆମେ ସତେ ବହୁ ଅନ୍ଧବିଶ୍ୱାସରେ ବନ୍ଦୀ । ମନେପଡ଼ିଲା, ପିଲାମାନେ ଚାହିଁ ରହିଥିବେ । ପ୍ରାୟ ବର୍ଷକ ପରେ ଯାଇ ପହଞ୍ଚିଥାନ୍ତି । ସବୁରି ମନରେ କେତେ ଆନନ୍ଦ ହୋଇଥାନ୍ତା ! ପିଲାମାନେ କେତେ ଆଶା କରି.....

ଟ୍ୟାକ୍ସି ଆସି ପହଞ୍ଚିଲା । ଚନ୍ଦ୍ର ପେରେରାଙ୍କଠାରୁ ବିଦାୟ ନେଇ ବିମାନ ବନ୍ଦରରେ ପହଞ୍ଚିଲି । ଅଧଘଣ୍ଟାକ ପରେ ଜିନିଷପତ୍ର ଓଜନ ହେଲା । ଯେଉଁ ଜିନିଷପତ୍ର ବିନା ଭଡ଼ାରେ ଲଣ୍ଡନରୁ ବମ୍ୱେ ଯାଏ ମୋ ସାଥିରେ ଆସିଥିଲା, ସାନ୍ତାକ୍ରୁଜରେ ସେଥିପାଇଁ ପଚାଶ ଟଙ୍କା ଅଧିକ ଭଡ଼ା ପଡ଼ିଲା । ସାହେବମାନେ ସିନା ବିନା ଭଡ଼ାରେ ଛାଡ଼ିଦେଲେ, ଆମ ଭାଇମାନେ ଆମଙ୍କୁ ଛାଡ଼ୁଛନ୍ତି କେତେକେ ? କାକର ଗୋଟେଇ ଗଡ୍‍ଡା ଭର୍ତ୍ତି କରିବା ଯେମିତି ଆମ ଲୋକଙ୍କର ସ୍ଵଭାବ ।

ଭାରତୀୟ କାରାଭେଲା ବିମାନ ଦୁଇଘଣ୍ଟା ବିଳମ୍ଵରେ ସାନ୍ତାକ୍ରୁଜ ଛଡ଼ିଲା । ଘରୋଇ କାରବାର କିନା ! କର୍ମକର୍ତ୍ତାମାନଙ୍କରେ ମନମୁଖୀ ଶାସନ । ସେଥିପାଇଁ ସବୁ ବିମାନ କମ୍ପାନୀ କୋଟି କୋଟି ଟଙ୍କା ଲାଭ କରୁଥିଲାବେଳେ ଭାରତୀୟ ବିମାନ ସଂସ୍ଥା ପ୍ରତି ବର୍ଷ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହେ !

ପାଗ ଭଲ ନ ଥିବାରୁ ବିମାନଟି ତଳୁ ଉପରକୁ ଉଠିବା ଓ ଉପରୁ ତଳକୁ ଖସିବା ବେଳେ ବଡ଼ ହଲଚଲ ହେଉଥିଲା । ସେଥିପାଇଁ ଯାତ୍ରୀମାନେ ବଡ଼ ବ୍ୟସ୍ତ ଓ ଭୀତତ୍ରସ୍ତ ହୋଇପଡ଼ୁଥାନ୍ତି । ମୋର ତ ସେଇ ପେଚା ଓ ବିରାଡ଼ି କଥା ମନେପଡ଼ିଯାଉଥିଲା । ଭଗବାନଙ୍କ ନାମ ସୁମରଣା କରି ଛାତିକୁ ପଥର କରି ବସିଥିଲି ।

ତେବେ ଯାହା ହେଉ ୧୧ଟା ସମୟରେ ଦମ୍‍ ଦମ୍‍ ବିମାନ ବନ୍ଦରରେ ପହଞ୍ଚି ସେଠାରୁ ଦୁଇଟାରେ ଆଉ ଗୋଟିଏ ବିମାନରେ ଭୁବନେଶ୍ଵର ଆସିଲି । ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ଡଃ ସଦାଶିବ ମିଶ୍ର, ନବନିଯୁକ୍ତ ମନ୍ତ୍ରୀ ଶ୍ରୀ ବ୍ରଜମୋହୋନ ମହାନ୍ତି, ବନ୍ଧୁ ଶ୍ରୀ ଶଙ୍କରପ୍ରସାଦ ଖୁଣ୍ଟିଆ ପ୍ରମୁଖ ସେଦିନ ସେଇ ଭଡ଼ାଜାହାଜରେ ଭୁବନେଶ୍ଵର ଫେରୁଥିଲେ ।

ଅଧଘଣ୍ଟାକ ଭିତରେ ବିମାନଟି ଭୁବନେଶ୍ୱରରେ ପହଞ୍ଚିଲା । ମୋର ପ୍ରିୟ ଭୂମିର ପରିଚିତ ସ୍ଥାନଗୁଡ଼ିକୁ ଦେଖି ମନରେ କେତେ ଆନନ୍ଦ ଭରି ଉଠିଲା । ବିମାନ ବନ୍ଦର ଉପରେ ଭଡ଼ାଜାହାଜଟି ଚକାଭଉଁରୀ ଦେବାବେଳେ ମୋ ଆଖି ଆଗରେ ସବୁ ନାଚିଗଲା । ତଳେ ସମସ୍ତେ ଅପେକ୍ଷା କରି ରହିଥିଲେ । ମୋତେ ଭଡ଼ାଜାହାଜରୁ ଓହ୍ଲାଇବା ଦେଖି ପିଲାମାନେ ଖୁସିରେ କହିଉଠିଲେ–ଆରେ ଆମ ବାପା ଆସିଲେଣିରେ.....

Image